ଏହି କଂପାନି ଭୁଲିଯିବା ଉଚିତ ନୁହେଁ ଯେ ଜଣେ ବିବାହିତା ନାରୀ ପୁରୁଷର ପାରିବାରିକ ଦାୟିତ୍ବ ଲାଘବ କରିି ନିଜେ ମୁଣ୍ଡାଇବାରୁ ହିଁ ପୁରୁଷ ଜଣକ କାରଖାନାରେ ତା’ର କାର୍ଯ୍ୟରେ ଅଧିକ ସମୟ ଓ ଶକ୍ତି ବିନିଯୋଗ କରିପାରୁଛି। ଅନ୍ୟ ପ୍ରକାରେ କହିଲେ, ବିନା ପାରିଶ୍ରମିକରେ ବିବାହିତା ନାରୀ ଜଣକ ଏହାଦ୍ବାରା କଂପାନିକୁ ହିଁ ସାହାଯ୍ୟ କରିଥାଏ। ପ୍ରତିଦାନରେ କଂପାନି ସେଇ ନାରୀର ପ୍ରବେଶକୁ ନିଷିଦ୍ଧ କରିବା ଠାରୁ ଅଧିକ ଅନ୍ୟାୟ ଓ ଅକୃତଜ୍ଞ କାର୍ଯ୍ୟ ଆଉ କ’ଣ ହୋଇପାରେ? ସରକାର ତୁରନ୍ତ ହସ୍ତକ୍ଷେପ କରି ଏହି ବିକୃତିର ଅନ୍ତ ଘଟାଇବା ଜରୁରି।
ବିବର୍ତ୍ତନବାଦ ଅନୁସାରେ ମନୁଷ୍ୟ ସମେତ ସମସ୍ତ ଜୀବଜଗତକୁ ରୂପ ଦେଇଥାଏ ପ୍ରାକୃତିକ ଚୟନ ବା ‘ନାଚୁରାଲ୍ ସିଲେକ୍ସନ୍’। ଯଦି ଏକ ଅତି-ଦୀର୍ଘକାଳୀନ ଦୃଷ୍ଟିଭଙ୍ଗୀ ଅବଲମ୍ବନ କରାଯାଏ ତେବେ କୁହାଯାଇପାରେ େଯ ସେଇ ଅବିରତ ପ୍ରାକୃତିକ ଚୟନ ପ୍ରକ୍ରିୟା ହିଁ ଆଜିର ମନୁଷ୍ୟର ଆଚରଣକୁ ରୂପ ପ୍ରଦାନ କରିଥାଏ। ଏହି ପ୍ରାକୃତିକ ଚୟନ ପ୍ରକ୍ରିୟା ମାଧ୍ୟମରେ ଘଟୁଥିବା ବିବର୍ତ୍ତନ ତତ୍ତ୍ବର ଆବିଷ୍କର୍ତ୍ତା ଚାର୍ଲସ୍ ଡାର୍ୱିନ୍ ସୃଷ୍ଟିର ଏହି ରହସ୍ୟ ଭେଦ କରିବାର ମାତ୍ର କେତେ ମାସ ପୂର୍ବେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ସେ ୧୮୩୮ରେ ବିବାହର ଭଲ-ମନ୍ଦ ଦିଗମାନ ତଉଲିବା ଉଦ୍ଦେଶ୍ୟରେ ଏକ ସୁଚିନ୍ତିତ ତାଲିକା ପ୍ରସ୍ତୁତ କରିଥିଲେ। ଏହି ତାଲିକାର ଶୀର୍ଷକ ଥିଲା: ‘‘ଏହା ହିଁ ପ୍ରଶ୍ନ’’ (‘‘ଦିସ୍ ଇଜ୍ ଦି କ୍ବେଶ୍ଚନ୍’’)। ଏହି ଶୀର୍ଷକ ତଳେ ଦୁଇଟି ସ୍ତମ୍ଭରେ ଡାର୍ୱିନ୍ ବିବାହ ସପକ୍ଷରେ ଓ ବିବାହ ବିପକ୍ଷରେ ସମ୍ଭାବ୍ୟ ଯୁକ୍ତିମାନ ଲିପିବଦ୍ଧ କରିଥିଲେ। ସପକ୍ଷ ସ୍ତମ୍ଭର ନାମ ଥିଲା- ‘‘ମ୍ୟାରି’’ (‘‘ବିବାହ କର’’); ବିପକ୍ଷ ସ୍ତମ୍ଭର ନାମ ଥିଲା- ‘‘ନଟ୍ ମ୍ୟାରି’’ (‘‘ବିବାହ କରନାହିଁ’’)।
ବିବାହ ସପକ୍ଷରେ ବିବର୍ତ୍ତନବାଦ ତତ୍ତ୍ବର ଜନକ ଯେଉଁ ସମସ୍ତ କାରଣମାନ ଉଲ୍ଲେଖ କରିଥିଲେ, ସେଥିରେ ଅନ୍ତର୍ଭୁକ୍ତ ଥିଲା: ‘‘ସନ୍ତାନସନ୍ତତି - (ଯଦି ଈଶ୍ବର ପ୍ରସନ୍ନ ହୁଅନ୍ତି) - ନିରନ୍ତର ସାହଚର୍ଯ୍ୟ, (ଏବଂ ବାର୍ଦ୍ଧକ୍ୟରେ ସାଥୀ) ଯାହାର ଏଥିପାଇଁ ଆଗ୍ରହ ଥାଏ, - ଆଦର କରିବା ପାଇଁ ଏବଂ ତା’ ସହିତ ଖେଳିବା ପାଇଁ ଏକ ବସ୍ତୁ।’’ ଏହାପରେ ପୁଣି କ’ଣ ଚିନ୍ତା କରି ଡାର୍ୱିନ୍ ପୂର୍ବ ବାକ୍ୟରେ ପରିବର୍ତ୍ତନ ଘଟାଇ ସେଥିରେ ଯୋଗ କରିଥିଲେ: ‘‘ଯାହା ହେଲେ ବି ଏକ କୁକୁର ଠାରୁ ଭଲ।’’ ତା’ ପରେ ବିବାହ ସପକ୍ଷରେ ଏହି ତାଲିକାକୁ ସମ୍ପ୍ରସାରିତ କରି ସେ ଲେଖିଥିଲେ: ‘‘ଘର, ଏବଂ ଘରର ଯତ୍ନ ନେବା ପାଇଁ ଲୋକଟିଏ - ସଙ୍ଗୀତ ଓ ନାରୀସୁଲଭ ଗପସପର ଆକର୍ଷଣ - ଏ ସବୁ ନିଜର ସ୍ବାସ୍ଥ୍ୟ ପାଇଁ ଭଲ।’’ ବିବାହ ବିପକ୍ଷରେ ଅନ୍ୟ ସ୍ତମ୍ଭଟିରେ ଡାର୍ୱିନ୍ ଯେଉଁ ସମସ୍ତ କାରଣମାନ ସ୍ଥାନିତ କରିଥିଲେ, ଏଠାରେ ସେ ସବୁ ଉଲ୍ଲେଖ କରିବା ଅନାବଶ୍ୟକ, କାରଣ ଉପରୋକ୍ତ ସପକ୍ଷବାଦୀ କାରଣମାନଙ୍କର ବିଜୟ ସ୍ବରୂପ ଶେଷରେ ଡାର୍ୱିନ୍ ଏମ୍ମା ୱେଜ୍ଉଡ୍ଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ପ୍ରାକୃତିକ ଚୟନ ନିୟମର ଆବିଷ୍କର୍ତ୍ତା ପ୍ରସ୍ତୁତ କରିଥିବା ଏହି ତାଲିକା ଦେଖିଲେ ମନେ ହୁଏ ସତେ ଯେମିତି ଡାର୍ୱିନ୍ ବିଶ୍ବାସ କରୁଥିଲେ େଯ ଏହାହିଁ ହେଉଛି ପ୍ରାକୃତିକ ଚୟନ ଦ୍ବାରା ନାରୀମାନଙ୍କ ପାଇଁ ନିର୍ଦ୍ଧାରିତ ଭୂମିକା। ସୂଚନାଯୋଗ୍ୟ, ଚାର୍ଲସ୍ ତାଙ୍କର ଏହି ତାଲିକାରେ ଜଣେ ପତ୍ନୀଙ୍କ ଠାରୁ ଯାହା ଯାହା ଆଶା କରୁଥିଲେ, ପତ୍ନୀ ଏମ୍ମାଙ୍କ ଠାରୁ ସେ ତାହା ତାହା ସବୁ ପାଇଥିଲେ। ପରବର୍ତ୍ତୀ ସମୟରେ ଏମ୍ମା ଦଶଟି ସନ୍ତାନଙ୍କର ଲାଳନପାଳନ କରିବା ସହିତ ପରିବାର ଚଳାଇବା ଓ ଡାର୍ୱିନ୍ଙ୍କର ଭଗ୍ନ ସ୍ବାସ୍ଥ୍ୟର ଯତ୍ନ ନେବାରେ ବ୍ୟସ୍ତ ରହିବା ବେଳେ ଡାର୍ୱିନ୍ ତାଙ୍କର ବିଜ୍ଞାନ ଗବେଷଣାରେ ନିମଜ୍ଜିତ ରହିଥିଲେ। ଏଥିରେ ସନ୍ଦେହ ନାହିଁ ଯେ ଡାର୍ୱିନ୍ଙ୍କ ବୃତ୍ତିଗତ ସଫଳତା ପଛରେ ଏମ୍ମାଙ୍କର ଏକ ବିଶେଷ ଅବଦାନ ରହିଛି; ଯଦି ଏମ୍ମା ଏ ସମସ୍ତ ଦାୟିତ୍ବ ନିର୍ବାହ କରି ନଥାନ୍ତେ, ଡାର୍ୱିନ୍ ତାଙ୍କର ଗବେଷଣାରେ ଯଥେଷ୍ଟ ସମୟ ଓ ଧ୍ୟାନ ନିୟୋଜିତ କରିପାରି ନଥାନ୍ତେ।
ଅନ୍ୟ ଦୃଷ୍ଟିରୁ ବିଚାର କଲେ କୁହାଯାଇପାରେ େଯ ଯଦି ଏମ୍ମା ଡାର୍ୱିନ୍ ମଧ୍ୟ ଚାର୍ଲସ୍ ଡାର୍ୱିନ୍ଙ୍କ ପରି ବିଜ୍ଞାନ ଗବେଷଣାକୁ ନିଜର ବୃତ୍ତି ରୂପେ ଗ୍ରହଣ କରିଥାନ୍ତେ, ତେବେ ସେ ତାଙ୍କର ଉପରବର୍ଣ୍ଣିତ ପାରମ୍ପରିକ ଲିଙ୍ଗ-ନିର୍ଦ୍ଦିଷ୍ଟ ଦାୟିତ୍ବମାନ ନିର୍ବାହ କରିପାରି ନଥାନ୍ତେ। ଏଥିରୁ ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ଡାର୍ୱିନ୍ ସତେ ଯେମିତି ବିଶ୍ବାସ କରୁଥିଲେ ଯେ ପ୍ରାକୃତିକ ଚୟନ ବିଚାରରେ ସେ ଗବେଷଣା କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଏମ୍ମା ଉଦ୍ଦିଷ୍ଟ ଥିଲେ ପ୍ରଜନନ ଓ ପାରିବାରିକ ଦାୟିତ୍ବ ନିର୍ବାହ କରିବା ପାଇଁ। ଅନ୍ୟ ଭାବରେ କହିଲେ ଏହି ଚିନ୍ତାଧାରା ଅନୁସାରେ ବିବାହିତା ନାରୀମାନେ ସେମାନଙ୍କର ଏହି ଲିଙ୍ଗ-ନିର୍ଦ୍ଦିଷ୍ଟ ଭୂମିକା ବାହାରେ ଅନ୍ୟ କୌଣସି ବୃତ୍ତି ଗ୍ରହଣ କରିବା ସମ୍ଭବ ନୁହେଁ।
ଡାର୍ୱିନ୍ଙ୍କ ସମୟ ପରଠାରୁ ଇତିମଧ୍ୟରେ ସେଇ ବିବର୍ତ୍ତନ ପ୍ରକ୍ରିୟାର ଅଂଶସ୍ବରୂପ ପୃଥିବୀରେ ମନୁଷ୍ୟ ସମାଜରେ ଏପରି ଅନେକ ଚରମ ପରିବର୍ତ୍ତନମାନ ଘଟି ସାରିଲାଣି ଯାହା ଦେଖିଲେ ଖୋଦ୍ ଡାର୍ୱିନ୍ ମଧ୍ୟ ହତବାକ୍ ହୋଇଯାଆନ୍ତେ। ଏଭଳି ଗୋଟିଏ ହେଉଛି ନାରୀମାନଙ୍କ ପ୍ରତି ସମାଜର ଆଭିମୁଖ୍ୟ। ଏହି ସମୟ କାଳରେ ସମଗ୍ର ପୃଥିବୀରେ ବ୍ୟାପି ଯାଇଥିବା ନାରୀ ମୁକ୍ତି ବା ନାରୀ ଅଧିକାର ବା ନାରୀବାଦୀ ଆନ୍ଦୋଳନର ଫଳସ୍ବରୂପ ପ୍ରତ୍ୟେକ ସଭ୍ୟ ସମାଜରେ (କେବଳ ଇରାନ୍ ବା ଆଫଗାନିସ୍ତାନ ପରି କେତେକ ମୌଳବାଦୀ ଇସ୍ଲାମୀୟ ଦେଶମାନଙ୍କୁ ବାଦ୍ ଦେଲେ) ବର୍ତ୍ତମାନ ଜୀବନ ଓ ଜୀବିକାର ପ୍ରତ୍ୟେକ କ୍ଷେତ୍ରରେ ନାରୀମାନଙ୍କର ପୁରୁଷମାନଙ୍କ ସହିତ ସମାନ ଅଧିକାରକୁ ସ୍ବୀକୃତି ପ୍ରଦାନ କରାଯାଇ ସାରିଲାଣି। ଆଜିର ଏମ୍ମା ଡାର୍ୱିନ୍ମାନେ ଆଉ ସେ ଦିନ ଭଳି ସେମାନଙ୍କ ସ୍ବାମୀ ଡାର୍ୱିନ୍ମାନଙ୍କର ଗୃହଲକ୍ଷ୍ମୀ ବା ଖେଳଣା ହୋଇ ଜୀବନ ବିତାଇବାକୁ ବାଧ୍ୟ ନୁହନ୍ତି; ସେମାନେ ମଧ୍ୟ ନିଜର ଯୋଗ୍ୟତା ଓ ପ୍ରବୃତ୍ତି ଅନୁସାରେ ଗବେଷଣାଗାରରୁ ଯୁଦ୍ଧକ୍ଷେତ୍ର ପର୍ଯ୍ୟନ୍ତରେ ପୁରୁଷଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିପାରୁଛନ୍ତି।
ବର୍ତ୍ତମାନର ଭାରତୀୟ ସମାଜ ହେଉଛି ଏଇଭଳି ଏକ ସଭ୍ୟ ସମାଜ, ଯେଉଁଠି ଆଉ କୌଣସି ପ୍ରକାର ପୁରୁଣାକାଳିଆ ଲିଙ୍ଗଭିତ୍ତିକ ବାଛବିଚାରର ସ୍ଥାନ ନାହିଁ। ତେଣୁ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଏଠାରେ ଏକ ଗୁରୁତ୍ବପୂର୍ଣ୍ଣ ଶିଳ୍ପ କେନ୍ଦ୍ରରେ ଅନୁସୃତ ଯେଉଁ ଲୁକ୍କାୟିତ ଡାର୍ୱିନୀୟ ଲିଙ୍ଗବିଦ୍ବେଷମୂଳକ ନିଯୁକ୍ତି ନୀତିକୁ ପଦାରେ ପକାଇ ଏବେ ଏକ ରିପୋର୍ଟ ପ୍ରକାଶ କରିଛି, ତାହା ଭାରତ ଭିତରେ ଓ ବାହାରେ ସ୍ବାଭାବିକ ଭାବରେ ପ୍ରବଳ ହୈଚୈ ସୃଷ୍ଟି କରିଛି। ଗତ ସପ୍ତାହରେ ପ୍ରକାଶିତ ଏହି ରିପୋର୍ଟ ଅନୁସାରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁର ଠାରେ ସ୍ଥାପିତ ବହୁପ୍ରଚାରିତ ‘ଆପଲ୍’ର ଯୋଗାଣକାରୀ ତାଇୱାନିଜ୍ କଂପାନି ‘ଫକ୍ସକନ୍’ର ‘ଆଇ-ଫୋନ୍’ ଆସେଂବ୍ଲି ପ୍ଲାଣ୍ଟ୍ ଅନୁସରଣ କରୁଥିବା ଏକ ଅଲିଖିତ ନିୟମ ଅନୁସାରେ ସେଠାରେ ବିବାହିତା ମହିଳା (ଏମ୍ମାଙ୍କ ଭଳି)ମାନଙ୍କୁ ନିଯୁକ୍ତି ନିମିତ୍ତ ଅଯୋଗ୍ୟ ବୋଲି ବିଚାର କରାଯାଉଛି। ସେ କଂପାନି ଦ୍ବାରା ଅନୁସୃତ ଏହି ନୀତି ପଛରେ ନିହିତ ଥିବା ଅଲିଖିତ କାରଣମାନ ହେଲା- ବିବାହିତ ନାରୀମାନଙ୍କର ଗର୍ଭଧାରଣ ସମ୍ଭାବନା ଥାଏ; ପରିବାର ପାଇଁ ସେମାନେ ଅଧିକ ସମୟ ଦେଇଥାନ୍ତି; ହିନ୍ଦୁ ବିବାହିତା ନାରୀମାନେ ପିନ୍ଧୁଥିବା ଗହଣା କାରଖାନାରେ ସେମାନଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ହୋଇଥାଏ, ଇତ୍ୟାଦି।
ଏଭଳି ନୀତି ବହନ କରୁଥିବା ଲିଙ୍ଗବିଦ୍ବେଷ ଏପରି ଜଳଜଳ ହୋଇ ଦେଖାଯାଇଥାଏ ଯେ ତାହାର ଆଉ ବିଶଦ ବ୍ୟାଖ୍ୟା ଏଠାରେ ଅନାବଶ୍ୟକ। ଉଦାହରଣ ସ୍ବରୂପ ଏଭଳି କଂପାନି ବିବାହିତ ପୁରୁଷମାନଙ୍କୁ ଆଗ୍ରହ ସହକାରେ ନିଯୁକ୍ତି ପ୍ରଦାନ କରୁଥିବା ବେଳେ ବିବାହିତା ନାରୀମାନେ ସେମାନଙ୍କ ପାଇଁ ଅସ୍ପୃଶ୍ୟ ହୋଇଥାନ୍ତି। ଏହି କଂପାନି ଭୁଲିଯିବା ଉଚିତ ନୁହେଁ ଯେ ଜଣେ ବିବାହିତା ନାରୀ ପୁରୁଷର ପାରିବାରିକ ଦାୟିତ୍ବ ଲାଘବ କରିି ନିଜେ ମୁଣ୍ଡାଇବାରୁ ହିଁ ପୁରୁଷ ଜଣକ କାରଖାନାରେ ତା’ର କାର୍ଯ୍ୟରେ ଅଧିକ ସମୟ ଓ ଶକ୍ତି ବିନିଯୋଗ କରିପାରୁଛି। ଅନ୍ୟ ପ୍ରକାରେ କହିଲେ, ବିନା ପାରିଶ୍ରମିକରେ ବିବାହିତା ନାରୀ ଜଣକ ଏହାଦ୍ବାରା କଂପାନିକୁ ହିଁ ସାହାଯ୍ୟ କରିଥାଏ। ପ୍ରତିଦାନରେ କଂପାନି ସେଇ ନାରୀର ପ୍ରବେଶକୁ ନିଷିଦ୍ଧ କରିବା ଠାରୁ ଅଧିକ ଅନ୍ୟାୟ ଓ ଅକୃତଜ୍ଞ କାର୍ଯ୍ୟ ଆଉ କ’ଣ ହୋଇପାରେ? ସରକାର ତୁରନ୍ତ ହସ୍ତକ୍ଷେପ କରି ଏହି ବିକୃତିର ଅନ୍ତ ଘଟାଇବା ଜରୁରି।