ଜଗତସିଂହପୁର : ବାର୍ଷିକ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟା ଆଣ୍ଠେଇ ଭୁଲ ମାଗିଲେ ଏବଂ ଖାଲି ପାଦରେ ଗାଁ ଦାଣ୍ଡରେ ଚାଲି ଚାଲି ଗଲେ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମାର ଢିଙ୍କିଆରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟା ଆଣ୍ଠେଇ ଭୁଲ ମାଗିଲେ ଏବଂ ପୁଲିସ ଉପସ୍ଥିତିରେ ଗାଁ ଦାଣ୍ଡରେ ଖାଲି ପାଦରେ ଚାଲି ଚାଲି ଗଲେ।

ସୂଚନାଯୋଗ୍ୟ, ଢିଙ୍କିଆ କପ୍ତେଶ୍ୱର ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଗତ ଶନିବାର  ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏହି ଉତ୍ସବରେ ଦେଖିବାକୁ ମିଳି ନ ଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ତେବେ ଏହି ଉତ୍ସବରେ, ସରକାରଙ୍କ ବିଭିନ୍ନ ଯୋଜନା ନେଇ ପ୍ରଚାର କରିବା ଭଳି ଭାଷଣ ଦେଇଥିଲେ ଜିଲ୍ଲା ପରିଷଦ ସଭ୍ୟା। ତାଙ୍କ ଭାଷଣକୁ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ। ଏହା ପରେ ଜିଲ୍ଲା ପରିଷଦ ସଭ୍ୟା ସେମାନଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ମନ୍ତବ୍ୟ ଦେଇଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ସହ ପ୍ରତିବାଦ କରିଥିଲେ ।

ଘଟଣା ଉଗ୍ରରୂପ ନେବାରୁ ଜିଲ୍ଲା ପରିଷଦ ସଭ୍ୟା ଭୁଲ ମାଗିଥିଲେ । ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଲୋକମାନଙ୍କୁ ଆଣ୍ଠେଇ ଭୁଲ ମାଗିଥିଲେ ଜିଲ୍ଲା ପରିଷଦ ସଭ୍ୟା । ଏହା ସହ ପୁଲିସ ଉପସ୍ଥିତିରେ ଗାଁ ଦାଣ୍ଡରେ ସେ ଖାଲିପାଦରେ ଚାଲି ଚାଲି ଯାଇଥିଲେ । ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର