‘ଜିଏସ୍ଟି’ ଭଳି ଟିକସ କାର୍ଯ୍ୟକାରୀ କରିଥିବା ଅନ୍ୟ କେତେକ ଦେଶରେ ଟିକସ ହାର ସ˚ଖ୍ୟା ଓ ସ୍ତର କମ୍ ହୋଇଥିବା ପ୍ରତି ଖାଉଟିମାନେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଆଶା, ବର୍ତ୍ତମାନର ଆତ୍ମସନ୍ତୋଷ ନୀତି ନିର୍ଦ୍ଧାରକମାନଙ୍କ ଠାରେ ନିଷ୍କ୍ରିୟତା ସୃଷ୍ଟି ନକରି ‘ଜିଏସ୍ଟି’କୁ ଆହୁରି ପରିମାର୍ଜିତ କରି ତାହାକୁ ଏକ ଆଦର୍ଶ ପରୋକ୍ଷ କର ବ୍ୟବସ୍ଥାରେ ପରିଣତ କରିବାକୁ ପ୍ରବୃତ୍ତ କରିବ।
ଦେଶରେ ଏକ ବୃହତ୍ ପରୋକ୍ଷ କର ସ˚ସ୍କାର ପଦକ୍ଷେପ ରୂପେ ୨୦୧୭ ଜୁଲାଇ ପହିଲାରେ ‘ଜିଏସ୍ଟି’ ପ୍ରବର୍ତ୍ତନ ହେବାର ଯାତ୍ରା ଏବେ ଛ’ ବର୍ଷ ପୂରଣ କରିଛି। ଏହି ଅବସରରେ ଏହାର ଚରମ ବିରୋଧୀମାନେ ମଧ୍ୟ ସ୍ବୀକାର କରିବେ ଯେ ସାରା ଦେଶ ପ୍ରତି ଲାଗୁ ହେଉଥିବା ଏହି ଏକକ ପରୋକ୍ଷ କର ବ୍ୟବସ୍ଥା ମୁଖ୍ୟତଃ ଏକ ସଫଳ ଉଦ୍ୟମ ରୂପେ ଇତିମଧ୍ୟରେ ନିଜର ଆସ୍ଥାନ ସୁଦୃଢ଼ କରି ପାରିଛି। ଏହାର ଏକ ନିଶ୍ଚିତ ପ୍ରମାଣ ସ୍ବରୂପ ବର୍ତ୍ତମାନ ମାସିକ ‘ଜିଏସ୍ଟି’ ଆଦାୟ ପରିମାଣ ଅନ୍ୟୂନ ୧.୫ ଲକ୍ଷ କୋଟି ଟଙ୍କା ହେବା ଏକ ନିୟମିତ ଧାରାରେ ପରିଣତ ହୋଇଗଲାଣି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ସଦୃଶ ଏହି ଛ’ ବର୍ଷ ମଧ୍ୟରେ ଏହି କରଦାତାମାନଙ୍କ ସ˚ଖ୍ୟାରେ ଦୁଇଗୁଣରୁ ଅଧିକ ବୃଦ୍ଧି ଘଟିବା ଦେଖାଯାଇଛି। ଏହା ମାଧ୍ୟମରେ ପୂର୍ବରୁ ପ୍ରଚଳିତ ଏକାଧିକ ଟିକସ ଓ ସେସ୍ମାନଙ୍କର ଏକତ୍ରୀକରଣ ଘଟାଇ ତାହାକୁ ଗୋଟିଏ ଏକକ ବ୍ୟବସ୍ଥାରେ ପରିଣତ କରିଦେବା ଦ୍ବାରା ଅର୍ଥନୀତିର ଯେଉଁ ଏକ ବୃହତ୍ ଅ˚ଶ ଅସଂଗଠିତ ଭାବରେ କାର୍ଯ୍ୟ କରି ଆସୁଥିଲା, ତାହାକୁ ଅନେକା˚ଶରେ ସଂଗଠିତ କରିବା ପ୍ରକ୍ରିୟା ସୁଗମ ହୋଇଛି। ‘ଜିଏସ୍ଟି’ ଆଦାୟ ପରିମାଣ ଏପରି ସମ୍ମାନଜନକ ହେବା ପଛରେ ନିହିତ ଥିବା କାରଣମାନଙ୍କ ମଧ୍ୟରୁ ଏହା ହେଉଛି ଏକ ପ୍ରମୁଖ କାରଣ।
ତେବେ ଯଦି ‘ଜିଏସ୍ଟି’ ସୂତ୍ରରୁ ଆଦାୟ ହେଉଥିବା ରାଜସ୍ବର କେବଳ ପରିମାଣ ଉପରୁ ଦୃଷ୍ଟି ହଟାଇ ଏହାକୁ ଏକ ଅନୁପାତ ରୂପେ ଦେଖାଯାଏ, ତେବେ ଏହାର ପ୍ରଭାବ ସାମାନ୍ୟ ମଳିନ ପଡ଼ିଥାଏ। ଦେଶର ମୋଟ ବାର୍ଷିକ ଜାତୀୟ ଉତ୍ପାଦ ବା ‘ଜିଡିପି’ର ଏକ ଅ˚ଶ ରୂପେ ଦେଖିଲେ ଏହି ସମୟ ମଧ୍ୟରେ ସେଇ ଅନୁପାତରେ ବିଶେଷ ବୃଦ୍ଧି ଘଟିବା ପରିଲକ୍ଷିତ ହୋଇ ନଥାଏ। ଉଦାହରଣ ସ୍ବରୂପ ୨୦୨୧-୨୨ରେ ଆଦାୟ ହୋଇଥିବା ‘ଜିଏସ୍ଟି’ ରାଜସ୍ବର ଅନୁପାତ ଥିଲା ‘ଜିଡିପି’ର ୬.୨ ଶତା˚ଶ, ଯାହା ଏକ ଅତ୍ୟନ୍ତ ନୀଚା ଅନୁପାତ ରୂପେ ବିବେଚିତ ହୋଇଥାଏ। ଏଠାରେ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା ଏହାର ପାଖାପାଖି ପ୍ରାୟ ପାଞ୍ଚ ବର୍ଷ ତଳେ ଯେତେବେଳେ ‘ଜିଏସ୍ଟି’ ଆରମ୍ଭ ହେଲା, ସେତେବେଳେ ଏହା ହିଁ ଥିଲା ‘ଜିଏସ୍ଟି’-‘ଜିଡିପି’ ଅନୁପାତ। ୧୦୨୨-୨୩ରେ ଏହି ଅନୁପାତରେ ସାମାନ୍ୟ ବୃଦ୍ଧି ଘଟି ହୋଇଥିଲା ୬.୬ ଶତା˚ଶ।
ଏଥିରେ ସନ୍ଦେହ ନାହିଁ ଯେ ‘ଜିଏସ୍ଟି’ ପ୍ରବର୍ତ୍ତନ ହେଉଛି ଏକ ଦୀର୍ଘ ସ˚ଗ୍ରାମ ପରେ ସମ୍ଭବ ହୋଇଥିବା ଦେଶର ପରୋକ୍ଷ କର ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ସ˚ସ୍କାର। ସାଧାରଣତଃ ଆଶା କରାଯିବା କଥା ଯେ ଏହାର ଅନ୍ୟତମ ଫଳ ସ୍ବରୂପ କେନ୍ଦ୍ର ସରକାରଙ୍କ ଦ୍ବାରା ଆଦାୟ କରାଯାଉଥିବା ମୋଟ ଟିକସ ରାଜସ୍ବରେ ପରୋକ୍ଷ କରର ଅ˚ଶରେ ବୃଦ୍ଧି ଘଟିବ। କିନ୍ତୁ ନିକଟ ଅତୀତରେ ଯାହା ଦେଖିବାକୁ ମିଳିଛି, ତାହା ହେଲା ୨୦୨୦-୨୧ରେ ମୋଟ ଟିକସ ରାଜସ୍ବରେ ପରୋକ୍ଷ କରର ଅନୁପାତ ୫୩.୪ ଶତା˚ଶ ଥିବା ବେଳେ ୨୦୨୧-୨୨ରେ ତାହା ହ୍ରାସ ପାଇ ହୋଇଥିଲା ୪୮ ଶତା˚ଶ ଓ ୨୦୨୨-୨୩ରେ ସେଥିରେ ଆହୁରି ହ୍ରାସ ଘଟି ହୋଇଥିଲା ୪୬.୫ ଶତା˚ଶ। ଚଳିତ ବିତ୍ତ ବର୍ଷରେ ସେଥିରେ ଏହି ତଳମୁହାଁ ଗତି ଅବ୍ୟାହତ ରହି ତାହା ୪୫.୮ ଶତ˚ାଶ ହେବ େବାଲି ଅନୁମାନ କରାଯାଉଛି।
ଅବଶ୍ୟ ଏହି ‘ଜିଏସ୍ଟି’ କାଳରେ ରାଜ୍ୟ ସରକାରମାନଙ୍କର ରାଜସ୍ବରେ ଏକ ଜୁଆର ପରିଲକ୍ଷିତ ହୋଇଛି, ଯାହା ପୂର୍ବର ଭାଟ୍ ବ୍ୟବସ୍ଥା ତୁଳନାରେ ସେମାନଙ୍କ ପାଇଁ ଅଧିକ ଅର୍ଥକରୀ ହୋଇଛି। କିନ୍ତୁ ଏହାର ଅସଲ କାରଣ ହେଲା ‘ଜିଏସ୍ଟି’ ପ୍ରବର୍ତ୍ତନର ଅ˚ଶ ସ୍ବରୂପ ସେମାନଙ୍କୁ ପ୍ରଥମ ପାଞ୍ଚ ବର୍ଷ ପାଇଁ ପ୍ରଦାନ କରାଯାଇଥିବା ରାଜସ୍ବ ଗ୍ୟାରେଣ୍ଟି ସର୍ତ୍ତ ଅନୁସାରେ ସେମାନଙ୍କୁ ଏହି ସମୟ ମଧ୍ୟରେ ହସ୍ତାନ୍ତରିତ କରାଯାଇଥିଲା ଏକ ବିଶାଳ ୮.୨ ଲକ୍ଷ କୋଟି ଟଙ୍କାର ସମ୍ବଳ, ଯାହା ଥିଲା ମୋଟ ‘ଜିଏସ୍ଟି’ ଆଦାୟ ରାଶିର ପ୍ରାୟ ୧୦ ଶତା˚ଶରୁ ଅଧିକ। ଏଠାରେ ଅବଶ୍ୟ ସୂଚାଇବା ଆବଶ୍ୟକ ଯେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପ୍ରଦାନ କରିଥିବା ଏହି ଅର୍ଥ ‘ଜିଏସ୍ଟି’ ସୂତ୍ରରୁ ସ˚ଗୃହୀତ ନହୋଇ ‘ଡିମେରିଟ୍ ଗୁଡ୍ସ’ ବା ଅବାଞ୍ଛିତ ଦ୍ରବ୍ୟ ରୂପେ ବିବେଚିତ କେତେକ ଦ୍ରବ୍ୟମାନଙ୍କ ଉପରେ ବସା ଯାଇଥିବା ଅତିରିକ୍ତ ସେସ୍ ସୂତ୍ରରୁ ସ˚ଗ୍ରହ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ସେହି ବିଶେଷ ସହାୟତା ଅବଧି ସମାପ୍ତ ହୋଇ ସାରିଥିଲେ ମଧ୍ୟ ସେହି ସେସ୍ ତଥାପି ବଳବତ୍ତର ରହିଛି। କୁହାଯାଉଛି ଏହି ଉଦ୍ଦେଶ୍ୟରେ ଯେଉଁ ବିଶେଷ ଋଣ କରାଯାଇଥିଲା, ତାହା ପରିଶୋଧ କରିବା ନିମିତ୍ତ ଏହି ସେସ୍ ତଥାପି ଆଦାୟ ହେବାରେ ଲାଗିଛି। ଅତଏବ ଉପର ବର୍ଣ୍ଣିତ ଦୃଷ୍ଟିକୋଣରୁ ଦେଖିଲେ ‘ଜିଏସ୍ଟି’ ପ୍ରବର୍ତ୍ତନ ପରେ ଉପୁଜିଥିବା ରାଜକୋଷୀୟ ଲାଭ ସେପରି ଚମକପ୍ରଦ ହୋଇ ନାହିଁ ବୋଲି କୁହା ଯାଇପାରେ, ଯେପରି ହଠାତ୍ ମନେ ହୋଇଥାଏ।
ତେବେ ମନେ ରଖିବା କଥା ସର୍ବାଧିକ ସମ୍ଭବ ରାଜସ୍ବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା ସଙ୍ଗେ ସଙ୍ଗେ ‘ଜିଏସ୍ଟି’ ମାଧ୍ୟମରେ ଟିକସ ଫାଙ୍କିକୁ ପ୍ରତିହତ କରିବାକୁ ମଧ୍ୟ ଅନୁରୂପ ଗୁରୁତ୍ବ ପ୍ରଦାନ କରାଯାଉଛି। ବ୍ୟବସ୍ଥାରେ ଥିବା ସମ୍ଭାବ୍ୟ ଦୁର୍ବଳତାକୁ କାର୍ଯ୍ୟରେ ଲଗାଇ ଠକମାନେ ଟିକସ ଫାଙ୍କିବା ପାଇଁ ଯେଉଁ ନୂତନ କୌଶଳମାନ ଉଦ୍ଭାବନ କରୁଛନ୍ତି, ସରକାର ତାହାର ମୁକାବିଲା ପ୍ରତି ଧ୍ୟାନ ଦେଉଛନ୍ତି। କିପରି ନକଲି ରେଜିଷ୍ଟ୍ରେସନ୍ ଓ ନକଲି ଇନ୍ଭଏସ୍ ପ୍ରସ୍ତୁତିକୁ ରୋକାଯାଇ ପାରିବ, କର୍ତ୍ତୃପକ୍ଷ ତା’ର ଉପାୟ ବାହାର କରିବାରେ ଲାଗିଛନ୍ତି। ସମସ୍ତ ସତର୍କତା ସତ୍ତ୍ବେ ୨୦୨୨-୨୩ ବିତ୍ତ ବର୍ଷରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ‘ଜିଏସ୍ଟି’ ଫାଙ୍କି ଧରା ପଡ଼ିଥିବା ପ୍ରକାଶ ପାଇଛି। ୨୦୧୭ ଜୁଲାଇରୁ ୨୦୨୩ ଫେବ୍ରୁଆରି ମଧ୍ୟରେ ମୋଟ ୩.୦୮ ଲକ୍ଷ କୋଟି ଟଙ୍କାର ‘ଜିଏସ୍ଟି’ ଫାଙ୍କି ଧରା ପଡ଼ିଥିଲା ବୋଲି ଜଣାପଡ଼ିଛି। ଆଶ୍ବାସନାର କଥା, ଏଥିରୁ ପ୍ରାୟ ଏକ-ତୃତୀୟା˚ଶ, ୧.୦୩ ଲକ୍ଷ କୋଟି ଟଙ୍କା ଉଦ୍ଧାର କରାଯାଇ ପାରିଛି ବୋଲି ସୂଚନା ଉପଲବ୍ଧ ହୋଇଛି।
ଜୁଲାଇ ୧୧ରେ ‘ଜିଏସ୍ଟି’ କାଉନ୍ସିଲ୍ର ୫୦ତମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ନିଶ୍ଚିତ ରୂପେ ବିଗତ ଛ’ ବର୍ଷ ମଧ୍ୟରେ ହାସଲ କରାଯାଇଥିବା ସଫଳତାକୁ ପ୍ରାଧାନ୍ୟ ଦିଆଯାଇ ଆତ୍ମସନ୍ତୋଷ ପ୍ରକାଶ ପାଇବ। ସେଥିରେ ମଧ୍ୟ କେତେକ ଅସମାହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚିତ ହେବାର କାର୍ଯ୍ୟକ୍ରମ ରହିଛି। ଯେମିତି ବିବାଦ ସମାଧାନ ନିମିତ୍ତ ଏକ ଜିଏସ୍ଟି ଟ୍ରିବ୍ୟୁନାଲ୍ ପ୍ରତିଷ୍ଠାରେ ଘଟି ଚାଲିଥିବା ବିଳମ୍ବ। ସେହିପରି କ୍ୟାସିନୋ ଓ ଅନ୍ଲାଇନ୍ ଗେମିଙ୍ଗ୍ ପ୍ରତି ଲାଗୁ ହେଉଥିବା ଟିକସ ଗଠନର ଏପର୍ଯ୍ୟନ୍ତ ଅନ୍ତିମ ନିର୍ଦ୍ଧାରଣ କରାଯାଇ ନାହିଁ। ଟିକସ ସମ୍ବଳ ବଣ୍ଟନ ଓ ପରିଚାଳନା ନିୟନ୍ତ୍ରଣ ନେଇ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଛି। ଶିଳ୍ପ ବାଣିଜ୍ୟ ମହଲ ବର୍ତ୍ତମାନର ଅପେକ୍ଷାକୃତ ଜଟିଳ ‘ଜିଏସ୍ଟି’ ସ୍ଥାନରେ କ୍ରମେ ଏକ ସରଳ ବ୍ୟବସ୍ଥା ରୂପ ନେବ ବୋଲି ଆଶା ବାନ୍ଧି ବସିଛି। ‘ଜିଏସ୍ଟି’ ଭଳି ଟିକସ କାର୍ଯ୍ୟକାରୀ କରିଥିବା ଅନ୍ୟ କେତେକ ଦେଶରେ ଟିକସ ହାର ସ˚ଖ୍ୟା ଓ ସ୍ତର କମ୍ ହୋଇଥିବା ପ୍ରତି ଖାଉଟିମାନେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଆଶା, ବର୍ତ୍ତମାନର ଆତ୍ମସନ୍ତୋଷ ନୀତି ନିର୍ଦ୍ଧାରକମାନଙ୍କ ଠାରେ ନିଷ୍କ୍ରିୟତା ସୃଷ୍ଟି ନକରି ‘ଜିଏସ୍ଟି’କୁ ଆହୁରି ପରିମାର୍ଜିତ କରି ତାହାକୁ ଏକ ଆଦର୍ଶ ପରୋକ୍ଷ କର ବ୍ୟବସ୍ଥାରେ ପରିଣତ କରିବାକୁ ପ୍ରବୃତ୍ତ କରିବ।