ଚେତାବନୀ

ସେଦିନ ରାସ୍ତାଘାଟ ଶୂନଶାନ୍‌, ବନ୍ଦ ପାଳନ କରାହେଉଥିଲା ନା, ସେଥିପାଇଁ। ହେଲେ ଗାଈ କୁକୁରଗୁଡ଼ାକ କ’ଣ ବନ୍ଦ ପାଳନ କରୁଛନ୍ତି, ଗଲେ କୁଆଡ଼େ? ଘରୁ ବାହାରିଲେ ପଛେପଛେ ଚାଲିଥିବେ, ଯେମିତି ଆମେ ତାଙ୍କ ସୀମା ମାଡ଼ି ଯାଉଛେ। ଗାଡ଼ିଟେ ଗଲେ ତା’ ପଛରେ ଭୋକି ଭୋକି ଗୋଡ଼େଇ ଯିବେ, ହେଲେ ଆଜି କ’ଣ ହେଲା? କିନ୍ତୁ ଡାମରା କାଉକୁ କିଛି ଫରକ୍‌ ପଡ଼ୁନି, କର୍କଶ ସ୍ୱରରେ ବୋବେଇ ଚାଲିଛି। ତା’ସ୍ୱରଟା ଦିନ ବେଳା‌ରେ ହୃଦୟ ଭିତରେ ଭୟ ସଂଚାର କରୁଛି। ଏମିତି ଅବସ୍ଥାରେ କିଛି ଦିନ ରହିଗଲେ, ଚୋରି, ଡକାୟତି ବଢ଼ିଯିବ। ଲୋକଙ୍କ ମାନସିକ ସ୍ଥିତି ଠିକ୍‌ ରହିବନି।

ଆଜିକାଲି ପ୍ରତ୍ୟେକ ପରିବାରରେ ଅଧିକାଂଶ ସଦସ୍ୟ ଚାକିରିଆ। ଘରେ ଏକାସାଙ୍ଗେ ବେଶି ସମୟ ରହନ୍ତି ନାହିଁ। କିନ୍ତୁ ଏବେ ଘରୁ ବାହାରି ପାରିବେ ନାହିଁ। ତେଣୁ ଗୋଟେ ଜା‌ଗାରେ ଏକାଠି। ମତଭେଦ, କଥା କଟାକଟି, ଝଗଡ଼ାଝାଣ୍ଟିର ମଞ୍ଜି ପଡ଼ିବ। ଆରମ୍ଭ ହେବ ମାଡପିଟ୍‌, ଛାଡ଼ପତ୍ର, ତ୍ୟାଜ୍ୟପୁତ୍ର, ଗୁରୁଜନଙ୍କୁ ଦୁର୍ବ୍ୟବହାର। ତା’ ମାନେ ଆମେ ରୋଗକୁ ଡରି ଅଶାନ୍ତିକୁ ନିମନ୍ତ୍ରଣ ଦେଉଛେ? କିନ୍ତୁ ବନ୍ଦଟା ଜରୁରୀ, ନଚେତ ଜୀବନ ଚାଲିଯିବ। ଆମେ କ’ଣ ମାନବ ସମାଜର ଅସ୍ତିତ୍ୱ ଲୋପ ପାଇବାକୁ ଦେବା?

ଆମେମାନେ ଛୁଟିରେ ଆସିଥିଲୁ, ଏବେ ଫେରିବାର ବାଟ ବନ୍ଦ। ସମସ୍ତେ ଘରେ। ସରକାରଙ୍କ ତାଳି କିମ୍ବା ଘଣ୍ଟା ବଜାଇବା ଅନୁରୋଧଟା ବ୍ୟଙ୍ଗ ଲାଗିଲା। ଥଟ୍ଟା କଲା ଭଳି ଆମେମାନେ ଚର୍ଚ୍ଚା କଲୁ। କିନ୍ତୁ ବୋଉର କିଛି ପ୍ରତିକ୍ରିୟା ନ ନଥିଲା। ଠିକ୍‌ ସମୟରେ ଚାରିଆଡୁ ଶବ୍ଦ ଭାସି ଆସିଲା। ବୋଉ ମନ୍ଦିର ଘଣ୍ଟିଟା ନେଇ ବାହାରେ ବଜେଇଲା, ଆମେମାନେ ତାକୁ ଦେଖି କିଏ ଦୁଆରରେ ଟଙ୍ଗା ହେଇଥିବା ଘଣ୍ଟି ଆଣି ବଜେଇଲା, କିଏ ଥାଳି, ଚାମଚ ଧରି ବାଡ଼େଇଲା। ସେଇ କିଛି ମୁହୂର୍ତ୍ତ ମନରୁ ଭୟ ଦୂର କରିଦେଲା। ଆମ ପଡ଼ୋଶୀଙ୍କ ପିଲାମାନେ କଂସା, ଥାଳିକୁ କାଠ ବାଡ଼ିରେ ବଜାଉଥିଲେ, ଭାରି ବଢ଼ିଆ ଶୁଭୁଥିଲା। ଘଣ୍ଟା, ଘଣ୍ଟି, ଗିନି, ଶଙ୍ଖ, ଥାଳିର ମିଳିତ ଧ୍ୱନି ମନକୁ ଦମ୍ଭ ଦେଉଥିଲା, ପରିସ୍ଥିତି ସହ ଯୁଦ୍ଧ କରିବା ପାଇଁ ଶକ୍ତିଶାଳୀ କରୁଥିଲା। ଏହା ହିଁ ଏକତାର ସ୍ୱର।

ଅଜା ପଡ଼ୋଶୀ ଅଜାଙ୍କ ସହ କଥା ହେଲେ, ତାଙ୍କ ପିଲାମାନଙ୍କ ସହ ପରିଚୟ କରେଇଦେଲେ। ସେମାନେ ଆମେରିକାରୁ ଆସିଥିଲେ, ଆମ ଭଳି ସେମାନଙ୍କ ଯିବାର ବି ଉପାୟ ନାହିଁ। କେତେବର୍ଷରୁ ଆମେ ଏଠି ରହୁଥିଲୁ, କିନ୍ତୁ ଚିହ୍ନା ହେଇନଥିଲୁ। କିନ୍ତୁ ସେଦିନଠାରୁ ପ୍ରତି ସନ୍ଧ୍ୟାରେ ବାହାରେ ହେଉ କି ଛାତ ଉପରେ, ସେମାନଙ୍କ ସହ ଦେଖାହୁଏ, କଥାବାର୍ତ୍ତା ହୁଏ। ତା’ ପରେ ଆସିଲା ଦୀପ ଲଗେଇବା ଦିନ। ଦୀପ ଆଲୁଅରେ ଘରଗୁଡ଼ିକ ଚମକି ଉଠିଲା। ମନେ ହେଲା, ପୃଥିବୀ ମା’ ଖୁସିରେ ନିଜକୁ ହୀରାରେ ମଣ୍ଡିତ କରିଛି। ପ୍ରଶ୍ନ ଉଠେ, ଆମେମାନେ ଅଜାଣତରେ ତାକୁ କଷ୍ଟ ଦେଉଥିଲେ କି? ବର୍ତ୍ତମାନର ଶାନ୍ତ ପରିସ୍ଥିତି ତାକୁ ଶାନ୍ତି ଦେଉଛି।

ଦୀପ ଲଗା ହେଲା ପରେ ଆମେମାନେ କରୋନା ଉପରେ ଆଲୋଚନା ଆରମ୍ଭ କଲୁ। ପଡ଼ୋଶୀଙ୍କ ତେରଚଉଦ ବର୍ଷର ନାତୁଣୀ କହିଲା, କରୋନାଟା ସ୍ତ୍ରୀ ଲୋକ। ସମସ୍ତେ ଏକା ସ୍ୱରରେ ପଚାରିଲୁ କାହିଁକି? ଖାଲି ପୁରୁଷ ଲୋକମାନେ ମରୁଛନ୍ତି। ଆମ ଭିତରୁ କିଏ କହିଲା ସ୍ତ୍ରୀ ଲୋକ ବି ମରୁଛନ୍ତି। ହଁ, ଅନୁପାତରେ ବହୁତ ତାରତମ୍ୟ। ସମସ୍ତେ ଚିନ୍ତାରେ ପଡ଼ିଗଲେ।

ବୋଉ ଗମ୍ଭୀର ଭାବେ କହି ଚାଲିଲା, କିଛି ବର୍ଷ ହେଲା ଆମେ ପୃଥିବୀକୁ, ପ୍ରକୃତିକୁ କଷ୍ଟ ଦେଉଛେ। ଆମକୁ ସିଏ ଛାଡ଼ି ପାରୁନି। କାରଣ କ’ଣ ଜାଣ? ସେ ହେଉଛି ମା’। ପିଲାମାନେ ଦୁଷ୍ଟ ହେଲେ, ଅବୁଝା ହେଲେ ବି ଛାଡ଼ି କି ଯାଇପାରିବନି ମା’। ଆକଟ କରିବ, ଶାସନ କରିବ।

ସମସ୍ତଙ୍କ ଘରେ ଟିଭି, ଫ୍ରିଜ୍‌, ଏସି; କ’ଣ ନିହାତି ଦରକାର? ଆମେ ଏମାନଙ୍କ ଦାସ ହେଇଗଲେଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଧିକାଂଶ ସହରରେ ଦୁନିଆ ଦୋକାନ ବଜାର, କଳକାରଖାନା। ସବୁଥିରୁ ମାରାତ୍ମକ ଗ୍ୟାସ୍‌ ବାହାରିଲା, ବାୟୁମଣ୍ଡଳ ଦୂଷିତ କଲା। ବଡ଼ବଡ଼ ସହରମାନଙ୍କରେ ସେଥିପାଇଁ ଆକାଶ ବଦଳରେ ଖାଲି ଧୂଆଁ ଦେଖାଯାଉଛି। ତମେମାନେ ଏଇଠି ଦିନବେଳା ଆକାଶର ନୀଳରଙ୍ଗ, ରାତିରେ ତାରା ଦେଖି କେତେ ଖୁସି ହେଉଛ। ଦେଖିଛ, ନଦୀପାଣି ମଇଳା, ଫେଣଭର୍ତ୍ତି, ବ୍ୟବହାରଯୋଗ୍ୟ ନୁହେଁ। ଖଣି ଖୋଳି ଖୋଳି ଫମ୍ପା କରିଦେଲେଣିି। ବଡ଼ବଡ଼ ସହରମାନଙ୍କରେ ପ୍ରଦୂଷଣ କମାଇବା ପାଇଁ ନୀତି ନିୟମ କଲେଣି, କିନ୍ତୁ କେତେ ଜଣ ମାନୁଛନ୍ତି? ଜାଣ, ସମସ୍ତଙ୍କ ପାଖରେ ଏବେ ଧନ ସମ୍ପତ୍ତି ଅଛି। ତେଣୁ ଏଠି ସେଠି ମନ୍ଦିର ତୋଳିବାରେ ଲାଗିଲେ। ଦେବଦେବୀଙ୍କୁ ଲୁଗା, ଅଳଙ୍କାର ଲାଞ୍ଚ ଦେଲେ। ଖାଲି ସେତିକି ନୁହେଁ, ଶୁଦ୍ଧ ମନ୍ତ୍ର ଉଚ୍ଚାରଣ କରି ଆବାହନ କଲେ। ଭଗବାନ କରିବେ କ’ଣ, ବାଧ୍ୟ ହେଲେ ମନସ୍କାମନା ପୂରଣ କରିବା ପାଇଁ। କରି କରି ଥକିଗଲେ, ଶେଷରେ ପୃଥିବୀର ସାହାଯ୍ୟ ମାଗିଲେ। ମୁଁ ଭାବୁଛି, ପ୍ରକୃତି ଏବଂ ପୃଥିବୀ ଆମକୁ ଏକପ୍ରକାର ଶାସ୍ତି ଦେଇଛନ୍ତି। ବୋଧେ ତନ୍ଦ୍ରାଗସ୍ତ ମାନବ ସମାଜକୁ ପ୍ରକୃତି ଏବଂ ପୃଥିବୀର ଏହା ଏକ ଚେତାବନୀ। ଯଦି ଆମେ ନିୟମ ମାନି ଚଳିବା, ତେବେ ଶୀଘ୍ର ବିପଦମୁକ୍ତ ହେଇପାରିବା। ମା’ର ସେବା କରିବା ପାଇଁ ସୁଯୋଗ ମିଳିଛି।

ସୁଜାତା ପ୍ରିୟଦର୍ଶିନୀ
sujatapd20@gmail.com

ସମ୍ବନ୍ଧିତ ଖବର