ଖୋର୍ଦ୍ଧାରେ ହେବ ବିଜ୍ଞାନ ପାର୍କ, କୁଶଭଦ୍ରା ଓ କୁଆଖାଇରେ ଜଳ ସଂରକ୍ଷଣ ପ୍ରକଳ୍ପ

ଜିଲ୍ଲା ପରିଷଦର ୭ମ ସାଧାରଣ ପରିଷଦ ବୈଠକ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଏକ ବିଜ୍ଞାନ ପାର୍କ ଓ କୁଶଭଦ୍ରା ଏବଂ କୁଆଖାଇ ନଦୀରେ ଜଳ ସଂରକ୍ଷଣ ପ୍ରକଳ୍ପ ସ୍ଥାପନ ହେବ । ଆଜି ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ପରିଷଦର ୭ମ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ରାଜ୍ୟ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି ।

ଜିଲ୍ଲାରେ ନିର୍ମାଣାଧୀନ ରାସ୍ତା ଓ ନିର୍ମାଣ ହେବାକୁ ଥିବା ରାସ୍ତାକାମଗୁଡ଼ିକ ସମୟାନୁସାରେ ଶେଷ କରିବା ବିଶେଷତଃ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶେଷ କରିବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଟିକରପଡ଼ା ବ୍ରିଜ୍ କାମ, ମହାବୀର ନଗର ରାସ୍ତାକାମରେ ବିଳମ୍ବ ଘଟିଛି, ଏହା ତୁରନ୍ତ ଶେଷ କରିବାକୁ କହିଛନ୍ତି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସଡ଼କ କାମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଫେଜ୍-୧ରେ ୮ଟି ରାସ୍ତାକାମ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ । ଫେଜ୍-୨ରେ ୧୯ଟି ରାସ୍ତାକାମ ଚାଲିଛି । ଫେଜ୍-୩ରେ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକର ମୋଟ ୩୩୬ଟି ରାସ୍ତାକାମ ଅନୁମୋଦିତ ହୋଇଛି । ଏହି ସମସ୍ତ କାମ ନିର୍ଦ୍ଧାରିତ ସମୟରେ ଶେଷ ହେବ ବୋଲି ଆଶା କରାଯାଉଛି ।

ବୈଠକରୁ ମିଳିଥିବା ସୂଚନାନୁସାରେ, ବୈଠକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ବନାଂଚଳରେ ନିଆଁ ଲାଗୁଥିବା ଘଟଣାରେ ପଂଚାୟତସ୍ତରରେ ସଚେତନତା ଓ ଆବଶ୍ୟକ ପ୍ରସ୍ତୁତି ନିମନ୍ତେ ପରାମର୍ଶ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଜିିଲ୍ଲା ପରିଷଦର ପୂର୍ବ ବିବରଣୀ ଓ ବର୍ତମାନ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ମନରେଗା ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକରେ ବର୍ତମାନ ସୁଦ୍ଧା ୨୦ଲକ୍ଷ ୪୯ହଜାର ୭୭୦ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ୨୦୨୧-୨୨ରେ ୧୬ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବା ଲକ୍ଷ୍ୟ ରହିଛି । ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରି ଗ୍ରାମାଂଚଳର ଲୋକଙ୍କ ରୋଜଗାରକୁ ନିଶ୍ଚିତ କରାଯିବ ।

ଜଳସେଚନ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ନିର୍ବାହୀ ଯନ୍ତ୍ରୀ ପ୍ରାଚୀ ଡିଭିଜନ କହିଥିଲେ ଯେ କୁଆଖାଇ ଓ କୁଶଭଦ୍ରା ନଦୀର ଜଳ ସଂରକ୍ଷଣ ପାଇଁ ବ୍ୟାରେଜ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ସେହିଭଳି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଶିକ୍ଷା ସଂଯୋଗ, ଶିକ୍ଷା ଶିଖର, ଶିକ୍ଷା ସମ୍ଭବ କାର୍ଯ୍ୟକ୍ରମ ସମ୍ପର୍କରେ ଏବଂ ମୋ ସ୍କୁଲ ଅଭିଯାନ ସମ୍ପର୍କରେ ମଧ୍ୟ ବିଶଦ ଆଲୋଚନା ହୋଇଥିଲା ।
ଖରିଫ ଧାନ ସଂଗ୍ରହ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଅନାମ ସ୍ୱାଇଁ କହିଛନ୍ତି ଯେ ବର୍ତମାନ ସୁଦ୍ଧା ୧୩ଲକ୍ଷ ୮୩ହଜାର କ୍ୱିଂଟାଲ୍ ଧାନ ସଂଗ୍ରହ କରାଯାଇଛି । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପଂଜୀକୃତ ଚାଷୀଙ୍କ ଠାରୁ ବଳକା ଧାନ ସଂଗ୍ରହ କରାଯିବ ।
ଜିଲ୍ଲା ପରିଷଦକୁ ୨୦୨୦-୨୧ରେ ୫ମ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନ ବାବଦକୁ ୧ କୋଟି ୪୫ଲକ୍ଷ ୭୧ ହଜାର ୬୫୦ଟଙ୍କା ମିଳିଥିବା ବେଳେ ପଂଚଦଶ କେନ୍ଦ୍ର ଅର୍ଥ କମିଶନଙ୍କ ଅନୁଦାନ ବାବଦକୁ ୧କୋଟି ୭୯ଲକ୍ଷ ୭୭ ହଜାର ୭୦୭ ଟଙ୍କା ଦ୍ୱିତୀୟ କିସ୍ତିରେ ରାଜ୍ୟ ସରକାରଙ୍କ ଠାରୁ ମିଳିଛି ।
ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ସଦସ୍ୟ, ପଂଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର