କଥାଟିଏ ଯାଯାବର, ନସିରୁଦ୍ଦିନଙ୍କ କୁକୁର

ମୁଲ୍ଲା ନସିରୁଦ୍ଦିନଙ୍କ ଘରେ ଗୋଟିଏ ଦେଶୀ କୁକୁର ଥିଲା। ମୁଲ୍ଲା ସିନା ତାକୁ ବହୁତ ଆଦର କରୁଥିଲେ, ତାଙ୍କ ପତ୍ନୀ କିନ୍ତୁ ତା ଉପରେ ଭାରି ବିଗିଡ଼ୁ ଥିଲେ। କୁକୁର ଲାଗି ସ୍ବାମୀ ସ୍ତ୍ରୀଙ୍କ ଭିତରେ ପ୍ରତି ଦିନ କଳି ହେଉଥିଲା। ମୁଲ୍ଲାଙ୍କ ସ୍ତ୍ରୀ କହୁଥିଲେ- ୟାକୁ ଜଙ୍ଗଲ ଭିତରେ ଛାଡ଼ି ଦେଇ ଆସ।
ଦିନେ ମୁଲ୍ଲା ଅତିଷ୍ଠ ହୋଇଯାଇ ତାଙ୍କ ସ୍ତ୍ରୀଙ୍କୁ କହିଲେ- ବହୁତ ହୋଇଗଲା। ଏବେ ୟାକୁ ନେଉଛି ଜଙ୍ଗଲ ଭିତରେ ଛାଡ଼ି ଦେଇ ଆସିବି।
ମୁଲ୍ଲାଙ୍କ ସ୍ତ୍ରୀଙ୍କ ଖୁସି କହିଲେ ନ ସରେ। ମୁଲ୍ଲା କୁକୁରକୁ ନେଇ ବାହାରି ଗଲେ। ମୁଲ୍ଲା ଆଗେ ଆଗେ ଚାଲିଲେ ଓ କୁକୁର ତାଙ୍କ ପ‌େଛ ପଛେ ଚାଲିଲା।
କୁକୁରକୁ ଜଙ୍ଗଲ ମଝାମଝି ଜାଗାରେ ଛାଡ଼ି ଦେବାକୁ ମନସ୍ଥ କରି ମୁଲ୍ଲା ଟିକିଏ ଅଧିକ ଭିତରକୁ ପଶିଗଲେ। ଏବେ ଆଉ ଫେରିବାର ବାଟ ପାଇଲେ ନାହିଁ। ତାଙ୍କ ବୁଦ୍ଧି ହଜିଗଲା। ଏମିତି ହେଉ ହେଉ ସଂଧ୍ୟା ହୋଇଗଲା। ତାହା ଥିଲା କୁକୁରଟିର ଖାଇବାର ସମୟ। ଏବେ ‌କୁକୁରଟି କନକନ ହୋଇ ଗୋଟିଏ ଆଡ଼େ ଚାଲିଲା। ଏବେ ମୁଲ୍ଲା ତା’ ପଛେ ପଛେ ଚାଲିଲେ।
ଏଣେ ଅନ୍ଧାର ହୋଇଗଲା ବୋଲି ମୁଲ୍ଲାଙ୍କ ପତ୍ନୀ ଭାରି ବ୍ୟସ୍ତ ହେଲେ। ଜଙ୍ଗଲ ଭିତରେ ମୁଲ୍ଲା ବାଟ ଭୁଲିଗଲେ ନାହିଁ ତ? ମନକୁ ପାପ ଛୁଇଁଲା।
କିଛି ସମୟ ପରେ ସେ ଦେଖିଲେ ମୁଲ୍ଲା ଫେରୁଛନ୍ତି। ଏବେ କୁକୁର ଆଗେ ଆଗେ ଚାଲିଛି ଓ ମୁଲ୍ଲା ତା’ ପଛେ ପଛେ। ମୁଲ୍ଲାଙ୍କ ପତ୍ନୀ ଜାଣିଲେ ଯେ କୁକୁର ଠାରୁ ଆଉ ତ୍ରାହି ନାହିଁ।

ସମ୍ବନ୍ଧିତ ଖବର