ନବୀନ ନିବାସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା : ବିକାଶକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଲେ ୫-ଟି ସଚିବ

ରାୟଗଡ଼ା : ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ବିକାଶ ପାଇଁ ବହୁତ କିଛି କରିବାର ଅଛି। ଲୋକଙ୍କ ପାଖକୁ ଯାଅ। ସୁବିଧା, ଅସୁବିଧା ପଚାରି ବୁଝ। ବିକାଶଠୁ ଦୂରରେ ଥିବା ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ଦିଗରେ ପଦକ୍ଷେପ ନିଅ।

ନବୀନ ନିବାସରେ ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝିଙ୍କ ସହ ଆଲୋଚନା କରି ଏପରି ପରାମର୍ଶ ଦେଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ୍। ଶ୍ରୀ ପାଣ୍ଡିଆନ୍ କହିଛନ୍ତି, କାଶୀପୁର ଅନୁନ୍ନତ ଅଞ୍ଚଳ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉକ୍ତ ଅଞ୍ଚଳରୁ ପ୍ରତିନିଧିତ୍ବ କରୁଥିବାରୁ କୌଣସି ବି ଲୋକ ସରକାରଙ୍କ ଜନହିତକର ଯୋଜନାରୁ ବଞ୍ଚିତ ହେବା ଉଚିତ୍ ନୁହେଁ। ଗାଁକୁ ଗାଁ ବୁଲି ଲୋକଙ୍କ ସହ ଆଲୋଚନା କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ କ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ଦୂର ହେବା ଉଚିତ୍। ଖୁବ୍ ଶୀଘ୍ର ରାୟଗଡ଼ା ଗସ୍ତରେ ଆସିଲେ କାଶୀପୁର ବ୍ଲକ୍ ପରିଦର୍ଶନରେ ଯିବାକୁ ପାଣ୍ଡିଆନ୍ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ୫ ମିନିଟର ଆଲୋଚନା ମଧ୍ୟରେ ପାଣ୍ଡିଆନଙ୍କ ନିକଟରୁ ବହୁତ ପ୍ରେରଣା ପାଇଥିବା ଅଧ୍ୟକ୍ଷା ସରସ୍ବତୀ ମାଝି ପ୍ରକାଶ କରିଛନ୍ତି ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିର୍ବାଚନ ଶେଷ ହେବା ପରେ ପର୍ଯ୍ୟାୟକ୍ରମେ ନିର୍ବାଚିତ ପ୍ରତିନିଧିଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ପାଣ୍ଡିଆନ୍ ଏପରି ପରାମର୍ଶ ଦେଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଅନ୍ୟ ଏକ ଜରୁରି ବୈଠକରେ ଯୋଗଦେଇଥିବାରୁ ନିର୍ବାଚିତ ପ୍ରତିନିଧିଙ୍କ ସହ ପାଣ୍ଡିଆନ୍ ଆଲୋଚନା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ଉପାଧ୍ୟକ୍ଷ ସନ୍ତୋଷ ସୁନା ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କାଶୀପୁର ବ୍ଲକ୍ ଟିକିରି ପଞ୍ଚାୟତର ମୁସୁରିପଦରେ ଗାଁରେ ଜନ୍ମ ଗ୍ରହଣ କରିଥିବା ସରସ୍ବତୀ ବିଏସସି ପାସ୍ ହେବା ପରେ ସ୍ବଂୟ ସହାୟକ ଗୋଷ୍ଠୀ ଗଠନ କରି ମହିଳା ସଶକ୍ତିକରଣ ଦିଗରେ କାମ କରୁଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନରେ କାଶୀପୁର ‘ଗ’ ଜୋନରୁ ବିଜେଡି ଟିକେଟରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ। କଂଗ୍ରେସର ଅମ୍ବିକା ମାଝିଙ୍କୁ ୧୦୨୧ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିଲେ ସରସ୍ବତୀ। ଅତି ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ସରସ୍ବତୀଙ୍କ ବାପା ପବିତ୍ର ମାଝି ସ୍ବେଚ୍ଛ‌ାସେବୀ ଅନୁଷ୍ଠାନରେ କାମ କରୁଥିବା ବେଳେ ସରସ୍ବତୀ ଗୁଣପୁର କଲେଜରୁ ବିଏସସି ପାସ୍ କରିଛନ୍ତି। ପ୍ରଥମ ଥର ନିର୍ବାଚନରେ ପାଦ ଥାପିଥିବା ସରସ୍ବତୀଙ୍କ ଉପରେ ଦଳ ଭରସା କରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦାୟିତ୍ବ ପ୍ରଦାନ କରିବା ସମସ୍ତଙ୍କ କଳ୍ପନା ବାହାରେ ଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦୌଡ଼ରେ ବିଷମକଟକ ‘ଖ’ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିନୀ ବିଜୟଶାନ୍ତି କୁମ୍ଭିରିକାଙ୍କ ନାଁ ଚର୍ଚ୍ଚାରେ ଥିଲା ।

କିନ୍ତୁ ନିର୍ବାଚନ କକ୍ଷରେ ବନ୍ଦ ଲଫାପା ଖୋଲିବା ପରେ ସରସ୍ବତୀ ମାଝିଙ୍କ ନାଁକୁ ଦଳୀୟ ସୁପ୍ରିମୋ ଚୟନ କରିଥିବା ଜଣା ପଡିଥିଲା। ଅନୁନ୍ନତ କାଶୀପୁରର ବିକାଶ ସହ ଜଣେ ଶିକ୍ଷିତା ଯୁବତୀଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଚୟନ କରି ବିଜେଡି ନିର୍ବାଚନୀ କାର୍ଡ ଖେଳିଥିବା ମଧ୍ୟ ଆଲୋଚନା ହେଉଛି। ୨୦୧୯ ସାଧାରଣ ନିର୍ବାଚନରେ ରାୟଗଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ହାତରୁ ଖସିଥିବାରୁ ୨୦୨୪ ନିର୍ବାଚନ ପୂର୍ବରୁ ଦଳୀୟ ସ୍ଥିତି ଓ ସଂଗଠନ ସଜାଡ଼ି ପୁଣି ବିଜୟୀ ବାନା ଉଡାଇବାକୁ ଦଳ ଲକ୍ଷ୍ୟ ରଖିଛି। ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ବିଜୟ ପରେ ଯଦିଓ ରାଜ୍ୟ ସରକାରଙ୍କୁ ସମର୍ଥନ କରି ଆସୁଛନ୍ତି ତଥାପି ବିଜେଡି ନିଜ ସ୍ଥିତିକୁ ମଜଭୂତ କରିବାକୁ ପ୍ରୟାସ ଜାରି ରଖିଛି। ୨୦୨୨ ପଞ୍ଚାୟତ ନିର୍ବାଚନରେ କାଶୀପୁର ବ୍ଲକର ୩ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ବିଜେଡି ୨ଟିରେ ବିଜୟୀ ହୋଇଥିବା ବେଳେ ବ୍ଲକକୁ ଅକ୍ତିଆରରେ ରଖିଛି। ବ୍ଲକ୍ ଉପାଧ୍ୟକ୍ଷ ପଦବିକୁ କିନ୍ତୁ କଂଗ୍ରେସ ହାତେଇ ନେଇଛି ।

ସମ୍ବନ୍ଧିତ ଖବର