ସତରଂଜ କେ ଖିଲାଡ଼ୀ

ଏକାଗ୍ରତା, ସ୍ଥିରତା, ପୁରୋଦୃଷ୍ଟି, ସ୍ମରଣ ଶକ୍ତି, ପ୍ରତ୍ୟୁତ୍ପନ୍ନମତିତା, ବୁଦ୍ଧିର ବ୍ୟବହାର ଓ ଧୈର୍ଯ୍ୟ ଭଳି ଯେଉଁ ଗୁଣଗୁଡ଼ିକ ଉଚ୍ଚକୋଟୀର ‌େଚସ୍‌ ଖେଳାଳିମାନଙ୍କୁ ସମ୍ଭବ କରାଇଥାଏ, ସେ ସବୁ ବିଭାବ ପାଞ୍ଚ ହଜାର ବର୍ଷ ଧରି ନିରବଚ୍ଛିନ୍ନ ଭାବେ ତିଷ୍ଠି ରହିଥିବା ଏକ ପ୍ରାଚୀନ ସଭ୍ୟତାର ଦାୟାଦମାନଙ୍କ ନିକଟରେ ସ୍ବାଭାବିକ ଭାବେ ଉପଲବ୍‌ଧ ବୋଲି କେତେକ ବିଶେଷଜ୍ଞ କହିଥାଆନ୍ତି, ଯାହା ବର୍ତ୍ତମାନ ପ୍ରମାଣିତ ହେବା ଆରମ୍ଭ କରିଛି ମାତ୍ର।

ଗଲା ବୁଧବାର ଦିନ ଅଠର ବର୍ଷ ବୟସ୍କ ଭାରତୀୟ ଚେସ୍‌ ଧୁରନ୍ଧର ଗ୍ରାଣ୍ଡମାଷ୍ଟର୍‌ ପ୍ରଜ୍ଞାନନ୍ଦଙ୍କ ଦ୍ବାରା ବିଶ୍ବର ଏକ ନମ୍ବର ଖେଳାଳି ମାଗ୍‌ନସ୍‌ କାର୍ଲସେନ୍‌ ଗୋଟିଏ ‘କ୍ଲାସିକାଲ୍‌ ଚେସ୍‌ ଟୁର୍ନାମେଣ୍ଟ’ରେ ପରାଜିତ ହେବା ପରେ ଚେସ୍‌ ମହାଶକ୍ତି ରୂପେ ଭାରତର ଅଭ୍ୟୁଦୟକୁ ନେଇ ସର୍ବତ୍ର ଚର୍ଚ୍ଚାମାନ ସୃଷ୍ଟି ହେବାରେ ଲାଗିଛି। ନରୱେର କାର୍ଲସେନ୍‌ ତାଙ୍କ ନିଜ ଜନ୍ମମାଟିରେ ଆୟୋଜିତ ଏହି ପ୍ରତିଦ୍ବନ୍ଦ୍ବିତାରେ ପରାସ୍ତ ହୋଇଛନ୍ତି ଏବଂ ଏହା ସହିତ ପ୍ରଜ୍ଞାନନ୍ଦଙ୍କ ହାତରେ କାର୍ଲସେନ ଚେସ୍‌ର ସବୁ ଫର୍ମାଟ୍‌ରେ ପରାଜିତ ହୋଇଛନ୍ତି। ତେବେ, କେବଳ ପ୍ରଜ୍ଞାନନ୍ଦ ନୁହନ୍ତି, ୧୭ ବର୍ଷ ବୟସ୍କ ଡି. ଗୁକେଶ ମଧ୍ୟ ବିଶ୍ବ ଚାଂପିଅନ୍‌ ହେବାର ଦ୍ବାର ଦେଶରେ ଉପନୀତ। ପ୍ରକାଶ ଥାଉ କି ସଂପ୍ରତି ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ସଂଘଟିତ ହେଉଥିବା ଅନେକ ସକାରାତ୍ମକ ପରିବର୍ତ୍ତନର କୋଳାହଳର ଅନ୍ତରାଳେ ଚେସ୍‌ ଏକ ନିରବ ବିପ୍ଳବ ସୃଷ୍ଟି କରିଛି, ଯାହା ଦୃଷ୍ଟାନ୍ତମୂଳକ ଓ ଯାହା ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ୧୯୮୮ ମସିହା ବେଳକୁ ଭାରତରେ ବିଦ୍ୟମାନ ଥିଲେ ଜଣେ ମାତ୍ର ଚେସ୍‌ ଗ୍ରାଣ୍ଡମାଷ୍ଟର, ଅଥଚ ବର୍ତ୍ତମାନ ଗ୍ରାଣ୍ଡମାଷ୍ଟରଙ୍କ ସଂଖ୍ୟା ହେଉଛି ଚଉରାଅଶୀ; ସର୍ବାଧିକ ସଂଖ୍ୟକ ଗ୍ରାଣ୍ଡମାଷ୍ଟର ଥିବା ଦେଶଙ୍କ ତାଲିକାରେ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ପରେ ଭାରତର ସ୍ଥାନ ତୃତୀୟ। ଏଭଳି ଦୃଶ୍ୟ ପରିବର୍ତ୍ତନ ପଛରେ ଯେଉଁ ତିନିଟି ମୁଖ୍ୟ କାରଣ ନିହିତ ବୋଲି ମନେ ହୋଇଥାଏ, ତହିଁରୁ ପ୍ରମୁଖ ଓ ପ୍ରଥମଟି ହେଲା ୨୦୦୦ ମସିହାରେ ବିଶ୍ବ ଚାଂପିଅନ୍‌ ରୂପେ ବିଶ୍ବନାଥନ ଆନନ୍ଦଙ୍କ ଆବିର୍ଭାବ ପରଠାରୁ ୧୦୧୨ ମସିହା ପର୍ଯ୍ୟନ୍ତ ଏହି ଶୀର୍ଷତମ ସ୍ଥାନରେ ତାଙ୍କ ପ୍ରଭୁତ୍ବ ବିସ୍ତାର; ଯାହା ଫଳରେ ସୃଷ୍ଟ ପ୍ରେରଣା ଓ ଉତ୍ସାହର ଅପୂର୍ବ ତରଙ୍ଗ ସତେ ଯେମିତି ଅସଂଖ୍ୟ ଅସାମାନ୍ୟ ପ୍ରତିଭାଧାରୀ ବାଳକ-ବାଳିକାଙ୍କୁ ଏହି କ୍ରୀଡ଼ା କ୍ଷେତ୍ରକୁ ଭସାଇ ଆଣିଥିଲା। ସଂପ୍ରତି ଭାରତରେ ପଂଜୀକୃତ ଚେସ୍‌ ଖେଳାଳିଙ୍କ ସଂଖ୍ୟା ହେଉଛି ପଚାଶ ହଜାର ଏବଂ କେଇ କୋଟି ଭାରତୀୟ ସୌଖୀନ ଖେଳାଳି ଭାବେ ଅନ୍‌ଲାଇନ୍‌ ଚେସ୍‌ ଖେଳରେ ବ୍ୟାପୃତ ଅଛନ୍ତି। ସେହି ଦୃଷ୍ଟିରୁ ପୂର୍ବତନ ବିଶ୍ବ ଚାଂପିଅନ୍‌ କିଂବଦନ୍ତୀୟ ଚେସ୍‌ ଖେଳାଳି ଗେରି କାସ୍‌ପାରୋଭ୍‌ ଯେତେବେଳେ ଏହି ବିରଳ ଭାରତୀୟ ପ୍ରତିଭାମାନଙ୍କୁ ‘ବିଶ୍ବନାଥନଙ୍କ ସନ୍ତାନ’ ରୂପେ ଅଭିହିତ କରନ୍ତି, ତହିଁରେ ଯଥାର୍ଥତା ଦେଖି ହୋଇଥାଏ। ଦ୍ବିତୀୟ କାରଣଟି ହେଉଛି ଭାରତୀୟ ଚେସ୍ ଫେଡେରେସନ ଭଳି ଏକ ସୁପରିଚାଳିତ ଓ ଶୃଙ୍ଖଳିତ କ୍ରୀଡ଼ା ଅନୁଷ୍ଠାନର ଉପସ୍ଥିତି। ପ୍ରକାଶ ଥାଉ କି ଚେସ୍‌ ଫେଡେରେସନ୍‌ ଦ୍ବାରା ପ୍ରାୟ ୨୦ଟି ଉଚ୍ଚମାନର ପ୍ରତିଯୋଗିତାମୂଳକ ଟୁର୍ନାମେଣ୍ଟ ଆୟୋଜିତ ହୋଇଥାଏ, ଯହିଁରେ ୨୦୨୨ ମସିହାରେ ପ୍ରଦାନ କରାଯାଇଥିବା ପୁରସ୍କାର ରାଶିର ପରିମାଣ ଥିଲା ୨ ଲକ୍ଷ ୬୪ ହଜାର ଡଲାର; ଭାରତୀୟ ମୁଦ୍ରାରେ ପ୍ରାୟ ୨ କୋଟି ୨୦ ଲକ୍ଷ ଟଙ୍କା। ତୃତୀୟ କାରଣଟି ହେଲା ସାମାଜିକ ଗଣମାଧ୍ୟମ ଜରିଆରେ ଚେସ୍‌ ପ୍ରତି ଆଗ୍ରହ ସୃଷ୍ଟି କରାଇବାର ଉଦ୍ୟମ; ଯାହାର ଏକ ଉଦାହରଣ ହେଲା କୋଭିଡ୍‌ କାଳୀନ ‘ନିଃସଙ୍ଗ ବାସ’ ବା ‘କ୍ବାରାନ୍‌ଟାଇନ୍‌’ର ବିରକ୍ତି ଅପନୋଦନ ସକାଶେ ତରୁଣ ବ୍ୟଙ୍ଗକାର ସମୟ ରାଇନାଙ୍କ ଦ୍ବାରା ପ୍ରସାରିତ ଚେସ୍‌ ଖେଳ ସଂବଳିତ ୟୁଟ୍ୟୁବ୍‌ ଚ୍ୟାନେଲ, ଯାହାର ସବ୍‌ସ୍କ୍ରାଇବର୍‌ଙ୍କ ସଂଖ୍ୟା ହେଉଛି ପ୍ରାୟ ୧୪ ଲକ୍ଷ। ସେ କେବଳ ଏହିଭଳି ଅସଂଖ୍ୟ ‘ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର’ ବା ‘ସାମାଜିକ ଗଣମାଧ୍ୟମ ପ୍ରଭାବବିସ୍ତାରକାରୀ’ଙ୍କ ମଧ୍ୟରୁ ମାତ୍ର ଜଣେ, ଯେଉଁମାନେ ଚେସ୍‌କୁ ଏକ ଅକଳ୍ପନୀୟ ଚୁମ୍ବକୀୟତା ପ୍ରଦାନ କରିଛନ୍ତି ଏବଂ ଏମାନଙ୍କ ମଧ୍ୟରେ କେତେକ ଗ୍ରାଣ୍ଡମାଷ୍ଟରଙ୍କ ଉପସ୍ଥିତି ଅନ୍‌ଲାଇନ୍‌ ଚେସ୍‌ ଖେଳକୁ ଏକ ଅତୁଲ୍ୟ ଉତ୍କର୍ଷ ମଧ୍ୟ ପ୍ରଦାନ କରିଛି।
ଇତିହାସରେ ପ୍ରମାଣ ଅଛି ଯେ ଆଜିକୁ ପ୍ରାୟ ଦେଢ଼ ହଜାର ବର୍ଷ ପୂର୍ବେ ଏହି କ୍ରୀଡ଼ା ଭାରତରେ ଜନ୍ମ ଲାଭ କରିଥିଲା। କୁହାଯାଏ ଯେ ଗୁପ୍ତ ସାମ୍ରାଜ୍ୟ କାଳରେ, କୌଣସି ଏକ ଯୁଦ୍ଧରେ ନିହତ ରାଜକୁମାରଙ୍କ ଏତାଦୃଶ ଦଶା ଭୋଗିବାର କାରଣ ସଂପର୍କରେ ବୁଝାଇବାକୁ ଯାଇ ସେନାପତି ମହୋଦୟ ସମ୍ରାଟଙ୍କ ସମକ୍ଷରେ ସମର ସଜ୍ଜାର ଯେଉଁ ସାଂକେତିକ ରେଖା-ଚିତ୍ର ପ୍ରସ୍ତୁତ କରିଥିଲେ, ତହିଁରୁ କୁଆଡ଼େ ଆଧୁନିକ ଚେସ୍‌ ଖେଳର ବୀଜ ପଡ଼ିଥିଲା। ପ୍ରାଚୀନ ଭାରତରେ ଚେସ୍‌ ଖେଳର ଆଦ୍ୟ ରୂପକୁ ‘ଚତୁରଙ୍ଗ’ ନାମରେ ଅଭିହିତ କରାଯାଉଥିଲା, ଯାହା ଅନେକ ବର୍ଷ ପରେ ପାରସ୍ୟରେ ପହଞ୍ଚି ‘ସତରଂଜ’ ରୂପେ ପରିଚିତ ହେଲା। ପ୍ରକାଶ ଥାଉ କି ହିମାଳୟ ପର୍ବତ କୋଳରେ ଲମ୍ବିଥିବା ମହାନ ବାଣିଜ୍ୟ ପଥ ସିଲ୍‌କ ରୁଟ୍‌ ଦେଇ ଏହି ଖେଳ ଭାରତରୁ ଚୀନ୍‌, ତା’ ପରେ କୋରିଆ ଓ ଜାପାନରେ ପଦାର୍ପଣ କରିଥିଲା। ସେହି ଭଳି ଜନୈକ ଭାରତୀୟ ମହାରାଜାଙ୍କ ଦ୍ବାରା ପ୍ରଦତ୍ତ ଉପଢ଼ୌକନ ମାଧ୍ୟମରେ ଏହି ଖେଳର ‘ପାଲି’ ଓ ‘ଗୋଟି’ ପାରସ୍ୟରେ ପହଞ୍ଚିଥିଲା, ଯେଉଁଠି ତାହା ଆରବୀ ଖଲିଫାମାନଙ୍କ ପୃଷ୍ଠ‌େପାଷକତାରେ ସମୃଦ୍ଧ ଓ ପ୍ରସାରିତ ହୋଇ ଅବଲୀଳାକ୍ରମେ ୟୁରୋପରେ ପ୍ରବେଶ କରିଥିଲା। ପ୍ରକାଶ ଥାଉ କି ଆଧୁନିକ ଚେସ୍‌ ଖେଳର ବିକାଶ ଘଟିଛି ୟୁରୋପରେ। ବ୍ରିଟିସମାନଙ୍କ ଦ୍ବାରା ଭାରତରେ ପହଞ୍ଚିଥିବା ଆଧୁନିକ ଚେସ୍‌ ଖେଳକୁ ତତ୍କାଳୀନ ମୋଗଲ ଶାସକମାନେ କୋଳେଇ ନେଇ ତା’ର ପ୍ରସାର ଘଟାଇଥିଲେ। ସେହି ଦୃଷ୍ଟିରୁ ବିଚାର କଲେ ଭାରତରେ ସୃଷ୍ଟ ଏହି କ୍ରୀଡ଼ା ସ୍ପର୍ଦ୍ଧାରେ ଏକ ମହାଶକ୍ତି ରୂପେ ଭାରତର ଉଦୟକୁ ଇତିହାସର ନ୍ୟାୟ ବୋଲି ମଧ୍ୟ ଅଭିହିତ କରାଯାଇପାରେ। ଏକାଗ୍ରତା, ସ୍ଥିରତା, ପୁରୋଦୃଷ୍ଟି, ସ୍ମରଣ ଶକ୍ତି, ପ୍ରତ୍ୟୁତ୍ପନ୍ନମତିତା, ବୁଦ୍ଧିର ବ୍ୟବହାର ଓ ଧୈର୍ଯ୍ୟ ଭଳି ଯେଉଁ ଗୁଣଗୁଡ଼ିକ ଉଚ୍ଚକୋଟୀର ‌େଚସ୍‌ ଖେଳାଳିମାନଙ୍କୁ ସମ୍ଭବ କରାଇଥାଏ, ସେ ସବୁ ବିଭାବ ପାଞ୍ଚ ହଜାର ବର୍ଷ ଧରି ନିରବଚ୍ଛିନ୍ନ ଭାବେ ତିଷ୍ଠି ରହିଥିବା ଏକ ପ୍ରାଚୀନ ସଭ୍ୟତାର ଦାୟାଦମାନଙ୍କ ନିକଟରେ ସ୍ବାଭାବିକ ଭାବେ ଉପଲବ୍‌ଧ ବୋଲି କେତେକ ବିଶେଷଜ୍ଞ କହିଥାଆନ୍ତି, ଯାହା ବର୍ତ୍ତମାନ ପ୍ରମାଣିତ ହେବା ଆରମ୍ଭ କରିଛି ମାତ୍ର।
କହିବା ବାହୁଲ୍ୟ ଯେ ଚୀନ ବା ଜାପାନ ଭଳି ସମରବିଳାସୀ ଜାତି ନିଜ ନିଜ ଦୃଷ୍ଟିଭଙ୍ଗୀ ଅନୁସାରେ ‘ଚତୁରଙ୍ଗ’ର ରୂପାନ୍ତରଣ ମଧ୍ୟ କରିଥିଲେ ଏବଂ ସେମାନଙ୍କ ଲାଗି ଏହି ଖେଳର ଅଭ୍ୟାସ ଥିଲା ଏକ ବାସ୍ତବ ଯୁଦ୍ଧରେ ସୈନ୍ୟ ପରିଚାଳନା ସକାଶେ ପ୍ରାକ୍‌ ପ୍ରସ୍ତୁତିର ପର୍ବ। କିନ୍ତୁ ଭାରତରେ ମୋଗଲ ରାଜା ଓ ନୱାବମାନେ ଚେସ୍‌ ଖେଳରୁ ମିଳୁଥିବା ଆନନ୍ଦରେ ମଗ୍ନ ରହି ବାସ୍ତବ ଯୁଦ୍ଧକୁ ସମ୍ଭବତଃ ପାସୋରି ଯାଇଥିଲେ। ୧୮୫୬ ମସିହାରେ ସ୍ବାଧୀନ ଅୱଧର ଶାସକ ୱାଜିଦ ଅଲ୍ଲୀ ଶାହଙ୍କ ପତନକୁ କେନ୍ଦ୍ର କରି ସର୍ବକାଳୀନ ମହାନ ହିନ୍ଦୀ କଥାକାର ମୁନସୀ ‌େପ୍ରମଚନ୍ଦଙ୍କ ରଚିତ ଅନବଦ୍ୟ କାହାଣୀ ‘ସତରଂଜ କେ ଖିଲାଡ଼ୀ’ ଏହି ପରିପ୍ରେକ୍ଷୀରେ ପ୍ରଣିଧାନ‌ଯୋଗ୍ୟ, ଯାହାକୁ ବରେଣ୍ୟ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ସତ୍ୟଜିତ ରାୟ ଏକ ଚମତ୍କାର ଚଳଚ୍ଚିତ୍ରର ରୂପ ମଧ୍ୟ ଦେଇଥିଲେ। ସେହି କାହାଣୀରେ ଦର୍ଶାଯାଇଛି କିଭଳି ଲକ୍ଷ୍ନୌ ସହରକୁ ବ୍ରିଟିସ ଫୌଜଙ୍କ ପ୍ରବେଶର ଖବର ପହଞ୍ଚୁଥିବା ସତ୍ତ୍ବେ ସତରଂଜ ଖେଳର ନିଶାରେ ପ୍ରମତ୍ତ ଦୁଇ ଉଚ୍ଚ ପଦାସୀନ ରାଜକର୍ମଚାରୀ ଶେଷ ପର୍ଯ୍ୟନ୍ତ ତାହାକୁ ଭ୍ରୂକ୍ଷେପ କରି ନ ଥିଲେ। କାଗଜ ପଟି ଉପରେ ହାତୀ ଦାନ୍ତର ‘ଗୋଟି’ ଚାଳନା କରି ହାରଜିତ୍‌ର ରୋମାଂଚ ମଧ୍ୟରେ ବୁଡ଼ି ରହିଥିବା ମୋଗଲ ରାଜା ଓ ନୱାବମାନେ କିଭଳି ବାସ୍ତବ ଯୁଦ୍ଧଗୁଡ଼ିକରେ ଆପଣା ରାଜ୍ୟମାନ ହରାଇଥିଲେ, ତାହା ଦର୍ଶାଇବା ଥିଲା ପ୍ରେମଚନ୍ଦଙ୍କ ଉଦ୍ଦେଶ୍ୟ। କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳି ଯାଇଛି; ଏବଂ ଏକ ଭିନ୍ନ ଦୃଶ୍ୟପଟରେ ସେହି କାଗଜର ବୋର୍ଡ‌୍ ଉପରେ ଗୋଟି ଚାଳନାର ପାରଦର୍ଶିତା ଦେଖାଇ ଭାରତୀୟ ତରୁଣତରୁଣୀମାନେ ସାମ୍ରାଜ୍ୟ ଦଖଲ କରିବାକୁ ବାହାରିଲେଣି; ଏବଂ ‌କେତେକ କଲେଣି ମଧ୍ୟ!

ସମ୍ବନ୍ଧିତ ଖବର