ବର୍ତ୍ତମାନ ଫ୍ଲାଇଓଭର୍ ତଳ ଦେଇ ଯିବାକୁ ଡର ମାଡ଼ିଲାଣି। କେତେବେଳେ ଯେ ଭୁଶୁଡ଼ିପଡ଼ିବ କହି ହେବ ନାହିଁ। ବିମାନବନ୍ଦର କଥା ଛାଡ଼ନ୍ତୁ। ଗୋଟିଏ ଦିନରେ ଦି’ ଦି’ଟା ବିମାନ ବନ୍ଦରର ଛାତ ଭୁଶୁଡ଼ି ଗଲାଣି। ବିହାରରେ ତ ପ୍ରତିଦିନ ଗୋଟେ କି ଦି’ଟା ପୋଲ କେଉଁଠି ନା କେଉଁଠି ଭୁଶୁଡ଼ି ପଡୁଛି। ଚବିଶ ଘଣ୍ଟାରେ ତିନିଟି ଓ ମାତ୍ର ଚଉଦ ଦିନରେ ବାରଟି ପୋଲ ଭୁଶୁଡ଼ି ପଡ଼ିଛି। ଥରେ ଭାବନ୍ତୁ, ଏହି ରାଜ୍ୟରେ ଯେଉଁ ଲୋକଟି ପୋଲ ଉପରେ କି ତଳ ଦେଇ ଯାଉଥିବ ସିଏ ଏହାକୁ ପାର ହେଲା ପର୍ଯ୍ୟନ୍ତ ଠାକୁରଙ୍କୁ ଡାକୁଥିବ, “ହେ ଭଗବାନ, ମୋତେ ଦୁଃଖ ସାଗରରୁ ପାର କରାଅ କି ନ କରାଅ ଅନ୍ତତଃ ଏହି ପୋଲଟିକୁ ପାର କରେଇ ଦିଅ। ଦୁଃଖ ଯାଉ କି ନ ଯାଉ ଅନ୍ତତଃ ପୈତୃକ ପ୍ରାଣଟି ନ ଯାଉ।”
ଠାକୁର ବା କ’ଣ କରିବେ? ସେ ନିଜେ ହିଁ ଏହିସବୁ ନାଟକର ଗୋବର୍ଦ୍ଦନ ଏବଂ ଏ ସବୁ ତାଙ୍କର କାର୍ଯ୍ୟ ବୋଲି ଅଭିଯୋଗ ଆସୁଛି। ଯାହାଙ୍କୁ ଆପଣ ପ୍ରାଣକର୍ତ୍ତା ବୋଲି ଡାକୁଛନ୍ତି ସିଏ ଯଦି ଆପଣଙ୍କର ପ୍ରାଣ ସଂହାର କରିବେ ତେବେ ଆପଣ କୁଆଡ଼େ ଯିବେ? ଏ କଥା ମୁଁ ନୁହେଁ, ଏହି ପୋଲ ନିର୍ମାଣକାରୀ ସଂସ୍ଥାମାନେ କହୁଛନ୍ତି। ଆପଣମାନଙ୍କର ମନେ ଥିବ ଦୁଇ ହଜାର ଷୋଳ ମସିହାରେ ଯେତେବେଳେ କଲିକତା ବିବେକାନନ୍ଦ ରୋଡ୍ରେ ଥିବା ଗୋଟିଏ ଫ୍ଲାଇଓଭର୍ ଭୁଶୁଡ଼ି କୋଡ଼ିଏରୁ ପଚିଶ ଜଣ ବ୍ୟକ୍ତି ମୃତ୍ୟୁବରଣ କଲେ ସେତେବେଳେ ଏହାର ନିର୍ମାଣକାରୀ ସଂସ୍ଥା କହିଲା, “ଏହା ହେଉଛି ‘ଆକ୍ଟ ଅଫ୍ ଗଡ୍’ ଅର୍ଥାତ୍ ଭଗବାନଙ୍କ କାର୍ଯ୍ୟ। ତେଣୁ ଏହି ବିପର୍ଯ୍ୟୟ ପାଇଁ ଆମେ ନୁହେଁ, ଭଗବାନ ହିଁ ଦାୟୀ।’’ ଯେଉଁଠି ଭଗବାନ ନିଜେ କାଠଗଡ଼ାରେ ଛିଡ଼ା ହେଲେଣି, ସେଠି ଆଉ ଆପଣ ଭଗବାନଙ୍କୁ ମୁଣ୍ଡିଆ ମାରି ଲାଭ କ’ଣ?
ଯାହା ହେଉ ଏହିଭଳି ଅବାନ୍ତର କଥାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ତୁରନ୍ତ ପ୍ରତ୍ୟାଖ୍ୟାନ କରି କହିଲେ, “ଏହା ‘ଆକ୍ଟ ଅଫ ଗଡ୍’ ନୁହେଁ, ଏହା ହେଉଛି ‘ଆକ୍ଟ ଅଫ ଫ୍ରଡ୍’ ଅର୍ଥାତ୍ ଏହା ଭଗବାନଙ୍କର କାର୍ଯ୍ୟ ନୁହେଁ ଏହା ହେଉଛି ଠକଙ୍କ କାର୍ଯ୍ୟ। ଏହା ଶୁଣି ବହୁତ ଭଲ ଲାଗିଲା, କାରଣ ଭଗବାନ ଏହି ଅପବାଦରୁ ବର୍ତ୍ତିଗଲେ। କିନ୍ତୁ ଏହି ଘଟଣା ଘଟିବାର ଠିକ୍ ଛଅ ବର୍ଷ ପରେ ଦୁଇ ହଜାର ବାଇଶ ମସିହାରେ ଯେତେବେଳେ ଗୁଜରାଟର ମୋରବି ସହରରେ ଏକ ପୋଲ ଭୁଶୁଡ଼ିଯାଇ ଶତାଧିକ ଲୋକ ମୃତ୍ୟୁବରଣ କଲେ ସେତେବେଳେ ପୁନଶ୍ଚ ଏଇ ‘ଆକ୍ଟ ଅଫ୍ ଫ୍ରଡ୍’କୁ ‘ଆକ୍ଟ ଅଫ୍ ଗଡ୍’ ବୋଲି କୁହାଗଲା ଆଉ ଭଗବାନଙ୍କ ସପକ୍ଷରେ ସଫେଇ ଦେବା ପାଇଁ କେହି ଆଗେଇ ଆସିଲେ ନାହିଁ। ଏପରିକି କୋର୍ଟ କଚେରିରେ ମଧ୍ୟ ନିର୍ମାଣକାରୀ ସଂସ୍ଥାଙ୍କ ଓକିଲ ଏହାକୁ ‘ଆକ୍ଟ ଅଫ୍ ଗଡ୍’ ବୋଲି ଯୁକ୍ତି ବାଢ଼ି କହିଲେ, “ଆମ ତରଫର ସବୁ ଠିକ୍ ଥିଲା, ଖାଲି ଯାହା ଭଗବାନ ବିଗାଡ଼ିଦେଲେ, ତେଣୁ ଆମେ ନୋହୁଁ, ଭଗବାନ ହିଁ ଦାୟୀ।’’ କେନ୍ଦ୍ର ଓ ରାଜ୍ୟ ସରକାର ଗୋଟିଏ ଦଳର ଥିଲେ, ତେଣୁ ଭଗବାନଙ୍କୁ ଏହି ଅପବାଦରୁ ବଞ୍ଚେଇବା ପାଇଁ କେନ୍ଦ୍ର କି ରାଜ୍ୟ କେହି ଆଗେଇ ଆସିଲେ ନାହିଁ।
ବନ୍ଧୁଗଣ, ଏହି ପୋଲଗୁଡ଼ିକ ଭୁଶୁଡ଼ିଯିବା ପଛରେ ଭଗବାନ ନୁହନ୍ତି ଅନ୍ୟ ଏକ ଅଦୃଶ୍ୟ ଆସୁରିକ ଶକ୍ତି କାର୍ଯ୍ୟ କରୁଛି, ଯାହା ସମସ୍ତଙ୍କ ଜ୍ଞାତସାରରେ ହେଉଥିଲେ ହେଁ କାହାରିକୁ ଦୃଶ୍ୟମାନ ହେଉ ନାହିଁ। ଏହି ଅଦୃଶ୍ୟ ଆସୁରିକ ଶକ୍ତିର ନାଁ ହେଉଛି ‘ପିସି’ ଯାହାକୁ ‘ପର୍ସେଣ୍ଟ’ ବା ଓଡ଼ିଆରେ ଶତାଂଶ କୁହାଯାଇଥାଏ। ଏହା ହେଉଛି ସମୁଦାୟ ଖର୍ଚ୍ଚର ଗୋଟିଏ ଭାଗ ଯାହାକୁ ଉତ୍କୋଚ ଭାବରେ ପୈଠ କରାଯାଇଥାଏ ଏବଂ ବିଭାଗର ତଳମୁଣ୍ଡରୁ ନେଇ ଉପର ମୁଣ୍ଡର ଅଧିକାରୀଙ୍କ ଭିତରେ ବଣ୍ଟା ଯାଇଥାଏ। ଏହା ଯେତିକି ସୀମିତ ରହିଥାଏ ପୋଲ ଭୁଶୁଡ଼ିବାର ସମ୍ଭାବନା ସେତିକି କମ୍ ଥାଏ, କିନ୍ତୁ ଏହା ଯଦି ସୀମା ଅତିକ୍ରମ କରିଯାଇଥାଏ ତେବେ ପୋଲ ହେଉ କି ଛାତ ହେଉ, କାନ୍ଥ ହେଉ କି ଫ୍ଲାଇଓଭର୍ ହେଉ ଭୁଶୁଡ଼ିବା ସୁନିଶ୍ଚିତ। କ୍ଷୀରରେ ପାଞ୍ଚ ପ୍ରତିଶତ ପାଣି ମିଶିଲେ ଚଳିବ, ଦଶ ପ୍ରତିଶତ ହେଲେ ମଧ୍ୟ ଚଳିବ କିନ୍ତୁ ଯଦି ପଚାଶରୁ ଷାଠିଏ ପ୍ରତିଶତ ମିଶିବ ତେବେ ସେ କ୍ଷୀର ଆଉ କ୍ଷୀର ହୋଇ ରହିବ କି? ତେଣୁ ପୋଲ ଭୁଶୁଡ଼ିବନି ତ ଆଉ କ’ଣ ହେବ?
ଥରେ ଭାରତର ଜଣେ ମନ୍ତ୍ରୀ ବିଦେଶ ଗସ୍ତରେ ଯାଇଥିଲେ। ବିଦେଶର ମନ୍ତ୍ରୀଙ୍କ ଘର ଓ ଚାକଚକ୍ୟପୂର୍ଣ୍ଣ ଜୀବନଶୈଳୀ ଦେଖି ସେ ଆଶ୍ଚର୍ଯ୍ୟ ହୋଇପଡ଼ିଲେ ଓ ଏହା କିପରି ସମ୍ଭବପର ହେଲା ବୋଲି ପଚାରିଲେ। ବିଦେଶୀ ମନ୍ତ୍ରୀ ତାଙ୍କୁ ତାଙ୍କ ଝର୍କା ପାଖରୁ ଦୃଶ୍ୟମାନ ହେଉଥିବା ଗୋଟିଏ ପୋଲକୁ ଦେଖେଇ କହିଲେ, “ଏହି ପୋଲଟି ଦେଖିପାରୁଛନ୍ତି?” ଭାରତୀୟ ମନ୍ତ୍ରୀ ‘ହଁ’ କହିବାରୁ ବିଦେଶୀ ମନ୍ତ୍ରୀ ସାମାନ୍ୟ ଆଖିମାରି ଦେଇ କହିଲେ, “ଦଶ ପ୍ରତିଶତ, ବୁଝିଲେ।” ଭାରତର ମନ୍ତ୍ରୀକୁ ବୁଝିବାକୁ କଷ୍ଟ ହେଲା ନାହିଁ। ସେ ଖୁସି ହୋଇ ଘରକୁ ଫେରିଲେ।
ବର୍ଷେ ଦୁଇବର୍ଷ ପରେ ସେହି ବିଦେଶୀ ମନ୍ତ୍ରୀ ଭାରତ ଗସ୍ତରେ ଆସି ସେହି ମନ୍ତ୍ରୀଙ୍କ ଘରେ ଅତିଥି ହେଲେ। ଭାରତୀୟ ମନ୍ତ୍ରୀ ମହୋଦୟଙ୍କ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଜୀବନଯାପନ, ଗହଣାଗାଣ୍ଠି ଓ ଗଣ୍ଡାଗଣ୍ଡା ଦାମୀ ଗାଡ଼ିମଟର ଦେଖି ଏହା କିପରି ସମ୍ଭବ ହେଲା ବୋଲି ପଚାରିଲେ। ଭାରତୀୟ ମନ୍ତ୍ରୀ ଝର୍କା ଦେଇ ତାଙ୍କୁ ଗୋଟେ ପୋଲ ଦେଖିବାକୁ କହିଲେ। ବିଦେଶୀ ମନ୍ତ୍ରୀଙ୍କୁ କୌଣସି ପୋଲି ଦିଶିଲା ନାହିଁ। ତେଣୁ ସେ କୌଣସି ପୋଲ ଦୃଶ୍ୟମାନ ହେଉ ନାହିଁ ବୋଲି କହିବାରୁ, ଭାରତୀୟ ମନ୍ତ୍ରୀ ଆଖି ମାରିଦେଇ ଉତ୍ତର ଦେଲେ, “ଶତ ପ୍ରତିଶତ, ବୁଝିଲେ।”
ମୋ: ୯୪୩୭୦୬୭୫୬୭
ସତ କହୁଛି: ଭଙ୍ଗା ପୋଲର କାହାଣୀ
ଶ୍ୟାମସୁନ୍ଦର ଅଗ୍ରୱାଲା