ମହେଶ ଜେନା

ପୃଥିବୀ ପୃଷ୍ଠରେ ଏକଦା ବିଚରଣ କରୁଥିବା ପ୍ରାୟ ଡଜନେ ସରିକି ‘ହୋମୋ’ ଶ୍ରେଣୀର ଦୁଇ ଗୋଡ଼ିଆ ପ୍ରାଣୀମାନଙ୍କ ମଧୢରୁ ଯେଉଁ ଏକମାତ୍ର ପ୍ରଜାତି ବର୍ତ୍ତମାନ ଜୀବିତ ଅଛି, ସେ ହେଉଛୁ ଆମେ- ‘ହୋମୋ ସାପିଏନ୍‌ସ’। ଏହି ‘ହୋମୋ ସାପିଏନ୍‌ସ’ମାନଙ୍କର ଉର୍ବର ମସ୍ତିଷ୍କରୁ ଏଇମାତ୍ର ନିକଟ ଅତୀତରେ ଯେଉଁ ସବୁ ଶାସ୍ତ୍ରମାନ ଜନ୍ମ ଲାଭ କରିଛନ୍ତି, ସେଥି ମଧୢରୁ ଦୁଇଟି ହେଉଛନ୍ତି- ମନସ୍ତତ୍ତ୍ବ ଓ ଅର୍ଥଶାସ୍ତ୍ର। ଏହି ଦୁଇ ଶାସ୍ତ୍ରର ଛାତ୍ରମାନେ ‘ହୋମୋ ସାପିଏନ୍‌ସ’ମାନଙ୍କୁ ନିଜ ନିଜ ଦୃଷ୍ଟିରେ ଏକ ଚଟୁଳ ଢଙ୍ଗରେ ବର୍ଣ୍ଣନା କରିଥାନ୍ତି।

ଅନ୍ୟ ପ୍ରାଣୀମାନଙ୍କ ଠାରୁ ମନୁଷ୍ୟକୁ ଭିନ୍ନ କରିଥିବା ତା’ର ବିଭିନ୍ନ ବିଭାବମାନଙ୍କ ମଧୢରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଭାବ ହେଉଛି- ଆବେଗ। ସ୍ନେହ, ଶ୍ରଦ୍ଧା, କର୍ତ୍ତବ୍ୟବୋଧ, ଆନୁଗତ୍ୟ, ମାନ, ଅଭିମାନ, ଆଶା, ନିରାଶା ଇତ୍ୟାଦି ଭଳି ଅସୁମାରି ଆବେଗମାନଙ୍କର ସମାହାର ଘଟିଥାଏ ମନୁଷ୍ୟ ଠାରେ। ଏଥିପାଇଁ ମନସ୍ତତ୍ତ୍ବ ଛାତ୍ରମାନେ ମନୁଷ୍ୟକୁ ନାମ ଦେଇଥାନ୍ତି: ‘ହୋମୋ ଇମୋସନିକସ୍‌’ (‘ଇମୋସନ୍‌’- ଆବେଗ)। ଅର୍ଥଶାସ୍ତ୍ରର ଛାତ୍ରମାନଙ୍କ ଦୃଷ୍ଟିକୋଣ ଭିନ୍ନ। ସେମାନେ ଜାଣନ୍ତି ମନୁଷ୍ୟ କେବଳ ଆବେଗକୁ ଧରି ବଞ୍ଚି ରହିପାରିବ ନାହିଁ- ଆବେଗକୁ ଖାଇ ପାରିବ ନାହିଁ, ପିନ୍ଧି ପାରିବ ନାହିଁ, ଚଢ଼ି ପାରିବ ନାହିଁ, ତା ବଳରେ ମଉଜ ମଜଲିସ୍‌ କରି ପାରିବ ନାହିଁ…। ଏ ସବୁ କରିପାରିବା ପାଇଁ ତାକୁ ସର୍ବଦା ଲାଭକ୍ଷତି ହିସାବ କରି ଚଳିବାକୁ ପଡ଼ିବ, ଆୟ କରିବାକୁ ପଡ଼ିବ, ସଞ୍ଚୟ କରିବାକୁ ପଡ଼ିବ, ସମ୍ପତ୍ତି ଠୁଳ କରିବାକୁ ପଡ଼ିବ…। ଅର୍ଥାତ୍‌ ବଞ୍ଚି ରହି ସମୃଦ୍ଧି ହାସଲ କରିବାକୁ ହେଲେ ମନୁଷ୍ୟକୁ ଅର୍ଥଶାସ୍ତ୍ର ବା ‘ଇକନମିକ୍‌ସ’ ପ୍ରଦର୍ଶିତ ଏହି ମାର୍ଗରେ ସାବଧାନତା ସହକାରେ ଚାଲିବାକୁ ପଡ଼ିବ- ଆବେଗମାନଙ୍କୁ ଦମନ କରି, ଭାବପ୍ରବଣତାକୁ ପ୍ରଶ୍ରୟ ନ ଦେଇ। ଅର୍ଥଶାସ୍ତ୍ର ଛାତ୍ରମାନେ ତେଣୁ ମନୁଷ୍ୟକୁ ନାମ ଦେଇଥାନ୍ତି: ‘ହୋମୋ ଇକନମିକସ୍‌’।
ସାଧାରଣ ସମୟରେ ଦେଖାଯାଇଥାଏ ମନୁଷ୍ୟର ଅନ୍ୟ ସମସ୍ତ ପରିଚୟକୁ ଚାପି ରଖି ଏହି ‘ହୋମୋ ଇକନ୍‌ମିକସ୍‌’ ହିଁ ପ୍ରାୟ ଜୀବନଯାତ୍ରା ମଞ୍ଚକୁ ଦଖଲ କରି ରହିଥାଏ, ଅନ୍ୟ ପରିଚୟମାନ ସମୟ ସମୟରେ ପାର୍ଶ୍ବ ଅଭିନେତାମାନଙ୍କ ଭଳି ଦେଖା ଦେଇଥାନ୍ତି। କିନ୍ତୁ ଅସାଧାରଣ ସମୟରେ ସେ ସମୀକରଣରେ ହଠାତ୍‌ ପରିବର୍ତ୍ତନ ଘଟି ଯେ ସବୁ ଓଲଟ ପାଲଟ କରି ଦେଇପାରେ, ତାହା ବର୍ତ୍ତମାନ ଚୀନା କରୋନା ଆତଙ୍କ ସମୟରେ ଯେଉଁଭଳି ଦେଖା ଯାଇଛି, ତାହା ନିକଟ ଅତୀତରେ କେବେ ଦେଖା ଯାଇ ନଥିଲା। ଯାଜପୁରର ଯେଉଁ ମହେଶ ଜେନା ନାମକ ୨୦ ବର୍ଷର ଯୁବକ ଜଣକ ‘କନକ ନିଉଜ୍‌’କୁ ସାକ୍ଷାତ୍‌କାର ଦେଇ ବର୍ଣ୍ଣନା କରିଥିଲେ ଯେ ସେ କିପରି ମହାରାଷ୍ଟ୍ରର ସାଙ୍ଗ୍‌ଲିରୁ ଯାଜପୁର ପର୍ଯ୍ୟନ୍ତ ସୁଦୀର୍ଘ ୧,୭୦୦ କିଲୋମିଟର ଅଜଣା, ଅସାଧୢ, ବିପଦସ˚କୁଳ ପଥ ଏକ ଦଦରା ସାଇକେଲ୍‌ ଯୋଗେ ଅତିକ୍ରମ କରି ନିଜ ଗ୍ରାମକୁ ଚାଲି ଆସିଲେ, ତାଙ୍କୁ କ’ଣ ବୋଲି କହିବା- ‘ହୋମୋ ଇକନମିକସ୍‌’ ନା ହୋମୋ ‘ଇମୋସନିକସ୍‌’? ମହେଶ ଜେନା ଖୋଦ୍‌ ଏ ପ୍ରଶ୍ନର ଉତ୍ତର ଦେଇଛନ୍ତି। ତାଙ୍କୁ ଯେତେବେଳେ ପଚରାଗଲା, ସେ କାହିଁକି ଏ ଅସାଧୢ ସାଧନ କରିବାକୁ ଆଗେଇ ଆସିଲେ, ସେ ଯେଉଁ ଉତ୍ତର ଦେଇଥିଲେ, ତା’ର ସାରା˚ଶ ହେଲା: ଯଦି କରୋନା ଯୋଗୁଁ ମରିବାକୁ ହୁଏ, ତେବେ ବିଦେଶ ଭୂଇଁରେ ଶେଷ ନିଃଶ୍ବାସ ତ୍ୟାଗ କରିବା ଅପେକ୍ଷା ନିଜ ଗାଁରେ ବାପା, ମା’, ଭାଇ, ବନ୍ଧୁଙ୍କ ମେଳରେ ଆଖି ବୁଜିବା ଭଲ। ନିଃସନ୍ଦେହରେ ଦିନେ ‘ହୋମୋ ଇକନମିକସ୍‌’ ରୂପରେ ମହାରାଷ୍ଟ୍ରକୁ ଚାଲି ଯାଇଥିବା ମହେଶ ଜେନା ଏବେ ଏକ ବିଶୁଦ୍ଧ ‘ହୋମୋ ଇମୋସନିକସ୍‌’ ଅବତାରରେ ନିଜ ଗାଁକୁ ଫେରି ଆସିଛନ୍ତି।

ଗତ ସପ୍ତାହରେ ବିଶ୍ବ ବ୍ୟାଙ୍କ୍‌ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ (‘କୋଭିଡ୍‌-୧୯ କ୍ରାଇସିସ୍‌ ଥ୍ରୁ ଏ ମାଇଗ୍ରେସନ୍‌ ଲେନ୍‌ସ) ଅନୁସାରେ ଭାରତରେ ମହେଶଙ୍କ ପରି ଆଭ୍ୟନ୍ତରୀଣ ସ୍ଥାନାନ୍ତର ଗମନକାରୀଙ୍କ ସ˚ଖ୍ୟା ହେଉଛି ପ୍ରାୟ ୪ କୋଟି। ଏମାନେ ସମସ୍ତେ ଅର୍ଥନୈତିକ ପ୍ରାଣୀ ରୂପରେ ନିଜ ଗ୍ରାମ ପରିବାର ଛାଡ଼ି ଦୂରକୁ ଚାଲି ଯାଇଥିଲେ; ଏବେ ସେମାନେ ସମସ୍ତେ ମହେଶଙ୍କ ପରି ସମ୍ପୂର୍ଣ୍ଣ ଆବେଗିକ ପ୍ରାଣୀରେ ପରିଣତ ହୋଇ ଯାଇଛନ୍ତି। ଘରକୁ ବାହୁଡ଼ିବା ପାଇଁ ସେମାନେ ଯେଉଁ ସବୁ ଅସମ୍ଭବ, ଅତିମାନବୀୟ କାର୍ଯ୍ୟମାନ କରୁଛନ୍ତି, ସେସବୁ ବର୍ଣ୍ଣନାରେ ଦେଶବ୍ୟାପୀ ଗଣମାଧୢମ ଭରପୂର। ସେମାନଙ୍କର ଆବେଗର ତୀବ୍ରତା ଓ ତଜ୍ଜନିତ ହତାଶାରୁ ବେଳେ ବେଳେ ଅଘଟଣମାନ ମଧୢ ଘଟୁଛି। ଯେମିତି, ଏପ୍ରିଲ ୧୧ରେ ସୁରତର ଲୁଗାକଳରେ କାମ କରୁଥିବା ପ୍ରାୟ ୭୦ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ସେଠାରେ ବ୍ୟାପକ ପୋଡ଼ାଜଳା, ଭଙ୍ଗାରୁଜା ଘଟାଇବା ଦେଖାଯାଇଥିଲା। ଏମାନେ ସାଧାରଣତଃ ଶାନ୍ତିପ୍ରିୟ ରୂପେ ପରିଚିତ। କେବଳ ସୁରତର ସୂତାକଳମାନଙ୍କରେ ପ୍ରାୟ ୨ ଲକ୍ଷ ସରିକି ପ୍ରବାସୀ ଓଡ଼ିଆ କାର୍ଯ୍ୟ କରୁଥିବା ବେଳେ ଗୁଜରାଟରେ ପ୍ରାୟ ସାତ ଲକ୍ଷ ଅଛନ୍ତି। ଓଡ଼ିଶା ସରକାର ବର୍ତ୍ତମାନ ଗଭୀର ସମ୍ବେଦନଶୀଳତାର ପରିଚୟ ଦେବା ସହିତ ଏହି ପ୍ରବାସୀ ଓଡ଼ିଆମାନଙ୍କର ଆବେଗକୁ ସମ୍ମାନ ଦେଇ ସେମାନଙ୍କୁ ବିଭିନ୍ନ ପରିବହନ ବ୍ୟବସ୍ଥା ମାଧୢମରେ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ତାହା ମଧୢ କିଛି କମ୍‌ ଅବିଶ୍ବାସ୍ୟ ନୁହେଁ।

କେତେକ ମହଲରେ ସରକାରଙ୍କର ଏହି ପଦକ୍ଷେପର ଅର୍ଥନୈତିକ ଯଥାର୍ଥତାକୁ ପ୍ରଶ୍ନ କରାଯାଉଥିଲେ ହେଁ (ଏଠାରେ ସେମାନଙ୍କୁ ନିଯୁକ୍ତି ଦିଆ ଯାଇପାରିବ କି? ସେଠାରେ ସେମାନେ ହରାଇବାକୁ ଯାଉଥିବା ନିଯୁକ୍ତି ଫେରି ପାଇବେ କି? ଇତ୍ୟାଦି), ବର୍ତ୍ତମାନ ଏ ସବୁ ପ୍ରଶ୍ନ ପଚାରିବାର ସମୟ ନୁହେଁ। ଆବେଗ ଥମିବା ପରେ, ବିପଦ ଟଳିବା ପରେ, ଏ ସମସ୍ତ ପ୍ରଶ୍ନର ଉତ୍ତର ଖୋଜାଯିବ ଏବ˚ ସନ୍ତୋଷଜନକ ସମାଧାନର ବାଟ ମଧୢ ଖୋଲିବ, ଏଥିରେ ସନ୍ଦେହ ନାହିଁ। ତେବେ ଗୋଟିଏ କଥା। ମଇ ୩ ତାରିଖ ପରଠାରୁ ସରକାର ଯେଉଁ ପ୍ରବାସୀମାନଙ୍କୁ ଫେରାଇ ଆଣିବେ, ସେମାନଙ୍କୁ ୧୪ ଦିନିଆ କ୍ବାରେଣ୍ଟାଇନ୍‌ରେ ରଖିବା ପାଇଁ ସରକାର ପ୍ରାୟ ୭,୦୦୦ ପଞ୍ଚାୟତରେ କ୍ବାରେଣ୍ଟାଇନ୍‌ କେନ୍ଦ୍ରମାନ ସ୍ଥାପନ କରୁଛନ୍ତି, ଯେଉଁଠି କ୍ରମେ ପ୍ରାୟ ୫ ଲକ୍ଷ ପର୍ଯ୍ୟନ୍ତ ବହିରାଗତମାନଙ୍କୁ ସାମୟିକ ଅଟକ ରଖାଯାଇପାରିବ। କିନ୍ତୁ ଯଦି ଫେରନ୍ତା ପ୍ରବାସୀମାନଙ୍କୁ ସେମାନଙ୍କ ନିଜ ଗ୍ରାମରେ ସ୍ଥାପିତ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଏ, ତେବେ ହୁଏତ ସେମାନଙ୍କୁ ବାସ୍ତବରେ ନିଜ ଗ୍ରାମବାସୀମାନଙ୍କ ଠାରୁ ଦୂରେଇ ରଖିବା ସମ୍ଭବ ହୋଇନପାରେ। ଏହାର ସମାଧାନ ସ୍ବରୂପ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ସମୟରେ ଯଦି ବହିରାଗତମାନଙ୍କୁ ଦୂରଦୂରାନ୍ତରେ ଥିବା କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଆନ୍ତା, ତେବେ ଏ ସମ୍ଭାବ୍ୟ ବିପଦ ଦେଖା ଦିଅନ୍ତା ନାହିଁ।

ସମ୍ବନ୍ଧିତ ଖବର

Comments are closed.