ନୟାଗଡ଼ : ଧାନ କିଣା ତଥା ଚାଷୀ ପଞ୍ଜିକରଣରେ ବ୍ୟାପକ ଦୁର୍ନୀତି ପାଇଁ ନୟାଗଡ଼ ଜେମାଦେଇପୁର ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍ସ) ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି। ସମ୍ପାଦକ ବେପାରୀଙ୍କ ଧାନ ବିକ୍ରି କରି ମାଲେମାଲ ହେବାକୁ ଜାଲିଆତିର ଶେଷ ସୀମାକୁ ଛୁଇଁଥିବା ତଦନ୍ତରୁ ଜଣାପଡ଼ିଛି। ଏପରିକି ସମ୍ପାଦକ ଅଲେଖଚନ୍ଦ୍ର ପ୍ରଧାନ ନିଜେ ଭାଗଚାଷୀ ସାଜି ୪୨୬ କ୍ବିଣ୍ଟାଲ ଧାନ ବିକ୍ରି କରିଥିବା ବେଳେ, ତାଙ୍କ ଶ୍ୱଶୁର ତଥା ଉକ୍ତ ପାକ୍ସର ସଭାପତି, କ୍ରିଦାଶପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଅନ୍ତର୍ଯ୍ୟାମୀ ଦାସ ମଧ୍ୟ ଭାଗଚାଷୀ ସାଜି ୧୫୦ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି। ତଦନ୍ତ ପରେ ଘଟଣା ସତ୍ୟ ପ୍ରମାଣିତ ହେବାରୁ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶକ୍ରମେ ଏହି ନିଲମ୍ବନ କରାଯାଇଛି।
ଦଲାଲ ଧାନ ବେପାରୀଙ୍କ ଠାରୁ ଚାନ୍ଦା ପାଇ ଶ୍ୱଶୁର-ଜ୍ୱାଇଁ ଏହି ମହାଦୁର୍ନୀତି କରିଥିବା ଅନୁମାନ କରାଯାଉଛି । ଚର୍ଚ୍ଚାର ବିଷୟ ହେଲା, ମେ ଫେୟାର ଆଗ୍ରୋ ଇଣ୍ଟର ନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ ନିର୍ଦ୍ଦେଶକ ସନ୍ଦୀପ ରାୟ ନୟାଗଡ଼ ଜିଲ୍ଲା ମହିପୁର ରେଭୁନ୍ୟୁ ସର୍କଲ ବେଗୁନିଆସାହି ମୌଜା ଖାତା ନମ୍ବର ୧୯୯/୪୭ରେ ଥିବା ପ୍ଲଟ ନମ୍ବର ୧,୨,୩,୧୯,୧୩,୧୫,୨୭, ୨୩୦/୭୭୩ ରେ ଥିବା ପଡ଼ିଆକୁ ଜମି ଦର୍ଶାଇ ପଞ୍ଜୀକରଣ କରାଯାଇଛି। ଏହି ଜମିରେ ପାକ୍ସ ସଭାପତି ତଥା ସରପଞ୍ଚ ଅନ୍ତର୍ଯାମୀ ଦାସ ଭାଗଚାଷୀ ସାଜିଛନ୍ତି। ସେହିଭଳି ସମ୍ପାଦକ ଅଲେଖଚନ୍ଦ୍ର ନୟାଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିସ୍ବାର୍ଥର ସମ୍ପାଦକ ଅରୁଣ ମହାନ୍ତିଙ୍କ ପଡ଼ିଆ ଜମିକୁ ପଞ୍ଜୀକରଣ କରି ନିଜକୁ ଭାଗଚାଷୀ ଦର୍ଶାଇଛନ୍ତି। ଅରୁଣ ମହାନ୍ତିଙ୍କ ନାମରେ ଥିବା ବେଗୁନିଆସାହି ମୌଜାର ଖାତା ନମ୍ବର ୧୯୯/୪୭ ପ୍ଲଟନ ନମ୍ବର ୧,୩,୧୯,୧୩,୧୫,୨୭, ୨୩୦/୭୭୩ ପଡ଼ିଆ ଜମିରେ ଧାନ ଫଳିଥିବା ଓ ସମ୍ପାଦକ ଏହି ଜମିରେ ଭାଗଚାଷ କରିଥିବା ନେଇ ପଞ୍ଜୀକରଣ ସହ ଧାନ ମଧ୍ୟ ବିକ୍ରି କରିଛନ୍ତି।
ଗତ ଦୁଇ ମାସରେ ନୟାଗଡ଼ରେ ୪ ପାକ୍ସ ସମ୍ପାଦକ ନିଲମ୍ବିତ ହେବା ନୟାଗଡ଼ରେ କେଉଁ ପରିମାଣରେ ଧାନକିଣାରେ ଦୁର୍ନୀତି ହୋଇଛି, ତାହା ସ୍ପଷ୍ଟ କରୁଛି। ପୂର୍ବରୁ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶନ ପରେ ଇଟାମାଟି ପାକ୍ସ ସମ୍ପାଦକ ନିଲମ୍ବିତ ହୋଇଥିଲେ। ଚାଷୀଙ୍କ ଅଭିଯୋଗ ପରେ ଖମାରସାହି, ପାଣ୍ଡିରିପଡ଼ା ପାକ୍ସ ସମ୍ପାଦକ ମଧ୍ୟ ନିଲମ୍ବିତ ହୋଇଥିଲେ। ଏହା ପରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକ୍ରମେ ନୟାଗଡ଼ର ସମସ୍ତ ପାକ୍ସରେ ଜିଲ୍ଲା ପ୍ରଶାସନାର ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଜେମାଦେଇପୁର ପାକ୍ସ ସମ୍ପାଦକ ନିଲମ୍ବିତ ହୋଇଛନ୍ତି। ଆଗକୁ ଆହୁରି ମୁଣ୍ଡ ଗଡ଼ିବ ବୋଲି ଜଣାଯାଇଛି।