ଗୁରୁ ସେ ଦିନ ଶିଷ୍ୟମାନଙ୍କୁ କହିଲେ- କେବେ ବିଚାର କରିଛ ଯେ ବର୍ଷା ପରେ ସୁଦ୍ଧା ପର୍ବତ ଯେମିତି ପୂର୍ବରୁ ଖାଲି ଥିଲା, ସେମିତି ଖାଲି ହୋଇ ରହିଯାଏ; ଅଥଚ ତଳେ ଥିବା ଯେତେ ଖାଲ ଖମା ସବୁ ପାଣିରେ ଭରି ହୋଇ ଯାଏ। ଏହାର କାରଣ ପର୍ବତ ଏଭଳି ଭରପୂର ଯେ ତହିଁରେ ଆଉ କିଛି ଗ୍ରହଣ କରାଯିବା ସକାଶେ ଜାଗା ନ ଥାଏ। କିନ୍ତୁ ଖାଲ ଜାଗାମାନ ଭରି ହୋଇ ନ ଥାଏ ବୋଲି ପାଣିରେ ଭରିଯାଏ।
ଏହା କହିବାର ଅର୍ଥ ହେଲା ଈଶ୍ବରଙ୍କ ଆଶୀର୍ବାଦ ବା କରୁଣାର ବିନ୍ଦୁ ସର୍ବଦା ଝରି ରହିଛି, ହେଲେ ଆମ ଭିତରୁ ଯେଉଁମାନେ ଅହଂକାରରେ ହେଉ ବା ଔଦ୍ଧତ୍ୟରେ ହେଉ ପର୍ବତ ଭଳି ଭରପୂର ସେମାନେ ତାହା ଲାଭ କରି ପାରନ୍ତି ନାହିଁ, ଅଥଚ ଯେଉଁମାନେ ବିନମ୍ର, ନିଜକୁ ଅଜ୍ଞାନୀ ବା ଅଯୋଗ୍ୟ ବୋଲି ମନେ କରି ସନ୍ତର୍ପଣରେ କାକୁସ୍ଥ ହୋଇ ଥାଆନ୍ତି, ସେମାନେ ସେହି କରୁଣା ଦ୍ବାରା ଭରି ଯାଆନ୍ତି। ଭଗବାନଙ୍କ କରୁଣାର ପାତ୍ର ସେମାନଙ୍କ ପାଖରେ ଥାଏ।
ଏହା କହି ଗୁରୁ କହିଲେ ଉଚ୍ଚ ସ୍ଥନରେ ଥିବା ଲୋକେ ଔଦ୍ଧତ୍ୟ ଦେଖାନ୍ତି, ନିଜକୁ ବଡ଼ ବୋଲି ଭାବନ୍ତି। କିନ୍ତୁ ସେମାନେ ବଡ଼ ହୋଇ ପାରନ୍ତି ନାହିଁ। ବିନମ୍ରତା ହିଁ ବିଶାଳତା। ନଦୀରେ ବନ୍ୟା ଆସେ। ତାହା ଫୁଲି ଉଠେ ଓ କୂଳ ଲଂଘେ। କିନ୍ତୁ ତାହା ପରିଶେଷରେ ସାଗରକୁ ଯାଏ, ଯାହା ନଦୀ ଠାରୁ ନିମ୍ନରେ ରହିଥାଏ ଏବଂ ନଦୀର ସମସ୍ତ ବନ୍ୟା ଜଳକୁ ନିଜ ଠାରେ ସମାହିତ କରି ନେଲେ ସୁଦ୍ଧା ତା’ର ବକ୍ଷ ଫୁଲି ଉଠେ ନାହିଁ। ବିନମ୍ରତା ସେହିଭଳି ବିଶାଳତା ସୃଷ୍ଟି କରେ ଯହିଁରେ ସହସ୍ର ଉଦ୍ଧତ ନଦୀ ଲୀନ ହୋଇ ଯାଇ ପାରନ୍ତି।