କଳାହାଣ୍ତି କ’ଣ ଦାରିଦ୍ର୍ୟର ପ୍ରତୀକ?

‘ଏନ୍‌ସିଇଆରଟି’ ବହିର ତଥ୍ୟ ବିବାଦ - ସୁଶୀଲ କୁମାର ବାଗ

ଆଜି ପୁଣି ଥରେ କଳାହାଣ୍ତିକୁ ନେଇ ଚର୍ଚ୍ଚା। ଏହାର କାରଣ ହେଲା ‘ଏନ୍‌ସିଇଆର‌୍‌ଟି’ ଦ୍ବାରା ପ୍ରକାଶିତ ପଞ୍ଚମ ଶ୍ରେଣୀର ପରିବେଶ ବିଜ୍ଞାନ ପାଠ୍ୟ ପୁସ୍ତକରେ କଳାହାଣ୍ତିକୁ ନେଇ ରହିଥିବା ତଥ୍ୟ। ସେଥିରେ କଳାହାଣ୍ତିକୁ ଦାରିଦ୍ର୍ୟ ଓ ଅନାହାରର ଭୂଖଣ୍ତ ବୋଲି ଦର୍ଶାଯାଇଛି। ଏହାକୁ ନେଇ ସାରା ଜିଲ୍ଲାରେ ଏବେ ବ୍ୟାପକ ଜନ ଅସନ୍ତୋଷ।

କଳାହାଣ୍ତିର ଭୋକ ଓ ଦାରିଦ୍ର୍ୟକୁ ନେଇ ଢେର ରାଜନୀତି କରାଯାଇଥିଲା ଗତ ଅଶୀ ଓ ନବେ ଦଶକରେ। ସେତେବେଳେ କଳାହାଣ୍ତି କିଛି ପାଇଲା କି ନାହିଁ ଜଣାନାହିଁ, କିନ୍ତୁ ଏହାର ରାଜନୈତିକ ଫାଇଦା ମିଳିଥିଲା କିଛି ହାତଗଣତି ଲୋକଙ୍କୁ। ଅବଶ୍ୟ ତା’ ପରେ କଳାହାଣ୍ତିର ଭାଗ୍ୟ ବି ପରିବର୍ତ୍ତନ ହୋଇଥିଲା ଅତ୍ୟନ୍ତ ଦ୍ରୁତଗତିରେ। ପି. ସାଇନାଥଙ୍କ ଭଳି ସାମ୍ବାଦିକ କଳାହାଣ୍ତିର ଦାରିଦ୍ର୍ୟକୁ ଗଣମାଧୢମରେ ପରଷି ବେଶ୍‌ ପଦ ଓ ପ୍ରତିଷ୍ଠା ବି ଲାଭ କରିଥିଲେ।

ଫାନସ ପୁଞ୍ଜି, ବନୀତା ପୁଞ୍ଜିଙ୍କଠାରୁ ଦାନ ମାଝୀ ଆଦି ବିଭିନ୍ନ ଘଟଣା ନେଇ କଳାହାଣ୍ତିକୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯେତିକି ବଦନାମ୍‌ କରାଯାଏ, ସେତିକି ଅନ୍ୟ କୌଣସି ଜିଲ୍ଲା, ରାଜ୍ୟ କିମ୍ବା ଅଞ୍ଚଳକୁ ନେଇ କରାଯାଏ ନାହିଁ। କାରଣ ଏ ଜିଲ୍ଲାର ସରଳ ଜନସାଧାରଣ ନିଜ କାମରେ ମତଲବ ରଖନ୍ତି, ଏଇ ରାଜନୀତିର ଦାଓପେଞ୍ଚ ଭିତରେ ସେମାନେ ପଶି ପାରନ୍ତି ନାହିଁ।

ତେବେ ଅସଲ କଥା ହେଲା ଚାଳିଶ ବର୍ଷ ତଳର କଳାହାଣ୍ତି ଓ ଆଜିର କଳାହାଣ୍ତି ମଧୢରେ ଆକାଶପାତାଳ ପ୍ରଭେଦ। ତଥାପି ପୁରୁଣା ଓ ଭ୍ରମାତ୍ମକ ତଥ୍ୟକୁ ନେଇ ସରକାରୀ ପାଠ୍ୟ ପୁସ୍ତକ ପ୍ରଣୟନ ସ˚ସ୍ଥା (ଏନ୍‌ସିଇଆର‌୍‌ଟି) ଦେଶ ବ୍ୟାପୀ ବାଳକବାଳିକାମାନଙ୍କ ମନରେ କଳାହାଣ୍ତିକୁ ନେଇ ଏପରି ଏକ ଚିତ୍ର ବା ଧାରଣା ସୃଷ୍ଟି କରିଛି, ଯାହା ହୁଏ’ତ କଳାହାଣ୍ତିର ପ୍ରଗତିକୁ ସ˚ପୂର୍ଣ୍ଣ ମଳିନ କରିଦେବ।

ଏହାକୁ ନେଇ ସାରା ଜିଲ୍ଲାରେ ଆନ୍ଦୋଳନ ତେଜି ଉଠିଥିବା ବେଳେ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ପୁସ୍ତକରେ ସେହି ଅ˚ଶର ସ˚ଶୋଧନ ପାଇଁ ଦାବି କରିଛନ୍ତି।

କଳାହାଣ୍ତି ଜିଲ୍ଲାର ଅସୁରଗଡ଼ରେ ରହିଛି ହଜାର ହଜାର ବର୍ଷ ତଳର ଐତିହାସିକ ସମୃଦ୍ଧିର ନିଦର୍ଶନ। ଅପୂର୍ବ କଳାକୃତିର ପ୍ରମାଣ ଦେଇଛି ଗୁଡ଼ହାଣ୍ତିର ଗୁମ୍ଫାଚିତ୍ର। ଅତୀତରେ କାରୁଣ୍ତ, ଇନ୍ଦ୍ରବନ, ମହାକାନ୍ତାର ଓ କମଳମଣ୍ତଳର ନାମ ବହନ କରିଥିବା ଏ ଜିଲ୍ଲାର ଐତିହାସିକ ଔଜ୍ଜ୍ବଲ୍ୟର ପ୍ରଚାର ଓ ପ୍ରସାର କରିବାର ସମୟ ଏବେ ଉପନୀତ। ଏହି ଜିଲ୍ଲାର ମାଟି ରତ୍ନଗର୍ଭା। ଏଠାରେ ମିଳୁଥିବା ଦୁର୍ଲଭ ରତ୍ନପଥର ସାରା ବିଶ୍ବରେ ବିରଳ। କିନ୍ତୁ ଶହଶହ ବର୍ଷ ଧରି ଏହାର ଲୁଣ୍ଠନ ଚାଲିଛି। ଏଇ କିଛିଦିନ ତଳେ ଜୁନାଗଡ଼ ଅଞ୍ଚଳରୁ ପୁଲିସ ଦ୍ବାରା ତିନି କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ରତ୍ନପଥର ଜବତ କରାଯିବା ଏହାର ଏକ ଉଦାହରଣ ମାତ୍ର।

ଅବଶ୍ୟ ଏହା ସ୍ବୀକାର୍ଯ୍ୟ ଯେ କଳାହାଣ୍ତିରେ ଦାରିଦ୍ର୍ୟ ଥିଲା, ଅବ୍ୟବସ୍ଥା ଥିଲା। କିନ୍ତୁ ଆଜି ସ୍ଥିତି ସେଭଳି ନାହିଁ। ଏ ଜିଲ୍ଲା ଆଜି ବିକାଶ ପଥରେ ବହୁ ଦୂରକୁ ଆଗେଇ ପାରିଛି। ଏ ଜିଲ୍ଲାର ଚାଷୀ ଆଜି ରାଜ୍ୟ ତଥା ଦେଶ ଲାଗି ଭାତହାଣ୍ତିରେ ପରିଣତ ହେଲେଣି। ଧାନ ଉତ୍ପାଦନରେ କଳାହାଣ୍ତି ଆଜି ସାରା ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। କଳାହାଣ୍ତିବାସୀଙ୍କ ବିଶ୍ବାସ ଯେ ରେତ୍‌ ଜଳ ସେଚନ ପ୍ରକଳ୍ପ ସ˚ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏହା ରାଜ୍ୟରେ ଏକ ନମ୍ବର ଧାନ ଉତ୍ପାଦନକାରୀ ଜିଲ୍ଲାର ମାନ୍ୟତା ପାଇବ। ଏ ଜିଲ୍ଲାର ଉନ୍ନତ ମାନର କପା ଦେଶ ତଥା ବିଦେଶରେ ବେଶ୍‌ ଆଦୃତ।

କଳାହାଣ୍ତିକୁ କଳା ଚଷମା ଦେଇ ଦେଖୁଥିବା ଲୋକମାନଙ୍କୁ ଆମର ପ୍ରଶ୍ନ: ଦେଶରେ କେବଳ କଳାହାଣ୍ତି ଏକମାତ୍ର ଦାରିଦ୍ର୍ୟର ଇଲାକା ହୋଇ ରହିଯାଇଛି କି? ଜାତୀୟ ସ୍ତରରେ କଳାହାଣ୍ତି ପ୍ରତି ଏ ଅସୂୟା ଭାବ କାହିଁକି? ଦାରିଦ୍ର୍ୟର ଉପମା ଖୋଜୁଥିବା ବ୍ୟକ୍ତିମାନଙ୍କୁ ଅନୁରୋଧ ସେମାନେ ନୂଆ ଦାରିଦ୍ର୍ୟାଞ୍ଚଳର ଅନ୍ବେଷଣ କରନ୍ତୁ। କାରଣ କଳାହାଣ୍ତି ଆଗକୁ ଆଗେଇବାରେ ଲାଗିଛି।

ଗୋପାଳପୁର, ମଧୁପୁର, ନର୍ଲାରୋଡ୍, କଳାହାଣ୍ତି
ମୋ-୬୩୭୨୪୧୯୦୨୭

ସମ୍ବନ୍ଧିତ ଖବର

Comments are closed.