ଇନ୍ଦର୍ମିତ୍ ଗିଲ୍ ଓ ତାଙ୍କ ସାଥୀ ଗବେଷକମାନେ ଦକ୍ଷିଣ କୋରିଆର ସଫଳତାର ଉଦାହରଣ ଦେଇ ଏହି ମଧ୍ୟମ-ଆୟ ଯନ୍ତାରୁ ମୁକୁଳିବା ପାଇଁ ତୁରନ୍ତ ଅନୁରୂପ ପଦକ୍ଷେପମାନ ନେବା ପାଇଁ ଏଇ ଦେଶମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ମନ୍ତ୍ର ହେଲା- ନିବେଶରେ ବୃଦ୍ଧି, ସାରା ପୃଥିବୀରେ ଉପଲବ୍ଧ ନୂତନ ପ୍ରବିଧିର ଆହରଣ ଓ ପ୍ରୟୋଗ ଏବଂ ଦେଶରେ ପ୍ରତ୍ୟେକ କ୍ଷେତ୍ରରେ ଅଭିନବୀକରଣ ବା ଇନୋଭେସନ୍କୁ ପ୍ରୋତ୍ସାହନ ପ୍ରଦାନ।
ଦର୍ଶନଶାସ୍ତ୍ର ଓ ପଦାର୍ଥ ବିଜ୍ଞାନ ପରିସରରେ ଯେଉଁ ଏକ ସୁପରିଚିତ ବିରୋଧାଭାସ (ପାରାଡକ୍ସ) ବିଗତ ପ୍ରାୟ ଅଢ଼େଇ ହଜାର ବର୍ଷ ଧରି ଦାର୍ଶନିକ ଓ ପଦାର୍ଥ ବିଜ୍ଞାନୀମାନଙ୍କର ଭ୍ରୂ-କୁଞ୍ଚିତ କରିଆସିଛି, ତାହା ତା’ର ସ୍ରଷ୍ଟା ପ୍ରାଚୀନ ଇଟାଲୀୟ ଦାର୍ଶନିକ ଜେନୋଙ୍କର ନାମ ଅନୁସାରେ ‘ଜେନୋଙ୍କ ବିରୋଧାଭାସ’ (‘ଜେନୋଜ୍ ପାରାଡକ୍ସ’) ନାମରେ ସୁବିଦିତ। ଏହି ବିରୋଧାଭାସଟି ଯେଉଁ ଦୁଇଟି ଚରିତ୍ରଙ୍କୁ କେନ୍ଦ୍ର କରି କଳ୍ପନା କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମନୁଷ୍ୟର କଳ୍ପନାରେ ଦ୍ରୁତତମ ଧାବକ ଗ୍ରୀକ୍ ପୌରାଣିକ ବୀର ଆକିଲିସ୍ (ଆଜିର ଉସେନ୍ ବୋଲ୍ଟ ବା ନୋଆ ଲାଇଲ୍ସଙ୍କୁ ଆଧୁନିକ ଆକିଲିସ୍ ରୂପେ ବର୍ଣ୍ଣନା କରାଯାଇଥାଏ)। ବିରୋଧାଭାସର ଅନ୍ୟ ଚରିତ୍ରଜଣକ ହେଉଛି ଏକ ପ୍ରାଣୀ, ଯିଏ ଯୁଗ ଯୁଗ ଧରି ମନୁଷ୍ୟ ଦ୍ବାରା ମନ୍ଥରତାର ଅନ୍ତିମ ପ୍ରତୀକ ରୂପେ ପ୍ରଦର୍ଶିତ ହୋଇଆସିଛି- କଇଁଛଟିଏ।
ଜେନୋଙ୍କ କଳ୍ପିତ ଏହି ବିରୋଧାଭାସ କାହାଣୀ ଅନୁସାରେ ଆକିଲିସ୍ ଓ ସେ କଇଁଛ ପରସ୍ପର ମଧ୍ୟରେ ଏକ ଦୌଡ଼ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୁଅନ୍ତି। ଏଭଳି ଏକ ପ୍ରତିଯୋଗିତାର ଫଳାଫଳ କ’ଣ ହେବା ଅନିବାର୍ଯ୍ୟ, ତାହା କାହାରିକୁ ହେଲେ ଅଗୋଚର ନୁହେଁ- ଅାକିଲିସ୍ ଅବିଳମ୍ବେ କଇଁଛକୁ ଅତିକ୍ରମ କରିଯିବା ନିଶ୍ଚିତ। କିନ୍ତୁ ଜେନୋଙ୍କ କାହାଣୀରେ ତାହା ଘଟେ ନାହିଁ (ନା, ଇସପ୍ଙ୍କ କାହାଣୀର ଠେକୁଆ ପରି ଏ କାହାଣୀରେ ଅାକିଲିସ୍ ବାଟରେ ଶୋଇପଡ଼ନ୍ତି ନାହିଁ)। ଏହି କାହାଣୀରେ ସେ କଇଁଛ ଠାରୁ ବହୁଗୁଣ ଅଧିକ ବେଗରେ ଧାଇଁ ପାରୁଥିବାରୁ ପ୍ରତିଯୋଗିତାକୁ ନ୍ୟାୟୋଚିତ କରିବା ଉଦ୍ଦେଶ୍ୟରେ ଆକିଲିସ୍ କଇଁଛ ଠାରୁ ବେଶ୍ କିଛି ଦୂରତା ବ୍ୟବଧାନରେ ପଛରେ ରହି ଦୌଡ଼ ଆରମ୍ଭ କଲେ। ମନେ କରାଯାଉ ଏ ଦୁହିଁଙ୍କ ମଧ୍ୟରେ ଏହି ପ୍ରାରମ୍ଭିକ ବ୍ୟବଧାନ ହେଉଛି ଏକ ଶହ ମିଟର। ଦୌଡ଼ ଆରମ୍ଭ ହେବା ପରେ କଇଁଛ ପାଖରେ ପହଞ୍ଚିବାକୁ ହେଲେ ଅାକିଲିସ୍ଙ୍କୁ ପ୍ରଥମେ ଏହି ଶହେ ମିଟର ଦୂରତା ଅତିକ୍ରମ କରିବାକୁ ହେବ, ଯେଉଁଥିପାଇଁ କିଛି ସମୟ ଲାଗିବ। ଏହି ସମୟ ମଧ୍ୟରେ କଇଁଛଟି କିନ୍ତୁ ଆଉ କିଛି ଦୂର ଆଗକୁ ଚାଲିଯାଇଥିବ। ମନେ କରାଯାଉ ସେଇ ଦୂରତା ହେଉଛି ଦଶ ମିଟର। କଇଁଛ ପାଖରେ ପହଞ୍ଚିବା ନିମିତ୍ତ ଆକିଲିସ୍ଙ୍କୁ ଏଥର ଏହି ଅତିରିକ୍ତ ଦଶ ମିଟର ଦୂରତା ଅତିକ୍ରମ କରିବାକୁ ହେବ, ଯେଉଁଥିପାଇଁ ତାଙ୍କୁ ଆଉ କିଛି ଅଧିକ ସମୟ ବ୍ୟୟ କରିବାକୁ ହେବ। ଏଇ ସମୟ ମଧ୍ୟରେ କଇଁଛଟି ପୁଣି ଆଉ କିଛି ଦୂର ଆଗକୁ ଚାଲିଯାଇଥିବ। ଅର୍ଥାତ୍ ଅନନ୍ତ କାଳ ଧରି ଏହି ଧାରା ଅବ୍ୟାହତ ରହିଥିବ ଏବଂ ମହାବେଗବାନ ଧାବକ ଆକିଲିସ୍ କେବେହେଲେ ସେଇ ଅତି ମନ୍ଥର କଇଁଛଟି ପାଖରେ ପହଞ୍ଚି ପାରିବେ ନାହିଁ।
ଏବେ ୱାର୍ଲଡ୍ ବ୍ୟାଙ୍କ୍ ଦ୍ବାରା ସଦ୍ୟ ପ୍ରକାଶ ପାଇଥିବା ‘ୱାର୍ଲଡ୍ ଡେଭେଲପ୍ମେଣ୍ଟ୍ ରିପୋର୍ଟ ୨୦୨୪’ରେ ଆମେରିକା ଓ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଦୌଡ଼ ସଂପର୍କରେ ଯେଉଁ ଚିତ୍ର ପ୍ରଦାନ କରାଯାଇଛି, ତାହା ଏହି ଉପରବର୍ଣ୍ଣିତ ‘ଜେନୋଙ୍କ ବିରୋଧାଭାସ’ର ଏକ ପ୍ରତିଛବି ପରି ମନେ ହୋଇଥାଏ। ସିଧାସଳଖ ଦେଖିଲେ ଏହି ଦୁଇ ବୃହତ୍ ଅର୍ଥନୀତିମାନଙ୍କର ଅଭିବୃଦ୍ଧି ହାର ମଧ୍ୟରେ ଯେଉଁ ତାରତମ୍ୟ ଦେଖିବାକୁ ମିଳିଥାଏ, ତାହା ଆକିଲିସ୍ ଓ କଇଁଛଙ୍କର ଗତିବେଗ ମଧ୍ୟରେ ଥିବା ତାରତମ୍ୟ ସହିତ ତୁଳନୀୟ ବୋଲି କହିଲେ ଅତିରଞ୍ଜନ ହେବ ନାହିଁ। ୨୦୨୩ରେ ଆମେରିକା ଅର୍ଥନୀତି (ବାସ୍ତବ ଜିଡିପି)ର ଅଭିବୃଦ୍ଧି ହାର ମାତ୍ର ୨.୫ ଶତାଂଶ ହୋଇଥିବା ବେଳେ ଏହି ସମୟ କାଳରେ ଭାରତୀୟ ଅର୍ଥନୀତି (ବାସ୍ତବ ଜିଡିପି) ହାସଲ କରିଥିବା ଅଭିବୃଦ୍ଧି ହାର ଥିଲା ଏକ ଉଚ୍ଚ ୮.୨ ଶତାଂଶ। ଏଣୁ ଏହି ଦୌଡ଼ରେ ଭାରତ ସ୍ପଷ୍ଟ ରୂପେ ବେଗବାନ ଆକିଲିସ୍ ହୋଇଥିବା ବେଳେ ଆମେରିକା ହେଉଛି କଇଁଛ ଭଳି ମନ୍ଥର। କିନ୍ତୁ ବିଡ଼ମ୍ବନାର କଥା, ‘ଜେନୋଜ୍ ପାରାଡକ୍ସ’ର ପୁନରାବୃତ୍ତି ଭଳି ୱାର୍ଲଡ୍ ବ୍ୟାଙ୍କ୍ର ସେଇ ରିପୋର୍ଟ ଅନୁସାରେ ବସ୍ତୁତଃ ଅନନ୍ତ କାଳ ବିତିଗଲେ ମଧ୍ୟ ଭାରତୀୟ ଅର୍ଥନୀତି କେବେହେଲେ ଆମେରିକାକୁ ଛୁଇଁ ପାରିବ ନାହିଁ। ନିର୍ଦ୍ଦିଷ୍ଟ ଭାବରେ କହିଲେ ଏହି ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ମୁଣ୍ଡପିଛା ଆୟର ଏକ-ଚତୁର୍ଥାଂଶ ମାତ୍ର ସହିତ ସମାନ ହେବାକୁ ଭାରତକୁ ଆହୁରି ୭୫ ବର୍ଷ ସମୟ ଲାଗିବ।
ସେମାନଙ୍କର ଗବେଷଣାରୁ ରିପୋର୍ଟର ପ୍ରସ୍ତୁତକର୍ତ୍ତାମାନେ (ଭାରତୀୟ ବଂଶୋଦ୍ଭବ ଇନ୍ଦର୍ମିତ୍ ଗିଲ୍ ହେଉଛନ୍ତି ୱାର୍ଲଡ୍ ବ୍ୟାଙ୍କ୍ର ମୁଖ୍ୟ ଅର୍ଥନୀତିଜ୍ଞ ଓ ଅଜୟ ବାଙ୍ଗା ହେଉଛନ୍ତି ୱାର୍ଲଡ୍ ବ୍ୟାଙ୍କ୍ର ସର୍ବୋଚ୍ଚ ଅଧିକାରୀ) ହୃଦୟଙ୍ଗମ କରିଛନ୍ତି େଯ ଆସନ୍ତା ଦଶନ୍ଧିମାନଙ୍କରେ ଭାରତ ପରି ପୃଥିବୀର ସମସ୍ତ ମଧ୍ୟମ ଆୟବିଶିଷ୍ଟ ଦେଶମାନେ ଯେଉଁ ସମସ୍ତ ଗୁରୁତର ପ୍ରତିବନ୍ଧକମାନଙ୍କର ସମ୍ମୁଖୀନ ହେବାକୁ ଯାଉଛନ୍ତି, ସେଥିଯୋଗୁଁ ସେମାନେ ନିକଟ ଭବିଷ୍ୟତ୍ରେ ଉଚ୍ଚ ଆୟଯୁକ୍ତ ବିକଶିତ ଅର୍ଥନୀତିରେ ପରିଣତ ହୋଇପାରିବାର ସମ୍ଭାବନା ନାହିଁ। ସେମାନଙ୍କ ଭାଷାରେ ଏହି ଦେଶମାନେ ଏକ ‘ମଧ୍ୟମ-ଆୟ ଯନ୍ତା’ (‘ମିଡ୍ଲ-ଇନ୍କମ୍ ଟ୍ରାପ୍’)ରୁ ମୁକୁଳି ପାରିବେ ନାହିଁ। ସେମାନେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛି- ଜନସଂଖ୍ୟାରେ ବୟୋବୃଦ୍ଧମାନଙ୍କର ଅନୁପାତରେ ଦ୍ରୁତ ବୃଦ୍ଧି, ଉନ୍ନତ ଦେଶମାନଙ୍କ ଦ୍ବାରା ଅଧିକରୁ ଅଧିକ ବାଣିଜ୍ୟ ପ୍ରତିବନ୍ଧକ ସୃଷ୍ଟି ଓ ପ୍ରଦୂଷଣକାରୀ ଶକ୍ତି ସ୍ଥାନରେ ପ୍ରଦୂଷଣହୀନ ଶକ୍ତି ବ୍ୟବହାରର ଜରୁରି ଆବଶ୍ୟକତା।
ଏହି ଗବେଷକମାନେ ଚିନ୍ତା ପ୍ରକଟ କରିଛନ୍ତି ଯେ ଭାରତ ଭଳି ଦେଶମାନେ କିନ୍ତୁ ବିକଶିତ ଅର୍ଥନୀତିରେ ପରିଣତ ହେବା ପାଇଁ ଯେଉଁ ଉପାୟମାନ ଅବଲମ୍ବନ କରିବା ଦେଖାଯାଇଛି ସେ ସବୁ ହେଉଛି ମୁଖ୍ୟତଃ ଅନୁପଯୁକ୍ତ ଶ୍ରେଣୀର। ଏହାର ପ୍ରମାଣ ସ୍ବରୂପ ରିପୋର୍ଟରେ ଦର୍ଶାଯାଇଛି ଯେ ମଧ୍ୟମ-ଆୟ ଦେଶମାନଙ୍କରେ ବ୍ୟବସାୟମାନଙ୍କର ବୃଦ୍ଧିର ବେଗ ଅତ୍ୟନ୍ତ ଧିମା ହୋଇଥାଏ। ଉଦାହରଣ ସ୍ବରୂପ ଭାରତ, ମେକ୍ସିକୋ, ପେରୁ ପରି ଦେଶମାନଙ୍କରେ ଏକ ବ୍ୟବସାୟର ଆକାର ଦ୍ବିଗୁଣିତ ହେବା ପାଇଁ ହାରାହାରି ପ୍ରାୟ ୪୦ ବର୍ଷ ସମୟ ଲାଗୁଥିବା ବେଳେ ଆମେରିକାରେ ଏହି ସମୟକାଳ ମଧ୍ୟରେ ଏକ ବ୍ୟବସାୟର ଆକାରରେ ହାରାହାରି ସାତ ଗୁଣ ବୃଦ୍ଧି ଘଟିଥାଏ। ଦୀର୍ଘ କାଳ ଧରି ବ୍ୟବସାୟମାନେ ଏଭଳି ରୁଗ୍ଣ ଅବସ୍ଥା ଦେଇ ଗତି କରିବାର ଫଳସ୍ବରୂପ ଉପରୋକ୍ତ ଦେଶମାନଙ୍କରେ ପ୍ରାୟ ୯୦ ଶତାଂଶ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ନିଯୁକ୍ତ ଥିବା କର୍ମଚାରୀମାନଙ୍କର ସଂଖ୍ୟା ପାଞ୍ଚ ଜଣରୁ ମଧ୍ୟ କମ୍ ହୋଇଥିବା ଦେଖାଯାଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଇନ୍ଦର୍ମିତ୍ ଗିଲ୍ ଓ ତାଙ୍କ ସାଥୀ ଗବେଷକମାନେ ଦକ୍ଷିଣ କୋରିଆର ସଫଳତାର ଉଦାହରଣ ଦେଇ ଏହି ମଧ୍ୟମ-ଆୟ ଯନ୍ତାରୁ ମୁକୁଳିବା ପାଇଁ ତୁରନ୍ତ ଅନୁରୂପ ପଦକ୍ଷେପମାନ ନେବା ପାଇଁ ଏଇ ଦେଶମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ମନ୍ତ୍ର ହେଲା- ନିବେଶରେ ବୃଦ୍ଧି, ସାରା ପୃଥିବୀରେ ଉପଲବ୍ଧ ନୂତନ ପ୍ରବିଧିର ଆହରଣ ଓ ପ୍ରୟୋଗ ଏବଂ ଦେଶରେ ପ୍ରତ୍ୟେକ କ୍ଷେତ୍ରରେ ଅଭିନବୀକରଣ ବା ଇନୋଭେସନ୍କୁ ପ୍ରୋତ୍ସାହନ ପ୍ରଦାନ। ‘ସାମ୍ସଙ୍ଗ୍’ର ଉଦାହରଣ ଦେଇ ରିପୋର୍ଟରେ କୁହାଯାଇଛି କିପରି ସରକାରୀ ପ୍ରୋତ୍ସାହନର ଉପଯୋଗ କରି ବିଦେଶରୁ ଜ୍ଞାନକୌଶଳ ଆହରଣ କରି ଆରମ୍ଭରେ ନୁଡ୍ଲ୍ସ ତିଆରି କରୁଥିବା ଦକ୍ଷିଣ କୋରିଅାର ଏହି କଂପାନି ଆଜି ପୃଥିବୀର ଏକ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ କଂପାନିରେ ପରିଣତ ହେବା ସଙ୍ଗେ ସଙ୍ଗେ ସେ ଦେଶର ବୃହତ୍ତମ ନିଯୁକ୍ତି ସୃଷ୍ଟିକାରୀ କଂପାନିରେ ପରିଣତ ହୋଇଛି। ମୁଖ୍ୟତଃ ଏଇଭଳି ପଥ ଅନୁସରଣ କରି ୧୯୯୦ରୁ ବର୍ତ୍ତମାନ ମଧ୍ୟରେ ପୃଥିବୀର ୩୪ଟି ଦେଶ ମଧ୍ୟମ-ଆୟ ଯନ୍ତାରୁ ମୁକୁଳି ପାରିଛନ୍ତି ବୋଲି ରିପୋର୍ଟରେ ସୂଚନା ଦିଆଯାଇଛି। ୨୦୪୭ ସୁଦ୍ଧା ଏକ ବିକଶିତ ଦେଶରେ ପରିଣତ ହେବାକୁ ଲକ୍ଷ୍ୟ ରଖିଥିବା ଭାରତ ‘ଜେନୋଜ୍ ପାରାଡକ୍ସ’ ରୂପକ ଏହି ଯନ୍ତାରୁ ମୁକୁଳି ସେ ଲକ୍ଷ୍ୟ ହାସଲ କରିବା ପାଇଁ ସେଇ ପଥ ଅନୁସରଣ କରିବା ହିଁ େହଉଛି ସର୍ବୋତ୍ତମ ଉପାୟ, ତାହାହିଁ ହେଉଛି ରିପୋର୍ଟରେ ନିହିତ ଥିବା ଭାରତ ପାଇଁ ସନ୍ଦେଶ।