‘ଆତ୍ମ ନିର୍ଭର ଭାରତ’ ସମ୍ଭବ କିପରି

ବିବେକ ପଟ୍ଟନାୟକ

ଭାରତରେ ସତୁରି ପ୍ରତିଶତରୁ ଅଧିକ ଲୋକ ଗ୍ରାମାଞ୍ଚଳର ବାସିନ୍ଦା। କୃଷି ଓ ଆନୁଷଙ୍ଗିକ କର୍ମ ସେମାନଙ୍କର ମୁଖ୍ୟ ବୃତ୍ତି। କୃଷିକୁ ବୃତ୍ତି କରିଥିବା ଅଧିକା˚ଶ ଲୋକ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀ ଏବ˚ କୃଷି ଶ୍ରମିକ। ଗ୍ରାମୀଣ ଜନସ˚ଖ୍ୟାରେ ଏମାନଙ୍କ ସ˚ଖ୍ୟା ସର୍ବାଧିକ। ଚାଷ ଜମିଗୁଡ଼ିକ ମୁଖ୍ୟତଃ ଛୋଟ ଛୋଟ ଖଣ୍ତରେ ବିଭକ୍ତ। ଅଧିକା˚ଶ ଚାଷୀ ପରିବାର ଭୂମିହୀନ ଏବ˚ ଭାଗଚାଷ ଉପରେ ନିର୍ଭରଶୀଳ। ଆମ ଦେଶରେ ଭୂ-ଅଭିଲେଖ ବା ଜମି ରେକର୍ଡ କାର୍ଯ୍ୟ ଅନିୟମିତ। କୃଷି ସାଧାରଣତଃ ବର୍ଷା ଜଳ ଉପରେ ନିର୍ଭରଶୀଳ। କିଛି ଭାଗ୍ୟବାନ କୃଷକ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ଉଭୟ ଜଳସେଚନର ସୁବିଧା ପାଉଛନ୍ତି। କେତେକଙ୍କର ନିଜସ୍ବ ଜଳ ଉତ୍ସ ଅଛି। କୃଷି ମୁଖ୍ୟତଃ ଶସ୍ୟଜ ଯଥା- ଧାନ, ଗହମ ଓ ବାଜରା। ପନି-ପରିବାରୁ ଅତିରିକ୍ତ ଆୟ ହୁଏ। କେତେକ ସ୍ଥାନରେ ଉଦ୍ୟାନ କୃଷି ହେଉଛି।

ଜନଜାତିର ଲୋକେ ବାଜରା ଉପରେ ଅଧିକତର ନିର୍ଭରଶୀଳ। ଜନଜାତି ଅଞ୍ଚଳରେ ଲଘୁ ବନଜାତ ସାମଗ୍ରୀ ସ˚ଗ୍ରହ ମଧ୍ୟ ସେମାନଙ୍କର ଆୟର ଏକ ଉତ୍ସ। ଆମ ରାଜ୍ୟରେ କେନ୍ଦୁପତ୍ର ଓ ମହୁଲ ଫୁଲ ମୁଖ୍ୟ ଲଘୁ ବନଜାତ ସାମଗ୍ରୀ।

ପନ୍ଦର ବର୍ଷ ତଳେ ‘ଏମ୍‌ଏନ୍‌ଆର‌୍‌ଇଜିଏ’ ଲାଗୁହେବା ପରଠାରୁ ଏହା ମଧ୍ୟ କର୍ମ ଯୋଗାଣ କରୁଛି। ବନ୍ୟା, ମରୁଡ଼ି, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦୁର୍ଦଶା ଦୂର ପାଇଁ ସରକାର ଏବ˚ ସ୍ବେଚ୍ଛାସେବୀ ସ˚ଗଠନଗୁଡ଼ିକ ପକ୍ଷରୁ ରିଲିଫ୍‌ ଯୋଗାଇଦିଆଯାଏ।

କୃଷକମାନେ ଋଣ ଉପରେ ନିର୍ଭରଶୀଳ। ସେମାନେ ମହାଜନ, ସମବାୟ ସ˚ସ୍ଥା ଓ ସାର୍ବଜନୀନ କ୍ଷେତ୍ରୀୟ ବ୍ୟାଙ୍କ୍‌ରୁ ଋଣ ନିଅନ୍ତି। ମାଇକ୍ରୋ-ଫାଇନାନ୍‌ସ ଭଳି ଅଣ-ବ୍ୟାଙ୍କି˚ ବିତ୍ତୀୟ ସ˚ସ୍ଥାରୁ ମଧ୍ୟ ଋଣ ନିଅନ୍ତି।

କୃଷି କର୍ମ ନ ଥିବା ବେଳେ କ୍ଷୁଦ୍ର ଓ ମଧ୍ୟମ ଚାଷୀ ତଥା କୃଷି ଶ୍ରମିକଙ୍କର ରୋଜଗାର ପାଇଁ ଅନ୍ୟ ସ୍ଥାନକୁ ଗମନ ବା ସ୍ଥାନାନ୍ତରଣ ମଧ୍ୟ ସାଧାରଣ। ସେମାନେ ନିକଟବର୍ତ୍ତୀ ଅର୍ଦ୍ଧ-ସହରାଞ୍ଚଳ ତଥା ସହରାଞ୍ଚଳକୁ ଯାଆନ୍ତି। ବେଳେ ବେଳେ ଦୂରବର୍ତ୍ତୀ ମହାନଗରକୁ ମଧ୍ୟ କର୍ମ ଅନ୍ବେଷଣରେ ଯାଆନ୍ତି। ଅଣ-ଜଳସେଚିତ ଅଞ୍ଚଳର କୃଷିଜୀବୀଙ୍କ କ୍ଷେତ୍ରରେ ଏହା ଅଧିକ ପରିଦୃଷ୍ଟ ହୁଏ।

ସହର, ନଗର, ମହାନଗର ଆଦି କ୍ରମଶଃ ଅଧିକରୁ ଅଧିକ ଜନବହୁଳ ହୋଇଚାଲିଛି। ବସ୍ତି ଅଞ୍ଚଳ ବଢ଼ୁଛି ଏବ˚ ତାହା ସହ ପ୍ରଦୂଷଣ, ସ୍ବାସ୍ଥ୍ୟ ସମସ୍ୟା ଓ ଆଇନ-ଶୃଙ୍ଖଳା ପରିସ୍ଥିତି। ନଗର ପ୍ରଶାସନ ବ୍ୟବସ୍ଥା ଦୁର୍ବଳ ହେଉଛି। ଗତ ଶତାବ୍ଦୀର ପଞ୍ଚମ ଦଶକର କୋଲକାତା, ଷଷ୍ଠ ଦଶକର ମୁମ୍ବାଇ ଏବ˚ ସପ୍ତମ ଦଶକର ଦିଲ୍ଲୀ ତୁଳନାରେ ଏବର ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା ଓ ବେଙ୍ଗାଲୁରୁକୁ ଦେଖନ୍ତୁ। ପୂର୍ବର ଶାନ୍ତି ଓ ସୌନ୍ଦର୍ଯ୍ୟ ଏବେ ଆଉ ନାହିଁ। ଆମର ମହାନଗରୀଗୁଡ଼ିକ ଧାରଣକ୍ଷମତା ହରାଇଛନ୍ତି। ଗ୍ରାମାଞ୍ଚଳରେ ରୋଜଗାର ସୁଯୋଗ ଦିଆଗଲେ, ସହରାଞ୍ଚଳକୁ ଗମନ ହ୍ରାସ ପାଇବ ଏବ˚ ଏହି ସମସ୍ୟାର ସମାଧାନ ହୁଅନ୍ତା।

ଏହି ପ୍ରେକ୍ଷାପଟରେ ଆସନ୍ତୁ ଦେଖିବା ଗ୍ରାମାଞ୍ଚଳରେ କିପରି ଔଦ୍ୟୋଗିକ ବିକାଶ ହୋଇପାରିବ, ଯାହା ଦ୍ବାରା ଗରିବମାନେ ବର୍ଷ ତମାମ ରୋଜଗାର ପାଇପାରିବେ ଏବ˚ ଧାରଣକ୍ଷମ ଅର୍ଥନୈତିକ ବୃଦ୍ଧି ସ˚ଭବ ହେବ। ଗ୍ରାମାଞ୍ଚଳରେ ଜନସ˚ଖ୍ୟା ବୃଦ୍ଧି ଅବ୍ୟାହତ ରହିଛି। ତେଣୁ, ଯୁବ ଜନସ˚ଖ୍ୟା ମଧୢ ବେଶ୍‌ ଅଧିକ। ଗ୍ରାମାଞ୍ଚଳ, ଅର୍ଦ୍ଧ-ସହରାଞ୍ଚଳ ଓ ସହରାଞ୍ଚଳ ତଥା ସହର-ତଳି ଅଞ୍ଚଳରେ ଅଧିକରୁ ଅଧିକ ସ˚ଖ୍ୟକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଯୁକ୍ତ ଦୁଇ ମହାବିଦ୍ୟାଳୟ, ଡିଗ୍ରି କଲେଜ୍‌, ଆଇଟିଆଇ, ଇ˚ଜିନିଅରି˚ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ମ୍ୟାନେଜ୍‌ମେଣ୍ଟ୍‌ ଶିକ୍ଷାନୁଷ୍ଠାନ, ଫାମାର୍ସି କଲେଜ୍‌ ଆଦି ଖୋଲିବା ଯୋଗୁଁ ସେମାନେ ସାକ୍ଷର, ଶିକ୍ଷିତ, ବିଚାରଶୀଳ ଏବ˚ ଉଚ୍ଚାଭିଳାଷୀ ହୋଇଛନ୍ତି। ଗତ ଦୁଇ ଦଶନ୍ଧିରେ ଏହି କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି।

ଆମ ଦେଶରେ ବିଦ୍ୟମାନ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ହେବା ଆବଶ୍ୟକ। ମାନବ ସମ୍ବଳର ଉଚିତ ବିନିଯୋଗ କରା ନ ଗଲେ, ଏହା ଦେଶ ପାଇଁ ବିପର୍ଯ୍ୟୟ ଆଣିଦେବ। ତେଣୁ, ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ଅର୍ଦ୍ଧ-ସହରାଞ୍ଚଳ ଓ ସହରାଞ୍ଚଳ ତଥା ସହର-ତଳି ଅଞ୍ଚଳର ଯୁବ ଶକ୍ତିର ବିନିଯୋଗକୁ କାଳ ବିଳମ୍ବ ନ କରି ପ୍ରାଧାନ୍ୟ ଦିଆଯିବା ଉଚିତ। ସେମାନଙ୍କୁ ବ୍ୟବସାୟ କରିବା ପାଇଁ ସୁଯୋଗ ଦେଲେ, ସ୍ଥାନୀୟ ଭାବେ ବିଭିନ୍ନ ଔଦ୍ୟୋଗିକ ପ୍ରକଳ୍ପ ପ୍ରତିଷ୍ଠା କରାଗଲେ, ସେମାନେ ଗ୍ରାମ ଛାଡ଼ି ସହରାଭିମୁଖୀ ହେବେନାହିଁ ଏବ˚ ନିଜ ଅଞ୍ଚଳରେ ରହି କାମ କରିବେ। ଏଥି ପାଇଁ ଯୋଜନାବଦ୍ଧ ଭାବେ ପଦକ୍ଷେପ ନିଆଯିବା ଦରକାର।

ସେହିପରି ଗ୍ରାମାଞ୍ଚଳର କ୍ଷମତାସ˚ପନ୍ନ ମହିଳାମାନଙ୍କର ଉପଯୁକ୍ତ ବିନିଯୋଗକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରବେଶ ପାଇଁ ପୁଅଙ୍କ ପରି ଝିଅଙ୍କର ମଧ୍ୟ ସମାନ ଅଧିକାର ଅଛି। ଗ୍ରାମାଞ୍ଚଳରେ ଶିକ୍ଷିତ ମହିଳାଙ୍କ ଅଭାବ ନାହିଁ। ସେମାନଙ୍କ ମଧ୍ୟରେ ଅଛନ୍ତି ଡିପ୍ଲୋମା ଓ ଡିଗ୍ରିଧାରିଣୀ ଇ˚ଜିନିଅର‌୍‌, ଆଇଟିଆଇ ତାଲିମପ୍ରାପ୍ତ ପେସାଦାର।

ଗ୍ରାମାଞ୍ଚଳବାସୀଙ୍କୁ ଆତ୍ମ-ନିର୍ଭରଶୀଳ କରିବା ପାଇଁ କୃଷି ଏବ˚ ଅଣ-କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ସହ ‘ଏମ୍‌ଏସ୍‌ଏମ୍‌ଇ’(ମାଇକ୍ରୋ ସ୍ମଲ୍‌ ମିଡିଅମ୍‌ ଇଣ୍ଟର‌୍‌ପ୍ରାଇଜେସ୍‌) ପ୍ରତିଷ୍ଠା କରାଯିବା ଦରକାର। ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରାଯିବା ଆବଶ୍ୟକ। ‘ଏମ୍‌ଏସ୍‌ଏମ୍‌ଇ’ ସ˚ପର୍କିତ ଆଇନରେ ନିକଟରେ ପରିବର୍ତ୍ତନ ଅଣାଯାଇଛି। ପୁଞ୍ଜିଲଗାଣ ଓ କାରବାର ପରିମାଣ ଭିତ୍ତିରେ ମାଇକ୍ରୋ, ଛୋଟ ଓ ମଧ୍ୟମର ସ˚ଜ୍ଞା ପୁନଃ-ନିରୂପିତ ହୋଇଛି। ‘ଏମ୍‌ଏସ୍‌ଏମ୍‌ଇ’ କ୍ଷେତ୍ର ଏଗାର କୋଟି ଲୋକଙ୍କୁ ରୋଜଗାର ସୁଯୋଗ ଦେଇଛି। ଜିଡିପିକୁ ଏହାର ଅବଦାନ ୩୮% ଏବଂ ରପ୍ତାନି ଓ ବୈଦେଶିକ ମୁଦ୍ରା ବିନିମୟ କ୍ଷେତ୍ରକୁ ୪୮ ପ୍ରତିଶତ।

ଉଦ୍ୟାନ କୃଷି ଦ୍ବାରା ଆୟ ବୃଦ୍ଧି ସହ ବ୍ୟବସାୟ ମଧ୍ୟ ବଢ଼ିବ। କଦଳୀ, ପିଜୁଳି, ଆମ୍ବ, ନଡ଼ିଆ, ଡାଳିମ୍ବ ଆଦି ଚାଷ ପାଇଁ ଚାଷୀ, ବିଶେଷତଃ ଯୁବ-ଚାଷୀଙ୍କୁ ଉତ୍ସାହିତ କରାଯିବା ଦରକାର। ରପ୍ତାନି ଦୃଷ୍ଟିରୁ ଫୁଲ ଚାଷ ମଧ୍ୟ ବେଶ୍‌ ଲାଭଦାୟକ। ଭାରତର ମହାନଗରାଞ୍ଚଳ ସମେତ ଇଉରୋପୀୟ ବଜାରରେ ଗୋଲାପ, ଜିନିଆ, ଡାଲିଆ ଆଦିର ଚାହିଦା ବଢ଼ୁଛି। ଏହି ବ୍ୟବସାୟ ବଢ଼ାଇବା ପାଇଁ ଅନ୍ତର୍ଦେଶୀୟ ଓ ଅନ୍ତର୍ଜାତୀୟ ବିମାନ ଯୋଗାଯୋଗ ବ୍ୟବସ୍ଥା ସୁଗମ କରାଯିବା ଆବଶ୍ୟକ। ବ୍ୟବସାୟିକ ଦୁଗ୍‌ଧ ଚାଷ, କୁକ୍କୁଟ ଚାଷ, ଶୂକର, ମେଷ ଓ ଛାଗଳ ପାଳନକୁ ପ୍ରୋତ୍ସାହନ ଦିଆଯିବା ଉଚିତ। ଗ୍ରାମାଞ୍ଚଳରେ ଏଥି ନିମନ୍ତେ ଶୀତଳ ଭଣ୍ତାର, ଫ୍ରିଜି˚, ଚିଲି˚ ଓ ପାସ୍‌ଚରାଇଜେସନ୍‌ କାରଖାନାର ସ୍ଥାପନା ଲୋଡ଼ା। ଏହା ଦ୍ବାରା ଚାଷୀ ଉପକୃତ ହେବେ ଏବ˚ ଚାଷ ଓ ଆନୁଷଙ୍ଗିକ କାର୍ଯ୍ୟର ବିକାଶ ହେବ।

ଅତୀତରେ ଗ୍ରାମାଞ୍ଚଳରେ ଅନେକ ଚାଉଳ କଳ, ଚିନି କଳ ଓ ଅଟା କଳ ସ୍ଥାପିତ ହୋଇଥିଲା। ଏବେ ମଧ୍ୟ ଏ ଭଳି କଳ ପ୍ରତିଷ୍ଠାର ଅବକାଶ ଅଛି। ସହରାଞ୍ଚଳ ସହ ଯୋଗାଯୋଗ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଥିବାରୁ ଗ୍ରାମାଞ୍ଚଳରେ ପାଉଁରୁଟି ଓ ବିସ୍କିଟ୍‌ କାରଖାନା ବସାଯାଇପାରେ। ଆଖୁ ଚାଷ ବଢ଼ିଛି। ଆଖୁ ଚାଷ ହେଉଥିବା ଅଞ୍ଚଳରେ ପାର˚ପରିକ ଭାବେ କେବେଠାରୁ ଗୁଡ଼ ଉତ୍ପାଦନ ଅବ୍ୟାହତ ରହିଛି। ସହରାଞ୍ଚଳର ବାସିନ୍ଦାଙ୍କ ପାଇଁ ଗୁଡ଼ରୁ ନାନା ସାମଗ୍ରୀ ତିଆରି କରାଯାଇପାରେ। ଚିନି କଳ ଓ ଏହାର ଆନୁଷଙ୍ଗିକ ଉତ୍ପାଦଗୁଡ଼ିକର ପୂର୍ଣ୍ଣ ଉପଯୋଗ ହୋଇପାରିନାହିଁ। ଚିନି କଳରେ ପୁଞ୍ଜିଲଗାଣ ଅଧିକ। ଏହା ଘରୋଇ ତଥା ସମବାୟ କ୍ଷେତ୍ରରେ ବିକଶିତ ଶିଳ୍ପ। ଅନେକ ସ୍ଥାନରେ ଏହି ଶିଳ୍ପ ବେଶ୍‌ ସଫଳ। ଏହାର ଆନୁଷଙ୍ଗିକ ଶିଳ୍ପ ଯଥା- ସୁରା କାରଖାନା ଆଦି ମଧ୍ୟ ଲାଭଦାୟକ। ଚିନି କଳରୁ ବାହାରୁଥିବା ଆଖୁ ଖଦା ପୂର୍ବେ ମୁଖ୍ୟତଃ ଜାଳେଣି ଭାବେ ବ୍ୟବହୃତ ହେଉଥିଲା। ଏବେ ଗ୍ରାମାଞ୍ଚଳରେ ଏଲ୍‌ପିଜି ସିଲିଣ୍ତର‌୍‌ର ବ୍ୟବହୃତ ହେଉଥିବାରୁ ଆଖୁ ଖଦାକୁ ଜାଳେଣି ଭାବେ ବ୍ୟବହାର କରିବାର ଆବଶ୍ୟକତା ନାହିଁ। ଏହାକୁ କାଗଜ ତିଆରିରେ ଲଗାଯାଇପାରେ।

ଗ୍ରାମାଞ୍ଚଳ ତଥା ଅର୍ଦ୍ଧ-ସହରାଞ୍ଚଳର ବିକାଶ ପାଇଁ ପର୍ଯ୍ୟଟନ, ଧାର୍ମିକ ପର୍ଯ୍ୟଟନ, ହୋଟେଲ୍‌ ଶିଳ୍ପ, ଭୋଜନାଳୟ, ଭ୍ରମଣ ସେବା ଯୋଗାଉଥିବା ବ୍ୟବସାୟିକ ସ˚ସ୍ଥା, ଖୁଚୁରା ଓ ପାଇକାରି ବିକ୍ରୟ ସ˚ସ୍ଥା, କୃଷିଜ ଉତ୍ପାଦର ବ୍ୟବସାୟ, ପରାମର୍ଶଦାତା ସ˚ସ୍ଥା ଆଦିକୁ ଗୁରୁତ୍ବ ଦିଆଯିବା ଦରକାର। ଏସବୁର ସୁ-ପରିଚାଳନା ପାଇଁ ଆମେ ଇଣ୍ଟର‌୍‌ନେଟ୍‌ ବ୍ୟବହାର କରିପାରିବା। ଗ୍ରାମାଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରାଯାଇପାରେ। ଏହା ମାଧ୍ୟମରେ କୁକୁଡ଼ା ଓ ଅନ୍ୟ ମା˚ସ, ଦୁଗ୍‌ଧ ଓ ଫଳର ସୁବିନିଯୋଗ ହେବ। ଶିକ୍ଷିତ ଯୁବକ-ଯୁବତୀ ତଥା ଇ˚ଜିନିଅରି˚ ଡିଗ୍ରିଧାରୀମାନେ ଏଥି ପ୍ରତି ଆଗ୍ରହ ପ୍ରକାଶ କରିବା ସହ କେଉଁ ବ୍ୟବସାୟ ଆରମ୍ଭ କରାଯାଇପାରିବ ବା ପୂର୍ବରୁ ଥିବା ବ୍ୟବସାୟ ସହ କ’ଣ ଯୋଗ କରାଯାଇପାରିବ, ତାହା ଚିହ୍ନଟ ଓ ଆକଳନ କରିପାରିବେ।

ଗ୍ରାମାଞ୍ଚଳରେ ଔଦ୍ୟୋଗିକ ବିକାଶର ଲାଭ ଅନେକ। ସହରାଞ୍ଚଳ ତୁଳନାରେ ଏଠାରେ ଖର୍ଚ୍ଚ କମ୍‌। ଦକ୍ଷ ଓ ଅର୍ଦ୍ଧ-ଦକ୍ଷ ଶ୍ରମିକ ସହଜରେ ମିଳନ୍ତି। ବଜାର ମିଳେ ଏବ˚ ପ୍ରଚାର ଖର୍ଚ୍ଚ କମ୍‌ ହୁଏ। ଗ୍ରାମାଞ୍ଚଳରେ ଔଦ୍ୟୋଗିକ ବିକାଶ ହେଲେ ଦକ୍ଷ ଶ୍ରମିକ ବାହାରକୁ ଯିବେନାହିଁ। ସେମାନେ ଗ୍ରାମରେ ହିଁ ରହି କାମ କରିବାକୁ ଚାହିଁବେ। ସେମାନେ ‘ଏମ୍‌ଏନ୍‌ଆର‌୍‌ଇଜିଏ’ ଭଳି ଯୋଜନାରେ ମଧ୍ୟ ସାମିଲ ହେବେନାହିଁ।

ଏଥିରେ ସରକାରକୁ ମଧ୍ୟ ମହତ୍ତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ। ତାଲିମ ଦେବା, ସଚେତନତା ସୃଷ୍ଟି କରିବା, ନୈପୁଣ୍ୟର ବିକାଶ ପାଇଁ ପଦକ୍ଷେପ ନେବା, ଆଇଟିଆଇ ଉତ୍ତୀର୍ଣ୍ଣ ଏବ˚ ଇ˚ଜିନିଅରି˚ ଡିପ୍ଲୋମା ଓ ଡିଗ୍ରିଧାରୀଙ୍କୁ ଆତ୍ମ-ନିର୍ଭରଶୀଳ ହେବା ପାଇଁ ପ୍ରୋତ୍ସାହନ ଦେବା, ଗ୍ରାମୀଣ ଉଦ୍ୟୋଗପତିଙ୍କୁ ସହାୟତା ଦେବା ଆଦି ସରକାରଙ୍କ କାର୍ଯ୍ୟସୂଚୀ ଅନ୍ତର୍ଭୁକ୍ତ। ସରକାରୀ ଆର୍ଥିକ ସହାୟତା ମଧ୍ୟ ଲୋଡ଼ା। ଏଥି ପାଇଁ ସାରା ଗ୍ରାମାଞ୍ଚଳରେ ଇଣ୍ଟର‌୍‌ନେଟ୍‌ ସ˚ଯୋଗ ଦରକାର। ତେଣୁ, ଫାଇବର‌୍‌ ଅପ୍‌ଟିକ୍‌ସ ବିଛାଇବା କାର୍ଯ୍ୟ ତ୍ବରାନ୍ବିତ ହେବା ଆବଶ୍ୟକ।

ବ୍ୟାଙ୍କ୍‌ଗୁଡ଼ିକ ମୁଖ୍ୟତଃ ଅର୍ଦ୍ଧ-ସହରାଞ୍ଚଳରେ ଅବସ୍ଥିତ। ତେଣୁ ପିଏସ୍‌ବି, ସମବାୟ ବ୍ୟାଙ୍କ୍‌ ଓ ଅଣ-ବ୍ୟାଙ୍କି˚ ବିତ୍ତୀୟ ଅନୁଷ୍ଠାନଗୁଡ଼ିକୁ ଶକ୍ତିଶାଳୀ କରାଯିବା ଦରକାର। ଆବଶ୍ୟକ ସ୍ଥଳରେ ସରକାର ଆଇନ ଅନୁଯାୟୀ ମାଇକ୍ରୋ-ଫାଇନାନ୍‌ସି˚ ଇନ୍‌ଷ୍ଟିଚ୍ୟୁସନ୍‌ ପରି ଅନୁଷ୍ଠାନଗୁଡ଼ିକୁ ସ୍ବୀକୃତି ଦେବା ଆବଶ୍ୟକ। ସରକାର ‘ନାବାର୍ଡ‌୍‌’, ‘ଏସ୍‌ଆଇଡିବିଆଇ’, ‘ଏମ୍‌ୟୁଡିଆର‌୍‌ଏ’ ଆଦି ସ˚ସ୍ଥା ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ବିଶ୍ବ ବ୍ୟାଙ୍କ୍‌ ସହ ଯୋଗାଯୋଗ କରିବା ଦରକାର। ‘ଏସ୍‌ଏଫ୍‌ସି’, ‘ଏସ୍‌ଆଇଆଇସି’ ଓ ମାଇକ୍ରୋ-ଫାଇନାନ୍‌ସି˚ ଇନ୍‌ଷ୍ଟିଚ୍ୟୁସନ୍‌ଗୁଡ଼ିକର ପୁନରୁତ୍‌ଥାନକୁ ଅଗ୍ରାଧିକାର ଭିତ୍ତିରେ ଧ୍ୟାନ ଦିଆଯିବା ଜରୁରୀ।

ପ୍ରକଳ୍ପଗୁଡ଼ିକ ବାସ୍ତବାଭିମୁଖୀ ହେବା ଆବଶ୍ୟକ। ଅନୁମୋଦନ ପୂର୍ବରୁ ବୈଷୟିକ, ବିତ୍ତୀୟ ଓ ପରିଚାଳନାଗତ ମୂଲ୍ୟାୟନ ଲୋଡ଼ା। ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ତଥା ବ୍ୟବସାୟ କାଳରେ ତଦାରଖ ଜରୁରୀ, ଯେପରିକି ଏହା ଭବିଷ୍ୟତ୍‌ରେ ଅଣ-ନିଷ୍ପାଦିତ ପରିସ˚ପତ୍ତିରେ ପରିଣତ ନ ହୁଏ।

ଏସବୁ ପଦକ୍ଷେପ ଆତ୍ମ-ନିର୍ଭରଶୀଳ ଅର୍ଥନୀତି ଗଠନ କରିବାରେ ସହାୟକ ହେବ, ଯାହାକୁ ‘ଆତ୍ମନିର୍ଭରଶୀଳ ଭାରତ’ ମାଧ୍ୟମରେ ଉତ୍ସାହିତ କରାଯାଉଛି। ମହାମାରୀ ପରେ ଉଭୟ ଚାଇନା ଓ ଯୁକ୍ତରାଷ୍ଟ୍ର ଆମେରିକା ଘରୋଇ ବଜାରକୁ ଗୁରୁତ୍ବ ଦେଉଛନ୍ତି। ଅଧିକା˚ଶ ଏସୀୟ ରାଷ୍ଟ୍ର ମଧ୍ୟ ଏହି ପଥ ଆପଣେଇଥିବା ଅର୍ଥଶାସ୍ତ୍ରୀଙ୍କ ସୂତ୍ରରୁ ପ୍ରକାଶ। ତେଣୁ, ଆମେ ଆଶାବାଦ, ସକାରାତ୍ମକ ପ୍ରବୃତ୍ତି, ଶୃଙ୍ଖଳା, କଠିନ ଶ୍ରମ, ଦୃଢ଼ତା ଓ ସଚ୍ଚୋଟତାକୁ ପ୍ରାଧାନ୍ୟ ଦେବା ଏବ˚ ଦୂରଦୃଷ୍ଟିସ˚ପନ୍ନ ହୋଇ ଆଗେଇବା।

[email protected]

ସମ୍ବନ୍ଧିତ ଖବର

Comments are closed.