ବାଲେଶ୍ବର: ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ଦିନକୁ ୩୦ କିଲୋମିଟର ରାସ୍ତା ଶେଷ କରୁଛି। ଏହି କ୍ରମରେ ଖୁବ୍‌ଶୀଘ୍ର ଦେଶର ଯେଉଁ ସବୁ ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ ଅଧୀନ ରାସ୍ତା ରହିଛି, ତାହା ଶେଷ ହେବା ସହିତ ରାସ୍ତାଗୁଡ଼ିକ ଆମେରିକା ଓ ଋଷିଆ ଭଳି ଉଚ୍ଚମାନର ହେବ। ଏହା ଆମ ଦେଶର ବିକାଶକୁ ଆଗକୁ ନେବାରେ ସହାୟକ ହେବ। ଗତ ୨୦୨୧ ମସିହାରେ ସଂସଦର ଏକ ଅଧିବେଶରେ ଏହି ମନ୍ତବ୍ୟ ଦେଇଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡ଼କରୀ। ହେଲେ ତାଙ୍କର ଏହି ମନ୍ତବ୍ୟ ଓ ଓଡ଼ିଶାରେ ତା’ର ବାସ୍ତବ ସ୍ଥିତି ମଧ୍ୟରେ ରହିଛି ଆକାଶ-ପାତାଳ ଫରକ। ବାଲେଶ୍ବରରୁ ଭଦ୍ରକ ମାତ୍ର ୬୨ କିଲୋମିଟର ୧୬ ନମ୍ବର ନମ୍ବର ଜାତୀୟ ରାଜପଥକୁ ଯଦି ଉଦାହରଣ ଭାବେ ନିଆଯିବ, ତାହେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ କଥା ରକ୍ଷା କରିବା ପାଇଁ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନର ଅଧିକାରୀମାନେ କେତେ ତତ୍ପର, ତାହା ସ୍ପଷ୍ଟ ବାରି ହେବ।
ଦୀର୍ଘ ବର୍ଷର ଦାବି ପରେ ଚେନ୍ନାଇରୁ ଭାୟା ଉପକୂଳ ଓଡ଼ିଶା ଦେଇ ପଶ୍ଚିମବଙ୍ଗକୁ ଯୋଡ଼ିଥିବା ୧୬ ନମ୍ବର ଜାତୀୟ ରାଜପଥର ୬ ଥାକିଆ ପ୍ରକଳ୍ପ ତଥା ସମ୍ପ୍ରସାରଣ କାମ ୫ବର୍ଷ ତଳେ ଆରମ୍ଭ ହୋଇଥିଲା। ଏହାକୁ ବିଭିନ୍ନ ପ୍ୟାକେଜ୍‌ରେ କରାଯାଉଥିବା ବେଳେ ଭଦ୍ରକ ଜିଲ୍ଲା ରାଣୀତାଲ ଠାରୁ ବାଲେଶ୍ବର ଜିଲ୍ଲା ଫୁଲାଡ଼ି ପର୍ଯ୍ୟନ୍ତ ୬୨ .୬୪୧ କିଲୋମିଟର ରାସ୍ତା କାମକୁ ଠିକାସଂସ୍ଥା ବ୍ରିଜ୍‌ ଗୋପାଲ କନ୍‌ଷ୍ଟକ୍‌ସନ ନେଇଛି। କାମ ଆରମ୍ଭର ୯୧୦ ଦିନ ଅର୍ଥାତ୍‌ ଅଢ଼େଇ ବର୍ଷ ଭିତରେ ସାରିବା କଥା। କିନ୍ତୁ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଏ​ବେ ଆହୁରି ୪୦ ପ୍ରତିଶତ କାମ ଶେଷ ହୋଇନଥିବା ଦେଖାଯାଇଛି। ୨୦୨୧ରେ କାମ ସାରିବା ପାଇଁ ଅବଧି ରହିଥିବା ବେଳେ କାମ ଅସମ୍ପୂର୍ଣ୍ଣ ଥିବାରୁ ୨୦୨୩ ଜୁଲାଇ ମାସକୁ ଅବଧି ଦିଆଯାଇଥିଲେ ହେଁ ତାହା ମଧ୍ୟ ସରିସାରିଛି। ମାର୍କୋଣା, ସିମୁଳିଆ, ତଳନଗର, ସୋର କଲେଜ, ଛପୁଲିଆ, ଦହିସଡ଼ା, ବିଦୁ, ବାରିକପୁର, ବାହାନଗା, ଖନ୍ତାପଡ଼ା, ସେରଗଡ଼, ବଣପାରିଆ, ବାମପଦା, ରେମୁଣା ଗୋଲେଇ, ନୂଆଗାଁ, ମଙ୍ଗଳପୁର ଆଦି ସ୍ଥାନରେ ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥା​ରେ ରହିଥିବା ବେ​ଳେ ଏନ୍‌ଏଚ୍‌ ପାର୍ଶ୍ବ ସଂପ୍ରସାରଣ ଉଦ୍ଦେଶ୍ୟରେ ଖୋଳାଯାଇ ଦୀର୍ଘଦିନ କାମ ଚାଲିଛି। ଏହାଛଡ଼ା ଦୈନିକ ଏହି ରାସ୍ତାରେ ପାଣି ସିଞ୍ଚନ କିପରି ହେବ, ଟ୍ରାଫିକ ବ୍ୟବସ୍ଥା କିପରି ପରିଚାଳିତ ହେବ ସେନେଇ ମଧ୍ୟ କାହାରି ନିଘା ନାହିଁ। କାମ ଖୁବ୍‌ ମନ୍ଥର ଗତିରେ ଚାଲିଥିବାରୁ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟିବା ସହ ଅନେକ ଲୋକ ଖଣ୍ଡିଆଖାବରା ହେବା ସହ ଅକା​ଳରେ ମୂଲ୍ୟବାନ ଜୀବନ ମଧ୍ୟ ହରାଉଛନ୍ତି। ଏହାଛଡ଼ା ରାସ୍ତା ଖରାପ ପାଇଁ ଅହରହ ଧୂଳି ଉଡ଼ୁଥିବାରୁ ରାସ୍ତାରେ ଯିବାଆସିବାରେ ଅସୁବିଧା ହେବା​ ସହ ଭିଡ଼ରେ ଅଯଥା ସମୟ ଯାଉଛି। ଡାଇଭର୍ସନ ଦେଇ ଏକପାଖିଆ ରାସ୍ତା କରାଯାଇଥିବାରୁ ଟ୍ରାଫିକ ଜାମ୍‌ ହୋଇ ଲମ୍ବା ଲାଇନ୍‌ରେ ଘଣ୍ଟାଘଣ୍ଟା ଧରି ଶହ ଶହ ଗାଡ଼ି ଅଟକି ରହୁଛନ୍ତି। କିନ୍ତୁ ଠିକ୍‌ ଭାବେ କାମ କରୁନଥିଲେ ହେଁ ଠିକାସଂସ୍ଥା ବ୍ରିଜ୍‌ଗୋପାଲ କନଷ୍ଟ୍ରକସନ୍‌କୁ କାମ ଅପେକ୍ଷା ଅଧିକ ଟଙ୍କା ଦିଆଯାଇଛି। ଏହି ପ୍ରକଳ୍ପର ମୂଲ୍ୟ ୧୦୫୭.୫୭ କୋଟିରେ ପହଞ୍ଚିଥିବା ଜଣାପଡ଼ିଛି। ନିର୍ଦ୍ଧାରିତ ଅବଧିରେ କାମ ଶେଷ ନକରିବା ଏବଂ ବାରମ୍ବାର ଅବଧି ବଢ଼ାଇ ଚାଲିଥିବା​ ବେଳେ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯିବାକୁ ନେଇ ଏହି ଠିକାସଂସ୍ଥାକୁ କଳା ତାଲିକାଭୁକ୍ତ କରିବା କଥା ବୋଲି ଅଞ୍ଚଳବାସୀ ଦାବି କରିଥିବା ବେଳେ କିନ୍ତୁ ସେଭଳି କିଛି କରାଯାଇନାହିଁ। ତେବେ ଏହି ରାସ୍ତା ଏବେ ଜନସାଧାରଣଙ୍କୁ ଯନ୍ତ୍ରଣା ଦେଉଥିବା ବେଳେ ଜିଲ୍ଲାର ନିର୍ବାଚିତ ଲୋକ ପ୍ରତିନିଧି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ବିରୋଧରେ କେବେବି ପାଟି ନଫିଟାଇବା ସବୁଠୁ ପରିତାପର ବିଷୟ ହୋଇଛି।
ସେପଟେ ଏହି କାମ କେବେ ସୁଦ୍ଧା ସରିବ ଏବଂ କାମ ମନ୍ଥର ଯୋଗୁ ଉପୁଜୁଥିବା ଅସୁବିଧାକୁ ନେଇ ଠିକାସଂସ୍ଥା ବ୍ରିଜ୍‌ଗୋପାଲ କନ୍‌​ଷ୍ଟ୍ରକସନ୍‌ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରତିକ୍ରିୟା ଆଣିବାକୁ ଗଲେ ସେମା​ନେ ଧରାଛୁଆଁ ଦେଉନଥିବା ବେଳେ ଏନ୍‌ଏଚ୍‌-୧୬ର ପିଡି(ପ୍ରକଳ୍ପ ନିର୍ଦ୍ଦେଶକ) ଜୟପ୍ରକାଶ ବର୍ମାଙ୍କ ଠାରୁ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି କରୋନା କଟକଣା ଏବଂ କିଛି ସ୍ଥାନରେ ପ୍ରଶାସନ ତରଫରୁ ବିଳମ୍ବିତ ସହଯୋଗ କାରଣରୁ ସେହି ଅନୁସାରେ ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ହେବାରେ ବିଳମ୍ବ ହୋଇଛି। ହେଲେ ଏବେ ଏହି ରାସ୍ତା ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଥିବା ବେଳେ ଯେଉଁ ସ୍ଥାନରେ କାମ କିଛି ବାକି ରହିଛି, ସେଗୁଡ଼ିକୁ ତୁରନ୍ତ ସାରିବା​ ଲାଗି ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସୋର ଓ ବାମପଦା ଠାରେ ​ରେଳ ଓଭରବ୍ରିଜ୍‌ ପାଇଁ ଟିକେ ସମୟ ଲାଗିପାରେ। କିନ୍ତୁ ୨୦୨୪ ଫେବ୍ରୁଆରି କିମ୍ବା ମାର୍ଚ୍ଚ ଶେଷ ସୁଦ୍ଧା ଏହି ପ୍ରକଳ୍ପ ସରିବ ବୋଲି ସେ ଦୃଢ଼ୋ​କ୍ତି ପ୍ରକାଶ କରିଛନ୍ତି।