କରୋନା ପରିଚାଳନା : ପାଞ୍ଚଟି ମୂଲ୍ୟବାନ ବିଶେଷଜ୍ଞ ପରାମର୍ଶ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

‘କୋଭିଡ୍‌-୧୯’ ଦୁଃସ୍ଥିତି ପରିପ୍ରେକ୍ଷୀରେ ସାରା ବିଶ୍ବର ଲକ୍ଷ ଲକ୍ଷ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ‘ଜୁମ୍‌’ ମାଧ୍ୟମରେ ଶିକ୍ଷା ଲାଭ କରୁଛନ୍ତି। ଏ ଭଳି ଦୂର ଶିକ୍ଷଣ କେବଳ ଅଳ୍ପ ବୟସ୍କଙ୍କ ପାଇଁ ନୁହେଁ। ଆମ ଭଳି ବୟସ୍କମାନେ ମଧ୍ୟ ଏହା ମାଧ୍ୟମରେ ବହୁଳ ଭାବେ ଉପକୃତ ହୋଇପାରିବା। ତେଣୁ, ଚଳିତ ସପ୍ତାହର ପ୍ରାରମ୍ଭରେ ଦେଶର ଶ୍ରେଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ବାରା ସ˚ଚାଳିତ ଏକ ଦୁଇ ଘଣ୍ଟିଆ ଶ୍ରେଣୀରେ ଯୋଗ ଦେଇଥିଲି। ଏହା ଦ୍ବାରା ଏବର ମହାମାରୀ ବାବଦରେ ଅଧିକ ଗଭୀର ଓ ପ୍ରଗାଢ଼ ଜ୍ଞାନ ହାସଲ ହୋଇଥିଲା, ଯାହା ‘ପ୍ରାଇମ୍‌ ଟାଇମ୍‌’ ଟେଲିଭିଜନ୍‌ ସୋ ମାଧ୍ୟମରେ ପାଇବା ସମ୍ଭବ ନୁହେଁ।

ବିଶେଷଜ୍ଞଙ୍କ ମଧ୍ୟରେ ଥିଲେ ଦୁଇ ଜଣ ପ୍ରଶାସନିକ ସେବା ଅଧିକାରୀ; ଦୁହେଁ ବହୁ ବର୍ଷ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ଅନ୍ୟ ଚାରି ଜଣ ହେଉଛନ୍ତି ଡାକ୍ତର। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଏବେ ଗୋଷ୍ଠୀ ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ଆର ଦୁଇ ଜଣ ବିଶ୍ବବିଦ୍ୟାଳୟ ସ୍ତରୀୟ ପ୍ରଫେସର‌୍‌। ଏହି ଛଅ ଜଣଙ୍କ ମଧ୍ୟରେ ସାଧାରଣ ବିଶେଷତ୍ବ ହେଉଛି; ସେମାନେ ସମସ୍ତେ ଭାରତରେ ରହୁଛନ୍ତି ଏବ˚ କାମ କରୁଛନ୍ତି, ସମସ୍ତେ ନିଜ ପେସା କ୍ଷେତ୍ରରେ ଉଚ୍ଚ ପ୍ରତିଷ୍ଠିତ ଏବ˚ ମୋଦୀ ସରକାର ଏମାନଙ୍କ ମଧ୍ୟରୁ କାହା ସହ ପରାମର୍ଶ କରିନାହାନ୍ତି। ଏବେ ବି ଆଶା ଅଛି, ସେମାନଙ୍କ ପରାମର୍ଶ ନିଆଯିବ।

ଏହି ବିଶେଷଜ୍ଞମାନଙ୍କୁ ଶୁଣୁଥିବା ବେଳେ ସେମାନେ ଯାହା କହୁଥିଲେ ଟିପାଖାତାରେ ଟିପୁଥିଲି। ଯାହା ବୁଝିଲି, ତାହାର ସାରକଥା କହିବାକୁ ଯାଉଛି। ଏହା ଇତି ମଧ୍ୟରେ ସ୍ପଷ୍ଟ ହୋଇଗଲାଣି ଯେ, ପ୍ରାରମ୍ଭିକ ତାଲାବନ୍ଦୀ ଦ୍ବାରା ମହାମାରୀର ପ୍ରସାରଣ ଉପରେ ଅଙ୍କୁଶ ଲାଗିଛି। ତେବେ, ସରକାର ଏଥିରୁ ଯେଉଁ ଫାଇଦା ଉଠାଇବା କଥା ଉଠାଇପାରିନାହିଁ। ଏହି ସମୟରେ ଅଧିକରୁ ଅଧିକ ପରୀକ୍ଷା କରାଯିବାର ଥିଲା, ନିର୍ଦିଷ୍ଟ ତଥା ସ˚ଭାବ୍ୟ ହଟ୍‌ସ୍ପଟ୍‌ଗୁଡ଼ିକ ଚିହ୍ନଟ କରିବାର ଥିଲା ଏବ˚ ସର୍ବସାଧାରଣଙ୍କୁ ଠିକ୍‌ ଓ ବିଶ୍ବାସଯୋଗ୍ୟ ସୂଚନା ଦେବାର ଥିଲା।

ତାଲାବନ୍ଦୀର ସାମାଜିକ ଓ ଅର୍ଥନୀତିକ ଦିଗର ଏବେ ବ୍ୟାପକ ସମାଲୋଚନା ଚାଲିଛି। କେନ୍ଦ୍ର ସରକାରର ତରବରିଆ ପଦକ୍ଷେପ ଯୋଗୁଁ ବହୁ ସଂଖ୍ୟକ ନାଗରିକ ହଠାତ୍‌ ଚାକିରି ଓ ଜୀବିକା ହରାଇଛନ୍ତି। ସେମାନଙ୍କୁ ମାତ୍ର ଚାରି ଘଣ୍ଟା ସମୟ ଦିଆଯାଇଥିଲା। ଲକ୍ଷ ଲକ୍ଷ ଶ୍ରମଜୀବୀ ଘରଠାରୁ ଦୂରରେ ଥିଲେ। ଖାଦ୍ୟ, ଆଶ୍ରୟ ଓ ଟଙ୍କାର ଅଭାବ ଥିଲା। ସାର୍ବଜନୀନ ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁଦ୍ଧା ଦେଖିଲେ, ତାଲାବନ୍ଦୀର ପ୍ରଥମ ପର୍ଯ୍ୟାୟରେ ଯାବତୀୟ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ସ୍ବାସ୍ଥ୍ୟ ସେବା ଯୋଜନା ହିଁ ଅତି ଦୁର୍ବଳ ଥିଲା। ଫଳରେ ଘରକୁ ଫେରିବାକୁ ଚାହୁଁଥିବା ଅଳ୍ପ କିଛି ଶ୍ରମଜୀବୀ ସ˚କ୍ରମିତ ହୋଇଯାଇଥିଲେ। ଯଦି ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇଥାଆନ୍ତା, ସେମାନେ ଅପେକ୍ଷାକୃତ ନିରାପଦ ଭାବେ ଘରକୁ ଫେରିପାରିଥାଆନ୍ତେ। ସରକାର ଯେତେବେଳେ ବହୁ ବିଳମ୍ବରେ ସେମାନଙ୍କ ଫେରିବା ପାଇଁ ରେଳର ବ୍ୟବସ୍ଥା କଲା, ସେତେ ବେଳକୁ ହଜାର ହଜାର ଶ୍ରମଜୀବୀ ଭୂତାଣୁର ବାହକ ହୋଇ ସାରିଥିଲେ। ଏବେ କେନ୍ଦ୍ର, ନିଜର ଦାୟିତ୍ବ ବା ବୋଝ ରାଜ୍ୟଗୁଡ଼ିକ ଉପରେ ଲଦିଦେବାକୁ ଚେଷ୍ଟା କରୁଛି। ଯାହା ଘଟିଲା ବା ଘଟୁଛି, ଏହା ନିଶ୍ଚିତ ଭାବେ ବିଭାଜନ ପରବର୍ତ୍ତୀକାଳୀନ ସବୁଠାରୁ ଗୁରୁତର ମାନବକୃତ ବିପର୍ଯ୍ୟୟ। ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ଦାୟୀ।

ତାଲାବନ୍ଦୀ ଯେଉଁ ଭଳି ଭାବେ କାର୍ଯ୍ୟକାରୀ କରାଗଲା, ତାହା ଦ୍ବାରା ଶ୍ରେଣୀଗତ ପକ୍ଷପାତିତା ସୃଷ୍ଟି ହୋଇଛି। ସାମାଜିକ ଅସମାନତା ତ ପୂର୍ବରୁ ଥିଲା। ଏହା ଦ୍ବାରା ବହୁ ଅଧିକ ମାତ୍ରାରେ ଘନୀଭୂତ ହୋଇଛି। ଜୀବିକା ଓ ଆୟ ହରାଇ ଲକ୍ଷ ଲକ୍ଷ ଶ୍ରମଜୀବୀ ଭାରତୀୟ ଗୁରୁତର ବିପର୍ଯ୍ୟୟର ଦ୍ବାରଦେଶରେ ପହଞ୍ଚିଯାଇଛନ୍ତି। ସେମାନଙ୍କ ପାଖରେ ଖାଦ୍ୟର ଅଭାବ। ଯେଉଁ ଖାଦ୍ୟ ମିଳୁଛି, ତାହା ମଧ୍ୟ ନିମ୍ନ ମାନର। ଏହାର କୁପରିଣାମ ସ୍ବରୂପ ସେମାନେ କେବଳ ‘କୋଭିଡ୍‌-୧୯’ ନୁହେଁ ଅନ୍ୟ ବ୍ୟାଧି ଦ୍ବାରା ମଧ୍ୟ ଆକ୍ରାନ୍ତ ହେବାର ଆଶଙ୍କା ଉପୁଜିଲାଣି।

ଏହି ମହାମାରୀ ପରିପ୍ରେକ୍ଷୀରେ ମୋଦୀ ସରକାର ଅନେକ ଭୁଲ୍‌ କରୁଛି। ସରକାରୀ ଭୁଲ୍‌ ଯୋଗୁଁ ବିପର୍ଯ୍ୟୟ ବ୍ୟାପକ ହେଉଛି। ଅର୍ଥନୀତି ସ˚କଟରେ, ସମାଜ ଚାପଗ୍ରସ୍ତ, ଆମର ସ୍ବାସ୍ଥ୍ୟ ବ୍ୟବସ୍ଥା ବହୁତ ଅଧିକ ଚାପଗ୍ରସ୍ତ। ତଥାପି ସରକାର ଚାହିଁଲେ ଅନେକ କିଛି କରିପାରିବ। ଏ ବାବଦରେ ବିଶେଷଜ୍ଞମାନେ ପାଞ୍ଚଟି ମୂଲ୍ୟବାନ୍‌ ପରାମର୍ଶ ଦେଇଛନ୍ତି।

ପ୍ରଥମ- ଏବେ ଆତ୍ମତୃପ୍ତିର ବେଳ ନୁହେଁ। ଭୂତାଣୁ ଏବେ ବି ଏତେ ଗଭୀରକୁ ବ୍ୟାପିନାହିଁ। ଆସାମ, ଛତିଶଗଡ଼ ଏବ˚ ଓଡ଼ିଶାରେ ଏହାର ପ୍ରସାରଣ ବହୁତ କମ୍‌। କିନ୍ତୁ, ଆଗାମୀ ମାସଗୁଡ଼ିକରେ ବଢ଼ିଯାଇପାରେ। ଏହିସବୁ ରାଜ୍ୟଗୁଡ଼ିକରେ ସ˚କ୍ରମଣ ବହୁଗୁଣିତ ହେଲେ ସାର୍ବଜନୀନ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ିପଡ଼ିବ।

ଦ୍ବିତୀୟ- ସରକାରକୁ ‘ଭାରତୀୟ ଭେଷଜ ଗବେଷଣା ପ୍ରତିଷ୍ଠାନ’ ବାହାରେ କାମ କରୁଥିବା ମହାମାରୀ ବିଶେଷଜ୍ଞମାନଙ୍କ ସହାୟତା ନେବାକୁ ହେବ। ଏଚ୍‌ଆଇଭି, ଏଚ୍‌୧ଏନ୍‌୧ ଭୂତାଣୁ, ପୋଲିଓ ଆଦିର ନିରାକରଣ କ୍ଷେତ୍ରରେ ନିକଟ ଅତୀତରେ ସହାୟତା କରିଥିବା ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯିବା ଆବଶ୍ୟକ। ଏହି ମହାମାରୀର ସଫଳ ମୁକାବିଲା ନିମନ୍ତେ ନୀତି ନିର୍ଦ୍ଧାରଣ ଲାଗି ସେମାନଙ୍କ ଜ୍ଞାନ ଓ ଅଭିଜ୍ଞତାର ଉପଯୋଗ ଜରୁରୀ। ଏହା ଏବେ ବି ସମ୍ଭବ।

ତୃତୀୟ- ମହାମାରୀ କେବଳ ଏକ ଚିକିତ୍ସା ସ˚ପର୍କିତ ପ୍ରସଙ୍ଗ ନୁହେଁ; ଏହା ମଧ୍ୟ ଏକ ସାମାଜିକ ପ୍ରସଙ୍ଗ। ‘କୋଭିଡ୍‌-୧୯’ କାରଣରୁ ନିଶା ସେବନ, ଘରୋଇ ହି˚ସା, ଅବସାଦ ଓ ଆତ୍ମହତ୍ୟା ବଢ଼ୁଥିବା ଦେଖାଗଲାଣି। ଏ ସବୁ ସହ ମୃତ୍ୟୁ ଓ ରୋଗ, ଦାରିଦ୍ର୍ୟ ଓ ବେକାରି ଆଦି ମହାମାରୀର ଅବଶ୍ୟମ୍ଭାବୀ ପରିଣାମ। ତେଣୁ, କେବଳ ସାର୍ବଜନୀନ ସ୍ବାସ୍ଥ୍ୟ ବିଶେଷଜ୍ଞ ନୁହନ୍ତି, ଅର୍ଥଶାସ୍ତ୍ରୀ, ସମାଜବିଜ୍ଞାନୀ ଓ ମନୋବିଜ୍ଞାନୀମାନଙ୍କ ସହ ମଧ୍ୟ ସରକାର ପରାମର୍ଶ କରିବା ଦରକାର।

ଚତୁର୍ଥ- ଏବେ ଚାଲିଥିବା ‘ନିୟନ୍ତ୍ରଣ ଓ ଆଦେଶ’ ଧରଣର ପ୍ରଶାସନ ବାବଦରେ ମୋଦୀ ସରକାରକୁ ଚିନ୍ତା କରିବାକୁ ହେବ। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ବିଶ୍ବାସକୁ ନେବା ସହ ସମ୍ମାନ ଦେବାକୁ ହେବ, ଯାହା ଏବେ ଦେଖାଯାଉନାହିଁ। ରାଜ୍ୟଗୁଡ଼ିକ ପାଇବା ପାଇଁ ବାକି ଥିବା ଅର୍ଥ ତୁରନ୍ତ ଦେବାକୁ ହେବ। ତାହା ଛଡ଼ା ସେମାନଙ୍କୁ ଅତିରିକ୍ତ ଅର୍ଥ ପ୍ରଦାନ କରିବା ମଧ୍ୟ ଦରକାର। କାରଣ, ରାଜ୍ୟଗୁଡ଼ିକ ସିଧା-ସଳଖ ଭୂତାଣୁ ବିରୋଧୀ ଅଭିଯାନର ପୁରୋଭାଗରେ ଅଛନ୍ତି। ତେଣୁ, ଶାସନର ଅଧିକ ବିକେନ୍ଦ୍ରୀକରଣ ଆବଶ୍ୟକ। ଏହା ରାଜ୍ୟ, କେନ୍ଦ୍ରଠାରୁ ଏବ˚ ନଗରପାଳିକା ଓ ପଞ୍ଚାୟତ, ରାଜ୍ୟ ରାଜଧାନୀଠାରୁ ପାଇବା ଦରକାର। ଏହି ପଦ୍ଧତି ଅବଲମ୍ବନ କରି ଭୀଲଵାଡ଼ା ଜିଲ୍ଲା ଓ କେରଳ ଭଳି ରାଜ୍ୟ ସଫଳତା ପାଇଛି। ସ୍ଥାନୀୟ ନେତୃତ୍ବର ବ୍ୟାପକ ବ୍ୟବହାର ଦ୍ବାରା ସୁଫଳ ମିଳିଛି।

ଦୁର୍ଭାଗ୍ୟବଶତଃ, ଏହି ମାର୍ଗ ଅବଲମ୍ବନ କରିବା ପରିବର୍ତ୍ତେ ମୋଦୀ ସରକାର କେନ୍ଦ୍ରୀକରଣକୁ ଅଯଥା ଅଧିକ ଗୁରୁତ୍ବ ଦେଇଚାଲିଛି। ପ୍ରଧାନମନ୍ତ୍ରୀ ଏହାକୁ ଏକ ବ୍ୟକ୍ତିଗତ ପ୍ରଦର୍ଶନ କରିବାକୁ ଅଧିକରୁ ଅଧିକ ଆଗ୍ରହୀ। ନିଜେ ସବୁ କରୁଥିବା ଦେଖାଇବାକୁ ଉଦ୍ୟମ କରୁଛନ୍ତି। ସମସ୍ୟା ଜଟିଳ ଥିବା ବେଳେ ଗୃହ ମନ୍ତ୍ରାଳୟ ଯେଉଁ ଭଳି ପଦକ୍ଷେପମାନ ନେଉଛି, ତାହା ଦ୍ବାରା ସ୍ଥିତି ଅଧିକ ଜଟିଳ ହେଉଛି। ସରକାର ଆଗକୁ କେଉଁ ଭଳି ପଦକ୍ଷେପ ନେବା ଉଚିତ, ଏହି ପ୍ରସଙ୍ଗରେ ପ୍ରଶ୍ନ ହେବାରୁ ଜଣେ ବିଶେଷଜ୍ଞ ସରଳ ଭାବେ କେବଳ ଏତିକି କହିଲେ: ‘କୋଭିଡ୍‌-୧୯’ ସ˚ପର୍କିତ ସମସ୍ତ କାର୍ଯ୍ୟ, ନିଷ୍ପତ୍ତି ଓ ପଦକ୍ଷେପରୁ ଗୃହ ମନ୍ତ୍ରାଳୟକୁ ସ˚ପୂର୍ଣ୍ଣ ଭାବେ ଦୂରେଇ ରଖାଯିବା ଆବଶ୍ୟକ।

ପଞ୍ଚମ- ମହାମାରୀର ସଫଳ ମୁକାବିଲା ପାଇଁ ଲୋକେ ଏକ ମନ ଏକ ପ୍ରାଣ ହେବା ଦରକାର। ଗତ ଛଅ ବର୍ଷ ହେଲା ମୋଦୀ ସରକାର ସ୍ବେଚ୍ଛାସେବୀ ସ˚ଗଠନଗୁଡ଼ିକ ପ୍ରତି ଅତ୍ୟନ୍ତ ଶତ୍ରୁତାପୂର୍ଣ୍ଣ ମନୋଭାବ ପ୍ରଦର୍ଶନ କରିଚାଲିଛି। ଦୁର୍ଦଶା ମୁକାବିଲାରେ ଏହି କ୍ଷେତ୍ରର ସକାରାତ୍ମକ କାର୍ଯ୍ୟକୁ କେହି ଅସ୍ବୀକାର କରିପାରିବେନାହିଁ। ଏ ବାବଦରେ ମହାମାରୀ ଏହି ସରକାରର ଆଖି ଖୋଲିବ ବୋଲି ଆଶା କରିବା। ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ହେଉ ବା ଆଶ୍ରୟର ବ୍ୟବସ୍ଥା ବା ଚିକିତ୍ସା ସ˚ପର୍କିତ ପରାମର୍ଶ, ନାଗରିକ ସମାଜ ସ˚ଗଠନଗୁଡ଼ିକ ଗତ କିଛି ସପ୍ତାହ ହେଲା ଉଲ୍ଲେଖନୀୟ ପ୍ରଦର୍ଶନ କରିଆସିଲେଣି।

ଭବିଷ୍ୟତ୍‌କୁ ଦେଖିଲେ, ଇଉରୋପ୍‌ ଓ ଉତ୍ତର ଆମେରିକା ତୁଳନାରେ ଆମ ଦେଶରେ ଯୁବାଙ୍କ ସ˚ଖ୍ୟା ଅଧିକ। ଭାଗ୍ୟ ଭଲ ଥିଲେ, ଭାରତରେ ଏହି ମହାମାରୀ କମ୍‌ ସ˚ଖ୍ୟକ ଜୀବନ ନେବ। ଏହା ଥରେ ଚାଲିଗଲେ, ଆମକୁ ଯଥେଷ୍ଟ ଯତ୍ନ ଓ ଧ୍ୟାନର ସହ ଆମର ଅର୍ଥନୀତି, ସମାଜ ଏବ˚ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସଜାଡ଼ିବାକୁ ପଡ଼ିବ।

କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ, କାର୍ଯ୍ୟ ପଦ୍ଧତି ପରିବର୍ତ୍ତନ ନ କଲେ, ଆଗକୁ ପୁନର୍ନିର୍ମାଣ ସମ୍ଭବ ନୁହେଁ। ଏହାକୁ ରାଜ୍ୟଗୁଡ଼ିକୁ ଅଧିକ ସ୍ବାୟତ୍ତତା ଏବ˚ ପାଣ୍ଠି ଦେବାକୁ ହେବ। ମୁକ୍ତ-ଚିନ୍ତନ ପାଇଁ ଅନୁମତି ମିଳିବା ଦରକାର। ନାଗରିକ ସମାଜ ଅନୁଷ୍ଠାନଗୁଡ଼ିକୁ ଦମନ କରିବା ବଦଳରେ ସେଗୁଡ଼ିକର ବିକାଶ ପାଇଁ ସୁଯୋଗ ସୃଷ୍ଟି ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କୁ ନିଜକୁ ବଦଳାଇବାକୁ ହେବ। ସେ ଅଧିକ ଧ୍ୟାନର ସହ ଶୁଣିବା ଏବ˚ ଅଧିକ ପ୍ରଶସ୍ତ ଭାବେ ପରାମର୍ଶ ଲୋଡ଼ିବା ଉଚିତ। ସେ ଚିନ୍ତା ନ କରି, ତରବରିଆ ଓ ଏକପାଖିଆ ନିଷ୍ପତ୍ତି ନେବା ବନ୍ଦ କରିବା ଆବଶ୍ୟକ; ଯାହାର ପରିଣାମ ତାଙ୍କ କଳ୍ପନାତୀତ।

‘କୋଭିଡ୍‌’ ପରବର୍ତ୍ତୀ ବିଶ୍ବ ସହ ଖାପ ଖୁଆଇ ଚଳିବା ପାଇଁ ପ୍ରଧାନମନ୍ତ୍ରୀ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଦଳ ସହ ଆଲୋଚନା କରିବାକୁ ହେବ। ଆମ ଦେଶରେ ଯଥେଷ୍ଟ ସ˚ଖ୍ୟକ ଅଭିଜ୍ଞ ବିଜ୍ଞାନୀ ଓ ପ୍ରଶାସକ ଅଛନ୍ତି। ତେବେ, ସେମାନେ ଖୋଲା ହୃଦୟରେ ସହଯୋଗ ଦେବେ କି ନାହିଁ, ତାହା ସ˚ପୂର୍ଣ୍ଣ ଏକ ଭିନ୍ନ ବିଷୟ।

ସମ୍ବନ୍ଧିତ ଖବର