ବର୍ଗ୍ସନ୍ କହିଥିବା ଭଳି କ୍ରିଷ୍ଟିସ୍ଙ୍କ ପାଇଁ ତାଙ୍କ ଦେଶର କଦାକାର ଅତୀତ ଏଇଭଳି ଏବେ ବର୍ତ୍ତମାନରେ ପରିଣତ ହୋଇ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛି। ଏହା ଏବେ ତାଙ୍କୁ ସେଇଭଳି ଜଳାଉଥିବ ଯେଉଁଭଳି ବାଳକୃଷ୍ଣ ଦାଶ ତାଙ୍କ ଗୀତର ପର ପଦରେ ଗାଇଥିଲେ: ‘‘ଦହନ ଯେ ସରେ ନା।’’ ସେ ଉଖାରିଥିବା ଅତୀତର ଏହି ଦହନର ଜ୍ବାଳା କ୍ରିଷ୍ଟିସ୍ଙ୍କ ପାଇଁ ଭାରତ ପ୍ରତି ତାଙ୍କର ଈର୍ଷାନଳ ଦ୍ବାରା ଦହନର ଜ୍ବାଳାଠାରୁ ବହୁ ଅଧିକ ଯନ୍ତ୍ରଣାଦାୟକ ହେଉଥିବ।
ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ ପାଇଁ ଚନ୍ଦ୍ରଯାନ-୩ର ପ୍ରେରକ ଭାରତ ଦିଗରେ ପୃଥିବୀର ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ପ୍ୟାଟ୍ରିକ୍ କ୍ରିଷ୍ଟିସ୍ ନାମକ ବ୍ରିଟେନ୍ର ଜଣେ ଟେଲିଭିଜନ୍ ଆଙ୍କର୍ ମଧ୍ୟ ସେଥିରେ ସାମିଲ ହେବାର ଅଭିନୟ କରି ଏହାକୁ ଭାରତ ବିରୋଧରେ ବିଷୋଦ୍ଗାର କରିବାର ଏକ ସୁଯୋଗ ରୂପେ ବ୍ୟବହାର କରି ଅଡୁଅାରେ ପଡ଼ିଯାଇଛନ୍ତି। ସେ ଏହି ବିରଳ ଉପଲବ୍ଧି ପାଇଁ ଭାରତକୁ ଅଭିନନ୍ଦନ ଜଣାଇବା ପରେ ପରେ ଦାବି କଲେ ଯେ ୨୦୧୬ରୁ ୨୦୨୧ ମଧ୍ୟରେ ଭାରତ ବ୍ରିଟେନ୍ ଠାରୁ ଯେଉଁ ୨.୩ ବିଲିଅନ୍ ପାଉଣ୍ଡ ବୈଦେଶିକ ସହାୟତା ଆକାରରେ ପାଇଛି, ଭାରତ ତାହା ବ୍ରିଟେନ୍କୁ ଫେରାଇ ଦେଉ। ତାଙ୍କ କହିବା କଥା, େଯଉଁ ଦେଶ ଚନ୍ଦ୍ରକୁ ଯାନ ପ୍ରେରଣ କରିବାରେ ସମ୍ବଳ ବିନିଯୋଗ କରୁଛି, ସେ ଦେଶକୁ ବୈଦେଶିକ ସହାୟତା ପ୍ରଦାନ କରି ବ୍ରିଟେନ୍ର କରଦାତାମାନଙ୍କ ପାଇଁ ବୋଝ ସୃଷ୍ଟି କରିବା ଉଚିତ ନୁହେଁ। ସେ ପୁଣି କହିଛନ୍ତି ଯେ ‘‘ଦାରିଦ୍ର୍ୟ ପ୍ରପୀଡ଼ିତ ଭାରତୀୟ’’ମାନଙ୍କୁ ସେମାନଙ୍କର ନିଜ ସରକାର ସାହାଯ୍ୟ କରୁ ନଥିବା ବେଳେ (ଅର୍ଥାତ୍ ଚନ୍ଦ୍ର ଅଭିଯାନରେ ସମ୍ବଳ ଅପଚୟ କରୁଥିବା ବେଳେ), ବ୍ରିଟେନ୍ କାହିଁକି ସେମାନଙ୍କୁ ସାହାଯ୍ୟ କରିବାକୁ ଅର୍ଥ ବ୍ୟୟ କରିବ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିବା ଭଳି ବୈଜ୍ଞାନିକ ଦୃଷ୍ଟିକୋଣରୁ ଚନ୍ଦ୍ରଯାନ-୩ର ସଫଳତା ହେଉଛି ସମଗ୍ର ମାନବ ସମାଜ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି। କିନ୍ତୁ ଏହା ମଧ୍ୟ ସତ ଯେ ଚନ୍ଦ୍ରର ‘ଶିବଶକ୍ତି’ ପଏଣ୍ଟ ରୂପେ ନାମିତ ଦକ୍ଷିଣମେରୁ ଅଞ୍ଚଳରେ ସର୍ବପ୍ରଥମ ଆଗନ୍ତୁକ ରୂପେ ସଗର୍ବରେ ଦଣ୍ଡାୟମାନ ‘ବିକ୍ରମ’ ଓ ଚନ୍ଦ୍ର-ମୃତ୍ତିକାରେ ଅଲିଭା ‘ଇସ୍ରୋ’ ଚିହ୍ନ ସ୍ଥାପନ କରିଥିବା ଭ୍ରାମ୍ୟମାଣ ଯାନ ‘ପ୍ରଜ୍ଞାନ’ ହେଉଛନ୍ତି ପୁନରଭ୍ୟୁଦୟ ପଥରେ ଅପ୍ରତିହତ ଗତିରେ ମାଡ଼ି ଚାଲିଥିବା ଆଜିର ଭାରତର ଶକ୍ତିଶାଳୀ ସଦ୍ୟତମ ପ୍ରତୀକ। ଅବଶ୍ୟ ସଫଳତା ସର୍ବଦା ଈର୍ଷାକୁ ଜନ୍ମ ଦେଇଥାଏ; ଏଠାରେ ମଧ୍ୟ ସେଥିରେ ବ୍ୟତିକ୍ରମ ଘଟି ନାହିଁ। ପ୍ୟାଟ୍ରିକ୍ କ୍ରିଷ୍ଟିସ୍ ହେଉଛନ୍ତି ଏହି ଈର୍ଷାଳୁମାନଙ୍କ ମଧ୍ୟରୁ ଜଣେ (ଆମୋଦଦାୟକ ଭାବରେ ଚନ୍ଦ୍ରଯାନ-୩ର ଜଣେ ପାକିସ୍ତାନୀ ପ୍ରଶଂସକ ଟ୍ବିଟ୍ କରିଛନ୍ତି ଯେ କ୍ରିଷ୍ଟିସ୍ଙ୍କ ଈର୍ଷା-ଜ୍ବାଳାରେ ପ୍ରଲେପ ଦେଇ ପ୍ରଶମିତ କରିବା ପାଇଁ ତାଙ୍କ ପାଖକୁ ‘ବର୍ନଲ୍’ ମଲମ ପଠାଇ ଦିଆଯାଉ)।
ଏହି ଟେଲିଭିଜନ୍ ଆଙ୍କର୍ଙ୍କର ଶିକ୍ଷାଦୀକ୍ଷା ବିଷୟରେ କୌଣସି ସୂଚନା ପ୍ରକାଶ ପାଇନାହିଁ; କିନ୍ତୁ ତାଙ୍କର ମନ୍ତବ୍ୟରୁ ସ୍ବାଭାବିକ ଭାବେ ଏକ ଧାରଣା ଜାତ ହୁଏ ଯେ ନିଜ ଦେଶର ଇତିହାସ ସମ୍ବନ୍ଧରେ ତାଙ୍କର ଜ୍ଞାନ ହେଉଛି ସୀମିତ। ତାଙ୍କ ପଡ଼ୋଶୀ ଦେଶ ଫ୍ରାନ୍ସର ବିଂଶ ଶତାବ୍ଦୀର ପ୍ରଖ୍ୟାତ ଦାର୍ଶନିକ ହେନ୍ରୀ ବର୍ଗ୍ସନ୍ଙ୍କ ମତବାଦ ସହିତ ଯଦି କ୍ରିଷ୍ଟିସ୍ଙ୍କର ପରିଚିତି ଥାନ୍ତା, ସେ ବୋଧହୁଏ ଭାରତ ପ୍ରତି ଏଭଳି ଆକ୍ଷେପ କରିନଥାନ୍ତେ। ବର୍ଗ୍ସନ୍ଙ୍କ ମତରେ ସମୟ ହେଉଛି ସମସ୍ତ ସତ୍ୟର ଧାରକ। ଆଉ ଏହି ସମୟ ହେଉଛି ନିରନ୍ତର ସମ୍ପ୍ରସାରିତ ହୋଇ ଚାଲିଥିବା ଅତୀତ, ଯାହା ଭବିଷ୍ୟତକୁ ଉଦରସ୍ଥ କରି ଆଗେଇ ଚାଲିଥାଏ। ବର୍ଗ୍ସନ୍ଙ୍କ ଭାଷାରେ ଏହାର ଅର୍ଥ ହେଲା ‘‘ସମଗ୍ର ଅତୀତ ସମ୍ପ୍ରସାରିତ ହୋଇ ଆସି ବର୍ତ୍ତମାନରେ ସକ୍ରିୟ ଭାବରେ ଆସ୍ଥାନ ଜମାଇଥାଏ।’’ ଅତୀତ କେବେ ନିଶ୍ଚିହ୍ନ ହୁଏ ନା; ‘ଅଭିନେତ୍ରୀ’ ଚଳଚ୍ଚିତ୍ରରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଗାଇଥିବା ଭଳି ‘‘ମରମ ତଳେ ଅତୀତ ଯେ ମରେ ନା।’’
ଏହି ସକ୍ରିୟ ଅତୀତ ସମ୍ବନ୍ଧରେ ଏକ ଧାରଣା କରିବା ପାଇଁ ପ୍ୟାଟ୍ରିକ୍ କ୍ରିଷ୍ଟିସ୍ଙ୍କୁ ମାତ୍ର ଆଠ ବର୍ଷ ତଳକୁ ଫେରିଯାଇ ୨୦୧୫ରେ ତାଙ୍କରି ଦେଶର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ ବିତର୍କ ଉପରେ ଦୃଷ୍ଟି ନିକ୍ଷେପ କରିବା ଯଥେଷ୍ଟ ହେବ। ଯେଉଁ ପ୍ରସ୍ତାବ ଉପରେ ବିତର୍କ ଆଧାରିତ ଥିଲା, ତାହା ଥିଲା କ୍ରିଷ୍ଟିସ୍ ବର୍ତ୍ତମାନ କରିଥିବା ଦାବିର ଠିକ୍ ବିପରୀତ: ‘‘ବ୍ରିଟେନ୍ ତା’ର ଅତୀତର ଉପନିବେଶମାନଙ୍କୁ କ୍ଷତିପୂରଣ ପ୍ରଦାନ କରୁ। ଏହି ବିତର୍କରେ ଅଂଶ ଗ୍ରହଣ କରି କଂଗ୍ରେସ ନେତା ତଥା ଲେଖକ ଶଶୀ ଥରୁର୍ ଏହି ପ୍ରସ୍ତାବ ସପକ୍ଷରେ ଯେଉଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ, ତାହା ଅତୀତରେ ତାଙ୍କର ପୂର୍ବଜମାନେ କରିଥିବା ଶୋଷଣ କିପରି ବର୍ତ୍ତମାନ ଭାରତରେ ଦାରିଦ୍ର୍ୟ ରୂପରେ ତଥାପି ବସା ବାନ୍ଧିଛି, ସେ ସମ୍ବନ୍ଧରେ ପ୍ୟାଟ୍ରିକ୍ କ୍ରିଷ୍ଟିସ୍ଙ୍କ ସମସ୍ତ ଅଜ୍ଞତା ଦୂର କରି ଦେବ।
ଥରୁର୍ ସେଠାରେ ସପ୍ରମାଣ ଦର୍ଶାଇଥିଲେ ଯେ ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରେ ସମଗ୍ର ପୃଥିବୀର ଅର୍ଥନୀତିରେ ଭାରତର ଅଂଶ ଥିଲା ୨୩ ଶତାଂଶ, ଯାହା ଥିଲା ସମଗ୍ର ଇଉରୋପର ଅଂଶ ସହିତ ସମାନ। ବିଂଶ ଶତାବ୍ଦୀର ମଧ୍ୟକାଳରେ ବ୍ରିଟେନ୍ଠାରୁ ଭାରତ ଯେତେବେେଳ ସ୍ବାଧୀନ ହେଲା, ସେତେବେଳେ ବିଶ୍ବ ଅର୍ଥନୀତିରେ ଭାରତର ଏହି ଅଂଶ ହ୍ରାସ ପାଇ ହୋଇଯାଇଥିଲା ମାତ୍ରା ୪ ଶତାଂଶରୁ ମଧ୍ୟ କମ୍। ଏହାର କାରଣ ହେଉଛି ସରଳ: ବ୍ରିଟେନ୍ କେବଳ ନିଜର ଲାଭ ପାଇଁ ଭାରତକୁ ଶାସନ ଓ ଶୋଷଣ କରୁଥିଲା। ଦୁଇଶହ ବର୍ଷ ଧରି ବ୍ରିଟେନ୍ ଯେଉଁ ଅର୍ଥନୈତିକ ଉନ୍ନତି ଉପଭୋଗ କରିଥିଲା ତାହା ସେ ଭାରତରୁ ଶୋଷଣ କରିଥିବା ସମ୍ବଳର ବିନିଯୋଗ ଦ୍ବାରା ହିଁ ସମ୍ଭବ ହୋଇଥିଲା।
ଊନବିଂଶ ଶତାବ୍ଦୀର ଶେଷ ସମୟକୁ ଭାରତ ବ୍ରିଟେନ୍ର ସର୍ବବୃହତ୍ ଅର୍ଥ ଭଣ୍ଡାରରେ ପରିଣତ ହୋଇ ଯାଇଥିଲା। ସେତିକି ନୁହେଁ, ଭାରତୀୟମାନେ ସର୍ବାଧିକ ପରିମାଣର ବ୍ରିଟିସ୍ ରପ୍ତାନି ଦ୍ରବ୍ୟ କ୍ରୟ କରୁଥିବା ସହିତ ବ୍ରିଟେନ୍ର ଅମଲାତନ୍ତ୍ରର ସଦସ୍ୟମାନଙ୍କୁ ସର୍ବାଧିକ ସଂଖ୍ୟକ ମୋଟା ଦରମା ଓ ଅନ୍ୟାନ୍ୟ ସୁବିଧାସୁଯୋଗଯୁକ୍ତ ଚାକିରି ଯୋଗାଉଥିଲା ଭାରତ। ଶଶୀ ଥରୁର୍ଙ୍କ କହିବା ଭଳି- ଆମ ଉପରେ ହେଉଥିବା ଅତ୍ୟାଚାରର ଖର୍ଚ୍ଚ ଆମେ ବହନ କରୁଥିଲୁ। ବ୍ରିଟେନ୍ କରିଥିବା ଶୋଷଣର ଶଶୀ ଥରୁର୍ ଯେଉଁ ବିଶଦ ବର୍ଣ୍ଣନା ସେଠାରେ ଉପସ୍ଥାପନ କରିଥିଲେ, ଏଠାରେ ତାହା ପ୍ରଦାନ କରିବା ପାଇଁ ସ୍ଥାନ ନାହିଁ। ତେବେ ଏତିକି କହିଲେ ଯଥେଷ୍ଟ ହେବ ଯେ ବ୍ରିଟେନ୍ର ବହୁଚର୍ଚ୍ଚିତ ଶିଳ୍ପ ବିପ୍ଳବ ପ୍ରତିଷ୍ଠିତ ହୋଇଥିଲା ଭାରତୀୟ ଶିଳ୍ପର କବର ଉପରେ; ଭାରତରୁ ଲୁଟ କରାଯାଇଥିବା ଧନ ସମ୍ପଦ ଅନେକ ବ୍ରିଟିସ୍ ଅଭିଜାତ ବଂଶମାନଙ୍କୁ ପରିପୁଷ୍ଟ କରିଥିଲା; ସେମାନଙ୍କର ଶୋଷଣ ଯୋଗୁଁ ପ୍ରାୟ ଦେଢ଼ କୋଟିରୁ ତିନି କୋଟି ପର୍ଯ୍ୟନ୍ତ ଭାରତୀୟ ଅନାହାର ମୃତ୍ୟୁ ମୁଖରେ ପଡ଼ିଥିଲେ; ଭାରତୀୟମାନଙ୍କ ଉପରେ ସେମାନେ କରିଥିବା ଅମାନୁଷିକ ଅତ୍ୟାଚାର ହେଉଛି ଅବର୍ଣ୍ଣନୀୟ...।
କ୍ରିଷ୍ଟିସ୍ ଯେଉଁ ବ୍ରିଟିସ୍ ବୈଦେଶିକ ସହାୟତା ବନ୍ଦ କରିବାକୁ ଏବେ ଆହ୍ବାନ ଦେଇଛନ୍ତି, ଶଶୀ ଥରୁର୍ ତାହା ଭାରତ ତା’ର କୃଷକମାନଙ୍କୁ ଦେଉଥିବା ସାର ସବ୍ସିଡି ଠାରୁ ମଧ୍ୟ କମ୍ ବୋଲି କହିଥିଲେ। ଅପରପକ୍ଷେ ବ୍ରିଟେନ୍ ତା’ର ଦୁଇଶହ ବର୍ଷ ବ୍ୟାପୀ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ଲୁଟ୍ ପାଇଁ ଭାରତକୁ ବର୍ତ୍ତମାନ କ୍ଷତିପୂରଣ ପ୍ରଦାନ କରୁ ବୋଲି ଥରୁର୍ ଦାବି କରିଥିଲେ। କିନ୍ତୁ ପରିମାଣ ଯେତେ ବିଶାଳ ହେଲେ ମଧ୍ୟ ତାହା କ୍ଷତିପୂରଣ ପାଇଁ ଯଥେଷ୍ଟ ହେବ ନାହିଁ ବୋଲି କହି ଶଶୀ ଥରୁର୍ ଆହ୍ବାନ ଦେଇଥିଲେ ଯେ ବ୍ରିଟେନ୍ ନିଜର ଦୋଷ ସ୍ବୀକାର କରି ପ୍ରତୀକାତ୍ମମ ଭାବରେ ଆସନ୍ତା ଦୁଇଶହ ବର୍ଷ ଧରି ଭାରତକୁ ବାର୍ଷିକ ଏକ ପାଉଣ୍ଡ ଲେଖାଏଁ କ୍ଷତିପୂରଣ ଦେଇ ଚାଲୁ। ସୋସିଆଲ୍ ମିଡିଆ କିନ୍ତୁ ଶଶୀ ଥରୁର୍ଙ୍କ ଭଳି ଉଦାର ନୁହେଁ। ସେମାନେ ହିସାବ କରିଛନ୍ତି ଯେ ବ୍ରିଟେନ୍ ଭାରତରୁ କରିଥିବା ଲୁଟ୍ର ମୂଲ୍ୟ ହେଉଛି ଅନ୍ୟୂନ ୪୫ ଟ୍ରିଲିଅନ୍ ଡଲାର୍ ଏବଂ କ୍ରିଷ୍ଟିସ୍ଙ୍କୁ ଆହ୍ବାନ ଦେଇଛନ୍ତି ଯେ ତାଙ୍କ ଦେଶ ଦେଇଥିବା ସାମାନ୍ୟ ସାହାଯ୍ୟ କାଟି ରଖି ବାକି ଅର୍ଥ ତୁରନ୍ତ ଭାରତକୁ ଫେରସ୍ତ କରାଯାଉ ଓ ସାଙ୍ଗରେ କୋହିନୂର ମଧ୍ୟ।
ବର୍ଗ୍ସନ୍ କହିଥିବା ଭଳି କ୍ରିଷ୍ଟିସ୍ଙ୍କ ପାଇଁ ତାଙ୍କ ଦେଶର କଦାକାର ଅତୀତ ଏଇଭଳି ଏବେ ବର୍ତ୍ତମାନରେ ପରିଣତ ହୋଇ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛି। ଏହା ଏବେ ତାଙ୍କୁ ସେଇଭଳି ଜଳାଉଥିବ ଯେଉଁଭଳି ବାଳକୃଷ୍ଣ ଦାଶ ତାଙ୍କ ଗୀତର ପର ପଦରେ ଗାଇଥିଲେ: ‘‘ଦହନ ଯେ ସରେ ନା।’’ ସେ ଉଖାରିଥିବା ଅତୀତର ଏହି ଦହନର ଜ୍ବାଳା କ୍ରିଷ୍ଟିସ୍ଙ୍କ ପାଇଁ ଭାରତ ପ୍ରତି ତାଙ୍କର ଈର୍ଷାନଳ ଦ୍ବାରା ଦହନର ଜ୍ବାଳାଠାରୁ ବହୁ ଅଧିକ ଯନ୍ତ୍ରଣାଦାୟକ ହେଉଥିବ।