ପକ୍ଷ ଛେଦନ

୧୯୬୪ ମସିହା ସେପ୍ଟେମ୍ବର ମାସ ୧ ତାରିଖରେ ଚୀନ୍‌ର ହାଙ୍ଗଝୁ ଠାରେ ଜନ୍ମ ଲାଭ କରିଥିବା ମା ୟୁନ୍‌ ନାମକ ଶିଶୁ ଆଜି ଜ୍ୟାକ୍‌ ମାରେ ପରିଣତ ହେବା ପଛରେ ବିଫଳତାର ଅନେକ ପ୍ରତିବନ୍ଧ ସତ୍ତ୍ବେ ସଫଳତାର ଶିଖର ସ୍ପର୍ଶ କରିବାର ଯେଉଁ କି˚ବଦନ୍ତୀୟ ଆଖ୍ୟାନ ରହିଛି; ତାହା କେବଳ ଚୀନ୍‌ ନୁହେଁ; ତାର ସୀମା ଅତିିକ୍ରମ କରି ସାରା ବିଶ୍ବରେ ଏକ ଚମକ ସୃଷ୍ଟି କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକାର ଉଦାର ଅର୍ଥନୀତି ଓ ମୁକ୍ତ ବାଣିଜ୍ୟ ସ˚ସ୍କୃତିର ସ୍ପର୍ଦ୍ଧାବାନ ପ୍ରତୀକ ଭାବେ ଉଭା ‘ଆମାଜନ’ର ଚୀନା ଜବାବ ଭାବେ ଯେଉଁ ବିଶାଳ ଇ-କମର୍ସ ସ˚ସ୍ଥା ବିଦ୍ୟମାନ, ସେହି ‘ଆଲିବାବା’ର ସ୍ବତ୍ବାଧିକାରୀ ହେଉଛନ୍ତି ସେ। ଫୋର୍ବସ ପତ୍ରିକାର ପୃଥିବୀର ସର୍ବଶ୍ରେଷ୍ଠ ଧନୀଙ୍କ ତାଲିକାର ପ୍ରଥମ କୋଡ଼ିଏ ଜଣଙ୍କ ମଧୢରେ ତାଙ୍କ ନାମ ରହିଥାଏ। କେବଳ ଚୀନ୍‌ରେ ଯେ ସେ ଘରେ ଘରେ ପରିଚିତ ଗୋଟିଏ ନାମ ତାହା ନୁହେଁ, ସେ ହେଉଛନ୍ତି ଚୀନ୍‌ର ଅର୍ଥନୈତିକ ସଫଳତାର ଆନ୍ତର୍ଜାତିକ ଚେହେରା। ସେହି ପରିପ୍ରେକ୍ଷୀରେ ସ˚ପ୍ରତି ଚୀନ୍‌ ସରକାର ଜ୍ୟାକ୍‌ ମାଙ୍କ ପ୍ରତି ହଠାତ୍‌ କ୍ଷୁବ୍‌ଧ ହୋଇପଡ଼ି ତାଙ୍କ ପକ୍ଷ ଛେଦନ କରିବା ସହିତ ଏକ ସ˚କୁଚିତ ଆକାଶରେ ତାଙ୍କୁ କେବଳ ଖଣ୍ତି ଉଡ଼ା ଦେବାକୁ ବାଧୢ କରିବା ସର୍ବତ୍ର ବିସ୍ମୟ ସୃଷ୍ଟି କରିଛି। ଏହା ପଛରେ କ’ଣ ସମ୍ଭାବ୍ୟ କାରଣ ଥାଇପାରେ, ସେଥି ନେଇ ବ୍ୟାପକ ଚର୍ଚ୍ଚା ଚାଲିଥିବା ବେଳେ ଏହି ସ˚ଦର୍ଭରେ ଏକ ସ˚କ୍ଷିପ୍ତ ଆଲୋଚନା ଆବଶ୍ୟକ ବୋଲି ମନେ ହୁଏ।

ଏହି ଘଟଣାକ୍ରମର ପୃଷ୍ଠଭୂମି ସମ୍ବନ୍ଧରେ କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ଜ୍ୟାକ୍‌ ମାଙ୍କ ଅତ୍ୟନ୍ତ ଉଚ୍ଚାଭିଳାଷୀ ୨୮୦ ବିଲିଅନ୍‌ ଆମେରିକୀୟ ଡଲାର ଆକଳିତ ମୂଲ୍ୟର ‘ଆଣ୍ଟ ଗ୍ରୁପ୍‌’ ନାମକ ‘ଆଇପିଓ’ ବିଶ୍ବ ବ୍ୟବସାୟ କ୍ଷେତ୍ରରେ ତାର ପଦପାତ ଆରମ୍ଭ କରିବାକୁ ବସିଥିବା ବେଳେ ହଠାତ୍‌ କେତେକ ଅନିୟମିତତା ଅଭିଯୋଗରେ ଚୀନ୍‌ ସରକାର ତାକୁ ସେହି ପ୍ରକଳ୍ପରୁ ସ˚ପୂର୍ଣ୍ଣ ଓହରି ଯିବାକୁ ଆଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ସରକାରଙ୍କ ପକ୍ଷରୁ ଜ୍ୟାକ୍‌ ମାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେ ତାଙ୍କର ମୂଳକୁ ଲେଉଟି କେବଳ ‘ପେମେଣ୍ଟ’ ବ୍ୟବସାୟରେ ମନ ଦିଅନ୍ତୁ। ଉଲ୍ଲେଖନୀୟ ଯେ ବର୍ତ୍ତମାନ ଜ୍ୟାକ୍‌ ମାଙ୍କ ମୂଳ ବ୍ୟବସାୟ ‘ଆଲିବାବା’ର ଆୟ ତାଙ୍କ ସ˚ପୂର୍ଣ୍ଣ ବ୍ୟାବସାୟିକ ଆୟର ମାତ୍ର ୩୭ ପ୍ରତିଶତ; ତାଙ୍କ ବ୍ୟାବସାୟିକ ଆୟର ୬୭ ପ୍ରତିଶତ ଆସିଥାଏ ତାଙ୍କ ‘ଫିନ୍‌-ଟେକ୍‌’ କ˚ପାନିଗୁଡ଼ିକ ସୂତ୍ରରୁ ଯାହା ଜରିଆରେ ସେ ପୃଥିବୀର ବିଭିନ୍ନ ପ୍ରସିଦ୍ଧ ଉଦ୍ୟୋଗ ଏବ˚ ‘ଷ୍ଟାର୍ଟଅପ୍‌’ଗୁଡ଼ିକରେ ପୁ˚ଜି ନିବେଶ କରି ବିପୁଳ ଲାଭ ଅର୍ଜନ କରିଥାଆନ୍ତି। ପ୍ରକାଶ ଥାଉ କି ଭାରତର ବିଗ୍‌ ବାସ୍କେଟ୍‌ ବା ଜମାଟୋ ଇତ୍ୟାଦି ଭଳି ଷ୍ଟାର୍ଟଅପ୍‌ରେ ଜ୍ୟାକ୍‌ ମାଙ୍କ ପୁ˚ଜି ରହିଛି। ସୁତରା˚, ଚୀନ୍‌ ସରକାରଙ୍କ ଆଦେଶ ପରେ ଯେ ଜ୍ୟାକ୍‌ ମା ବିପୁଳ ଆୟ ହାନିର ସମ୍ମୁଖୀନ ହେବେ, ତାହା କହିବା ବାହୁଲ୍ୟ ମାତ୍ର। ସ୍ମରଣଯୋଗ୍ୟ ଯେ ଡେଙ୍ଗ ଜିଆଓପିଙ୍ଗଙ୍କ ଦ୍ବାରା ଚୀନ୍‌ରେ ପ୍ରବର୍ତ୍ତିତ ହୋଇଥିବା ମୁକ୍ତ ବାଣିଜ୍ୟ ବା ଉଦାର ଅର୍ଥନୀତିର ସିଦ୍ଧାନ୍ତ କମ୍ୟୁନିଷ୍ଟ ଦର୍ଶନର ବିପରୀତ ହୋଇଥିଲେ ମଧୢ ତାହା ହିଁ ଚୀନ୍‌କୁ ପୃଥିବୀର ବୃହତ୍ତମ ଅର୍ଥନୀତିରେ ପରିଣତ କରିବାକୁ ଯାଉଛି। ବର୍ତ୍ତମାନ ବିଶ୍ବ ଜିଡିପିରେ ଚୀନ୍‌ର ଅ˚ଶ ୧୯ ପ୍ରତିଶତ। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତର ଅର୍ବପତିମାନଙ୍କ ସ˚ଖ୍ୟାର ସମଷ୍ଟି ଯାହା, କେବଳ ଚୀନ୍‌ରେ ତା’ ଠାରୁ ଅଧିକ ସ˚ଖ୍ୟକ ଅର୍ବପତି ବିଦ୍ୟମାନ। ତେଣୁ ଏଭଳି ସ୍ଥଳେ ଚୀନ୍‌ ସରକାର ଜ୍ୟାକ୍‌ ମାଙ୍କ ଭଳି ଗୋଟିଏ ଇଗଲର ଉଡ଼ାଣକୁ ସ˚କ୍ଷିପ୍ତ କରିବାର କାରଣ କ’ଣ ହୋଇପାରେ? ଏହି ସ˚ଦର୍ଭରେ ଆଲୋଚନା ବେଳେ ଚୀନ୍‌ର ଆଉ ଜଣେ ଅର୍ବପତି ତଥା ଚୀନ୍‌ର ବୃହତ୍ତମ ରିଏଲ୍‌ ଇଷ୍ଟେଟ ବ୍ୟବସାୟୀ ରେନ୍‌ ଝିକ୍ବିଆଙ୍ଗଙ୍କ ଦଶା ଉପରେ ମଧୢ ଆଲୋକପାତ କରିବାକୁ ହେବ। ଉଲ୍ଲେଖଯୋଗ୍ୟ ଯେ ରେନ୍‌ ଝିକ୍ବିଆଙ୍ଗ କେବଳ ଜଣେ ଅତ୍ୟନ୍ତ ବିତ୍ତଶାଳୀ ବ୍ୟକ୍ତି ନୁହନ୍ତି, ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ଉପରେ ମଧୢ ତାଙ୍କର ଯଥେଷ୍ଟ ପ୍ରଭାବ ଥିଲା। କିନ୍ତୁ ଚୀନ୍‌ର ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କୁ ସମାଲୋଚନା କରି ସେ କହିଥିବା କେତେକ ବକ୍ତବ୍ୟ ଏବ˚ ‘ବିବିସି’ରେ ତାଙ୍କ ଦ୍ବାରା ଲିଖିତ ଏକ ପ୍ରବନ୍ଧ ତାଙ୍କୁ ସରକାରଙ୍କ ଏଭଳି ଚକ୍ଷୁଶୂଳ କଲା ଯେ ତାଙ୍କ ବିରୋଧରେ ଏକ ଉତ୍କୋଚ ଗ୍ରହଣର ଅଭିଯୋଗ ଅଣାଗଲା ଏବ˚ ତାର ବିଚାର ପରେ ଗଲା ସେପ୍ଟେମ୍ବର ମାସରେ ତାଙ୍କୁ ଅଠର ବର୍ଷ ଲାଗି ଜେଲ ଦଣ୍ତ ଦିଆଯାଇଛି। ସୁତରା˚, ଜ୍ୟାକ୍‌ ମାଙ୍କ ପକ୍ଷ ଛେଦନ ଏବ˚ ରେନ୍‌ ଝିକ୍ବିଆଙ୍ଗଙ୍କ ପ୍ରତି ଦଣ୍ତବିଧାନ ମଧୢରେ ଏକ ସ˚ପର୍କର ସୂତ୍ର ରହିଥିବା ବିଷୟ ଅନେକ ଚୀନା ପର୍ଯ୍ୟବେକ୍ଷକ ଆବିଷ୍କାର କରିଥାଆନ୍ତି।

ସେମାନଙ୍କ ମତରେ ଚୀନ୍‌ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପଛରେ ଯେଉଁ କାରଣ ରହିଛି ତାହା ଯେତିକି ଅର୍ଥନୈତିକ ନୁହେଁ, ତା’ଠାରୁ ଅଧିକ ବ୍ୟକ୍ତିଗତ ଏବ˚ ରାଜନୈତିକ। ସ˚ପ୍ରତି ଚୀନ୍‌ରେ ରାଷ୍ଟ୍ରପତି ସି ଜିନ ପିଙ୍ଗ ଯେଉଁଭଳି ଜନ ସମର୍ଥନ ଓ ‘ଭକ୍ତି’ ଲାଭ କରୁଛନ୍ତି, ତାହା ସମ୍ଭବତଃ ମାଓ ସେତୁ˚ଙ୍କ ପରେ ଚୀନ୍‌ର ଅନ୍ୟ କୌଣସି ଶାସନ ମୁଖ୍ୟଙ୍କ ଭାଗ୍ୟରେ ଜୁଟି ନ ଥିଲା। ସୁତରା˚, ଜ୍ୟାକ୍‌ ମାଙ୍କ ଭଳି ଅତ୍ୟନ୍ତ ସଫଳ ତଥା ଆକର୍ଷକ ବ୍ୟକ୍ତିମାନଙ୍କ ଚମକ ଦ୍ବାରା ଜିନ ପିଙ୍ଗଙ୍କ ବ୍ୟକ୍ତିତ୍ବ କଦବା କେମିତି ନିଷ୍ପ୍ରଭ ପଡ଼ିଯିବାର ଆଶଙ୍କା ସମ୍ଭବତଃ ଏଭଳି କାର୍ଯ୍ୟାନୁଷ୍ଠାନର କାରଣ ହୋଇ ଥାଇପାରେ। ଦ୍ବିତୀୟ କାରଣଟି ହେଲା ଜ୍ୟାକ୍‌ ମାଙ୍କ ଭଳି ଚୀନ୍‌ର ନବ୍ୟ ଧନୀକମାନେ ଯେଉଁଭଳି ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି, ତାହା ଅନେକ ସ୍ଥଳେ ଚୀନ୍‌ର ଜନସାଧାରଣଙ୍କ ଦ୍ବାରା ସମାଲୋଚନାର ଶରବ୍ୟ ମଧୢ ହୋଇଛି। ଏହାର କାରଣ ଚୀନ୍‌ରେ ସ˚ପ୍ରତି ପରିଲକ୍ଷିତ ହେଉଥିବା ଧନୀ ଓ ଦରିଦ୍ରଙ୍କ ମଧୢରେ କ୍ରମ ବର୍ଦ୍ଧମାନ ହୋଇ ଚାଲିଥିବା ବ୍ୟବଧାନ। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଚୀନ‌୍ରେ ଖାଉଟି ଚାହିଦାରେ ୫ ପ୍ରତିଶତ ହ୍ରାସ ଦେଖା ଦେଇଥିବା ବେଳେ ଅତି ମୂଲ୍ୟବାନ ବିଳାସ ସାମଗ୍ରୀ କ୍ରୟରେ ୫୦ ପ୍ରତିଶତ ବୃଦ୍ଧି ପାଇଛି। ସେଥିରୁ ଜଣାପଡ଼ିଛି ଯେ ଚୀନ୍‌ର ପ୍ରାୟ ୬୦ କୋଟି ଲୋକଙ୍କ ମାସିକ ଆୟ ୧୫୦ ଡଲାରରୁ କମ୍‌। ସୁତରା˚, ଏଭଳି ଏକ ସ୍ଥିତିରେ ଏକ ବିଶାଳ ଅସ୍ବଚ୍ଛଳ ଓ ଦରିଦ୍ର ଜନସାଧାରଣଙ୍କ ଈର୍ଷା ଓ କ୍ରୋଧର ପାତ୍ର ହୋଇଛନ୍ତି ଏହି ନବ୍ୟ ବିଳାସପ୍ରିୟ ଧନୀକ ଗୋଷ୍ଠୀ। ଏହାର ପ୍ରତିଫଳନ ସାମାଜିକ ଗଣମାଧୢମରେ ମଧୢ ପରିଲକ୍ଷିତ ହୋଇଛି, ଯହିଁରେ ଜ୍ୟାକ୍‌ ମାଙ୍କ ଭଳି ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ତ ଦିଆଯିବା ଉଚିତ ବୋଲି ମତ ପ୍ରକାଶ ପାଉଛି। ଭୁଲିଗଲେ ହେବ ନାହିଁ ଯେ ଚୀନ୍‌ର ରକ୍ତରେ ସାମ୍ୟବାଦର ଲୋହିତ କଣିକା ରହିଛି। ସୁତରା˚, ଜ୍ୟାକ୍‌ ମା ବା ତାଙ୍କ ଭଳି ବ୍ୟକ୍ତିଙ୍କୁ ନିୟନ୍ତ୍ରଣ ମଧୢରେ ରଖି ଜିନ ପିଙ୍ଗ ନିଜ ଲାଗି ଜନ ଆନୁଗତ୍ୟର ଯେଉଁ ତରଙ୍ଗ ସୃଷ୍ଟି କରିବା ଲାଗି ଉଦ୍ୟମ କରିଛନ୍ତି ତହିଁରେ ବିସ୍ମିତ ହେବାର ନାହିଁ। ଏବେ ‘ଆଣ୍ଟ ଗ୍ରୁପ୍‌’ ଭଳି ଆଉ ଯେଉଁ ଚୀନା ସ˚ସ୍ଥା ସରକାରୀ ଅଙ୍କୁଶ ଦ୍ବାରା ବିଦ୍ଧ ହୋଇଛି, ତାହା ହେଲା ‘ଟ୍ରେସେଣ୍ଟ’। ଉଲ୍ଲେଖଯୋଗ୍ୟ ଯେ ସେହି ଚୀନା ସ˚ସ୍ଥା ଭାରତର ଫ୍ଲିପ୍‌ କାର୍ଟ ବା ସ୍ବିଗି ଭଳି ଅନେକ ବ୍ୟବସାୟ ସ˚ସ୍ଥାରେ ପୁ˚ଜି ନିବେଶ କରିଛି।

ଜ୍ୟାକ୍‌ ମାଙ୍କୁ ଚୀନ୍‌ରେ ଶ୍ରଦ୍ଧାସୂଚକ ଭାବେ ‘ଡାଡି ମା’ ବୋଲି କୁହାଯାଏ। ସେହି ଭଳି ରେନ୍‌ ଝିକ୍ବିଆଙ୍ଗଙ୍କୁ ଯେଉଁ ଆଖ୍ୟା ମିଳିଥାଏ ତାହା ହେଲା ବିଗ୍‌ କ୍ୟାନନ୍‌ ବା ବଡ଼ ତୋପ। କିନ୍ତୁ ଏଭଳି ବିଶେଷଣର ଉଚ୍ଚାଟ ତଳେ ରହିଥିବା ମଣିଷ ଯେ କେତେ କ୍ଷୁଦ୍ର ଓ ଅସହାୟ ତାହା ଦେଖାଇ ଦେବାକୁ ଚୀନ୍‌ ସରକାର ଚାହୁଁଥିବା ଭଳି ମନେ ହୋଇଥାଏ।

ସମ୍ବନ୍ଧିତ ଖବର