ଏହି ସମୟରେ ଉଚ୍ଚାଟରେ ଭଟ୍ଟା ପକାଇବା ଭଳି କେତେକ ଚୀନା ଗବେଷକ ପ୍ରକାଶ କଲେଣି ଯେ ‘ଏଲ୍କେ-୯୯’ ଏକ ‘ସୁପର୍କଣ୍ଡକ୍ଟର୍’ ହୋଇଥିବା ସତ୍ୟ, କିନ୍ତୁ କେବଳ ଯେତେବେଳେ ଏହା ଶୂନ୍ୟ ଡିଗ୍ରୀ ସେଲ୍ସିଅସ୍ ଠାରୁ ବହୁ ତଳେ ଶୀତଳୀକୃତ ଅବସ୍ଥାରେ ଥାଏ- ଅର୍ଥାତ୍ ଯଥା ପୂର୍ବମ୍! ଏ ଦୁଇ ପଡ଼ୋଶୀ ଦେଶର ଗବେଷକମାନଙ୍କ ମଧ୍ୟରୁ କିଏ ସତ କହୁଛନ୍ତି, ତା’ ଉପରେ ଆଗାମୀ ଦିନରେ ପଦାର୍ଥ ବିଜ୍ଞାନରେ ଏକ ନୋବେଲ୍ ପୁରସ୍କାର ପ୍ରାପ୍ତିର ସମ୍ଭାବନା ଝୁଲୁଛି।
ଗତି ସହିତ ସଂଘର୍ଷର ସମ୍ପର୍କ ନିବିଡ଼ ବୋଲି ଆମେ ସାଧାରଣ ଭାବରେ ବିଶ୍ବାସ କରିଥାଉ- ଗାଡ଼ିର ଚକା ସହିତ ସଡ଼କର ସଂଘର୍ଷ; ଉଡ଼ାଜାହାଜର ଡେଣା ସହିତ ବାୟୁମଣ୍ଡଳର ସଂଘର୍ଷ; ଜାହାଜର ନିମ୍ନାଂଶ ସହିତ ଜଳରାଶିର ସଂଘର୍ଷ...। ଏହା ମଧ୍ୟ ଆମେ ଜାଣୁ ଯେ ସଂଘର୍ଷ ଯୋଗୁଁ ଶକ୍ତି କ୍ଷୟ ଘଟିଥାଏ। ଏହି ନିୟମ କେବଳ ବସ୍ତୁମାନଙ୍କ ପ୍ରତି ନୁହେଁ, ବିଦ୍ୟୁତ୍ ଶକ୍ତି ପ୍ରତି ମଧ୍ୟ ପ୍ରଯୁଜ୍ୟ ବୋଲି ଊଣା ଅଧିକେ ସମସ୍ତଙ୍କୁ ଜଣା। ବିଦ୍ୟୁତ୍ ଶକ୍ତି ଯେତେବେଳେ ଏକ ତାର ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂରବର୍ତ୍ତୀ ସ୍ଥାନକୁ ପ୍ରବାହିତ ହୁଏ, ସେତେବେଳେ ଧାତବ ତାରରେ ପ୍ରବହମାନ ‘ଇଲେକ୍ଟ୍ରନ୍’ମାନ ତା’ର ‘ଆୟନ୍’ମାନଙ୍କ ସହିତ ଧକ୍କା ଖାଇଥାନ୍ତି, ଯାହା ଯୋଗୁଁ ‘ଇଲେକ୍ଟ୍ରନ୍’ମାନେ ବହନ କରୁଥିବା ଶକ୍ତିର କିୟଦଂଶ ‘ଆୟନ’ମାନଙ୍କ ନିକଟକୁ ସ୍ଥାନାନ୍ତରିତ ହୋଇ ସାରିଥାଏ, ଯାହା ସେମାନଙ୍କ ଠାରେ ଉତ୍ତାପ ସୃଷ୍ଟିକାରୀ ଶିହରଣ ଜାତ କରିଥାଏ। ଅନ୍ୟ ଭାଷାରେ କହିଲେ; ଏକ ତାର ମାଧ୍ୟମରେ ବିଦ୍ୟୁତ୍ ଶକ୍ତି ପ୍ରବାହିତ ହେଉଥିବା ବେଳେ ବୈଦ୍ୟୁତିକ ଶକ୍ତିର କିୟଦଂଶ ଉତ୍ତାପରେ ପରିଣତ ହୋଇ ନଷ୍ଟ ହୋଇଥାଏ, ଯାହାକୁ ଆମେ ‘ପ୍ରେରଣ ଓ ବଣ୍ଟନ ଜନିତ କ୍ଷତି’ ବା ‘ଟ୍ରାନ୍ସମିସନ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ ଲସ୍’ (‘ଟି ଆଣ୍ଡ ଡି ଲସ୍’) ରୂପେ ଜାଣିଥାଉ।
ଯଦି ଏପରି ଏକ ମାଧ୍ୟମ ଆବିଷ୍କାର କରାଯାଆନ୍ତା, ଯାହା ଦେଇ ବିଦ୍ୟୁତ୍ ଶକ୍ତି ସମ୍ପୂର୍ଣ୍ଣ ରୂପେ ବାଧାହୀନ ଭାବରେ ପ୍ରବାହିତ ହୋଇପାରନ୍ତା, ତାହା ଯେ କେତେ ପ୍ରକାର ବୈପ୍ଳବିକ ପ୍ରୟୋଗର ସମ୍ଭାବନା ଉନ୍ମୁକ୍ତ କରନ୍ତା, ତା’ର ତାଲିକା କରି ବସିଲେ ସରିବ ନାହିଁ। ଏପରି ଏକ ବିଦ୍ୟୁତ୍ ପ୍ରବାହ ମାଧ୍ୟମର ନାମକରଣ କରାଯାଇଛି- ‘ସୁପର୍କଣ୍ଡକ୍ଟର୍’। ଯଦି ବୈଜ୍ଞାନିକମାନେ କେବେ ଏକ ‘ସୁପର୍କଣ୍ଡକ୍ଟର୍’ ଉଦ୍ଭାବନ କରିବାରେ ସଫଳ ହୁଅନ୍ତି ତେବେ ତା’ର ବ୍ୟବହାର ଦ୍ବାରା ଯାହା ସବୁ ଉପକାରୀ ଉଦ୍ଭାବନମାନ ସମ୍ଭବ ହେବ, ସେଥିମଧ୍ୟରୁ ମାତ୍ର କେତେଗୋଟି ନମୁନା ହେଉଛନ୍ତି ଏହିପରି- ଦ୍ରୁତତର ମାଇକ୍ରୋଚିପ୍, ଶସ୍ତା ମେଡିକାଲ୍ ସ୍କାନର୍, ଅଧିକ ଦକ୍ଷ ବୈଦ୍ୟୁତିକ ମୋଟର୍ ତଥା ସର୍ବୋପରି କୌଣସି ‘ଟି ଆଣ୍ଡ ଡି ଲସ୍’ ବିନା ବିଶାଳ ଦୂରତା ଅତିକ୍ରମ କରି ବିଦ୍ୟୁତ ଶକ୍ତି ସରବରାହ କରାଯାଇ ପାରିବାର କ୍ଷମତା। ଯେ କୌଣସି ଯନ୍ତ୍ର ବା ବ୍ୟବସ୍ଥା ବିଦ୍ୟୁତ୍ ଶକ୍ତି କିମ୍ବା ଚୁମ୍ବକୀୟ ଶକ୍ତି ବ୍ୟବହାର କରି କାର୍ଯ୍ୟ କରିଥାଏ, ସୁପର୍କଣ୍ଡକ୍ଟର୍ର ପ୍ରୟୋଗ ତା’ର କାର୍ଯ୍ୟଦକ୍ଷତାରେ ଚମକପ୍ରଦ ଉନ୍ନତି ଘଟାଇବ।
ସୁପର୍କଣ୍ଡକ୍ଟର୍ ସମ୍ବନ୍ଧରେ ଏହି ବର୍ଣ୍ଣନା ଯଦି ଏକ କଳ୍ପନା ବିଳାସ ଭଳି ମନେ ହେଉଥାଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ; କିନ୍ତୁ ତାହା ପ୍ରକୃତରେ କେବଳ କଳ୍ପନା ବିଳାସ ନୁହେଁ। ସୁପର୍କଣ୍ଡକ୍ଟରକୁ ଯେ ଏକ ବାସ୍ତବତାରେ ପରିଣତ କରି ହେବ, ବୈଜ୍ଞାନିକମାନେ ଏକ ଶହ ବର୍ଷରୁ କିଛି ଅଧିକ କାଳ ତଳୁ ସେ କଥା ଜାଣି ସାରିଛନ୍ତି। ଓଲନ୍ଦାଜ ପଦାର୍ଥ ବିଜ୍ଞାନୀ ହେଇକେ କାମର୍ଲିଙ୍ଗ୍ ଓନେସ୍ ଯେତେବେଳେ ଅତି-ଶୀତଳ ତରଳ ହିଲିଅମ୍ ବ୍ୟବହାର କରି ପାରଦକୁ ହିମଶୀତଳ କଲେ, ସେ ଆବିଷ୍କାର କଲେ ଯେ ସେଇ ତାପମାତ୍ରା (-୨୬୯ଂ ସେଲ୍ସିଅସ୍)ରେ ପାରଦର ଉପର ବର୍ଣ୍ଣିତ ବୈଦ୍ୟୁତିକ ପ୍ରତିରୋଧକାରୀ କ୍ଷମତା ସମ୍ପୂର୍ଣ୍ଣ ରୂପେ ଅନ୍ତର୍ଦ୍ଧାନ ହୋଇଯାଇଛି। ଅର୍ଥାତ୍ ସେଇ ଅତି ଶୀତଳ ପାରଦ ହେଉଛି ସର୍ବପ୍ରଥମ ଆବିଷ୍କୃତ ‘ସୁପର୍କଣ୍ଡକ୍ଟର’। ସେଇ ସମୟରୁ ଆରମ୍ଭ କରି ବିଗତ ଏକ ଶହ ବର୍ଷରୁ ଅଧିକ କାଳ ଧରି ସୁପର୍କଣ୍ଡକ୍ଟର୍କୁ ମନୁଷ୍ୟର ବ୍ୟବହାର ଉପଯୋଗୀ କରିବା ନିମିତ୍ତ ବୈଜ୍ଞାନିକମାନେ ଅନବରତ ଉଦ୍ୟମ ଚଳାଇ ଆସିଥିଲେ ହେଁ, େକବଳ ଗୋଟିଏ ମାତ୍ର ପ୍ରବିଧିରେ ହିଁ ଏହାର ବ୍ୟାପକ ପ୍ରୟୋଗ ସମ୍ଭବ ହୋଇଛି- ‘ମାଗ୍ନେଟିକ୍ ରେଜୋନାନ୍ସ ଇମେଜିଙ୍ଗ୍’ (‘ଏମ୍ଆର୍ଆଇ’), ଯାହାକୁ ବ୍ୟବହାର କରି ଡାକ୍ତରମାନେ ରୋଗୀର ଶରୀର ଅଭ୍ୟନ୍ତରର ଦୃଶ୍ୟ ଦେଖିବାରେ ସମର୍ଥ ହେଉଛନ୍ତି।
କିନ୍ତୁ ଉପରୋକ୍ତ ଅତି ଶୀତଳ ଅବସ୍ଥା ବାହାରେ ସାଧାରଣ ତାପମାନରେ ସୁପର୍କଣ୍ଡକ୍ଟର୍ ରୂପେ କାର୍ଯ୍ୟ କରିବା ପାଇଁ ସମର୍ଥ ଏପରି କୌଣସି ପଦାର୍ଥ ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ ଆବିଷ୍କାର କରିବାରେ ସକ୍ଷମ ହୋଇ ନ ଥିବାରୁ ଏହାର ଅନ୍ୟାନ୍ୟ ସମ୍ଭାବନାମାନ ଏପର୍ଯ୍ୟନ୍ତ ସାକାର ହୋଇ ପାରିନାହିଁ। ବିଶେଷ କରି କାମର୍ଲିଙ୍ଗ୍ ଓନେସ୍ ଆଶା କରିଥିବା ଭଳି ପ୍ରତିରୋଧଶୂନ୍ୟ ବିଦ୍ୟୁତ୍ ଉତ୍ପାଦନ ଓ ସରବରାହ ଏହି କାରଣରୁ ଏ ଯାଏଁ ସମ୍ଭବ ହୋଇପାରି ନାହିଁ।
ଏହି ପୃଷ୍ଠଭୂମିରେ ଜୁଲାଇ ୨୨ରେ ସିଓଲ୍ସ୍ଥିତ ‘କୋରିଆ ୟୁନିଭର୍ସିଟି’ର ଏକ ଗବେଷକ ଗୋଷ୍ଠୀ କରିଥିବା ଏକ ଘୋଷଣା ଯେଉଁଭଳି ପୃଥିବୀ ବ୍ୟାପୀ ଚହଳ ସୃଷ୍ଟି କରିଛି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସଂକ୍ଷେପରେ କହିଲେ, ସେମାନେ ଦାବି କରିଛନ୍ତି ଯେ ସେମାନେ ଏକ ସାଧାରଣ ତାପମାନରେ କାର୍ଯ୍ୟକ୍ଷମ ସୁପର୍କଣ୍ଡକ୍ଟର୍ (‘‘ରୁମ୍-ଟେମ୍ପରେଚର୍ ସୁପର୍କଣ୍ଡକ୍ଟର୍’’) ଆବିଷ୍କାର କରିବାରେ ସଫଳ ହୋଇଛନ୍ତି, ଯେଉଁ ପଦାର୍ଥରେ ସେମାନେ ନାମକରଣ କରିଛନ୍ତି- ‘‘ଏଲ୍କେ-୯୯’’। ସେମାନେ ଏ ସମ୍ପର୍କରେ ଦୁଇଟି ଗବେଷଣା ପତ୍ର ମଧ୍ୟ ପ୍ରକାଶ କରିଛନ୍ତି, ଯେଉଁଗୁଡ଼ିକୁ ଅବଶ୍ୟ ଅନ୍ୟ ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ ଟିକିନିଖି ପରଖି ଦେଖିନାହାନ୍ତି, ଯେଉଁଥିପାଇଁ ଏହି ଦାବିର ସତ୍ୟତା ଏପର୍ଯ୍ୟନ୍ତ ସାବ୍ୟସ୍ତ ହୋଇନାହିଁ। ପୃଥିବୀର ବିଭିନ୍ନ ଗବେଷଣାଗାରମାନ ବର୍ତ୍ତମାନ ଏହି ସତ୍ୟ ସନ୍ଧାନରେ ଲାଗି ପଡ଼ିଲେଣି।
କୋରିଆର ଏହି ଗବେଷକମାନେ କରିଥିବା ଘୋଷଣା ଅନୁସାରେ ସେମାନେ ଆବିଷ୍କାର କରିଥିବା ପଦାର୍ଥଟି କେବଳ ସାଧାରଣ ତାପମାନରେ ନୁହେଁ, ୧୨୭ଂ ସେଲ୍ସିଅସ୍ ପର୍ଯ୍ୟନ୍ତ ଉତ୍ତପ୍ତ ପରିବେଶରେ ମଧ୍ୟ ସୁପର୍କଣ୍ଡକ୍ଟର ଭାବରେ କାର୍ଯ୍ୟ କରିପାରିବ। ଆହୁରି ଯାହା ଭଲ ସୂଚନା ସେମାନେ ପ୍ରକାଶ କରିଛନ୍ତି, ସେମାନେ ଆବିଷ୍କାର କରିଥିବା ଏହି ପଦାର୍ଥଟି ଯେଉଁ ସମସ୍ତ ଉପାଦାନମାନରେ ଗଠିତ, ସେ ସମସ୍ତ ଆଦୌ ବିରଳ ଶ୍ରେଣୀର ନୁହନ୍ତି; ସେଗ୍ୁଡ଼ିକ ହେଉଛନ୍ତି ସହଜରେ ଉପଲବ୍ଧ ହୋଇପାରୁଥିବା- ତମ୍ବା, ସିସା, ଫସ୍ଫରସ୍ ଓ ଗନ୍ଧକ। ଏଗୁଡ଼ିକ ପୃଥିବୀରେ ପ୍ରଚୁର ପରିମାଣରେ ଉପଲବ୍ଧ ହୋଇଥିବା ସହିତ ଦୁର୍ମୂଲ୍ୟ ମଧ୍ୟ ହୋଇନଥାନ୍ତି। ଯଦି କୋରିଆନ୍ ଗବେଷକମାନଙ୍କର ଏହି ଦାବିରେ ସତ୍ୟତା ଥାଏ, ତା’ହେଲେ ଏହି ଦୁଇ ଚରିତ୍ର ମିଶି ଆବିଷ୍କାରଟିକୁ ଯେ ଏକ ବୈପ୍ଳବିକ ଶ୍ରେଣୀର ମର୍ଯ୍ୟାଦା ପ୍ରଦାନ କରି ମାନବ ସମାଜର ଅଶେଷ ମଙ୍ଗଳ ସାଧନ କରିବେ, ତାହା ହୃଦୟଙ୍ଗମ କରି ସତ୍ୟର ଆବିର୍ଭାବକୁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି। ଉଦାହରଣ ସ୍ବରୂପ ଏହା ଯଦି ସତ ହୋଇଥାଏ, ଏହା ସାହାଯ୍ୟରେ ଜନବସତି ଠାରୁ ସର୍ବଦା ଦୂରରେ ଅବସ୍ଥିତ ଥିବା ସୌରଶକ୍ତି କିମ୍ବା ବାୟୁଶକ୍ତି ଭଳି ପ୍ରଦୂଷଣହୀନ ଅକ୍ଷୟ ଶକ୍ତି ଉତ୍ପାଦନ କେନ୍ଦ୍ରମାନଙ୍କରୁ ଉତ୍ପାଦିତ ବିଦ୍ୟୁତ୍ ଶକ୍ତିକୁ ଅକ୍ଷୁଣ୍ଣ ଭାବରେ ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚାଇ ଦେଇ ହେବ।
ଏହି ସମୟରେ ଉଚ୍ଚାଟରେ ଭଟ୍ଟା ପକାଇବା ଭଳି କେତେକ ଚୀନା ଗବେଷକ ପ୍ରକାଶ କଲେଣି ଯେ ‘ଏଲ୍କେ-୯୯’ ଏକ ‘ସୁପର୍କଣ୍ଡକ୍ଟର୍’ ହୋଇଥିବା ସତ୍ୟ, କିନ୍ତୁ କେବଳ ଯେତେବେଳେ ଏହା ଶୂନ୍ୟ ଡିଗ୍ରୀ ସେଲ୍ସିଅସ୍ ଠାରୁ ବହୁ ତଳେ ଶୀତଳୀକୃତ ଅବସ୍ଥାରେ ଥାଏ- ଅର୍ଥାତ୍ ଯଥା ପୂର୍ବମ୍! ଏ ଦୁଇ ପଡ଼ୋଶୀ ଦେଶର ଗବେଷକମାନଙ୍କ ମଧ୍ୟରୁ କିଏ ସତ କହୁଛନ୍ତି, ତା’ ଉପରେ ଆଗାମୀ ଦିନରେ ପଦାର୍ଥ ବିଜ୍ଞାନରେ ଏକ ନୋବେଲ୍ ପୁରସ୍କାର ପ୍ରାପ୍ତିର ସମ୍ଭାବନା ଝୁଲୁଛି।