ପ୍ରିୟାପ୍ରୀତି ତୋଷଣ

ସତ୍ୟନାରାୟଣ ଗନ୍ତାୟତ

ଲେଖା-ଲେଖି କରି କିଛି ପତ୍ରପତ୍ରିକାରେ ସ୍ଥାନିତ ହେବା ସହ ଚାରି ଜଣରେ ପାଞ୍ଚ ହୋଇ ସଭାସମିତି ଓ ଉତ୍ସବାଦିରେ ଦୃଶ୍ୟମାନ ହେବାର ଚେଷ୍ଟାରେ ଥିବା ବନ୍ଧୁ ଜଣକ ସେଦିନ ବଡ ମନ ଦୁଃଖରେ କହିଲେ ଯେ ସାହିତ୍ୟ କ୍ଷେତ୍ରରେ ବି ପ୍ରିୟାପ୍ରୀତି ତୋଷଣ ନାକେଦମ୍‌ କରି ପକାଇଲାଣି।

ଆମେ କହିଲୁ- ଏଥିରେ ନୂଆ କ’ଣ? ରାଜାରାଜୁଡ଼ା ଅମଳରୁ ତ ଏସବୁ ଚଳି ଆସିଚି। ରାଜାଙ୍କୁ ଭଣତି କରି ଯେଉଁ ଲେଖା ହେଉଥିଲା, ତା’ ଆଉ କ’ଣ କି?

ସେ କହିଲେ- ତୁମେ ଭାଇ କାହୁଁ ବୁଝିବ ଲେଖିବାର କଷ୍ଟ ଠୁ କେମିତି ବଳି ପଡୁଚି ତାକୁ ନେଇ ଆଗକୁ ବଢ଼ିବାର ଯାତନା? ଲେଖାଟିଏ ଲେଖିଲୁ ଯଦି ତାହା ତ ପୁଣି ପ୍ରକାଶିତ ହେବ ନା ନାଇଁ? କିନ୍ତୁ ଛାପିବା କେମିତି? ପତ୍ର-ପତ୍ରିକାରେ ତ ସ୍ବଜନ ତୋଷଣ ଚାଲିଛି!

ମୁଁ କହିଲି- କିନ୍ତୁ କେବେ ଭାବିଛନ୍ତି କି ଆପଣଙ୍କ ଲେଖା ଯେତେବେଳେ ବି ପ୍ରକାଶିତ ହୋଇଛି, ସେତିକି ବେଳେ ଏମିତି ଅନେକଙ୍କ ଲେଖା ବାହାରି ନ ପାରି ରହିଯାଇଥିବ?

ଏହା ଶୁଣି ସେ ଚଟ୍‌ କିନା କଥାର ମୋଡ଼ ବଦଳାଇ କହିଲେ – ହଉ ଛପାଛପି କଥା ଛାଡ଼। କବିତା ବା ଗଳ୍ପ ପାଠୋତ୍ସବଗୁଡ଼ିକୁ ଦେଖୁ ନାହାନ୍ତି? କେମିତି କିଛି ନିର୍ଦ୍ଦିଷ୍ଟଙ୍କୁ ହିଁ ସର୍ବଦା ସୁଯୋଗ ମିଳୁଛି?

ମୁଁ କହିଲି- ଖାଲି ସାହିତ୍ୟ ନୁହେଁ, ସବୁ କ୍ଷେତ୍ର‌େର କିଛି ନା କିଛି ପ୍ରିୟାପ୍ରୀତି ତୋଷଣ ଚାଲିଛି। କିନ୍ତୁ ତା’ ବୋଲି ଏକଦମ ତା’ରି ଉପରେ ନିର୍ଭର କରି ସବୁ ଚାଲିଛି ବୋଲି କହିବା କି ଠିକ ହେବ? କାରଣ ତାହା ହୋଇଥିଲେ ଏବେ ଯେମିତି ପ୍ରତିଭାମାନେ ଫୁଟୁଛନ୍ତି, ସେମିତି ଫୁଟ‌ନ୍ତେ କି? ଆଉ ମନେ ରଖ ଯେଉଁ କେତେକ ତୋଷଣ ଦ୍ବାରା ପୋଷି ହେଉଛନ୍ତି, ସେମାନଙ୍କ ଗତି ଅଧିକ ଦୂର ନୁହେଁ। କାରଣ ସମୟ ଅଚିରେ ସେମାନଙ୍କ ଡଙ୍କ ମୋଡ଼ି ଫିଙ୍ଗିଦେବ। ଏମିତି ହୋଇ ଚାଲିଛି ବନ୍ଧୁ। ଯଦି ତୁମ ଲେଖା ନିହାତି ଭଲ, ତେବେ ତୁମର ଲେଖାକୁ ଆଗକୁ ବଢ଼ିବାରୁ କେହି ରୋକି ପାରିବେ ନାହିଁ। ଆଉ ଯେଉଁମାନେ ଖାଲି ପ୍ରିୟାପ୍ରୀତି ତୋଷଣ ଚାଲିଛି ବୋଲି ଅପର ବିରୋଧରେ ବିଷୋଦ୍‌ଗାର କରି ଚାଲିଛନ୍ତି, ସେମାନେ ଆପଣାର ଅପ୍ରାପ୍ତିରୁ ଯେତିକି ଦୁଃଖିତ ହୁଅନ୍ତି ନାହିଁ, ଅପରର ପ୍ରାପ୍ତି ସେମାନଙ୍କୁ ଅଧିକ ବିଚଳିତ କରି ପକାଏ, ଈର୍ଷାନ୍ବିତ କରି ପକାଏ।

ବନ୍ଧୁ କହିଲେ- କିନ୍ତୁ ଛପା ହେଲେ ତ ପ୍ରେରଣା ଟିକକ ମିଳେ! ତୁମ କଥା ଅନୁସାରେ ଆମ ଭଳି ଲୋକଙ୍କୁ ତ ତାହା ଆଦୌ ମିଳିବନି?

ଆମେ କହିଲୁ- ପ୍ରେରଣା ମିଳିବ। ଦେଖନ୍ତୁ, ଆପଣ ଯେ ଲେଖି ପାରୁଛନ୍ତି ତାହା ତ ଗୋଟିଏ ବଡ଼ ପ୍ରେରଣାର କଥା। ଆପଣ ଲେଖାଲେଖିରୁ ଯଦି ଆନନ୍ଦ ପାଉଛନ୍ତି, ତାହା ହେଉଛି ସବୁଠାରୁ ବଡ଼ କଥା। ଲେଖା ଛପା ହେଲେ ଆନନ୍ଦ ବଢ଼େ ସତ, କିନ୍ତୁ ତା’ ଉପରେ ନିର୍ଭର କରନ୍ତୁ ନାହିଁ। କାରଣ ଲେଖାଲେଖି ସିନା ଆପଣଙ୍କ ହାତର କଥା, ଛାପିବା ଆପଣଙ୍କ ହାତର କଥା ନୁହେଁ! ତେବେ, ଦେଖିବେ କେହି ନା କେହି ଦିନେ ଆପଣଙ୍କୁ ଛାପିବେ। ମନେ ରଖିବେ ବର୍ଷକୁ ଗୋଟିଏ ଛପା ହେଉ ପଛକେ ଅତିି ଭଲ ଲେଖା ବାହାରୁ। ତାହା ଦଶଟି ବାଜେ ଲେଖା ଛପା ହେବା ଠାରୁ ଶ୍ରେୟସ୍କର। ଆଉ ମୋର ଲେଖା ଛପା ହେଲା ନାହିଁ ବା ହେବାରେ ଡେରି ହେଉଛି ବୋଲି ପ୍ରିୟାପ୍ରୀତି ତୋଷଣ ଚାଲିଛି ବୋଲି ଧାରଣା ରଖନ୍ତୁ ନାହିଁ। ଜାଁ ପଲ ସାର୍ତ୍ତେଙ୍କୁ ତ ପଢ଼ିଥିବ? ସେ କ’ଣ କହିଥିଲେ? ସେ କହିଥିଲେ- ପଛକେ ଗୋଟିଏ ବାକ୍ୟ ଲେଖିବି, କିନ୍ତୁ ତାହା ଯେମିତି ହୋଇଥିବ ଏକ ଅମର ବାକ୍ୟ!

ବନ୍ଧୁ ଟିକିଏ ନିରବ ରହିଲେ ଓ ତା’ ପରେ କହିଲେ- ତୁମେ ତ ଭାଇ କେବେ ଲେଖାଲେଖି କରନାହିଁ, କିନ୍ତୁ ଅନୁଭବୀ ଭଳି କହିପାରୁଛ କେମିତି?

‘‘ସୁହାସିତମ୍‌’’, କସ୍ତୁରୀ ନଗର
ରାୟଗଡ଼ା-୭୬୫୦୦୧

ସମ୍ବନ୍ଧିତ ଖବର