ଆଜିକାଲି କ୍ୱଚିତ୍ ଏମିତି ଦିନଟିଏ ଯାଏ, ଯେଉଁଦିନ ଭାରତର କୌଣସି ପ୍ରାନ୍ତରର କୌଣସି ଶିଷ୍ଟ ବା ବିଶିଷ୍ଟ ବ୍ୟକ୍ତିଙ୍କ ପାଦ ପଡ଼େନାହିଁ ରାଷ୍ଟ୍ରପତି ଭବନରେ। ଓଡ଼ିଶାର ଅନେକ ଲୋକଙ୍କର ବି ପାଦ ପଡ଼େ। ବିଭିନ୍ନ ଭାଷାର ବହି ଓ ପତ୍ରପତ୍ରିକା ସାଙ୍ଗକୁ ବିଭିନ୍ନ ରାଜ୍ୟର ଚାରୁଚିତ୍ର ପ୍ରାୟ ପ୍ରତ୍ୟହ ଏଠାରେ ପହଞ୍ଚୁଛି। ପହଞ୍ଚୁଛି ଅଧିକ ସଂଖ୍ୟାରେ ଓଡ଼ିଆ ବହିପତ୍ର ଓ ଓଡ଼ିଶୀ ହସ୍ତକଳା। ମଧ୍ୟେ ମଧ୍ୟେ ପୁରୀରୁ ପ୍ରସାଦ ଆସି ପହଞ୍ଚୁଛି। ଭାରତର ମହିୟସୀ ନାରୀ, ଓଡ଼ିଶା ମାଟିର ଝିଅ ଅଧୁନା ଭାରତର ମହାମହିମ। ସେହି ମାଟି ଗନ୍ଧରେ ଫାଟି ପଡୁଛି ଅବା ଭାରତ ଶାସନର ଏହି ତୁଙ୍ଗ ଶିଖରୀ ଚୂଳ!
ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ଦିନ ହିଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଆ କବିତା ଓ ଓଡ଼ିଶୀ ଶାଢ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏ ନେଇ ବିଶେଷ ଚର୍ଚ୍ଚା ହୋଇଥିଲା ଗଣମାଧ୍ୟମରେ। ଓଡ଼ିଶା ବାନ୍ଧକଳା ପାଇଁ ପୃଥିବୀ ପ୍ରସିଦ୍ଧ। ସମ୍ବଲପୁରୀ, ମାଣିଆବନ୍ଧୀ, ବ୍ରହ୍ମପୁରୀ ପାଟ ସାଙ୍ଗକୁ ସାନ୍ତାଳୀ ଶାଢ଼ି ଅନେକ ସମୟରେ ପିନ୍ଧୁଛନ୍ତି ଶ୍ରୀମତୀ ମୁର୍ମୁ ମହୋଦୟା। ଭାରତର ଅନ୍ୟ ଶାଢ଼ି ସେ ଯେ ପିନ୍ଧୁନାହାନ୍ତି ତା’ ନୁହେଁ, କିନ୍ତୁ ଓଡ଼ିଶାର ମାଟି, ପାଣି, ପବନ ସହିତ ଆଜନ୍ମ ଜଡ଼ିତ ଥିବାରୁ ଓଡ଼ିଶୀ ଶାଢ଼ି ପ୍ରତି ତାଙ୍କ ଆଦର ନିଆରା। ଭାରତବର୍ଷ ବିବିଧ ଚାରୁକଳାର ଗନ୍ତାଘର। ଦେଶର ବିଭିନ୍ନ ପ୍ରାନ୍ତରର କଳାକୃତି ରାଷ୍ଟ୍ରପତି ଭବନର ପ୍ରାଚୀରରେ ଶୋଭା ପାଉଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ସମେତ ସୌରା ଓ ରଘୁରାଜପୁରର ଚାରୁଚିତ୍ରରେ ମଧ୍ୟ ମଣ୍ଡିତ ହୋଇଛି ରାଷ୍ଟ୍ରପତି ଭବନ। କଟକର ପ୍ରସିଦ୍ଧ ତାରକସି କାମର ସ୍ପର୍ଶ ବି ଏହି ଭବନରେ ପରିଦୃଷ୍ଟ। କେତେକ କଳାକୃତି ପୂର୍ବରୁ ରହିଛି, କିନ୍ତୁ ଏସବୁର ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।
ରାଷ୍ଟ୍ରପତି ବିଭିନ୍ନ ପ୍ରଦେଶ ବା କେନ୍ଦ୍ରଶାସିତ ଅଞ୍ଚଳକୁ ଗସ୍ତ କଲେ, ସେଠାରେ ତାଙ୍କୁ କିଛି ଉପହାର ଦିଆଯାଇଥାଏ। ସାଧାରଣତଃ ସେହି ପ୍ରଦେଶର ଏକ ବିଶେଷ କଳାକୃତି ତାଙ୍କୁ ଭେଟି ଦିଆଯାଏ। ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତିମାନେ ପାଇଥିବା କଟକର ତାରକସି କଳାକୃତି ରାଷ୍ଟ୍ରପତି ଭବନ ଓ ରାଷ୍ଟ୍ରପତି ଭବନ ସଂଗ୍ରହାଳୟରେ ସ୍ଥାନିତ। ରାଷ୍ଟ୍ରପତି କେବଳ ଉପହାର ଗ୍ରହଣ କରନ୍ତି ନାହିଁ, ସେ ରାଜ୍ୟପାଳ, ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ସୌଜନ୍ୟ ସମ୍ଭାର ପ୍ରଦାନ କରନ୍ତି। ଭାରତର ବିଭିନ୍ନ କଳାକୃତି କ୍ରମରେ ତାରକସିର କୋଣାର୍କ ଚକ୍ର ରାଷ୍ଟ୍ରପତି ମହୋଦୟା ଉପହାର ଭାବରେ ପ୍ରଦାନ କରୁଛନ୍ତି। ଭାରତୀୟ କଳାନୈପୁଣ୍ୟର ଅପ୍ରତିମ ପ୍ରତିଫଳନ ଓଡ଼ିଶାର ଉତ୍କୃଷ୍ଟ କଳା ପ୍ରତି ଏହା ତାଙ୍କ ଅସୀମ ଶ୍ରଦ୍ଧାର ସ୍ୱାକ୍ଷର।
ପୃଥିବୀର ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଏବଂ ରାଷ୍ଟ୍ରଦୂତମାନେ ବିଭିନ୍ନ ଅବସରରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପାଇଁ ଆସିଥା’ନ୍ତି। ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକର ମୁଖ୍ୟ ବା ସଦସ୍ୟମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟନ୍ତି। ରାଷ୍ଟ୍ରମୁଖ୍ୟ ଓ ରାଷ୍ଟ୍ରଦୂତମାନଙ୍କ ସହିତ ବିଶେଷତଃ ଦ୍ୱିପାକ୍ଷିକ କୂଟନୈତିକ ଓ ବାଣିଜ୍ୟିକ ବାର୍ତ୍ତାଳାପ ସଂଘଟିତ ହୋଇଥାଏ। ବିଭିନ୍ନ ସଙ୍ଗଠନ ସହିତ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆଲୋଚନା କରାଯାଏ। ଥରେ ଜାପାନର ରାଷ୍ଟ୍ରଦୂତ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା ପ୍ରସଙ୍ଗରେ ସେ ଓଡ଼ିଶା ଯାଉଥିବା କଥା କହିଥିଲେ। ରାଷ୍ଟ୍ରପତି ସେଥିପାଇଁ ତାଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ଓଡ଼ିଶା ବିଷୟ ମଧ୍ୟ ଆଲୋଚିତ ହୋଇଥିଲା। ସେହିପରି ଗେଟ୍ସ ଫାଉଣ୍ଡେସନ୍ ତରଫରୁ ମେଲିଣ୍ଡା ଗେଟ୍ସ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଭାରତରେ ତାଙ୍କ ସଂସ୍ଥା ଦ୍ୱାରା କରାଯାଉଥିବା ସ୍ୱାସ୍ଥ୍ୟ ଆଦି ସମ୍ପର୍କିତ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଭାରତର ବିଭିନ୍ନ ଅନଗ୍ରସର ରାଜ୍ୟ ବିଶେଷକରି ଓଡ଼ିଶା ପରି ଆଦିବାସୀବହୁଳ ରାଜ୍ୟରେ ସ୍ୱାସ୍ଥ୍ୟସେବା ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ମେଲିଣ୍ଡା ଗେଟ୍ସଙ୍କୁ ରାଷ୍ଟ୍ରପତି କହିଥିଲେ। ବିଭିନ୍ନ ଆଲୋଚନା ସମୟରେ ଯେଉଁଠି ରାଜ୍ୟଗୁଡ଼ିକର ପ୍ରସଙ୍ଗ ଉଠାଇହେବ, ସେସବୁକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରୁଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।
ସାଂସଦମାନଙ୍କ ସହିତ ଭାବ ବିନିମୟ କରିବା ଏବଂ ସେମାନଙ୍କୁ ଜଳଯୋଗରେ ଆପ୍ୟାୟିତ କରିବା ରାଷ୍ଟ୍ରପତି ଭବନର ଏକ ପୁରୁଣା ପରମ୍ପରା। ମହାମାରୀ ଯୋଗୁଁ ସାମୟିକ ଭାବରେ ଏହି କାର୍ଯ୍ୟକ୍ରମ ବନ୍ଦ ଥିଲା। ତେବେ ଇତି ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ଏହି ଭାବ ବିନିମୟ କାର୍ଯ୍ୟକ୍ରମ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଜଳଯୋଗରେ ମାନ୍ୟବର ସାଂସଦମାନଙ୍କୁ ଭାରତର ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ସହିତ ଓଡ଼ିଶାର ଛେନାପୋଡ଼ ମଧ୍ୟ ପରଷା ଯାଇଛି। ବିଭିନ୍ନ ଅବସରରେ ଅତିଥିମାନଙ୍କୁ ଭୋଜନରେ ଆପ୍ୟାୟିତ କରାଗଲା ବେଳେ ଆମ ଦେଶର ରୁଚିପୂର୍ଣ୍ଣ କୋମଳ ସଙ୍ଗୀତ ପରିବେଷଣ କରାଯାଏ। ଏକାଧିକ ବାର ‘ରଙ୍ଗବତୀ’ ଗୀତର ସ୍ୱରରେ ଭୋଜସ୍ଥଳି ମୃଦୁ ମୁଖରିତ ହେଲାଣି। ଭାରତର ବିବିଧତାକୁ ଋଦ୍ଧିମନ୍ତ କରୁଥିବା ଓଡ଼ିଶାର କଳା, ସାହିତ୍ୟ, ପୋଷାକ ପରିଚ୍ଛଦ ଠାରୁ ଖାଦ୍ୟପେୟ ପର୍ଯ୍ୟନ୍ତ ବିଭିନ୍ନ ବିଭବ ପ୍ରତି ମହାମହିମଙ୍କ ଅନୁରାଗ ଅପ୍ରମିତ।
ଭାରତୀୟ ମହାଜାତି ବିଭିନ୍ନ ଜାତିର ଏକ ମନୋଜ୍ଞ ପୁଷ୍ପମାଲ୍ୟ। ପ୍ରତି ପୁଷ୍ପର ରୂପ, ଗନ୍ଧ ଅନନ୍ୟ। ଓଡ଼ିଶା କହିଲେ ତ ଜହ୍ନିଫୁଲ ଓ ଜହ୍ନରାତିର ବର୍ଣ୍ଣବିଭା ସାଙ୍ଗକୁ କିଆ, କେତକୀ ଓ କୋରେଇ ଫୁଲର ବାସ୍ନା। ଓଡ଼ିଶା କହିଲେ ପୁଣି ଦୟଣାତୁଳସୀ ଓ ଚୁଆଚନ୍ଦନର ସୁଗନ୍ଧି ସାଙ୍ଗକୁ ମହାପ୍ରସାଦର ମହମହ ମହକ। ରାଷ୍ଟ୍ରପତି ମହୋଦୟାଙ୍କ ସମଦୃଷ୍ଟିର ତୁଳନା ନାହିଁ। ଲଦାଖ ହେଉ କି ଲାକ୍ଷାଦ୍ୱୀପ, କଚ୍ଛ ହେଉ କି ଦିବ୍ରୁଗଡ଼- ସବୁ ସ୍ଥାନ, ସବୁ ଆସ୍ଥାନ ତାଙ୍କ ବିବେଚନାରେ ଏକ ଓ ଅଭିନ୍ନ। ସବୁ ଧର୍ମ, ସବୁ ପନ୍ଥା ପ୍ରତି ମଧ୍ୟ ତାଙ୍କ ଭାବାବେଗ ସମାନ। ତେବେ ଶ୍ରୀମତୀ ମୁର୍ମୁ ଦାରୁଦିଅଁଙ୍କର ସ୍ୱତଃସ୍ଫୂର୍ତ୍ତ ଭକ୍ତ। ସେଥିପାଇଁ ସିନା ସେ ‘ପ୍ରତିସ୍ଥାନ ମୋର ପ୍ରିୟ ପୁରୀଧାମ’ ଦର୍ଶନରେ ଆସ୍ଥା ରଖନ୍ତି। ସେଥିପାଇଁ ସିନା ସେ ପ୍ରତିଷ୍ଠିତ ମାନ୍ୟକ୍ରମକୁ ଏଡ଼େଇ ବଡ଼ଦାଣ୍ଡରେ ଚାଲି ଚାଲି ଯାଇଥିଲେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାପାଇଁ। ସେଥିପାଇଁ ସିନା ସେ ପୁରୀ ଯିବା ପୂର୍ବରୁ ପୁରୀରେ ବହୁ ଆକାଂକ୍ଷିତ ଏ.ଏସ୍.ଆଇ. ସର୍କଲ ଖୋଲାଯାଇଥିଲା। ଭାରତର ସୁକନ୍ୟା ଏହି କଳିଙ୍ଗ କନ୍ୟା ପୃଥିବୀର ସର୍ବବୃହତ୍ ଗଣରାଜ୍ୟର ମଉଡ଼ମଣି ହେବା ଠାରୁ ଏ ଭବ୍ୟଭବନ ଓ ତା’ଚଉପାଶ ପ୍ରସାଦ ପ୍ରସାଦ ବାସୁଛି କି ଆଉ!
ମୋ: ୯୪୩୭୧୪୩୮୯୬