ରାଜାମୁଣ୍ତା: ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ମୁଷାବିରା ଛକ ନିକଟରେ ଏକ କାର୍‌କୁ ଅନ୍ୟ ଏକ କାର୍‌ ଧକ୍କା ଦେବାରୁ କାର୍‌ ଓଲଟି ଜଣେ ୪ ବର୍ଷର ଶିଶୁ ରୁଷବ ଓରାମଙ୍କର ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ମୁତାବକ ମୁଷାବିରା ଗ୍ରାମର ଜଗନ୍ନାଥ ଓରାମଙ୍କ ସହ ପୁଅ ରୁଷବ ଓରାମ ଏବଂ ତାଙ୍କ ସହିତ ଅନ୍ୟ ଆତ୍ମିୟ ପରିଜନ ଓଡ଼ି ୧୪ ୟୁ ୨୮୪୨ କାର୍‌ ଯୋଗେ ମୁଷାବିରା ଗ୍ରାମକୁ ଯାଉଥିବା ସମୟରେ ରାଉରକେଲା ପଟୁ ଦ୍ରୁତଗତିରେ ଆସୁଥିବା ଓଡ଼ି ୦୨ ୨୯୭୨ ହୁଣ୍ତାଇ କାର୍‌ ସହ ମୁଷାବିରା ଛକରେ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ ଧକ୍କାରେ ଅନ୍ୟ କାର୍‌ଟି ଓଲଟି ପଡ଼ିଥିଲା। ଯାହା ଫଳରେ କାର୍‌ ଭିତରେ ବସିଥିବା ଜଗନ୍ନାଥ ଓରାମଙ୍କ ପୁଅ ରୁଷବ ଓରାମ ଗାଡ଼ିରେ ଚାପି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଲହୁଣିପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ରୁଷବଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଡାକ୍ତରଖାନାରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।