୮୦ ହଜାର ଗଲା ପରେ,ଏବେ?

ପବିତ୍ର ମୋହନ କର

ଗଲା ଜାନୁଆରି ମାସ ୩୧ ତାରିଖ ଦିନ ‘ବିଏସଏନଏଲ’ର ପାଖାପାଖି ଅଶି ହଜାର କର୍ମଚାରୀ ସ୍ବେଚ୍ଛାକୃତ ଅବସର ନେଇଗଲେ। ପୂର୍ଣ୍ଣ ସରକାରୀ ନିୟନ୍ତ୍ରଣରେ ଥିବା ଏହି କମ୍ପାନିଟି ବେଶ କିଛି ବର୍ଷ ହେଲା ବିପୁଳ କ୍ଷତିରେ ଚାଲିଛି। ଦିନ ଥିଲା, ଘରେ ଥିବା ଲ୍ୟାଣ୍ତ ଫୋନ୍‌ଟି ସମ୍ଭ୍ରାନ୍ତ ପଣିଆର ସନ୍ତକ ଥିଲା। ସେଦିନର ସେଇ ସରକାରୀ ସ˚ସ୍ଥାଟି ଆଜି ଭୀଷଣ ଅସୁସ୍ଥ। ସରକାରଙ୍କ ‘ରିଭାଇଭାଲ ସ୍କିମ୍‌’ରେ ସୁସ୍ଥ ହେଇ ତାହା ମାର୍କେଟରେ ମୁଣ୍ତ ଟେକିବ କି ‘ଆଇସିୟୁ’କୁ ଯିବ, ଅନୁମାନ ଲଗେଇବା ମୁସ୍କିଲ। ୨୦୦୦ ମସିହା ଅକ୍ଟୋବର ମାସରେ ଦୂରସ˚ଚାର ବିଭାଗ (DOT)କୁ ନିଗମରେ ପରିଣତ କରାଗଲା। ଯୁକ୍ତି କରାଗଲା ଯେ ଘରୋଇ କମ୍ପାନି ସହ ପ୍ରତିଯୋଗିତା କରିବା ପାଇଁ ଏହା ଅନୁକୂଳ ହେବ। ବିଧିବଦ୍ଧ ଭାବେ କମ୍ପାନିର ଚେୟାରମାନ ଓ ପରିଚାଳନା ନିର୍ଦ୍ଦେଶକ (ସେବେଠାରୁ ଏହି ଦୁଇ ପଦର ଦାୟିତ୍ବରେ ଜଣେ ହିଁ ଅବସ୍ଥାପିତ) ନିଯୁକ୍ତ ହେଲେ। କର୍ମଚାରୀ ସ˚ଘ ଓ ପ୍ରଶାସନ ମଧୢରେ ପ୍ରାୟ ୨ ବର୍ଷର ଆଲୋଚନା ତଥା ଆନ୍ଦୋଳନ ପରେ, ଅଣ-ଆଇ.ଟି.ଏସ୍‌ କର୍ମଚାରୀମାନେ ଇଚ୍ଛା (option) ବ୍ୟକ୍ତ କଲେ ଓ ରାଷ୍ଟ୍ରପତିଙ୍କ ଆଦେଶ ପତ୍ର ମଧୢ ସେମାନଙ୍କ ଉଦ୍ଦେଶ୍ୟରେ ଜାରି ହେଲା। ଆଇ.ଟି.ଏସ୍‌. ଅଧିକାରୀମାନେ ସରକାରରେ ଥାଇ ‘ବିଏସଏନଏଲ’ରେ ଡେପୁଟେସନରେ କାମ କରିବାକୁ ନିଷ୍ପତ୍ତି ନେଲେ। ୨୦୦୦ ମସିହାରେ ‘ବିଏସଏନଏଲ’ର କର୍ମଚାରୀ ସ˚ଖ୍ୟା ୩.୫ ଲକ୍ଷରୁ ଅଧିକ ଥିଲା।

୨୦୦୨ ମସିହାରେ ‘ବିଏସଏନଏଲ’ ମୋବାଇଲ ସେବା ଆରମ୍ଭ କଲା ଏବ˚ ୨୦୦୪-୦୫ ଆର୍ଥିକ ବର୍ଷରେ କମ୍ପାନିର ଲାଭ ଦଶ ହଜାର କୋଟି ଟଙ୍କାରୁ ଅଧିକ ଥିଲା। ଘରୋଇ କମ୍ପାନିଙ୍କ ମୋବାଇଲ ସେବା ଶୁଳ୍କରେ ମଧୢ ବୈପ୍ଲବିକ ହ୍ରାସ ଘଟିଲା। କିନ୍ତୁ ୨୦୦୯-୧୦ ବର୍ଷ ବେଳକୁ ‘ବିଏସଏନଏଲ’ର କ୍ଷତି ଆରମ୍ଭ ହେଲା। ବର୍ଷାଧିକ କାଳ ଗ୍ରାହକମାନେ ‘ବିଏସଏନଏଲ’ ସିମ୍‌ କାର୍ଡ ପାଇଁ ଅପେକ୍ଷା କଲେ, ତଥାପି ଚାହିଦା ମୁତାବକ ମୋବାଇଲ ସିମ୍‌ ଯୋଗେଇ ହେଲା ନାହିଁ। ନେଟଵାର୍କ ସମ୍ପ୍ରସାରଣ ଓ ଗ୍ରାହକ ସ˚ଖ୍ୟା ବୃଦ୍ଧିରେ ‘ବିଏସଏନଏଲ’ର ପ୍ରସ୍ତୁତିହୀନତା ଘରୋଇ କମ୍ପାନିଗୁଡ଼ିକ ଲାଗି ସହାୟକ ହେଲା। ସମୟ କ୍ରମେ ଘରୋଇ କମ୍ପାନିମାନେ ‘4G’ ପରି ଉଚ୍ଚ ମାନର ସେବା ଆରମ୍ଭ କଲେ। ତାରିଫ ବା ଶୁଳ୍କ ପ୍ରଚଳନରେ ନିଜର ମନୁଆ ପଣ ଦେଖାଇଲେ। ସରକାରଙ୍କ ପୂର୍ଣ୍ଣ କର୍ତ୍ତୃତ୍ବରେ ଥାଇ ମଧୢ ‘ବିଏସଏନଏଲ’କେବଳ ଦର୍ଶକ ସାଜି ଚୁପ ରହିଲା। ଗ୍ରାମାଞ୍ଚଳରେ ଫୋନ ସୁବିଧା, ବନ୍ୟା, ବାତ୍ୟା ଓ ଭୂମିକମ୍ପ ଭଳି ବିପର୍ଯ୍ୟୟ ବେଳେ ପ୍ରଥମେ ଟେଲିଫୋନ ସ˚ଯୋଗ ପୁନଃପ୍ରତିଷ୍ଠା କରିବାରେ ସତରେ ‘ବିଏସଏନଏଲ’ର ତୁଳନା ନାହିଁ। କିନ୍ତୁ ‘ସ୍ପେକ୍ଟ୍ରମ୍‌’ ବଣ୍ଟନ ବେଳେ ପକ୍ଷପାତିତା, ‘ଡିଜିଟାଲ ଇଣ୍ତିଆ’ ନିର୍ମାଣ ନାଁରେ ନିର୍ଦ୍ଦିଷ୍ଟ କେତେ ଗୋଟି ଘରୋଇ କମ୍ପାନିକୁ ଅନୁକମ୍ପା ପ୍ରଦର୍ଶନ ଓ ତ୍ରୁଟିମୁକ୍ତ ନେଟଵର୍କ ସେବା ଯୋଗାଇବା ପାଇଁ ଆବଶ୍ୟକ ପାଣ୍ଠି ଅଭାବ ହେତୁ ପ୍ରବଳ ଜନାଗ୍ରହ ସତ୍ତ୍ବେ ‘ବିଏସଏନଏଲ’ ବଜାରରେ ନିଜ ପତିଆରା ପ୍ରତିଷ୍ଠା କରି ପାରିଲା ନାହିଁ। କିନ୍ତୁ ଅପପ୍ରଚାର କରାଗଲା ଯେ ମାତ୍ରାଧିକ କର୍ମଚାରୀଙ୍କ ବେତନ ବାବଦରେ କମ୍ପାନିର ଅଧିକା˚ଶ ଅର୍ଥ ଖର୍ଚ୍ଚ ହେଉଛି ଓ ଉନ୍ନତ ସେବା ପ୍ରଦାନ ପାଇଁ ପାଣ୍ଠିର ସ˚କଟ ସୃଷ୍ଟି ହେଉଛି। କୌଣସି ପ୍ରସିଦ୍ଧ ଓ ବଡ଼ ଶାଢ଼ି ଦୋକାନ ବନ୍ଦ ହବାର କାରଣ ରୂପେ ସେଲସ୍‌ମ୍ୟାନଙ୍କୁ ଦାୟୀ କରାଯିବା ପରି ଏ ଆରୋପ ହାସ୍ୟାସ୍ପଦ। କ୍ଷୋଭର ବିଷୟ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀ ସପ୍ତମ ବେତନ ଆୟୋଗ ସୁପାରିସ ଅନୁସାରେ ୨୦୧୬ ମସିହା ଜାନୁଆରିରୁ ବର୍ଦ୍ଧିତ ବେତନ ପାଉଥିବା ବେଳେ ‘ବିଏସଏନଏଲ’ର ଲକ୍ଷାଧିକ କର୍ମଚାରୀଙ୍କୁ ୨୦୧୭ ଜାନୁଆରିରୁ ପ୍ରାପ୍ୟ ସ˚ଶୋଧିତ ବେତନ ଏ ଯାଏଁ ମଳିନାହିଁ। ଆର୍ଥିକ ସ୍ଥିତି ଏତେ ଗମ୍ଭୀର ଯେ ଗଲା ବର୍ଷ ଫେବୃଆରି ମାସରୁ ବେତନ ପ୍ରଦାନରେ ବିଳମ୍ବ, ଠିକା କର୍ମଚାରୀଙ୍କ ପାଉଣା ବାକି, ଗାଡ଼ି ଓ ଇନ୍ଧନ ପାଇଁ ବି ପାଣ୍ଠି ନିଅଣ୍ଟ ଭଳି ସ୍ଥିତି ସୃଷ୍ଟି ହୋଇଛି। ସ୍ବେଚ୍ଛାକୃତ ଅବସର ନେଇଥିବା ପ୍ରାୟ ଅଶୀ ହଜାର କର୍ମଚାରୀ ମଧୢ ଗଲା ଡିସେମ୍ବର ଓ ଜାନୁଆରି ମାସର ବେତନ ନ ପାଇ ବିଦା ହେଇଛନ୍ତି। ସେମାନଙ୍କ ଅବସରକାଳୀନ ପ୍ରାପ୍ୟ ବି ପାଇ ନାହାନ୍ତି।

ଏବେ ମୁଖ୍ୟ ପ୍ରସଙ୍ଗକୁ ଆସିବା। ଗତବର୍ଷ ଅକ୍ଟୋବର ୨୪ ତାରିଖରେ ‘ବିଏସଏନଏଲ’ର ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀଙ୍କ ପୌରୋହିତ୍ୟରେ ଗଠିତ କ୍ୟାବିନେଟ କମିଟି ନିମ୍ନୋକ୍ତ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ। ସେଗୁଡ଼ିକ ହେଲା: ୫୦ ବର୍ଷ ବୟସରୁ ଅଧିକ ବୟସ୍କ ୮୦ ହଜାର କର୍ମଚାରୀଙ୍କ ପାଇଁ ସ୍ବେଚ୍ଛାକୃତ ଅବସର ଯୋଜନା, ‘ବିଏସଏନଏଲ’ ବିସ୍ତୃତ ସ୍ଥାବର ସମ୍ପତ୍ତି ବିକ୍ରି, ‘ବିଏସଏନଏଲ’କୁ ତୁରନ୍ତ 4G ସ୍ପେକ୍ଟ୍ରମ ପ୍ରଦାନ, ପନ୍ଦର ହଜାର କୋଟି ଟଙ୍କା ଉଠାଣ ପାଇଁ ବଣ୍ତ୍‌ ଜାରି ଓ ସରକାରଙ୍କ ତତ୍ତ୍ବାବଧାନରେ ‘ବିଏସଏନଏଲ’ ଓ ‘ଏମଟିଏନଏଲ’ର ମିଶ୍ରଣ କରାଇବା। ‘ବିଏସଏନଏଲ’ ଓ ‘ଏମଟିଏନଏଲ’ରେ କେବଳ ସ୍ବେଚ୍ଛାକୃତ ଅବସର ପାଇଁ ସରକାର ପ୍ରାୟ ୬୯ ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ। ନିଧାର୍ଯ୍ୟ ଅବଧି ଭିତରେ ‘ବିଏସଏନଏଲ’ର ୭୮,୫୬୯ ଜଣ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ଓ ଗଲା ଜାନୁଆରି ୩୧ ତାରିଖରେ ସେମାନେ ସମସ୍ତେ ସେବାନିବୃତ ହୋଇଗଲେ। ଚଳିତ ମାସରୁ ସେମାନଙ୍କ ଦରମା ବାବଦକୁ ପ୍ରାୟ ୬୫୦ କୋଟି ଟଙ୍କା ବଳିବ ବୋଲି ବିଭାଗୀୟ ମନ୍ତ୍ରୀଙ୍କ ସମେତ କମ୍ପାନିର ପରିଚାଳକମାନେ ଖୁସି ହେଲେ। ଚାରି ବିନ୍ଦୁ ସମ୍ବଳିତ ‘ରିଭାଇଭାଲ ସ୍କିମ୍‌’ର ପ୍ରଥମ ବିନ୍ଦୁ ସ୍ବେଚ୍ଛାକୃତ ଅବସର ଯୋଜନାଟି ଅପ୍ରତ୍ୟାଶିତ ଭାବେ ସଫଳ। ଇତି ମଧୢରେ କ୍ୟାବିନେଟ ନିଷ୍ପତ୍ତିର ୧୦୦ ଦିନ ଅତିକ୍ରାନ୍ତ ହୋଇସାରିଛି। ସମ୍ପତ୍ତି ବିକ୍ରି, 4G ସ୍ପେକ୍ଟ୍ରମ ପ୍ରଦାନ, ସଭରେନ୍‌ଟି ବଣ୍ତ ଜାରି ଭଳି କାର୍ଯ୍ୟରେ ମାମୁଲି କର୍ମଚାରୀଙ୍କର କିଛି ଭୂମିକା ନାହିଁ। ସେ ସମ୍ବନ୍ଧରେ କମ୍ପାନି, ସରକାର ଓ ଗଣମାଧୢମ ପ୍ରାୟ ନିରବ। ଜାତୀୟତାବାଦକୁ ବାରମ୍ବାର ନିର୍ବାଚନ ପ୍ରସଙ୍ଗ କରୁଥିବା ସରକାର ଏବେ ସ୍ବେଚ୍ଛାକୃତ ଅବସରକୁ ଆପଣେଇଥିବା କର୍ମଚାରୀଙ୍କ ପାଉଣା ପ୍ରଦାନ ସହ ସର୍ବବୃହତ୍‌ ଜାତୀୟ କମ୍ପାନି ‘ବିଏସଏନଏଲ’ର ପୁନରୁଦ୍ଧାର ନିମନ୍ତେ ସମୟ ସୀମା ଘୋଷଣା କଲେ ଭଲ ହୁଅନ୍ତା।
ଫକିରାବାଦ, ଠାକୁରପାଟଣା
କେନ୍ଦ୍ରାପଡ଼ା- ୭୫୪୨୫୦

ସମ୍ବନ୍ଧିତ ଖବର