‘ଟିମ୍‌ଲିଜ୍‌’ ନାମକ ଏକ କଂପାନି ନିକଟରେ ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରୁ ନିକଟ ଭବିଷ୍ୟତରେ ଭାରତର ନିଯୁକ୍ତି ବଜାରରେ ‘ଡିଜିଟାଲ୍’ ଦକ୍ଷତାର ଗୁରୁତ୍ବ ବିଷୟ ସ୍ଥାନ ପାଇଛି। ବୈଷୟିକ କ୍ଷେତ୍ରରେ ବିକାଶ ଯୋଗୁଁ ୨୦୨୬ ସୁଦ୍ଧା ଭାରତରେ ୩ କୋଟି ଡିଜିଟାଲ୍ ଦକ୍ଷତାସଂପନ୍ନ ମାନବ ସମ୍ବଳର ଆବଶ୍ୟକତା ରହିଥିବା ବିଷୟ ଏହି ରିପୋର୍ଟରେ ଅନୁମାନ କରାଯାଇଛି। ବର୍ତ୍ତମାନ ଭାରତରେ କାର୍ଯ୍ୟକ୍ଷମ ବୟସର ପ୍ରାୟ ୫୦ କୋଟି ଲୋକ ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୪୯% ନିଯୁକ୍ତିଯୋଗ୍ୟ ବୋଲି ଏଥିରେ କୁହାଯାଇଛି। ଅବଶିଷ୍ଟ ଅର୍ଦ୍ଧେକଙ୍କୁ ନୂଆ ଦକ୍ଷତା ହାସଲ କରିବା ପାଇଁ ଉଦ୍ୟମ କରିବାକୁ ପଡ଼ିବ। ‘ଟିମ୍‌ଲିଜ୍‌’ର ସର୍ଭେରୁ ଜଣାପଡ଼ିଛି ଯେ ଭାରତର ୭୫% କମ୍ପାନିର କର୍ମଚାରୀଙ୍କ ଦକ୍ଷତାର ସ୍ତର ଓ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ଲାଗି ଆବଶ୍ୟକ ଦକ୍ଷତାର ସ୍ତର ମଧ୍ୟରେ ତାରତମ୍ୟ ରହିଛି। ସେହିପରି ବର୍ତ୍ତମାନ ଯେଉଁମାନେ ଚାକିରି ପାଇଁ ଉପଯୁକ୍ତ, ଖୁବ୍‌ ଶୀଘ୍ର ସେମାନଙ୍କ ସାମର୍ଥ୍ୟରେ ୪୦% ପରିବର୍ତ୍ତନ ଆସି ସେମାନଙ୍କୁ ଆଂଶିକ ଅଯୋଗ୍ୟ କରି ପକାଇବାର ମଧ୍ୟ ଅନେକ ସମ୍ଭାବନା ରହିଛି। ତେଣୁ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ନେଇ କମ୍ପାନିମାନେ ସେମାନଙ୍କ ରଣକୌଶଳରେ ପରିବର୍ତ୍ତନ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ରିପୋର୍ଟଟି କହିଥାଏ।

Advertisment

୨୦୨୩ ମସିହାରେ ହିଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ ବା କୃତ୍ରିମ ବୁଦ୍ଧିମତ୍ତା, ସାଇବର୍‌ ସିକ୍ୟୁରିଟି ବା ସାଇବର ସୁରକ୍ଷା ଓ ବ୍ଲକ୍‌ଚେନ୍ କ୍ଷେତ୍ରରେ ୨୦ ଲକ୍ଷରୁ ଅଧିକ ଚାକିରି ଖାଲି ପଡ଼ିବ। ସଂପ୍ରତି ସାରା ପୃଥିବୀରେ କାର୍ଯ୍ୟ କ୍ଷେତ୍ର ଏତେ ଦ୍ରୁତ ଗତିରେ ବିବର୍ତ୍ତନ ଦେଖୁଛି ଯେ ପୃଥିବୀର ସମୁଦାୟ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୭୬% ନୂତନ ଡିଜିଟାଲ୍ ବ୍ୟବସ୍ଥାରେ ସଂପୂର୍ଣ୍ଣ ଦକ୍ଷତା ପ୍ରତିପାଦନ କରିବା କାଠିକର ପାଠ ହେବ। ତେଣୁ ଦକ୍ଷତାର ନବୀକରଣର ଏକାନ୍ତ ଆବଶ୍ୟକତା ରହିଛି। ‘ଵାର୍ଲଡ୍‌ ଇକନୋମିକ୍ ଫୋରମ୍’ ଅନୁଯାୟୀ ଦକ୍ଷତା ବୃଦ୍ଧିରେ ଅଧିକ ନିବେଶ କରାଗଲେ ଭାରତୀୟ ଅର୍ଥନୀତିରେ ୫୭୦ ବିଲିଅନ୍ ଡଲାର୍‌ର ଅଭିବୃଦ୍ଧି ଘଟିପାରିବ ଏବଂ ୨୦୩୦ ସୁଦ୍ଧା ୨୩ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବ।