ହସ ପଛରେ କ’ଣ ଅଛି?

ସରସ ରସ - ସୁଭାଷ ପଟ୍ଟନାୟକ

ଆଖିରୁ ଲୁହ ଝରିପଡିବା ଗୋଟିଏ କଠିନ ମୁହୂର୍ତ୍ତର ସଂକେତ ଯଦି ଭାବୁଥାନ୍ତି, ତାହା ଅର୍ଧସତ୍ୟ। କାରଣ ତା’ଠାରୁ ଅଧିକ କଠିନ ହେଉଛି ଯେତେବେଳେ ଆପଣ ଝରିଆସୁଥିବା ଲୁହକୁ ଆଖି ଭିତରେ ଚାପି ରଖି ଚେନାଏ ହସି ଦିଅନ୍ତି। ଏବର ଘଟଣାଟିଏ: ରେଳ ଷ୍ଟେସନ୍‌ରେ ଦୁଇଜଣ ବୃଦ୍ଧ ପତିପତ୍ନୀ କିଛିଗୋଟେ ଗମ୍ଭୀର ଆଲୋଚନା କରୁଥିଲେ। ମତେ କାହିଁକି ଭଦ୍ରବ୍ୟକ୍ତି ଜଣକ ମୋ ସ୍କୁଲ ବେଳର ଜଣେ ବନ୍ଧୁ ପରି ମନେହେଲେ। ନାଆଁ ଧରି ଡାକିଦେଲି। ମତେ ଚିହ୍ନିପାରି ହସି ହସି ଆସି କୁଣ୍ଢେଇ ଧରିଲେ। ବହୁତ ବର୍ଷ ପରେ ଦେଖା। ଦୁହେଁ ଅନେକ ପୁରୁଣା କଥା ଗପିଲୁ। ସ୍କୁଲ ଜୀବନର ଘଟଣା ମନେପକାଇ ସେ ହସି ହସି ଗଡ଼ି ଯାଉଥାଏ। ପରିଶେଷରେ ଦିଲ୍ଲୀ ଯାଉଥିବାର କାରଣ ସଂପର୍କରେ କହିଲା, ସେଠି ଏକମାତ୍ର ପୁଅ ତାଙ୍କର ରହୁଥିଲା। ଦୁଇମାସ ତଳେ ଏକ ରାସ୍ତା ଦୁର୍ଘଟଣାରେ ଚାଲିଯାଇଛି। ବୋହୂ ଓ ନାତି ଏବେ ବୁଢ଼ାବୁଢ଼ୀଙ୍କ ପାଖରେ। ପତିପତ୍ନୀ ଯାଉଛନ୍ତି ପୁଅର ଘରଟି ଖାଲିକରି ଜିନିଷପତ୍ର ଧରି ଚାଲିଆସିବେ। ବୁଝିପାରିଲିନି ଏତେ ଦୁଃଖ ହୃଦୟରେ ଚାପି ସେ ହସୁଥିଲା କେମିତି! ସତରେ, ମନୁଷ୍ୟ ହସର ମୁଖାଟିଏ ପିନ୍ଧି ହିଁ ସର୍ବସମ୍ମୁଖକୁ ଆସିଥାଏ।

ହସ ଅନ୍ତରାତ୍ମାର ଅନ୍ଧକାର କୋଣକୁ ଆଲୋକିତ କରେ। ତଥାପି ଜଣେ ବ୍ୟକ୍ତିର ହସ ପଛରେ ଥିବା ଅନ୍ଧକାର କୋଠରି ବିଷୟରେ ଆମେ ନା’ କିଛି ଜାଣିପାରୁ ନା’ ଦେଖିପାରୁ। ତା’ର ହସକୁ ବିଶ୍ୱାସ କରି ସେଇଠି ଅଟକି ରହୁ। ହସ ପଛ ପଟର ବିରାଟ ଶୂନ୍ୟତା ଓ ମୃତ ଆବେଗ ସବୁର ସନ୍ଧାନ ଆମକୁ ମିଳିନଥାଏ। ହସର ମୁଖାଟିଏ ପିନ୍ଧି ଜଣେ ତା’ ମନର ସବୁ କିଛି ଦୀର୍ଘଶ୍ବାସକୁ ଲୁଚାଇଦେଇପାରେ ବା ହସର ଗୋଟିଏ ଭେଳିକି ଦେଖାଇଦେଇ ଅନ୍ୟକୁ ସହଜରେ ପ୍ରତାରିତ ବି କରିଦେଇପାରେ। ମାର୍କ ଟ୍ବେନ୍‌ଙ୍କ କହିବା ପରି, “ପ୍ରତ୍ୟେକ ବ୍ୟକ୍ତି ଏକ ଏକ ଚନ୍ଦ୍ରମା, ଯାହାର ଏକ ଅନ୍ଧକାର ପାର୍ଶ୍ବ ଅଛି ଓ ତାକୁ ସେ କାହାରିକୁ ଦେଖାଇ ନଥାଏ”। ହସର ପଛପଟେ ରହିଛି ମନୁଷ୍ୟର ସେଇ ଅନ୍ଧକାର ପାର୍ଶ୍ବ। ସେଇଠି ମନୁଷ୍ୟ ଜୀବନର ସବୁକିଛି ଗୋପନୀୟତା ଲୁଚିରହେ।

ହୃଦୟର ଢାଲ ହେଉଛି ହସ। ହୃଦୟ ଉପରକୁ ଆସୁଥିବା ସମସ୍ତ ଆଘାତକୁ ଏ ଢାଲ ମାଧ୍ୟମରେ ଅଟକାଇ ଦେଇ ଜୀବନ ଯୁଦ୍ଧରେ ମନୁଷ୍ୟ ଜିତିଯାଏ। ତା’ ଚାରିପାଖର ଲୋକ, ଯେଉଁମାନେ ତା’ ଦୁଃଖର କାରଣ ଜାଣିବାକୁ ଚାହାନ୍ତି, ହସ ମାଧ୍ୟମରେ ସେମାନଙ୍କଠାରୁ ତାହା ସେ ଲୁଚାଇ ରଖେ। ବେଳେବେଳେ ମନୁଷ୍ୟ ତା’ର କ୍ଷତି ପହଞ୍ଚାଇଥିବା ବ୍ୟକ୍ତିମାନଙ୍କୁ ଡରାଇବାକୁ ଯାଇ ଖାଲି ଟିକିଏ ହସିଦିଏ। ଜଣାଇବାକୁ ଚାହେଁନି, ସେମାନେ ଖଣ୍ଡବିଖଣ୍ଡିତ କରିଦେଇଥିବା ତା’ ଜୀବନର ସୁଖଗୁଡ଼ିକୁ ସେ ଏବେ ମଧ୍ୟ ସାଉଁଣ୍ଟିବାରେ ଲାଗିଛି। ତା’ ଆଖିର ଲୁହକୁ ଆଘାତଦାତାମାନେ ଉପଭୋଗ କରନ୍ତୁ, ଏ କଥା ସେ ଚାହେଁନି, ତେଣୁ ହସିଦିଏ। ବେଳେ ବେଳେ କିଛି ଆଗତ ଦୁଃଖକୁ ସାମନା କରିବାକୁ ଯାଇ ମନୁଷ୍ୟ ହସିଦିଏ। ସେଇ ହସରୁ ତାକୁ ସାହସ ମିଳେ। ସେ ଭାଙ୍ଗିପଡ଼େନି। ହସର ଆବଶ୍ୟକତା ପଡ଼େ, ଦୁଃଖରେ ଉବୁଟୁବୁ ମନୁଷ୍ୟ ଯେତେବେଳେ କିଛି ସମୟ ପାଇଁ ନିଜକୁ ଭୁଲିବାକୁ ଚାହିଁଥାଏ। ହସ ହିଁ ମନୁଷ୍ୟକୁ ଶକ୍ତି ଓ ସାମର୍ଥ୍ୟ ଯୋଗାଇଥାଏ। ହସ ନିଜ ପାଇଁ ନିଜର ଏକ ଦୃଢ଼ ପ୍ରତିଶ୍ରୁତି। ନିଜକୁ ନାୟକ ସଜାଏ ଓଠର ହସ। ହୃଦୟର କ୍ଷତ ଶୁଖାଇବାର ଇଏ ଏକମାତ୍ର ମହୌଷଧି। ‘ବ୍ୟାଟ୍‌ମ୍ୟାନ୍‌’ ସିନେମାର ଗୋଟିଏ ସଂଳାପ ହେଉଛି, “ତୁମକୁ ଭିତରେ ଭିତରେ କିଏ ହତ୍ୟା କରି ଚାଲିଛି, ସେ କଥା ବୁଝାଇ ବସିବା ଅପେକ୍ଷା ତା’ଠାରୁ ବରଂ ଖାଲି ଟିକିଏ ହସିଦେବା ଭଲ”।

ହସ ପଛରେ ମଧ୍ୟ ଥାଏ ପ୍ରତାରଣା। କାହାରିକୁ ପ୍ରତାରିତ କରି ଖାଲରେ ପକେଇବାକୁ ଇଏ ଗୋଟିଏ ଯନ୍ତା। ଆଉ ଗୋଟିଏ ହସ ଅଛି, ତାକୁ ଚିହ୍ନାଇବାକୁ ଯାଇ ଔପନ୍ୟାସିକା ଫ୍ଲରେନ୍‌ସ କିଙ୍ଗ୍ ତାଙ୍କ ଉପନ୍ୟାସ, ‘ମିସଆନ୍ଥ୍ରୋପ୍‌ସ କର୍ଣ୍ଣର’ରେ ସର୍ବପ୍ରଥମେ ଶଦ୍ଦଟିଏ ବ୍ୟବହାର କରିଛନ୍ତି, “ଏକ୍‌ସିଡେଣ୍ଟିଜିଆଷ୍ଟ”। ଇଏ ହେଉଛି ରାଜନେତାମାନେ ହସୁଥିବା ହସର ନିରୋଳା ନାଆଁ। ସବୁଠାରୁ ଅଲଗା, ପ୍ରତାରଣାପୂର୍ଣ୍ଣ ଫମ୍ପା ହସ। ପବନର ଗୁଳା। ତେଣୁ, କିଏ ହସୁଥିବାର ଦେଖିଲେ ହଠାତ୍‌ ଗୋଟିଏ ନିଷ୍କର୍ଷରେ କେବେ ଅଟକି ଯାଆନ୍ତୁନି, କାରଣ ଆମେ ଜାଣିନାହାନ୍ତି ସେ ହସ ପଛରେ ଦୁଇଧାଡ଼ି ଦାନ୍ତ ଛଡ଼ା ଆଉ କ’ଣସବୁ ଅଛି।

ଅପମିଶ୍ରଣ ବିହୀନ ନିରୋଳା ହସର ମହତ୍ତ୍ବ ଅନେକ। ବ୍ରିଟିସ୍‌ କବି ସ୍ପାଇସ୍ ମିଲିଗାନଙ୍କର କବିତା, “ସ୍ମାଇଲିଂ ଇଜ୍ ଇନଫେକ୍‌ସିୟସ୍” ମନେପକାନ୍ତୁ: “ହସ ହେଉଛି ତୀବ୍ର ସଂକ୍ରାମକ। ଏହା ଫ୍ଳୁ ଭଳି ଅନ୍ୟକୁ ଡିଏଁ। ଚାଲନ୍ତୁ ତା’ହେଲେ ସଂକ୍ରମଣ ଖେଳେଇବାର ଅଭିଯାନ ଆରମ୍ଭ କରି ସମଗ୍ର ବିଶ୍ବକୁ ସଂକ୍ରମିତ କରିଦେବା”।

ହସିବାର ମୂଲ୍ୟ ଦେବାକୁ ପଡ଼େନି, କିନ୍ତୁ ଓଲଟି ଇଏ ବହୁମୂଲ୍ୟ ଆଣି ଦେଇଥାଏ। ହସ ବାଣ୍ଟୁଥିବା ଲୋକ ଗରିବ ହୁଏନି ବରଂ ହସଗ୍ରାହୀ ହିଁ ଧନୀ ହୋଇଯାଏ। ଏମିତି କିଏ ଧନବାନ ନାହିଁ ଯିଏ ହସ ଟିକିଏ ବିନା ବଞ୍ଚିପାରିବ, ଆଉ ଏମିତି କିଏ ଗରିବ ନାହିଁ ଯିଏ ଚେନାଏ ହସ ପାଇ ଧନୀ ନହୋଇଯିବ। ହସ ଏମିତି ଏକ ଦ୍ରବ୍ୟ, ଯାହା କିଣାଯାଇ ପାରେନା, ମାଗି ହୁଏନା କି ଉଧାର ଆଣି ହୁଏନା, ଚୋରି ବି କରାଯାଇ ପାରେନା। ଏବେ ତ ବିଶେଷଜ୍ଞମାନେ କହିଲେଣି ହସ ପଛରେ ଔଷଧ ଅଛି। ରକ୍ତଚାପ, ହୃଦ୍‌ରୋଗ ଓ ଅବସାଦର ଔଷଧ ହେଉଛି ହସ। ବେଦନାକୁ ହସ ପଛରେ ଲୁଚାଇବା ଏକ ‘ହସନ୍ତ ଅବସାଦ’ ବା ‘ସ୍ମାଇଲିଂ ଡିପ୍ରେସନ’। ସେମାନେ କୁହନ୍ତି, ମନୁଷ୍ୟ ଏଥିରୁ ନିସ୍ତାର ପାଇବା ଉଚିତ। ହସର ଚାଦରଟିଏ ନ ଥିଲେ ମନୁଷ୍ୟ କେମିତି ବଞ୍ଚିପାରିବ, ତା’ର ଉତ୍ତର କାହାରି ପାଖରେ ନାହିଁ।

ଦୁଃଖରେ ହେଉ ପଛେ, ସର୍ବଦା ହସୁଥା’ନ୍ତୁ। କାରଣ, ଦୁଃଖର ହସ ଠାରୁ ଅଧିକ ଦୁଃଖଦାୟକ ହେଉଛି, ହସି ନଜାଣିବା। ମୀର୍ଜା ଗାଲିବଙ୍କର ପଂକ୍ତିଟିଏ ମନେପଡ଼େ: “ମୁସ୍କାନ ବନାୟେ ରଖୋ ତୋ ସବ୍ ସାଥ ହୈ ଗାଲିବ! ବରନା, ଆଁଶୁୱଁ କୋ ତୋ ଆଁଖୋମେ ଭି ପନାହ ନେହିଁ ମିଲତି”(ହସିବା ବଜାୟ ରଖିବ ତ ସମ‌େସ୍ତ ସାଙ୍ଗରେ ରହିବେ ଗାଲିବ, ନ ହେଲେ ଅଶ୍ରୁକୁ ଆଖି ବି ଆଶ୍ରା ଦେବ ନାହିଁ)। ଏବେ ଦର୍ପଣ ସାମନାରେ ଠିଆହୋଇ ଟିକିଏ ହସନ୍ତୁ, ଆଉ ଦେଖନ୍ତୁ, ଆପଣଙ୍କ ହସ ପଛରେ କ’ଣ ଅଛି।

ମୋ: ୯୩୩୬୭୪୮୬୩୮

ସମ୍ବନ୍ଧିତ ଖବର