ହିଗ୍‌ସ ୧୯୬୪ରେ କାଗଜ, ପେନ୍‌ସିଲ୍ ବ୍ୟବହାର କରି ଯେଉଁ ସମ୍ଭାବନା ଆବିଷ୍କାର କରିଥିଲେ, ତାହା ୨୦୧୨ରେ ବିଶାଳକାୟ ତଥା ବିପୁଳ ବ୍ୟୟରେ ନିର୍ମିତ ଇଉରୋପୀୟ ପାର୍ଟିକ୍ଲ ଫିଜିକ୍‌ସ ଲାବରେଟାରି (‘ସର୍ନ’)ରେ ସତ୍ୟ ସାବ୍ୟସ୍ତ ହୋଇ ‘ଈଶ୍ବର କଣିକା’କୁ ଏକ ବିଶ୍ବବ୍ୟାପୀ ସୁପରିଚିତ ଅଭିବ୍ୟକ୍ତିରେ ପରିଣତ କରିଦେଲା। ଖୋଦ୍ ହିଗ୍‌ସ କିନ୍ତୁ ‘ହିଗ୍‌ସ ବୋସନ୍’ର ଏଭଳି ‘ଗଡ୍ ପାର୍ଟିକ୍ଲ’ ରୂପେ ନାମକରଣର ସପକ୍ଷରେ ନ ଥିଲେ। ବର୍ତ୍ତମାନ ସେ ପାରିରେ ତାଙ୍କର ଯଦି ଈଶ୍ବରଙ୍କ ସହିତ ଭେଟ ହୁଏ ଓ ଈଶ୍ବର ଏକ ସାମାନ୍ୟ କଣିକା ସହିତ ତାଙ୍କୁ ଏପରି ସମାନ କରିବାର ପ୍ରଚେଷ୍ଟା ପ୍ରତି ରୋଷ ପ୍ରଦର୍ଶନ କରନ୍ତି, ତେବେ ହିଗ୍‌ସ ନିଶ୍ଚିତ ରୂପେ କହିବେ: ‘‘ପ୍ରଭୋ! ମୋର କିଛି ଦୋଷ ନାହିଁ; ଦୋଷ ହେଉଛି ମୋ ପୂର୍ବରୁ ୨୦୧୮ରେ ଆପଣଙ୍କ ପାଖକୁ ଅ‌ାସି ସାରିଥିବା ଲିଅନ୍ ‌େଲଡର୍‌ମ୍ୟାନ୍‌ଙ୍କର।’’

Advertisment

ଦିନ ଥିଲା ଯେତେବେଳେ ଜଣେ ଜଣେ ପଦାର୍ଥ ବିଜ୍ଞାନୀଙ୍କର କୃତିତ୍ବ ଓ ବ୍ୟକ୍ତିତ୍ବ ଏକାଠି ହୋଇ ବିଜ୍ଞାନର ଏହି ସର୍ବପ୍ରଧାନ ତଥା ସର୍ବାଧିକ ରହସ୍ୟମୟ ଶାଖାକୁ ସାଧାରଣ ଜନତାଙ୍କର ଆଗ୍ରହ ଓ ଆକର୍ଷଣର କେନ୍ଦ୍ରବିନ୍ଦୁରେ ପରିଣତ କରିବା ଦେଖାଯାଉଥିଲା, ଯେମିତି ଜଣେ ଆଇନ୍‌ଷ୍ଟାଇନ୍ କିମ୍ବା ଜଣେ ନିଲ୍‌ସ ବୋର୍ କିମ୍ବା ଜଣେ ଫାଇନ୍‌ମ୍ୟାନ୍। କ୍ରମେ ବିଜ୍ଞାନର ଅଗ୍ରଗତି ପ୍ରାୟ ସଂପୂର୍ଣ୍ଣ ରୂପେ ଗୋଷ୍ଠୀଭିତ୍ତିକ ଗବେଷଣା ଉପରେ ନିର୍ଭରଶୀଳ ହୋଇଯିବା ପରେ, ସେ କ୍ଷେତ୍ରରେ ସେପରି ରୋମାଞ୍ଚ ସୃଷ୍ଟିକାରୀ ଚରିତ୍ରମାନଙ୍କର ଅନ୍ତର୍ଦ୍ଧାନ ଘଟିଛି ବୋଲି କହିଲେ ଭୁଲ୍ ହେବନାହିଁ। ଏବେ ଏପ୍ରିଲ୍ ୮ ତାରିଖରେ ବ୍ରିଟିଶ୍ ପଦାର୍ଥ ବିଜ୍ଞାନୀ ପିଟର୍ ହିଗ୍‌ସଙ୍କର ୯୪ ବର୍ଷ ବୟସରେ ପରଲୋକ ଗମନ ସହିତ ବୋଧହୁଏ ସେଇ ଶ୍ରେଣୀର ଶେଷ ଚରିତ୍ରଙ୍କର ପୃଥିବୀର ପଦାର୍ଥ ବିଜ୍ଞାନ ମଞ୍ଚରୁ ପ୍ରସ୍ଥାନ ଘଟିଛି।
ଏହି ଅବସରରେ ହିଗ୍‌ସଙ୍କ କୃତିତ୍ବ ଉପରେ ଏକ ସଂକ୍ଷିପ୍ତ ଦୃଷ୍ଟି ନିକ୍ଷେପ କରିବା ପୂର୍ବରୁ ତାଙ୍କର ବ୍ୟକ୍ତିତ୍ବକୁ ସ୍ବାଦଯୁକ୍ତ କରିବାରେ ସହାୟକ ହେଉଥିବା ଘଟଣାମାନଙ୍କ ମଧ୍ୟରୁ ଗୋଟିଏ ଏଠାରେ ଏକ ନମୁନା ରୂପେ ଉପସ୍ଥାପିତ କରାଯାଇପାରେ। ୨୦୧୩ ଅକ୍‌ଟୋବର ୮ ସକାଳେ ପିଟର୍ ହିଗ୍‌ସ ନିଖୋଜ ହୋଇଗଲେ। ‘ଦି ରୟାଲ୍ ସ୍ବିଡିସ୍ ଏକାଡେମୀ ଅଫ୍ ସାଇନ୍‌ସେସ୍’ ସେଇ ସକାଳେ ଘଣ୍ଟା ଘଣ୍ଟା ଧରି ଟେଲିଫୋନ୍ ମାଧ୍ୟମରେ ହିଗ୍‌ସଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା। ସ୍ବିଡେନ୍‌ର ଏହି ଅନୁଷ୍ଠାନ ପ୍ରତିବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ବିଜେତାଙ୍କୁ ଚୟନ କରିଥାଏ। ପରମ୍ପରା ଅନୁସାରେ ଏହି ଏକାଡେମୀ ଆନୁଷ୍ଠାନିକ ଭାବରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ପୂର୍ବରୁ ପ୍ରଥମେ ବିଜେତାଙ୍କୁ ଟେଲିଫୋନ୍ କରି ଏହି ଖୁସି ଖବର ଜଣାଇଥାଏ। ସେଦିନ କିନ୍ତୁ ବାରମ୍ବାର ଚେଷ୍ଟା କରି ମଧ୍ୟ ସ୍ବିଡିସ୍ ଏକାଡେମୀ ହିଗ୍‌ସଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ନ ପାରିବାରୁ ପଦାର୍ଥ ବିଜ୍ଞାନରେ ପୁରସ୍କାର ଘୋଷଣାକୁ ବିଳମ୍ବିତ କରିଚାଲିଲା। ତଥାପି ମଧ୍ୟାହ୍ନ ସୁଦ୍ଧା ହିଗ୍‌ସଙ୍କର କୌଣସି ପତ୍ତା ନ ମିଳିବାରୁ, ଅଗତ୍ୟା ଅନନ୍ୟୋପାୟ ହୋଇ ଏକାଡେମୀ ଶେଷରେ ସେ ବର୍ଷ ବିଜେତାଙ୍କ ଅଗୋଚରରେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲା- ପିଟର୍ ହିଗ୍‌ସ। ପରେ ଅବଶ୍ୟ ଜଣାପଡ଼ିଥିଲା ଯେ ଗଣମାଧ୍ୟମର ଦୃଷ୍ଟି ଏଡ଼ାଇବା ଉଦ୍ଦେଶ୍ୟରେ, ପିଟର୍ ହିଗ୍‌ସ ଅସଲ ସମୟରେ ଜାଣିଶୁଣି ଲୋକଲୋଚନରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ (୨୦୧୨ରେ ଗବେଷକମାନଙ୍କ ଦ୍ବାରା ତାଙ୍କର ତଥାକଥିତ ‘ଗଡ୍ ପାର୍ଟିକ୍ଲ’ ବା ‘ଈଶ୍ବର କଣିକା’ ସଂପର୍କିତ ଏକ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଥିବାରୁ ହିଗ୍‌ସ ୨୦୧୩ରେ ନୋବେଲ୍ ପୁରସ୍କାର ପାଇବା ପ୍ରାୟ ନିଶ୍ଚିତ ବୋଲି ବ୍ୟାପକ ଭାବରେ ବିଶ୍ବାସ କରାଯାଉଥିଲା)। ପ୍ରଚାରବିମୁଖ ହିଗ୍‌ସଙ୍କର ଆତ୍ମପ୍ରକାଶ ପାଇଁ ଏଭଳି କୁଣ୍ଠା ଯୋଗୁଁ ସେ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ବିଜୟ ଘୋଷଣା ଏଇଭଳି ବିଳମ୍ବିତ ହୋଇଯାଇଥିଲା।
ଏହା ଯଦି ହିଗ୍‌ସଙ୍କର ବ୍ୟକ୍ତିତ୍ବର ବିଶେଷତ୍ବ ସମ୍ବନ୍ଧରେ ଏକ ସାମ୍ୟକ ଧାରଣା ପ୍ରଦାନ କରିଥାଏ; ଯାହା ଜଣେ ବୈଜ୍ଞାନିକ ରୂପେ ତାଙ୍କ କୃତିତ୍ବର ସର୍ବୋଚ୍ଚ ସ୍ବୀକୃତି ବହନ କରିଥାଏ, ତାହା ହେଉଛି ପଦାର୍ଥ ବିଜ୍ଞାନର ସୂକ୍ଷ୍ମତମ ଶାଖା ‘ପାର୍ଟିକ୍ଲ ଫିଜିକ୍‌ସ’ରେ ତାଙ୍କ ନାମରେ ନାମିତ ଏକ ଗୁରୁତ୍ବପୂର୍ଣ୍ଣ କଣିକା- ‘ହିଗ୍‌ସ ବୋସନ୍’। ଏଠାରେ ଉଲ୍ଲେଖ ନ କରି ରହି ହୁଏନାହିଁ ଯେ ସଂସାରର ଦୁଇଟି ଚରମ ମୌଳିକ ଉପାଦାନ ମଧ୍ୟରୁ ଗୋଟିଏ ରୂପେ ବିବେଚିତ ହେଉଛି- ‘ବୋସନ୍’, ଯାହାକୁ ‘କ୍ବାଣ୍ଟମ୍ ମେକା‌ନିକ୍‌ସ’ର ଅନ୍ୟତମ ଅଗ୍ରଦୂତ, ନୋବେଲ୍ ପୁରସ୍କାର ବିଜେତା ପଲ୍ ଡିରାକ୍ ଏହାର ଆବିଷ୍କାରକ ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ର ନାଥ ବୋଷଙ୍କ ନାମ ଅନୁସାରେ ଏପରି ନାମିତ କରିଥିଲେ। (ହାସ୍ୟାସ୍ପଦ ଭାବରେ ଭାରତ ସରକାର ୧୯୫୪ରେ ଏହି ବିଚକ୍ଷଣ ପଦାର୍ଥ ବିଜ୍ଞାନୀ-ଗଣିତଜ୍ଞଙ୍କୁ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ ପ୍ରଦାନ କରିଥିବା ବେଳେ ଏଠାକାର ଭୋଟ୍ କାଙ୍ଗାଳ ଗଣତନ୍ତ୍ରରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସିନେମା ଅଭିନେତା ଓ କ୍ରିକେଟ୍ ଖେଳାଳିମାନଙ୍କ ପର୍ଯ୍ୟନ୍ତ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ରେ ମଣ୍ଡିତ ହେବା ଦେଖାଯାଇଛି।) ପରବର୍ତ୍ତୀ ସମୟରେ ‘ଗଡ୍ ପାର୍ଟିକ୍ଲ’ ରୂପେ ବର୍ଣ୍ଣିତ ଏହି ‘ହିଗ୍‌ସ ବୋସନ୍’ର ଉପସ୍ଥିତି ସମ୍ବନ୍ଧରେ ପିଟର୍ ହିଗ୍‌ସ ୧୯୬୪ରେ ଭବିଷ୍ୟବାଣୀ କରିଥିଲେ ହେଁ ଗବେଷକମାନେ ଶେଷରେ ତା’ର ଉପସ୍ଥିତି ଆବିଷ୍କାର କରିଥିଲେ ଯାଇ ୨୦୧୨ରେ; ସତେ ଯେମିତି ଲାଜକୁଳା ହିଗ୍‌ସଙ୍କ ପରି ତାଙ୍କର ମାନସ ସନ୍ତାନ ‘ହିଗ୍‌ସ ବୋସନ୍’ ମଧ୍ୟ ସର୍ବସମକ୍ଷରେ ଆତ୍ମପ୍ରକାଶ କରିବା ପାଇଁ ଦୀର୍ଘ ପ୍ରାୟ ଅର୍ଦ୍ଧଶତାବ୍ଦୀ କାଳ ମୁହଁ ଲୁଚାଇ ରହିଥିଲା!
ସମସ୍ତ ଜଣାଥିବା ମୌଳିକ କଣିକାମାନଙ୍କର ବର୍ଣ୍ଣନା ସମ୍ବଳିତ ପାର୍ଟିକ୍ଲ ଫିଜିକ୍‌ସର ‘ଷ୍ଟାଣ୍ଡାର୍ଡ ମଡେଲ୍’ର ମୂଳ ପିଣ୍ଡ ହେଉଛି ‘ହିଗ୍‌ସ ବୋସନ୍’। ଏହି ତତ୍ତ୍ବର ଶୈଶବ କାଳ ୧୯୫୦ ଦଶକ ଓ ୧୯୬୦ ଦଶକରେ ଗୋଟିଏ ଅସମାହିତ ପ୍ରଶ୍ନ ଥିଲା: ବିଭିନ୍ନ କଣିକା ବା ‘ପାର୍ଟିକ୍ଲ’ମାନଙ୍କର ପିଣ୍ଡ ବା ‘ମାସ୍’ ଆସିଲା କେଉଁଠାରୁ? ଯଦି ଉପ-ଆଣବିକ କଣିକା (‘ସବ୍‌ଆଟମିକ୍ ପାର୍ଟିକ୍ଲସ୍‌’) ମାନଙ୍କର କୌଣସି ‘ମାସ୍‌’ ନାହିଁ, ଅର୍ଥାତ୍ ସେମାନେ ହେଉଛନ୍ତି ସଂପୂର୍ଣ୍ଣ ରୂ‌େପ ପିଣ୍ଡହୀନ, ତା’ ହେଲେ ସେମାନେ ଅନନ୍ତ କାଳ ଧରି ଆଲୋକର ବେଗରେ ବ୍ରହ୍ମାଣ୍ଡସାରା ଘୂରିବୁଲିବେ, ପରସ୍ପର ସହିତ ବାନ୍ଧିହୋଇ ଅଣୁ, ମନୁଷ୍ୟ, ପଶୁପକ୍ଷୀ, ଗଛଲତା, ଗ୍ରହ, ନକ୍ଷତ୍ର... ସୃଷ୍ଟି କରିବା ନିମିତ୍ତ ଆବଶ୍ୟକ ନିଜର ସେଇ ଚରମ ବେଗକୁ କେବେହେଲେ ଶିଥିଳ କରିବେ ନାହିଁ।
ଏହି ମୌଳିକ ପ୍ରଶ୍ନର ଏକ ସମ୍ଭାବ୍ୟ ଉତ୍ତର ଦେଇଥିଲେ ପିଟର୍ ହିଗ୍‌ସ ୧୯୬୪ରେ। ସେ କଳ୍ପନା କରିଥିଲେ ଯେ ଏହି ବ୍ରହ୍ମାଣ୍ଡରେ ଏକ ‘ଶକ୍ତି କ୍ଷେତ୍ର’ (‘ଫୋର୍ସ ଫିଲ୍‌ଡ’) ସଞ୍ଚରି ରହିଛି, ଯାହା ‘ହିଗ୍‌ସ ଫିଲ୍‌ଡ’ ନାମରେ ନାମିତ ହୋଇଛି। ଏହି ‘ହିଗ୍‌ସ ଫିଲ୍‌ଡ’ ସହିତ ଏକ ମୌଳିକ କଣିକାର କ୍ରିୟା-ପ୍ରତିକ୍ରିୟାର ତୀବ୍ରତା ହେଉଛି ତାହାର ‘ମାସ୍’ ବୋଲି ତର୍ଜମା କରାଯାଇଥାଏ। ଏଠାରେ ଅବଶ୍ୟ ସୂଚାଇବା ଆବଶ୍ୟକ ଯେ ଏପରି ମାସ୍-ପ୍ରଦାନକାରୀ ‘ଫୋର୍ସ ଫିଲ୍‌ଡ’ର ଉପସ୍ଥିତି ସମ୍ବନ୍ଧରେ ଭବିଷ୍ୟବାଣୀ କରିବାରେ ପିଟର୍ ହିଗ୍‌ସ ସେତେବେଳେ ଏକମାତ୍ର ଗବେଷକ ନ ଥିଲେ। କିନ୍ତୁ ସେ ଥିଲେ ଏକମାତ୍ର ଗବେଷକ ଯିଏ ତାଙ୍କର ଏକ ଗବେଷଣା ପତ୍ରର ଶେଷରେ ଏହି ‘ଫୋର୍ସ ଫିଲ୍‌ଡ’ର ଉପସ୍ଥିତିର ପ୍ରମାଣ କିପରି ସଂଗ୍ରହ କରାଯାଇପାରିବ, ସେ ସମ୍ବନ୍ଧରେ ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ସେଥିରେ ସେ ଲେଖିଥିଲେ ଯେ ଯଦି ଏଭଳି ଏକ ‘ଫୋର୍ସ ଫିଲ୍‌ଡ’ ଥାଏ, ତା’ ହେଲେ ତା’ ସହିତ ସଂଶ୍ଳିଷ୍ଟ ଏକ ‘ପିଣ୍ଡଧାରୀ କଣିକା’ (‘ମାସିଭ୍ ପାର୍ଟିକ୍ଲ’) ନିଶ୍ଚିତ ରୂପେ ଉପସ୍ଥିତ ଥିବ- ଏକ ‘ମାସିଭ୍ ବୋସନ୍’। ଏହା ହିଁ ହେଉଛି ‘ହିଗ୍‌ସ ବୋସନ୍’ ବା ‘ଗଡ୍ ପାର୍ଟିକ୍ଲ’ର ଅତି ସଂକ୍ଷିକ୍ତ ଜନ୍ମବୃତ୍ତାନ୍ତ।
ହିଗ୍‌ସ ୧୯୬୪ରେ କାଗଜ, ପେନ୍‌ସିଲ୍ ବ୍ୟବହାର କରି ଯେଉଁ ସମ୍ଭାବନା ଆବିଷ୍କାର କରିଥିଲେ, ତାହା ୨୦୧୨ରେ ବିଶାଳକାୟ ତଥା ବିପୁଳ ବ୍ୟୟରେ ନିର୍ମିତ ଇଉରୋପୀୟ ପାର୍ଟିକ୍ଲ ଫିଜିକ୍‌ସ ଲାବରେଟାରି (‘ସର୍ନ’)ରେ ସତ୍ୟ ସାବ୍ୟସ୍ତ ହୋଇ ‘ଈଶ୍ବର କଣିକା’କୁ ଏକ ବିଶ୍ବବ୍ୟାପୀ ସୁପରିଚିତ ଅଭିବ୍ୟକ୍ତିରେ ପରିଣତ କରିଦେଲା। ଖୋଦ୍ ହିଗ୍‌ସ କିନ୍ତୁ ‘ହିଗ୍‌ସ ବୋସନ୍’ର ଏଭଳି ‘ଗଡ୍ ପାର୍ଟିକ୍ଲ’ ରୂପେ ନାମକରଣର ସପକ୍ଷରେ ନ ଥିଲେ। ବର୍ତ୍ତମାନ ସେ ପାରିରେ ତାଙ୍କର ଯଦି ଈଶ୍ବରଙ୍କ ସହିତ ଭେଟ ହୁଏ ଓ ଈଶ୍ବର ଏକ ସାମାନ୍ୟ କଣିକା ସହିତ ତାଙ୍କୁ ଏପରି ସମାନ କରିବାର ପ୍ରଚେଷ୍ଟା ପ୍ରତି ରୋଷ ପ୍ରଦର୍ଶନ କରନ୍ତି, ତେବେ ହିଗ୍‌ସ ନିଶ୍ଚିତ ରୂପେ କହିବେ: ‘‘ପ୍ରଭୋ! ମୋର କିଛି ଦୋଷ ନାହିଁ; ଦୋଷ ହେଉଛି ମୋ ପୂର୍ବରୁ ୨୦୧୮ରେ ଆପଣଙ୍କ ପାଖକୁ ଅ‌ାସି ସାରିଥିବା ଲିଅନ୍ ‌େଲଡର୍‌ମ୍ୟାନ୍‌ଙ୍କର।’’ ପ୍ରକୃତ କଥା ହେଲା ୧୯୯୩ରେ ପ୍ରଖ୍ୟାତ ଆମେରିକୀୟ ନୋବେଲ୍ ପୁରସ୍କାରପ୍ରାପ୍ତ ପଦାର୍ଥ ବିଜ୍ଞାନୀ ଲେଡର୍‌ମ୍ୟାନ୍‌ଙ୍କ ପୁସ୍ତକ, ‘ଦି ଗଡ୍ ପାର୍ଟିକ୍ଲ’ ପ୍ରକାଶ ପାଇବା ପରେ ହିଁ ‘ହିଗ୍‌ସ ବୋସନ୍’ ସେଇ ନୂତନ ନାମରେ ପରିଚିତ ହେବାକୁ ଆରମ୍ଭ କଲା।