ସଇତାନର ପ୍ରବେଶ

କଥାଟିଏ - ଯାଯାବର

ଆରବ ଦେଶର କଥାଟିଏ।

ଦୁଇ ବନ୍ଧୁଙ୍କ ଭିତରେ ପ୍ରଗାଢ଼ ବନ୍ଧୁତା ଥିଲା। ଲୋକେ କହୁଥିଲେ ଏମିତି ବନ୍ଧୁତା ଯେ ସଇତାନର ନଜର ଲାଗିଯିବ। କିନ୍ତୁ ସେମାନେ ହସି ଉତ୍ତର ଦେଉଥିଲେ- ଆମ ବନ୍ଧୁତା ଆଗରେ ସଇତାନ ବି ହାରିଯିବ।

ଥରେ ସେମାନଙ୍କ ଭେଟ ହେଲା ଜଣେ ଫକିରଙ୍କ ସହିତ। ଏଇ ଦୁଇ ବନ୍ଧୁଙ୍କ ସହିତ କଥା ହେବା ବେଳେ ଜଣେ କହି ଉଠିଲା- ଆମ ବନ୍ଧୁତା ଏତେ ପ୍ରଗାଢ଼ ଯେ ସଇତାନ ବି ତା ଭିତରେ ପଶିପାରିବ ନାହିଁ।

ଫକିର କହିଲେ- ଆପଣ ଠିକ୍‌ କହିଛନ୍ତି। ଏଠିକାର ବାତାବରଣରେ ମୁଁ ତାହା ଉପଲବ୍‌ଧି କରି ପାରୁଛି।

କିଛି ସମୟ ପରେ ଫକିର ଯିବାକୁ ବାହାରିଲେ। ସେତିକି ବେଳେ ସେ ଜଣେ ବନ୍ଧୁଙ୍କ କାନରେ ଫୁସ୍‌ଫୁସ୍‌ କରି କହିଲେ- ମୁଁ ତୁମକୁ କିଛି କହିନାହିଁ ମନେରଖ।

ତା ପରେ ଫକିର ଝଡ଼ ବେଗରେ ସେଠାରୁ ଚାଲିଗଲେ। ଫକିର କାହିଁକି ଏମିତି କହିଲେ, ସେ କଥା କାନରେ ଶୁଣିଥିବା ବନ୍ଧୁ ହଠାତ୍‌ ବୁଝିପାରିଲେ ନାହିଁ।

ତେବେ ଏ କଥାଟି ଦେଖିଥିବା ଆର ବନ୍ଧୁ ପଚାରିଲେ- ତୁମ କାନରେ ସେ କି ଗୁପ୍ତ ଜ୍ଞାନ କହିଗଲେ? ବନ୍ଧୁ ଜଣକ ଯାହା ଶୁଣିଥିଲେ ତାହା କହିଲେ। କିନ୍ତୁ ଜାଣିବାକୁ ଚାହିଁଥିବା ବନ୍ଧୁଙ୍କ ମନ ଏଥିରେ ସନ୍ତୁଷ୍ଟ ହେଲା ନାହିଁ। ତାଙ୍କ ମନରେ ଏକ କ୍ଷୀଣ ସନ୍ଦେହ ରୁଗୁରୁଗୁ ହେଲା। କାରଣ ସେମାନଙ୍କ ବନ୍ଧୁତାକୁ ବିଗାଡ଼ିବା ଲାଗି ସଇତାନ ଜନ୍ମ ନେଇ ସାରିଥିଲା।

ଫକିର ଜଣକ ତାହା ଜାଣିଥିଲେ ଓ କେବଳ ପରୀକ୍ଷା କରି ଦେଖୁଥିଲେ ସଇତାନ କ’ଣ ସତରେ ଦୁର୍ବଳ? ସେ ଜାଣିଥିଲେ ଯେ ଈଶ୍ବରଙ୍କ କ୍ଷଣିକ ଅନୁପସ୍ଥିତିରେ ସଇତାନ ପ୍ରବେଶ କରି ଆସ୍ଥାନ ଜମାଇ ଦିଏ।

ସମ୍ବନ୍ଧିତ ଖବର

Comments are closed.