ବୈପାରିଗୁଡା: ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢୀଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲା ବୈପାରିଗୁଡା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣର ପୋଚ ଏବଂ ମଦ ଜବତ କରିବା ସହ ନଷ୍ଟ କରାଯାଇଛି। ଏହି ଚଢ଼ଉରେ ଏପିଆର୍ ଫୋର୍ସ, ମାଜିଷ୍ଟ୍ରେଟ, ଆଇଆଇସି କୁନ୍ଦୁରା, ଆଇଇ ଜୟପୁର, ଓଆଇସି ଜୟପୁର, ଆଇଇ ବୋରିଗୁମ୍ମା, ଇନଚାର୍ଜ ନନ୍ଦପୁର ଏବଂ ବୈପାରିଗୁଡା ଅବକାରୀ ଓଆଇସି ଶରତ ଚନ୍ଦ୍ର ବାରିକ ଅଂଶଗ୍ରହଣ କରିଥିଲେ। କୁନ୍ଦୁରା ଥାନା ଅଧିନସ୍ଥ ଲିମା ଠାରେ ବେଆଇନ ଭାବେ ରନ୍ଧା ଯାଉଥିବା ମଦ ଭାଟି ଉପରେ ଚଢ଼ଉ କରାଯାଇ ୨୫୦୦ ଲିଟର ପୋଚ ଏବଂ ୧୨୦ ଲିଟର ଦେଶୀ ମଦ ଜବତ କରାଯିବା ସହ ସେସବୁକୁ ନଷ୍ଟ କରାଯାଇଥିବା ପ୍ରକାଶ।
ଏହି ଚଢ଼ଉରେ ବୈପାରିଗୁଡା ଅବକାରୀ ଓଆଇସି ଶରତ ଚନ୍ଦ୍ର ବାରିକଙ୍କ ସମେତ ଏଏସ୍ଆଇ ସୁମନ୍ତ କୁମାର ମାଝୀ, କନେଷ୍ଟବଳ ରଘୁନାଥ ସାଉନ୍ତା ଏବଂ ହୀରାମଣି ଭତ୍ରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।