କ’ଣ ଖାଇବା ଦେହ ଲାଗି ଭଲ!

ଗଲା କାଲି ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାରେ ପ୍ରକାଶିତ ଆଲେଖ୍ୟ ‘ବଜାର, ବିଜ୍ଞାପନ ଓ ଆମ ଖ‌ାଦ୍ୟ ଶୈଳୀ’ ପଢ଼ିଲି। ଲେଖିକାଙ୍କୁ ଧନ୍ୟବାଦ। ସାମାଜିକ ଗଣମାଧ୍ୟମରେ ପ୍ରବଳ ହୋଇ ଉଠିଥିବା ‘ୟୁଟ୍ୟୁବର’ ଏବଂ ‘ସୋସିଆଲ ଇନ୍‌ଫ୍ଲୁଏନସର୍‌’ (ଜନ ମାନସକୁ ପ୍ରଭାବିତ କରି ପାରୁଥିବା ବ୍ୟକ୍ତିବିଶେଷ)ମାନେ ବଜାର ଦ୍ବାରା ପରିଚାଳିତ ହୋଇ ଅନେକ ଖାଦ୍ୟ ପଦ୍ଧତି ଏବଂ ଖାଦ୍ୟ ଦ୍ରବ୍ୟମାନଙ୍କର ଗୋପନ ବିଜ୍ଞାପନ କରି ଚାଲିଛନ୍ତି, ଯାହା ଆମେ ଠଉରାଇ ପାରୁ ନାହୁଁ ସିନା, ତାହା କିନ୍ତୁ ଆମର ଖାଦ୍ୟ ଅଭ୍ୟାସକୁ ବଦଳାଉଛି ଏବଂ କିଛି ନିର୍ଦ୍ଦିଷ୍ଟ ପ୍ରକାର ଖାଦ୍ୟ ଦ୍ରବ୍ୟର ବିକ୍ରିକୁ ବହୁଗୁଣିତ କରାଉଛି। ପ୍ରକାଶ ଥାଉ କି ‘ସୋସିଆଲ ଇନଫ୍ଲୁଏନସର’ମାନେ ଏଭଳି କରିବା ଲାଗି ମୋଟା ଅଙ୍କର ଅର୍ଥ ମଧ୍ୟ ପାଉଛନ୍ତି ଏବଂ ବିଭିନ୍ନ ରିସର୍ଚ୍ଚ ରିପୋର୍ଟ କଥା କହି ସେମାନଙ୍କ ଦାବି ସତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କେହି ଜାଣନ୍ତି ନାହିଁ ଯେ ସେ ସବୁ ଗବେଷଣା‌ କରୁଛି କିଏ?

ସେ ସବୁ ଗବେ‌ଷକମାନଙ୍କ ଯୋଗ୍ୟତା କ’ଣ? ଅନେକ ଦିନ ପର୍ଯ୍ୟନ୍ତ ଏମିତି ଗବେ‌ଷଣା ଆଳରେ ନଡ଼ିଆ ତେଳକୁ ରନ୍ଧନ ସକାଶେ ସର୍ବାଧିକ ଅନୁପଯୁକ୍ତ ବୋଲି କୁହାଯାଉଥିଲା। ଏହା ରକ୍ତରେ କୋଲେଷ୍ଟରଲର ମାତ୍ର‌ା ବୃଦ୍ଧ କରି ହୃଦ୍‌ଘାତ କରିଥାଏ ବୋଲି କୁହାଯାଉଥିଲା। ତା’ ଜାଗାରେ ସୂର୍ଯ୍ୟମୁଖୀ ବା ମହଙ୍ଗା ଅଲିଭ ତେଲ ବ୍ୟବହାର କରିବାକୁ ପରାମର୍ଶ ଦିଆଗଲା। ଏବେ ଉଚ୍ଚ ସ୍ତରୀୟ ଓ ବିଶ୍ବସନୀୟ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନର ଗବେଷଣା କହିଲାଣି ଯେ ନଡ଼ିଆ ‌େତଲ ହେଉଛି ରନ୍ଧନ ଲାଗି ସର୍ବୋତ୍କୃଷ୍ଟ। ସୁତରାଂ, ଲେଖିକା କହିଥିବା ଭଳି ଏବେ ଲୋକେ କ’ଣ ଖାଇବେ ସେ ନେଇ ସର୍ବାଧିକ ଦ୍ବନ୍ଦ୍ବରେ! ସର୍ବଦା ମନେ ରଖିବା ଉଚିତ ଯେ ପାରଂପରିକ ଖାଦ୍ୟ ପଦ୍ଧତି ଏବଂ ସ୍ଥାନୀୟ ଭାବେ ଉପଲବ୍‌ଧ ଖାଦ୍ୟାନ୍ନ ଓ ତଟକା ପନିପରିବା ଓ ଫଳ ସ୍ବାସ୍ଥ୍ୟ ଲାଗି ଭଲ। ତେଣୁ ସହରୀ ମଧ୍ୟବିତ୍ତ ଓଡ଼ିଆ ଲୋକେ ଅଲିଭ୍‌ ତେଲ ବା ଗାଁ ଲୋକେ ପାମ୍‌ ତେଲରେ ରନ୍ଧାରନ୍ଧି ନ କରି ସୋରିଷ ବା ରାଶି ବା ବାଦାମ ତେଲ ବ୍ୟବହାର କରିବା ଅଧିକ ଭଲ। ଯାହା ହେଉ ଏବେ କେତେକ ଖାଦ୍ୟ ବିଶାରଦ ସାମାଜିକ ଗଣମାଧ୍ୟମରେ ଏ ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରାଉଛନ୍ତି। ତେବେ, ମୂଳ କଥା ହେଲା ସୁଷମ ଖାଦ୍ୟ ଏକୁଟିଆ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ କରେନାହିଁ। ତା’ ସହିତ ବ୍ୟାୟାମ ମଧ୍ୟ ଲୋଡ଼ା।
ପ୍ରସନ୍ନ କୁମାର ମିଶ୍ର
ଆଚାର୍ଯ୍ୟ ବିହାର, ଭୁବନେଶ୍ବର

ସମ୍ବନ୍ଧିତ ଖବର