ରାଇରଙ୍ଗପୁର: ପାଣି ବ୍ୟବହାର ନ କରି ବି ଜଳ କର ପିଛା ଛାଡୁ ନାହିଁ । ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକର ବାଙ୍କବଳ ଓ କୁସୁମୀ ବ୍ଲକର ସୁଲେଇପାଟ ବନ୍ଧ କେନାଲ ଉପରେ ନିର୍ଭର କରୁଥିବା ଚାଷୀ ଏଭଳି ହନ୍ତସନ୍ତ ହେଉଛନ୍ତି । ସରକାର ଚାଷୀମାନଙ୍କ ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କାରେ ଚାଷୀଙ୍କ ହିତ ପାଇଁ ନୂଆ ନୂଆ ପ୍ରକଳ୍ପ ଆରମ୍ଭ କରୁଛନ୍ତି । ଯୋଜନା ଅନୁଯାୟୀ କାର୍ଯ୍ୟ ମଧ୍ୟ ସମାପ୍ତ ହେଉଛି । ତେବେ ପ୍ରକଳ୍ପ ନିମ୍ନମାନର କାର୍ଯ୍ୟ ପାଇଁ ଫେଲ ମାରୁଛି । ପ୍ରଶ୍ନ ଉଠୁଛି କୋଟି କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା କେନାଲ ପାଣି କାହା ସ୍ବାର୍ଥରେ ? ଉକ୍ତ ଦୁଇଟି ବନ୍ଧର କେନାଲ ଦୀର୍ଘ ବର୍ଷ ଆଗରୁ ନିର୍ମାଣ କରିବା ସହିତ ମରାମତି ମଧ୍ୟ ବିଭାଗ ପକ୍ଷରୁ କରାଯାଇଥିଲା । ତଥାପି ଚାଷୀ ପାଣିର ଲାଭ ପାଇପାରିଲେ ନାହିଁ । ବିଶେଷ କରି କେନାଲ ଦୁଇ ଧାରରେ ଥିବା ସିମେଣ୍ଟ କଂକ୍ରିଟ ଫାଟିଯାଇଥିବାବେଳେ କେନାଲର ମଧ୍ୟ ଭାଗ ଗ୍ରାଉଣ୍ଡର ଚଟାଣର ମେଜିଆ ମଧ୍ୟ ନିମ୍ନମାନର ହୋଇଛି । କେନାଲର ମଧ୍ୟ ଭାବରେ ଅନେକ ଗାତ ହେବାରୁ କେନାଲ ଦେଇ ଯେଉଁ ପାଣି ଯାଊଛି ତାହା ଖାଲ ବାଟଦେଇ ପାଣି ମାଟି ତଳେ ପଶି ଅନ୍ୟତ୍ର ଚାଲି ଯାଉଛି ।
କେତେକ ସ୍ଥାନରେ ଚାଷୀ କେନାଲର କଣା ଓ ଗାତ ସ୍ଥାନକୁ ମାଟି ଦେଇ ବନ୍ଦ କରିବାକୁ ଚେଷ୍ଟା କରିବା ପରେ ବି ଚାଷୀମାନେ ବିଫଳ ହେଉଥିବା ଦେଖିବାକୁ ମିଳିଛି। ଚାଷୀ ଠିକ୍ ସମୟରେ ପାଣି ପାଇବାରୁ ବଞ୍ଚିତ ହେଉଥିବା ବେଳେ ବିଭାଗକୁ ଅଭିଯୋଗ କରିବା ପରେ ବି କୌଣସି ପ୍ରତିକାର କରାନଯିବା ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ତେବେ କେନାଲ ବ୍ୟବହାର କରୁନଥିଲେ ବି ଜଳକର ଦେବାକୁ ପଡୁଛି |ବର୍ତ୍ତମାନ ଚାଷୀମାନେ ଦାବି କରିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ସରକାର କେନାଲକୁ ପୁଣି ମରାମତି କରିନାହାଁନ୍ତି ସେତେଦିନ ପର୍ଯ୍ୟନ୍ତ ଜଳକର ଛାଡ କରାଯାଉ |ଚାଷିଙ୍କ ଦାବୀ କେନାଲ ମରାମତି ନାହିଁତ ପାଣିକର ଦେବେ ନାହିଁ । ଚାଷୀଙ୍କ କହିବା କଥା ଯେ ବର୍ଷା ଦିନରେ ମଧ୍ୟ କେନାଲରେ ପାଣି ରହୁନି । ଯଦି ଏହି ସମସ୍ୟା ପ୍ରତି କେହି ଦୃଷ୍ଟି ନ ଦେବେ ତେବେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।