ଶ୍ରୀନଗରର ରାମପୋରା ଅଞ୍ଚଳର କଦମବାରି ଠାରେ ଗଲା ୧୭ ବର୍ଷ ଧରି ପଡ଼ି ରହିଥିବା ଏକ ପୋଲର ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି; କାରଣ ସ୍ଥାନୀୟ ବାସିନ୍ଦାମାନେ ଏହି କାର୍ଯ୍ୟର ଅଗ୍ରଗତି ସକାଶେ ଗୋଟିଏ ଚାଳିଶ ବର୍ଷର ପୁରୁଣା ମସଜିଦକୁ ଭାଙ୍ଗି ଦେବା ଲାଗି ରାଜି ହୋଇଛନ୍ତି। ଝେଲମ ନଦୀ ଉପରେ ହେବାକୁ ଥିବା ୧୦ କୋଟି ଟଙ୍କାର ଏହି ପ୍ରକଳ୍ପ ଲାଗି କିଛି ଘରକୁ ମଧ୍ୟ ଭାଙ୍ଗି ଦେବାକୁ ପଡ଼ିପାରେ, ତେବେ ଏଥିରେ ସବୁଠାରୁ ବଡ଼ ପ୍ରତିବନ୍ଧ ଥିଲା ଏହି ‘ଆବୁ ତୁରାବ’ ମସଜିଦ୍। ୨୦୦୨ ମସିହାରୁ ମସଜିଦ କମିଟି ଓ ସ୍ଥାନୀୟ ବାସିନ୍ଦା ଏହାର ଉଚ୍ଛେଦକୁ ବିରୋଧ କରି ଆସୁଥିଲେ। ତେବେ, ଏଥି ଲାଗି ଯିଏ ସର୍ବାଧିକ ପ୍ରଶଂସାର ପାତ୍ର, ସେ ହେଲେ ‘ଜିଲ୍ଲା ବିକାଶ କମିସନର’(ଡିସି) ସହିଦ ଇକବଲ ଚୌଧୁରୀ। କାରଣ ସ୍ଥାନୀୟ ଲୋକମାନଙ୍କୁ ବିକାଶର ଲାଭ ବିଷୟରେ ବୁଝାଇ ସେମାନଙ୍କୁ ରାଜି କରାଇ ଏକ ମସଜିଦ୍କୁ ଉଚ୍ଛେଦ କରିବା ଏକ ପ୍ରାୟ ଅସମ୍ଭବ ବ୍ୟାପାର ବୋଲି ସମସ୍ତେ ମନେ କରୁଥିଲେ ହେଁ ନିରବଚ୍ଛିନ୍ନ ପ୍ରୟାସ ବଳରେ ସେ ଏହାକୁ ସମ୍ଭବ କରାଇ ପାରିଛନ୍ତି। ପ୍ରକାଶ ଥାଉ କି କେବଳ ଏହି ମସଜିଦ୍ ନୁହେଁ, ଚୌଧୁରୀ ମହାଶୟଙ୍କ ପ୍ରୟାସରେ ଏକ ସଡ଼କର ପ୍ରଶସ୍ତୀକରଣ ଲାଗି ବାରମୂଳା ଅଞ୍ଚଳରେ ସ୍ଥାନୀୟ ବାସିନ୍ଦା ଓ ଶିଖ ସଂପ୍ରଦାୟ ଏକ ଗୁରୁଦ୍ବାରର ଉଚ୍ଛେଦ କରିବାକୁ ମଧ୍ୟ ରାଜି ହୋଇଥିଲେ।
ଝେଲମ ନଦୀ ଉପରେ ଏହି ୧୬୬ ମିଟର ଦୀର୍ଘ େସତୁ ଦ୍ବାରା କଦମବାରି ଓ ନୁରବାଗ ସଂଯୋଜିତ ହେବେ ଏବଂ ଏହା ଦ୍ବାରା ଦୁଇ ଅଞ୍ଚଳ ଲାଗି ସହରର ବିଭିନ୍ନ ସୁବିଧା ହାତ ପାହାନ୍ତାରେ ମିଳିଯାଇପାରିବ। ବିକାଶର ବିଶାରଦମାନଙ୍କ ଭାଷାରେ କୌଣସି ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ପ୍ରକୃତ ବିକାଶ ଲାଗି ଯାହା ସବୁଠାରୁ ଅଧିକ ପ୍ରୟୋଜନ, ତାହା ହେଉଛି ସଡ଼କ ଭିତ୍ତିଭୂମିର ବିକାଶ। ତେଣୁ ରାଷ୍ଟ୍ରର ବିକାଶ ଲାଗି ଅଧିକ ଉପାସନା ସ୍ଥଳ ନୁହେଁ, ବରଂ ଅଧିକ ସଂଖ୍ୟକ ସଡ଼କ, ପୋଲ ଓ ରେଳ ପଥ ନିର୍ମାଣ ଯେ ଅଧିକ ଗୁରୁତ୍ବପୂର୍ଣ୍ଣ, ତାହା ସମସ୍ତେ ହୃଦୟଙ୍ଗମ କରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/fs85h74sf8hsf98h7sf89hhhhhhhhhhhsfh6546546.jpg)