ୟୁ-ଟ୍ୟୁବ୍ ପାଠର ଅନ୍ଲାଇନ୍ ପରୀକ୍ଷା ଆରମ୍ଭ କଲା ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ

ଅନୁଗୁଳ: କୋଭିଡ୍‌ ପାଇଁ ବେଶି ପ୍ରଭାବିତ ହୋଇଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା। ସେଥିପାଇଁ ଗତ ମାଟ୍ରିକ୍‌ ପରୀକ୍ଷା ହୋଇ ପାରି ନଥିବା ବେଳେ ପୂର୍ବ ପରୀକ୍ଷା ଆଧାରରେ ସରକାର ଏଥର ମାଟ୍ରିକ୍‌ ପରୀକ୍ଷାର ମୂଲ୍ୟାୟନ କଲେ। ଏବଂ ୟୁ-ଟ୍ୟୁବ୍‌ ପାଠପଢ଼ା ବ୍ୟବସ୍ଥା କରିଛନ୍ତି।

ତେବେ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ଏ ଅନ୍‌ଲାଇନ୍‌ ଶିକ୍ଷା କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗକୁ ଯାଇ ଅନ୍‌ଲାଇନ୍‌ ପରୀକ୍ଷା ମଧ୍ୟ ଆରମ୍ଭ କରାଇଛି। ପିଲାମାନେ କ’ଣ ପଢ଼ିଲେ ତା’ର ମୂଲ୍ୟାୟନ ପାଇଁ ଗୁଗୁଲ୍‌ ସିଟରେ ନିଜସ୍ବ ଉଦ୍ୟମରେ ଜିଲ୍ଲା ଶିକ୍ଷା ବିଭାଗ ପରୀକ୍ଷା ବ୍ୟବସ୍ଥା ଆରମ୍ଭ କରିଥିବା ବେଳେ ଦଶମ ଶ୍ରେଣୀ ପିଲାଙ୍କର ପ୍ରଥମ ଦୁଇଟି ପରୀକ୍ଷାରେ ଜିଲ୍ଲାର ପ୍ରାୟ ୧୪ହଜାର ବିଦ୍ୟାର୍ଥୀ ଭାଗ ନେଇଛନ୍ତି।

ଶିକ୍ଷା ବିଭାଗର ତଥ୍ୟ ମୁତାବକ, ଜିଲ୍ଲାରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ ସଂଖ୍ୟା ହେଲା ୨୪୯। ସେଥିରେ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ସଂଖ୍ୟା ହେଲା ୧୬ହଜାର ୪୬୦। ବେସରକାରୀ ସ୍କୁଲ ବିଦ୍ୟାର୍ଥୀଙ୍କୁ ମିଶାଇଲେ ଜିଲ୍ଲ‌ାରେ ମୋଟ୍ ଦଶମ ଶ୍ରେଣୀ ପିଲାଙ୍କ ସଂଖ୍ୟା ଅଧିକ ହେବ। ଜୁନ୍‌ ୨୧ରୁ ଏହି ପିଲାଙ୍କ ପାଇଁ ସରକାର ୟୁ-ଟ୍ୟୁବ୍‌ ପାଠପଢ଼ା ବ୍ୟବସ୍ଥା ଆରମ୍ଭ କରିଛନ୍ତି।

ପାଖରେ ଆଣ୍ଡ୍ରଏଡ୍‌ ମୋବାଇଲ୍ ନାହିଁ, କିନ୍ତୁ ଯାହାର ଟେଲିଭିଜନ ଅଛି ସେମାନଙ୍କୁ ଦୂରଦର୍ଶନ ଜରିଆରେ ପାଠ ପଢ଼ାଇବା ବ୍ୟବସ୍ଥା କରାଯାଇଛି। ସରକାର ୟୁ-ଟ୍ୟୁବରେ ପାଠପଢ଼ା ସିନା କରାଇଲେ କିନ୍ତୁ ପରୀକ୍ଷା କାହିଁ? ଶିଶୁଟି କ’ଣ ପଢ଼ିଲା? କେତେ ମନେ ରଖିଲା ତାହାର ମୂଲ୍ୟାୟନକୁ ବିଚାର କରି ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ନିଜ ଆଡ଼ୁ ମୂଲ୍ୟାୟନ ବ୍ୟବସ୍ଥା ଆରମ୍ଭ କରିଛି।

ଜୁନ୍‌ ୨୧ରୁ ଜୁଲାଇ ୯ତାରିଖ ମଧ୍ୟରେ ପଢ଼ା ଯାଇଥିବା ବିଷୟବସ୍ତୁକୁ ନେଇ ଗୁଗୁଲ୍‌ ସିଟ୍ ଜରିଆରେ ଶିକ୍ଷା ବିଭାଗ ପ୍ରଶ୍ନପତ୍ର ତିଆରି କରିଛି। ପ୍ରାୟ ୬ଶହ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଲଗାଇ ଶିକ୍ଷା ବିଭାଗ ଅନ୍‌ଲାଇନ ପରୀକ୍ଷା କରାଇଛି। ଉଭୟ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇଛନ୍ତି ବୋଲି ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ ମହାପାତ୍ର ‘ସମ୍ବାଦ’କୁ କହିଛନ୍ତି।

ଗଣିତରେ ୧୪ହଜାର ୪୦୭ଜଣ ପରୀକ୍ଷା ଦେଇଥିବା ବେଳେ ସାହିତ୍ୟରେ ୧୪ହଜାର ୨୦୫ଜଣ ପରୀକ୍ଷା ଦେଇଛନ୍ତି। ଆଗକୁ ଅନ୍ୟାନ୍ୟ ବିଷୟର ଅନଲାଇନ୍‌ ପରୀକ୍ଷା ହେବାକୁ ଅଛି। ପ୍ରଥମ ଥର ପାଇଁ ଜିଲ୍ଲାରେ ଶିକ୍ଷା ବିଭାଗ ପକ୍ଷରୁ କରାଯାଇଥିବା ଅନ୍‌ଲାଇନ୍‌ ପରୀକ୍ଷା ଉଦ୍ୟମରେ ଆମକୁ କିଛିଟା ସଫଳତା ମିଳିଛି।

ଏହି ପରୀକ୍ଷାରେ ଯେମିତି ଅଧିକରୁ ଅଧିକ ପିଲା ଭାଗ ନେଇ ପାରିବେ ସେଥିପାଇଁ ବିଭିନ୍ନ ଯୋଜନା କରାଯିବାକୁ ଚିନ୍ତା କରାଯାଉଛି। ଆଗକୁ ଏହି ଢ଼ାଞ୍ଚାରେ ପ୍ରଥମରୁ ନବମ ଶ୍ରେଣୀ ଯାଏ ପିଲାଙ୍କର ଅନ୍‌ଲାଇନ୍‌ ପରୀକ୍ଷା କରିବାକୁ ଯୋଜନା କରାଯାଉଛି ବୋଲି ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର