ପ୍ରବାସୀ ପ୍ରଭାବ

ଭାରତୀୟ ‘ଡାଏସ୍ପୋରା’ର ରେମିଟାନ୍‌ସ ଯେମିତି ଭାରତୀୟ ଅର୍ଥନୀତିକୁ ପରିପୁଷ୍ଟ କରୁଛି, ସେମାନଙ୍କର ଏହି ସମସ୍ତ ଉପଲବ୍‌ଧିମାନ ଆଜି ଆନ୍ତର୍ଜାତିକ ସ୍ତରରେ ଭାରତ ପ୍ରଦର୍ଶନ କରୁଥିବା ନୂତନ ପ୍ରଭାବଶାଳୀ କୋମଳ ଶକ୍ତିର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ରୂପେ କାର୍ଯ୍ୟ କରୁଛି। ଭାରତ ଆଜି ଏଥିପାଇଁ ତା’ର ପ୍ରବାସୀ ସନ୍ତାନସନ୍ତତିମାନଙ୍କ ପାଖରେ ଯେତିକି କୃତଜ୍ଞ, ସେମାନଙ୍କ ପାଇଁ ତତୋଽଧିକ ଗର୍ବିତ।

ମିଳିତ ଜାତିସଂଘର ପ୍ରବାସ ଗମନ ସଂଗଠନ ‘ଇଣ୍ଟର୍‌ନେସନାଲ୍ ଅର୍ଗାନାଇଜେସନ୍ ଫର୍ ମାଇଗ୍ରେସନ୍’ (‘ଆଇଓଏମ୍’) ଦ୍ବାରା ସଦ୍ୟ ପ୍ରକାଶିତ ‘ୱାର୍ଲଡ ମାଇଗ୍ରେସନ୍ ରିପୋର୍ଟ ୨୦୨୪’ରେ ପ୍ରଦତ୍ତ ସୂଚନା ଅନୁସାରେ ୨୦୨୨ରେ ପ୍ରବାସୀ ଭାରତୀୟମାନେ ଭାରତକୁ ‌ପ୍ରେରଣ କରିଥିବା ମୋଟ ଅର୍ଥ (‘ରେମିଟାନ୍‌ସ’)ର ପରିମାଣ ଥିଲା ୧୧୧.୨୨ ବିଲିଅନ୍ ଡଲାର୍। ଏହି ସୂଚନା ବହନ କରୁଥିବା ଏକ ବିଶେଷ ଗୁରୁତ୍ବ ହେଉଛି ଏହା ଯେ ୧୦୦ ବିଲିଅନ୍ ଡଲାର୍ ‘ରେମିଟାନ୍‌ସ’ ପରିମାଣ ଛୁଇଁବା ଓ ଅତିକ୍ରମ କରିବାରେ ଭାରତ ଏହାଦ୍ବାରା ପୃଥିବୀର ସର୍ବପ୍ରଥମ ଦେଶ ରୂପେ ଆବିର୍ଭୂତ ହେବା ସହିତ ‘ରେମିଟାନ୍‌ସ’ର ଗନ୍ତବ୍ୟସ୍ଥଳୀ ହୋଇଥିବା ପୃଥିବୀର ଅନ୍ୟ ପ୍ରମୁଖ ଦେଶମାନଙ୍କୁ ଭାରତ ବହୁ ପଛରେ ପକାଇ ଦେଇଛି।
ଉଦାହରଣ ସ୍ବରୂପ ଦ୍ବିତୀୟ ସ୍ଥାନରେ ଥିବା ମେକ୍ସିକୋ ସେଇ ବର୍ଷରେ ମୋଟ ୬୧ ବିଲିଅନ୍ ଡଲାର୍‌ରୁ ସାମାନ୍ୟ ଅଧିକ ‘ରେମିଟାନ୍‌ସ’ ଅର୍ଥ ପାଇଥିବା ବେଳେ, ତୃତୀୟ ସ୍ଥାନରେ ଥିବା ଚୀନ୍ ପାଇଥିବା ‘ରେମିଟାନ୍‌ସ’ ପରିମାଣ ଥିଲା ପ୍ରାୟ ୫୧ ବିଲିଅନ୍ ଡଲାର୍- ଭାରତ ଅଭିମୁଖେ ପ୍ରେରିତ ଅର୍ଥର ଅଧାଠାରୁ ମଧ୍ୟ କମ୍। ରିପୋର୍ଟ ଅନୁସାରେ ନିକଟ ଅତୀତରେ ଭାରତ ‘ରେମିଟାନ୍‌ସ’ ପାଇବାରେ ସର୍ବଦା ପ୍ରଥମ ସ୍ଥାନ ଅଧିକ କରିବା ଦେଖାଯାଇଛି, ଯାହା ୨୦୧୦ରେ ଥିଲା ୫୩.୪୮ ବିଲିଅନ୍ ଡଲାର୍, ୨୦୧୫ରେ ଥିଲା ୬୮.୯୧ ବିଲିଅନ୍ ଡଲାର୍, ଓ ୨୦୨୦ରେ ଥିଲା ୮୩.୧୫ ବିଲିଅନ୍ ଡଲାର୍ ଏବଂ ଏବେ ୨୦୨୨ରେ ୧୦୦ ବିଲିଅନ୍ ଡଲାର୍ ମାଇଲ୍‌ଖୁଣ୍ଟି ଅତିକ୍ରମ କରିଛି ବୋଲି ଜଣାପଡ଼ିଛି।
କେବଳ ପ୍ରବାସୀ-ପ୍ରେରିତ ଅର୍ଥ ପରିମାଣ ଅନୁସାରେ ନୁହେଁ, ବିଦେଶ ଗମନ କରିଥିବା ପ୍ରବାସୀ ସଂଖ୍ୟା ଅନୁସାରେ ମଧ୍ୟ ଭାରତର ସ୍ଥାନ ପ୍ରଥମ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ପୃଥିବୀରେ ପ୍ରବାସୀ ଭାରତୀୟମାନଙ୍କର ସଂଖ୍ୟା ପ୍ରାୟ ୧୮ ନିୟୁତ (ଭାରତ ଜନସଂଖ୍ୟାର ପ୍ରାୟ ୧.୩ ଶତାଂଶ) ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ମେକ୍ସିକୋରୁ ଆସିଥିବା ପ୍ରବାସୀମାନଙ୍କର ସଂଖ୍ୟା ହେଉଛି ପ୍ରାୟ ୧୧.୨ ନିୟୁତ ଏବଂ ପ୍ରବାସୀ ଚୀନାଙ୍କ ସଂଖ୍ୟା ହେଉଛି ପ୍ରାୟ ୧୦.୫ ନିୟୁତ। ଭାରତ-ଜନ୍ମିତ ପ୍ରବାସୀମାନଙ୍କୁ ପ୍ରାୟ ପୃଥିବୀସାରା ଦେଖିବାକୁ ମିଳିଥାଏ। ଜାତିସଂଘର ‘ଡିପାର୍ଟମେଣ୍ଟ୍ ଅଫ୍ ଇକନମିକ୍ ଆଣ୍ଡ୍ ସୋସିଆଲ୍ ଆଫେଆର୍‌ସ’ (‘ୟୁଏନ୍‌ ଡିଇଏସ୍ଏ’) ସୂତ୍ରରୁ ୨୦୨୦ ପାଇଁ ଉପଲବ୍‌ଧ ତଥ୍ୟ ଅନୁସାରେ ଆମେରିକାରେ ଏମାନଙ୍କର ସଂଖ୍ୟା ପ୍ରାୟ ୨.୭ ନିୟୁତ ହୋଇଥିବା ବେଳେ, ବ୍ରିଟେନ୍‌ରେ ୮,୩୫,୦୦୦, କାନାଡ଼ାରେ ୭,୨୦,୦୦୦ ଓ ଅଷ୍ଟ୍ରେଲିଆରେ ୫,୭୯,୦୦୦ ହୋଇଥାଏ। ମଧ୍ୟ ପ୍ରାଚ୍ୟ ଅଞ୍ଚଳରେ ‘ୟୁନାଇଟେଡ୍ ଆରବ ଏମିରେଟ୍‌ସ (ୟୁଏଇ)’ରେ ପ୍ରାୟ ୩.୫ ନିୟୁତ ପ୍ରବାସୀ ଭାରତୀୟ ଥିବା ବେଳେ ସାଉଦି ଆରବରେ ସେମାନଙ୍କର ସଂଖ୍ୟା ହେଉଛି ୨.୫ ନିୟୁତ। ଆଫ୍ରିକା, ଏସିଆର ଅନ୍ୟ ଅଞ୍ଚଳ ଓ ପଶ୍ଚିମ ଭାରତୀୟ ଦ୍ବୀପପୁଞ୍ଜରେ ଆହୁରି ଅନେକ ଭାରତୀୟ ମୂଳର ଅଧିବାସୀମାନେ ଖେଳାଇ ହୋଇ ରହିଛନ୍ତି।
ବିଦେଶରେ ପ୍ରବାସୀ ଭାରତୀୟମାନଙ୍କର (‘ଇଣ୍ଡିଆନ୍ ଡାଏସ୍ପୋରା’) ଆଜିର ଏଭଳି ଶକ୍ତିଶାଳୀ ଉପସ୍ଥିତିର ଇତିହାସ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କଲେ ଦେଖାଯାଏ ଯେ ୧୯୪୭ରେ ସ୍ବାଧୀନତା ଲାଭ କଲା ପରେ ବିକଶିତ ଦେଶମାନଙ୍କ ଅଭିମୁଖେ ଭାରତରୁ ଏକାଧିକ ବହିର୍ଗମନ ଲହରୀ ଆବିର୍ଭୂତ ହୋଇଛି, ଯାହା ‘ଡାଏସ୍ପୋରା’ର ସଂଖ୍ୟା ବୃଦ୍ଧି ଓ ଶକ୍ତି ବୃଦ୍ଧିରେ ସହାୟକ ହୋଇଛି। ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତ ହେବା ପରେ ପରେ ଯେଉଁ ପ୍ରଥମ ପ୍ରବାସ ଯାତ୍ରା ଲହରୀ ଆରମ୍ଭ ହେଲା, ତାହା ଥିଲା ମୁଖ୍ୟତଃ ଗୁଜରାଟ ଓ ପଞ୍ଜାବରୁ ସ୍ବଳ୍ପ ଦକ୍ଷତାସଂପନ୍ନ ଶ୍ରମିକମାନଙ୍କର ସ୍ରୋତ। ସେମାନଙ୍କ ମଧ୍ୟରୁ ଅନେକ ସଂଖ୍ୟକ ଯାଇ ପହଞ୍ଚିଥିଲେ ଯୁଦ୍ଧ-ପରବର୍ତ୍ତୀ ତୀବ୍ର ଶ୍ରମିକ-ଅଭାବଗ୍ରସ୍ତ ବ୍ରିଟେନ୍‌ରେ। ସେମାନେ ଲୁଗାକଳ ଓ ଅନ୍ୟାନ୍ୟ କାରଖାନାରେ କଠିନ ପରିଶ୍ରମ ଅାବଶ୍ୟକ କରୁଥିବା କାର୍ଯ୍ୟମାନଙ୍କରେ ନିଯୁକ୍ତ ହୋଇଥିଲେ। ଔପନିବେଶିକ ଶାସନ ସମୟରେ ଯେଉଁ ଭାରତୀୟମାନଙ୍କୁ ଗୋତି ଶ୍ରମିକ ଭାବରେ ପୂର୍ବ ଆଫ୍ରିକାରେ ଅବସ୍ଥାପିତ କରାଯାଇଥିଲା, ପରବର୍ତ୍ତୀ ସମୟରେ ସେମାନଙ୍କର ବଂଶଧରମାନେ ପଶ୍ଚିମାଭିମୁଖୀ ଯାତ୍ରା ଆରମ୍ଭ କରିଦେଇଥିଲେ। ଆମେରିକା ଯେତେବେଳେ ୧୯୬୫ରେ ମେଧାବୀ ବିଦେଶୀମାନଙ୍କୁ ଆକର୍ଷିତ କରିବା ପାଇଁ ତା’ର ଆପ୍ରବାସନ (‘ଇମିଗ୍ରେସନ’) ଆଇନରେ ପରିବର୍ତ୍ତନମାନ ଘଟାଇଲା, ସେ ଦେଶ ଅଭିମୁଖେ ଶିକ୍ଷିତ ମେଧାବୀ ଭାରତୀୟମାନଙ୍କର ସୁଅ ଛୁଟିଲା। ଆମେରିକାକୁ ଅନୁସରଣ କରି କାନାଡା ଓ ଅଷ୍ଟ୍ରେଲିଆ ସେମାନଙ୍କର ଆଇନରେ ପରିବର୍ତ୍ତନ କରିବା ପରେ ଦେଶର ପ୍ରାୟ ପ୍ରତ୍ୟେକ ଅଞ୍ଚଳରୁ ଅଧିକରୁ ଅଧିକ ବୁଦ୍ଧିମାନ ଭାରତୀୟମାନେ ସେ ଦିଗରେ ଆକର୍ଷିତ ହେବାକୁ ଲାଗିଲେ। ଉଚ୍ଚ ଶ୍ରେଣୀର ଦକ୍ଷତା ଆବଶ୍ୟକ କରୁଥିବା ‘ବିଶେଷ ବୃତ୍ତି’ (‘ସ୍ପେସିଆଲିଟି ଅକ୍ୟୁପେସନ୍’)ମାନଙ୍କରେ ନିଯୁକ୍ତି ପାଇଁ ଆମେରିକା ଯେଉଁ ବହୁ-ବାଞ୍ଛିତ ‘ଏଚ-୧ବି’ ଭିସାମାନ ପ୍ରଦାନ କରିଥାଏ, ୨୦୨୨ରେ ତା’ର ପ୍ରାୟ ତିନି-ଚତୁର୍ଥାଂଶ ପ୍ରଦାନ କରାଯାଇଥିଲା ଭାରତ-ଜନ୍ମିତ ଆବେଦନକାରୀମାନଙ୍କୁ।
ଭାରତ ପାଇଁ ଏହା ‘ବ୍ରେନ୍ ଡ୍ରେନ୍’ ସମସ୍ୟା ସୃଷ୍ଟି କରୁଛି ବୋଲି ଆଶଙ୍କା କରାଯାଉଥିଲେ ହେଁ, ବିଦେଶରେ ଏହି ସୁଯୋଗ୍ୟ ଭାରତୀୟମାନଙ୍କର ଉପସ୍ଥିତି ଭାରତୀୟ ଡାଏସ୍ପୋରାର ଖ୍ୟାତିକୁ ନଭଶ୍ଚୁମ୍ବୀ କରିଛି। ଉଦାହରଣ ସ୍ବରୂପ ପୃଥିବୀର ‘ଫର୍ଚୁନ୍-୫୦୦’ ତାଲିକାଭୁକ୍ତ ସର୍ବଶ୍ରେଷ୍ଠ ୫୦୦ଟି କଂପାନିମାନଙ୍କ ମଧ୍ୟରୁ ୨୫ଟିରେ ବର୍ତ୍ତମାନ ମୁଖ୍ୟ ପରିଚାଳନା ଅଧିକାରୀ ପଦ ମଣ୍ଡନ କରୁଛନ୍ତି ଭାରତୀୟ ବଂଶୋଦ୍ଭବମାନେ ଏବଂ ଯେହେତୁ ଭାରତୀୟମାନେ ମଧ୍ୟ ଆହୁରି ଅନେକ ବରିଷ୍ଠ ପଦମାନଙ୍କରେ ଅଧିଷ୍ଠିତ ଅଛନ୍ତି ଭବିଷ୍ୟତରେ ଏହି ସଂଖ୍ୟାରେ ବୃଦ୍ଧି ଘଟି ଚାଲିବା ନିଶ୍ଚିତ। ଭାରତୀୟ ମୁଖ୍ୟମାନଙ୍କ ଦ୍ବାରା ପରିଚାଳିତ ଏହି ଛାମୁଆ କଂପାନିମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ‘ଆଡୋବି’, ‘ଗୁଗ୍‌ଲ-ଆଲ୍‌ଫାବେଟ୍’, ‘ଆଇବିଏମ୍’, ‘ମାଇକ୍ରୋସଫ୍‌ଟ’, ‘ସାନେଲ୍’, ‘ଷ୍ଟାର୍‌ବକ୍‌ସ’ ଇତ୍ୟାଦି। ଆମେରିକାର ସର୍ବଶ୍ରେଷ୍ଠ ପାଞ୍ଚଟି ବିଜ୍‌ନେସ୍ ସ୍କୁଲ୍ ମଧ୍ୟରୁ ପ୍ରଖ୍ୟାତ ‘ହାର୍ଭାଡ୍ ବିଜ୍‌ନେସ୍ ସ୍କୁଲ୍’ ସମେତ ତିନିଟି‌ର ମୁଖ୍ୟ ବା ଡିନ୍ ହେଉଛନ୍ତି ଭାରତୀୟ ମୂଳର। ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ସେ ଦେଶର ‘ହାଉସ୍ ଅଫ୍ କମନ୍‌ସ’ (ଆମ ‘ଲୋକସଭା’ତୁଲ୍ୟ)ର ୧୯ ଜଣ ସଦସ୍ୟ ହେଉଛନ୍ତି ଭାରତୀୟ ମୂଳର। ଅଷ୍ଟ୍ରେଲିଆ ପାର୍ଲିଆମେଣ୍ଟ୍‌ର ଛ’ଜଣ ଓ ଅାମେରିକା କଂଗ୍ରେସର ପାଞ୍ଚ ଜଣ ସଦସ୍ୟ ହେଉଛନ୍ତି ଭାରତୀୟ ମୂଳର। ଆମେରିକାର ଉପରାଷ୍ଟ୍ରପତିଙ୍କର ଜନ୍ମଦାତ୍ରୀ-ପାଳନକର୍ତ୍ତ୍ରୀ ମାତା ହେଉଛନ୍ତି ଭାରତୀୟ ମୂଳର। ସେହିପରି ନିକଟରେ ଆମେରିକାରେ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ଦୌଡ଼ରେ ଭାଗନେଇ ଏକ ସମୟରେ ସେ ଦେଶରେ ଚହଳ ସୃଷ୍ଟି କରିଥିବା ବିବେକ ରାମସ୍ବାମୀ ହେଉଛନ୍ତି ଭାରତୀୟ ମୂଳର। ‘ୱାର୍ଲଡ ବ୍ୟାଙ୍କ୍’ର ମୁଖ୍ୟ ଅଜୟ ବାଙ୍ଗା ହେଉଛନ୍ତି ପୁନାରେ ଜନ୍ମିତ ଜଣେ ଭାରତୀୟ।
ଯଦି ଆର୍ଥିକ ସ୍ବଚ୍ଛଳତାକୁ ସଫଳତାର ମାପକାଠି ରୂପେ ଗ୍ରହଣ କରାଯାଏ, ତେବେ ଭାରତୀୟ ପ୍ରବାସୀମାନେ ଏହି ଦୌଡ଼ରେ ଅନ୍ୟମାନଙ୍କୁ ବହୁ ପଛରେ ପକାଇ ଦେଇଥିବା ଦେଖାଯାଏ। ଏକ ଉଦାହରଣ ସ୍ବରୂପ ଆମେରିକାରେ ମଧ୍ୟବର୍ତ୍ତୀ ପ୍ରବାସୀ ଭାରତୀୟ ପରିବାରର ବାର୍ଷିକ ଆୟ (‘ମେଡିଆନ୍ ହାଉସ୍‌ହୋଲ୍‌ଡ ଇନ୍‌କମ୍’) ୧,୫୦,୦୦୦ ଡଲାର୍ ହୋଇଥିବା ବେଳେ, ସେ ଦେଶର ଜାତୀୟ ହାରାହାରି ହେଉଛି ଏହାର ଅଧା ଏବଂ ସେଠାରେ ଥିବା ପ୍ରବାସୀ ଚୀନାମାନଙ୍କର ଆୟ ହେଉଛି ୯୫,୦୦୦ ଡଲାର୍। ଅଷ୍ଟ୍ରେଲିଆରେ ପ୍ରବାସୀ ଭାରତୀୟମାନଙ୍କର ଏହି ଆୟ ପ୍ରାୟ ୮୭,୦୦୦ ଡଲାର୍ ହୋଇଥିବା ବେଳେ, ସେ ଦେଶର ଜାତୀୟ ହାରାହାରି ହେଉଛି ୬୨,୦୦୦ ଡଲାର୍ ଓ ପ୍ରବାସୀ ଚୀନାମାନଙ୍କର ଆୟ ହେଉଛି ୫୮,୦୦୦ ଡଲାର୍। ଭାରତୀୟ ‘ଡାଏସ୍ପୋରା’ର ରେମିଟାନ୍‌ସ ଯେମିତି ଭାରତୀୟ ଅର୍ଥନୀତିକୁ ପରିପୁଷ୍ଟ କରୁଛି, ସେମାନଙ୍କର ଏହି ସମସ୍ତ ଉପଲବ୍‌ଧିମାନ ଆଜି ଆନ୍ତର୍ଜାତିକ ସ୍ତରରେ ଭାରତ ପ୍ରଦର୍ଶନ କରୁଥିବା ନୂତନ ପ୍ରଭାବଶାଳୀ କୋମଳ ଶକ୍ତିର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ରୂପେ କାର୍ଯ୍ୟ କରୁଛି। ଭାରତ ଆଜି ଏଥିପାଇଁ ତା’ର ପ୍ରବାସୀ ସନ୍ତାନସନ୍ତତିମାନଙ୍କ ପାଖରେ ଯେତିକି କୃତଜ୍ଞ, ସେମାନଙ୍କ ପାଇଁ ତତୋଽଧିକ ଗର୍ବିତ।

ସମ୍ବନ୍ଧିତ ଖବର