ନିଯୁକ୍ତ ସ୍ଥାନରେ ଡାକ୍ତର କିମ୍ବା କର୍ମଚାରୀ ନରହିଲେ ଘରଭଡ଼ା ମିଳିବନି

ଖୋର୍ଦ୍ଧା: ଆଜି ନୂତନ ଭାବେ ଗଠିତ ହୋଇଥିବା ଷଷ୍ଠ ଜିଲ୍ଲାପରିଷଦର ପ୍ରଥମ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୦ଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଗ୍ରାମାଂଚଳରେ ଚାଲୁଥିବା ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବା, ବିଭିନ୍ନ ସିଏଚ୍ସି ଓ ପିଏଚ୍ସିରେ ନିୟୋଜିତ ଡାକ୍ତରଙ୍କ ଉପସ୍ଥିତିକୁ ନିଶ୍ଚିତ କରିବା, ମନରେଗା ଯୋଜନାରେ ମିଳିଥିବା ଅର୍ଥର ସଠିକ ବିନିଯୋଗ ସହ କେନ୍ଦ୍ର ସରକାରଙ୍କ ଜଳଜୀବନ ମିଶନରେ ଅନୁଦିତ ପୋଖରୀ ନିର୍ମାଣ ଏବଂ ସ୍କୁଲଗୁଡ଼ିକର ମରାମତି ଆଦି ନେଇ ଆଲୋଚନା ହୋଇଥିଲା । ବୈଠକରେ, ଯୋଜନା, ଅର୍ଥ, ଦାରିଦ୍ର୍ୟଦୂରୀକରଣ, କୃଷି, ପଶୁପାଳନ, ମୃତ୍ତିକା ସଂରକ୍ଷଣ, ପୂର୍ତ, ଜଳସେଚନ, ବିଦ୍ୟୁତ୍, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ, ସାଧାରଣ ବଂଟନ, ପଶୁଖାଦ୍ୟ, ହସ୍ତଶିଳ୍ପ, କୁଟୀର ଶିଳ୍ପ, ଗ୍ରାମାଂଚଳ ଗୃହନିର୍ମାଣ, ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତି ଆଦି ବିଭାଗର ୭ଟି ସ୍ଥାୟୀ ଷ୍ଟାଣ୍ଡି କମିଟି ଗଠନ କରାଯାଇଥିଲା । ଏହା ସହ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ପୂର୍ବବର୍ଷର କାର୍ଯ୍ୟ ଓ ଚଳିତ ବର୍ଷର ଅନୁଦିତ କାର୍ଯ୍ୟ ଓ ଅନୁଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦେ୍ର୍ଦଶକ ଦିଗନ୍ତ ରାଉତରାୟ ମନରେଗା ଓ ଗ୍ରାମ୍ୟ ଜଳ ଓ ପରିମଳ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ।

ତଥ୍ୟାନୁସାରେ, ୨୦୨୧-୨୨ରେ ମନରେଗାରେ ୩୫ଲକ୍ଷ ୮୪ ହଜାର କର୍ମଦିବସ ଓ ୨୪,୨୪୩ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା । ଚଳିତ ବର୍ଷ ଜିଲ୍ଲାର ୧୦ଟି ବ୍ଲକରୁ ମୋଟ ୫୫ଲକ୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟଦିବସ ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ୯୮ କୋଟି ଟଙ୍କାର ଅନୁଦାନ ଓ ୨୫ଲକ୍ଷ କର୍ମଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଣୁ ଅନୁଦାନର ସଠିକ ବିନିଯୋଗ କିଭଳି ହେବ ସେନେଇ ବିଷଦ ଆଲୋଚନା ହୋଇଥିଲା । ଏହା ସହ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ ଓ ଅନ୍ୟ ସଦସ୍ୟମାନେ ଜିଲ୍ଲାରେ ଚାଲିଥିବା ମେଗା ପାଇପ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ମନ୍ଥର ଥିବାରୁ ଚିନ୍ତାବ୍ୟକ୍ତ କରିଥିଲେ । ଏହାସହ ପାଇପ୍ ବିଛାଇବା ପାଇଁ ଖୋଳାଯାଉଥିବା ରାସ୍ତାର ମରାମତି ହେଉନଥିବାରୁ ଯାତାୟତରେ ଅନେକ ସମସ୍ୟା ସୃଷ୍ଟି ହେଉଥିବାରୁ ଏନେଇ ନିୟୋଜିତ କମ୍ପାନୀ ଏଲ୍ଆଣ୍ଡଟିକୁ ଦୃଷ୍ଟି ଦେବାକୁ ବୈଠକରେ ଦାବି ହୋଇଥିଲା । ତେବେ କେନ୍ଦ୍ର ସରକାରଙ୍କ ବର୍ଷାଜଳ ସଂରକ୍ଷଣ ଓ ଗ୍ରାମାଂଚଳରେ ପୋଖରୀ ଖୋଳାଇବା ନେଇ ଜଳଜୀବନ ମିଶନ ସମ୍ପର୍କିତ ଆଲୋଚନାରେ ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ କହିଥିଲେ ଯେ ଯୋଜନାର ଉଦେ୍ଦଷ୍ୟ ଭିନ୍ନ ରହିଛି । ସେ ନିଜେ ବେଗୁନିଆ ନିର୍ବାଚନମଣ୍ଡଳୀରେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୩ଶହ ପୋଖରୀ ଏପରିକି ପ୍ରତି ପଂଚାୟତରେ ୭-୮ଟି ପୋଖରୀ ଖୋଳାଇଛନ୍ତି । ଏପରି ସ୍ଥଳେ କେନ୍ଦ୍ର ସରକାର ୧୦ଟି ବ୍ଲକ ପାଇଁ ଅତିକମ୍ରେ ୭୫ଟି ପୋଖରୀ ଖୋଳାଇବାକୁ ଯେଉଁ ଲକ୍ଷ୍ୟ ଦେଇଛନ୍ତି ।

ସେହିଭଳି, ଗ୍ରାମାଂଚଳ ରାସ୍ତା ନିର୍ମାଣ କାର୍ଯ୍ୟରେ ଗତ ବର୍ଷ ବରୁଣେଇ ସଂରକ୍ଷିତ ଜଙ୍ଗଲରେ ରାସ୍ତା ନିର୍ମାଣ ବେଳେ ସଂରକ୍ଷିତ ଜଙ୍ଗଲର ବେଆଇନ ଗଛକାଟି ରାସ୍ତା ନିର୍ମାଣ କରୁଥିବା ଅଭିଯୋଗରେ ଜବତ ହୋଇଥିବା ପ୍ରୋକ୍ଲିନ୍ ଓ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ବେଗୁନିଆ ବିଧାୟକ ବିରୋଧ କରିବା ସହ ମାମଲା କୋହଳ କରିବାକୁ ଡିଏଫ୍ଓଙ୍କ ଉପରେ ଚାପ ପକାଇଥିଲେ । ଅନେକ ଜିଲ୍ଲା ପରିଷଦ ସଦସ୍ୟ ନିଜ ନିଜ ଅଂଚଳର ନିୟୋଜିତ ସରକାରୀ କର୍ମଚାରୀ ବିଶେଷତଃ ପିଏଚସି ଓ ସିଏଚସିରେ ଡାକ୍ତର ରହୁନଥିବା ନେଇ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ସିଡିଏମ୍ଓଙ୍କୁ ଏନେଇ ଜବାବ ତଲବ କରିବା ସହ ଯେଉଁମାନେ ନିୟୋଜିତ କର୍ମସ୍ଥଳରେ ରହୁନାହାନ୍ତି ସେମାନଙ୍କ ରିପୋର୍ଟ ପ୍ରସ୍ତୁତ କରି ସେମାନଙ୍କୁ ଦିଆଯାଉଥିବା ଘରଭଡ଼ା ରଦ୍ଦ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସେହିଭଳି ଗ୍ରାମାଂଚଳର ଅନେକ ସ୍କୁଲ ମରାମତି ହେଉନଥିବା ଓ ସ୍କୁଲଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନଥିବା ନେଇ ଜିଲ୍ଲା ପରିଷଦ ସଦସ୍ୟ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ଆଲୋଚନା ହେବା ସହ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ମରାମତି ଆବଶ୍ୟକ କରୁଥିବା ସ୍କୁଲଗୁଡ଼ିକୁ ଚିହ୍ନଟ କରି ମରାମତି କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହାସହ କୃଷି, ରାସ୍ତାଘାଟ, ଜଳସେଚନ, ମତ୍ସ୍ୟ ଓ ପଶୁ ସମ୍ପଦ, ସାଧାରଣ ବଂଟନ ବ୍ୟବସ୍ଥା ସମ୍ପର୍କରେ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ତଥ୍ୟ ଉପସ୍ଥାପନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର