ବିଶ୍ୱାସ ଓ ବିଜ୍ଞାନ

ଏପ୍ରିଲ୍‌ ପହିଲା ଦିନ ହରିଦ୍ବାରରେ ହିନ୍ଦୁମାନଙ୍କର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଧାର୍ମିକ ମେଳା ରୂପେ ବିବେଚିତ କୁମ୍ଭମେଳା ଆରମ୍ଭ ହୋଇଯାଇଛି ଓ ଏହା ଏକ ମାସ ଧରି ଚାଲିବ। ପାପ ମୋଚନ ଓ ମୋକ୍ଷ ପାଇଁ ଅଗଣିତ ଧର୍ମବିଶ୍ବାସୀ ହିନ୍ଦୁ ଏହି ସମୟରେ ମେଳାସ୍ଥଳୀରେ ସମ୍ପୃକ୍ତ ପୁଣ୍ୟତୋୟା ନଦୀର ଅମୃତ ସମ ଜଳରେ ବୁଡ଼ ପକାଇ ଥାନ୍ତି। ୨୦୧୯ରେ ଅନୁଷ୍ଠିତ ପ୍ରୟାଗ କୁମ୍ଭମେଳାରେ ବିଭିନ୍ନ ଆକଳନ ଅନୁସାରେ ତିନିରୁ ପାଞ୍ଚ କୋଟି ପର୍ଯ୍ୟନ୍ତ ଭକ୍ତ ଗଙ୍ଗା-ଯମୁନା ସ˚ଗମରେ ବୁଡ଼ ପକାଇବା ଦେଖାଯାଇଥିଲା। ଏପ୍ରିଲ୍‌ ୪ ତାରିଖ ଥିଲା ଖ୍ରୀଷ୍ଟିଆନ୍‌ମାନଙ୍କ ପାଇଁ ପବିତ୍ରତମ ଦିବସମାନଙ୍କ ମଧୢରେ ଅଗ୍ରଗଣ୍ୟ ‘ଇଷ୍ଟର ସନ୍‌ଡେ’। ଗୁଡ୍‌ ଫ୍ରାଇଡେ ଦିନ କ୍ରୁଶବିଦ୍ଧ ହୋଇ ଦେହାବସାନ ଘଟିଥିବା ଯୀଶୁଙ୍କର ଏହିଦିନ ପୁନର୍ଜନ୍ମ ଘଟିଥିଲା। ଧର୍ମବିଶ୍ବାସୀ ଖ୍ରୀଷ୍ଟିଆନ୍‌ମାନେ ଏ ଦିନ ଚର୍ଚ୍ଚ ମାନଙ୍କରେ ଅନୁଷ୍ଠିତ ପ୍ରାର୍ଥନା ସଭାରେ ଭିଡ଼ ସୃଷ୍ଟି କରିଥାନ୍ତି। ଏପ୍ରିଲ୍‌ ୧୨ ତାରିଖରୁ ଇସଲାମ ଧର୍ମାବଲମ୍ବୀମାନଙ୍କର ପବିତ୍ର ରମଜାନ୍‌ ମାସ ଆରମ୍ଭ, ଯେଉଁ ସମୟରେ ଧର୍ମବିଶ୍ବାସୀ ମୁସଲମାନମାନେ ଉପବାସ, ଆତ୍ମନିରୀକ୍ଷଣ ଏବ˚ ପ୍ରାର୍ଥନାରେ ସମୟ ବିତାଇବେ। ଏହି ପର୍ବର ପ୍ରସ୍ତୁତି ପାଇଁ ସେମାନେ ବଜାର ହାଟରେ ଭିଡ଼ ଜମାଇଥାନ୍ତି ଓ ପ୍ରାର୍ଥନା ପାଇଁ ମସ୍‌ଜିଦମାନଙ୍କରେ ଭିଡ଼ ଜମାଇଥାନ୍ତି।

ଧର୍ମବିଶ୍ବାସର ପ୍ରବଳ ଆକର୍ଷଣ ଯେତେବେଳେ କିନ୍ତୁ ପୃଥିବୀର ଏହି ତିନି ପ୍ରମୁଖ ଧର୍ମର ଅନୁଗାମୀମାନଙ୍କୁ ଭିଡ଼ ସୃଷ୍ଟି କରିବାକୁ ପ୍ରବୃତ୍ତ କରିଥାଏ, ସେଇ ସମୟରେ ବର୍ଷବ୍ୟାପୀ ପୃଥିବୀବାସୀଙ୍କୁ ହନ୍ତସନ୍ତ କରି ଚାଲିଥିବା ଚୀନା କରୋନାର ଦ୍ବିତୀୟ/ତୃତୀୟ ଲହରୀ ପୁଣି ମାଡ଼ି ଯିବାକୁ ଆରମ୍ଭ କରିଛି। ଅନେକ ସମୟରେ ପାର୍ଥିବ ସ˚ସାରରେ ମନୁଷ୍ୟ ସମ୍ମୁଖୀନ ହେଉଥିବା କରୋନା ଭଳି ବିପଦରୁ ଉଦ୍ଧାର ପାଇବା ପାଇଁ ମନୁଷ୍ୟ ଅପାର୍ଥିବ ଧର୍ମବିଶ୍ବାସର ଆଶ୍ରୟ ନେବା ଦେଖାଯାଇଥାଏ। କରୋନା ସୃଷ୍ଟି କରୁଥିବା ଭୂତାଣୁ ଭଳି ଏକ ପାର୍ଥିବ ବସ୍ତୁ ଉପରେ ବିଶ୍ବାସ ଭଳି ଏକ ଅପାର୍ଥିବ ବସ୍ତୁର ପ୍ରଭାବ କ’ଣ, ତାହା ନିର୍ଦ୍ଦିଷ୍ଟ ଭାବରେ କାହାରିକୁ ଜଣା ନାହିଁ। କିନ୍ତୁ ତଥାପି ବିଶ୍ବାସକୁ ଆଶ୍ରୟ କରି ଭୂତାଣୁ ସ˚କ୍ରମଣ ସମ୍ଭାବନାକୁ ଖାତିର ନକରି ଏଭଳି ଧର୍ମୀୟ ଅବସରରେ ସର୍ବନିମ୍ନ ସତର୍କତା ଉଲ୍ଲ˚ଘନ କରିବା ପାଇଁ ପ୍ରସ୍ତୁତ ଥିବା ଶ୍ରଦ୍ଧାଳୁଙ୍କ ସ˚ଖ୍ୟା କିଛି କମ୍‌ ନହୋଇ ପାରେ।

ବିଶ୍ବାସ ହିଁ ସେମାନଙ୍କୁ ସୁରକ୍ଷିତ ରଖିବ ବୋଲି ସେମାନେ ବଦ୍ଧମୂଳ ଧାରଣା ପୋଷଣ କରିଥାନ୍ତି। ଏଥିରୁ ସେମାନଙ୍କୁ ସମ୍ପୂର୍ଣ୍ଣ ନିବୃତ୍ତ କରିବା ଅସମ୍ଭବ ମନେ ହୋଇ ପାରେ; କିନ୍ତୁ କର୍ତ୍ତୃପକ୍ଷଙ୍କର ଦାୟିତ୍ବ ହେଉଛି ଏଥିଯୋଗୁଁ ବିପଦ ସୃଷ୍ଟି ହେବା ସମ୍ଭାବନାକୁ ସର୍ବନିମ୍ନ କରିବା। ଯେମିତି, ହରିଦ୍ବାର ଠାରେ ଉଦ୍ୟମ କରାଯାଇଛି। ସେଠାରେ ଗଙ୍ଗା ଘାଟରେ ସାମାଜିକ ଦୂରତା ରକ୍ଷାରୁ ମାସ୍କ ପରିଧାନ ପର୍ଯ୍ୟନ୍ତ ନିଶ୍ଚିତ କରିବା ପାଇଁ ଭକ୍ତମାନଙ୍କୁ ଡାକବାଜି ଯନ୍ତ୍ର ଓ ଅନ୍ୟାନ୍ୟ ପ୍ରଚାର ମାଧୢମ ସହାୟତାରେ ଅନବରତ ଆହ୍ବାନ ଦିଆଯିବା ସହିତ ପର୍ଯ୍ୟାପ୍ତ ସ˚ଖ୍ୟକ ସାନିଟାଇଜର‌୍‌ ଯୋଗାଣକାରୀ ବୁଥ୍‌ମାନ ସ୍ଥାପନ କରାଯାଇଛି। ସେତିକି ନୁହେଁ, ବୁଡ଼ ପକାଇବା ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ବିଗତ ୭୨ ଘଣ୍ଟା ମଧୢରେ ‘ଆରଟି-ପିସିଆର‌’ ପରୀକ୍ଷା ଦ୍ବାରା ନିଜକୁ କୋଭିଡ୍‌ ମୁକ୍ତ ସାବ୍ୟସ୍ତ କରୁଥିବା ସାର୍ଟିଫିକେଟ୍‌ ସାଙ୍ଗରେ ଧରି ଆସିବା ବାଧୢତାମୂଳକ କରାଯାଇଛି। ଭକ୍ତମାନଙ୍କର ବିଶ୍ବାସ ଯେତେ ଦୃଢ଼ ହୋଇଥାଉ ନା କାହିଁକି, ସେମାନଙ୍କୁ ଏ ସମସ୍ତ ସାବଧାନତା ଅବଲମ୍ବନ କରିବାକୁ ହେବ। ଅଲିଭର‌‌ କ୍ରମ୍‌େଵଲ୍‌ ତାଙ୍କର ସୈନ୍ୟମାନଙ୍କୁ ଦେଇଥିବା ଆହ୍ବାନ ଭଳି: ‘‘ତୁଣ୍ତରେ ପ୍ରଭୁଙ୍କୁ ପ୍ରାର୍ଥନା କରୁଥାଅ, କିନ୍ତୁ ବନ୍ଧୁକର ବାରୁଦକୁ ମଧୢ ଶୁଷ୍କ ରଖ।’’

କ୍ରମ୍‌େଵଲ୍‌ଙ୍କ ଦେଶ ଇ˚ଲାଣ୍ତରେ ଆଜିର କରୋନାଗ୍ରସ୍ତ ଇଷ୍ଟର‌ ସନ୍‌ଡେ ଦିନ ତାଙ୍କର ସପ୍ତଦଶ ଶତାବ୍ଦୀର ସେଇ ବାସ୍ତବବାଦୀ ଉପଦେଶ ଅକ୍ଷରେ ଅକ୍ଷରେ ପାଳିତ ହେବା ଦେଖାଯାଇଛି। ବିଗତ ଦଶନ୍ଧିମାନଙ୍କରେ ସେ ଦେଶରେ ଜନସାଧାରଣଙ୍କ ମଧୢରେ ବସ୍ତୁବାଦର ଦୂରନ୍ତ ଆକର୍ଷଣରେ ବୃଦ୍ଧି ସହିତ ତାଳ ଦେଇ ଆଧୢାତ୍ମ୍ୟବାଦର ତୀବ୍ର ସ୍ଖଳନ ଘଟିବା ଯୋଗୁଁ ଚର୍ଚ୍ଚମାନଙ୍କରେ ଉପସ୍ଥାନ ଶୀର୍ଣ୍ଣ ହୋଇ ଯାଇଥିଲା। କରୋନା ଜନିତ ସୁଦୀର୍ଘ ଲକ୍‌ଡାଉନ୍‌ ଯୋଗୁଁ ଲୋକମାନଙ୍କ ମଧୢରେ ସୃଷ୍ଟି ହୋଇଥିବା ନିଃସଙ୍ଗ ଅସହାୟତା ସେମାନଙ୍କୁ ଏବେ ପୁଣି ଈଶ୍ବରଙ୍କ ଶରଣ ପଶି ଆଧୢାତ୍ମିକତାରେ ଆଶ୍ରୟ ଖୋଜିବା ପାଇଁ ଅଭୂତପୂର୍ବ ସ˚ଖ୍ୟାରେ ଚର୍ଚ୍ଚମୁହାଁ କରିବା ଦେଖା ଯାଇଛି। ଚର୍ଚ୍ଚମୁହାଁ, କିନ୍ତୁ ଗୋଠ ବାନ୍ଧି ଚର୍ଚ୍ଚରେ ପ୍ରବେଶ କରିବାକୁ ନୁହେଁ- କ୍ରମ୍‌େଵଲ୍‌ଙ୍କ ଉପଦେଶ ମାନିବା ଭଳି ନିରାପଦ ଦୂରତାରେ ଥାଇ ଯୀଶୁଙ୍କ ବାଣୀ ଶୁଣି ନିଜର ମନୋବଳ ବୃଦ୍ଧି କରିବା କରୋନା ସମୟରେ ଉଚିତ କାର୍ଯ୍ୟ ବୋଲି ସେମାନେ ବିଶ୍ବାସ କରୁଛନ୍ତି।

ଏହାର ବଳିଷ୍ଠ ଉଦାହରଣ ଦେଖିବାକୁ ମିଳିଛି ଇଷ୍ଟର‌‌ ସନ୍‌ଡେ ଦିନ। ସେଦିନ ଆଙ୍ଗ୍ଲିକାନ୍‌ ଚର୍ଚ୍ଚର ମୁଖ୍ୟ କାଣ୍ଟର‌ବରିର ଆର୍ଚ୍ଚବିଶପ୍‌ (ରେମାନ୍‌ କ୍ୟାଥଲିକ୍‌ ମାନଙ୍କର ପୋପ୍‌ଙ୍କ ଭଳି) ଯେତେବେଳେ କାଣ୍ଟର‌୍‌ବରି କ୍ୟାଥେଡ୍ରାଲ୍‌ରୁ ଇଷ୍ଟର‌ ସର‌ମନ୍‌ (ପ୍ରବଚନ) ପ୍ରଦାନ କଲେ, ତାଙ୍କ ସମ୍ମୁଖସ୍ଥ ବେଞ୍ଚ୍‌ମାନ ପ୍ରାୟ ସମ୍ପୂର୍ଣ୍ଣ ଫାଙ୍କା ପଡ଼ିଥିଲା, କିନ୍ତୁ ରେଡିଓ, ଟେଲିଭିଜନ୍‌ ଓ ଅନ୍‌-ଲାଇନ୍‌ ମାଧୢମରେ ତାଙ୍କର ପ୍ରବଚନର ଶ୍ରୋତା/ଦର୍ଶକଙ୍କ ସ˚ଖ୍ୟା ଥିଲା ପ୍ରାୟ ୫୦ ଲକ୍ଷ, ଯାହା ଥିଲା ଚିରାଚରିତ ଇଷ୍ଟର‌ ଶ୍ରୋତା ସ˚ଖ୍ୟାର ପ୍ରାୟ ୨,୫୦୦ ଗୁଣ! ଏହା ସୂଚାଇଥାଏ ଏହି ଶ୍ରଦ୍ଧାଳୁମାନଙ୍କର ଈଶ୍ବରଙ୍କଠାରେ ବିଶ୍ବାସ ଅଛି, କିନ୍ତୁ କରୋନା ଭୂତାଣୁ ସହିତ ସେ ବିଶ୍ବାସର କୌଣସି ସମ୍ପର୍କ ନାହିଁ: ଈଶ୍ବରଙ୍କ ଇଲାକା ହେଉଛି ମନୁଷ୍ୟର ଆତ୍ମା; ଭୂତାଣୁର ଇଲାକା ହେଉଛି ମନୁଷ୍ୟର ଶରୀର। ଯେମିତି ଆଇନ୍‌ଷ୍ଟାଇନ୍‌ଙ୍କ ‘ସାଧାରଣ ଆପେକ୍ଷିକ ତତ୍ତ୍ବ’ ଦ୍ବାରା ପ୍ରଭାବିତ ହୋଇ ବିଶ୍ବର ‘ବିଗ୍‌ ବ୍ୟାଙ୍ଗ୍‌’ ବା ‘ମହା ବିସ୍ଫୋରଣ’ ଉତ୍ପତ୍ତି-ତତ୍ତ୍ବର ଆବିଷ୍କର୍ତ୍ତା ବେଲ୍‌ଜିଅମ୍‌ ଜନ୍ମିତ କ୍ୟାଥଲିକ୍‌ ଧର୍ମଯାଜକ- ବୈଜ୍ଞାନିକ ଜର୍ଜ ଲେମାଇତ୍ର କହିଥିଲେ କ୍ୟାଥଲିକ୍‌ମାନଙ୍କର ସର୍ବୋଚ୍ଚ ଧର୍ମଗୁରୁ ତତ୍‌କାଳୀନ ପୋପ୍‌ ଦ୍ବାଦଶ ପାୟସ୍‌ଙ୍କୁ।

ବାଇବ୍‌ଲ ଅନୁସାରେ ଈଶ୍ବର ହିଁ ବିଶ୍ବର ସର୍ଜନା କରିଛନ୍ତି; ବିଜ୍ଞାନ କିନ୍ତୁ ଏହା ସ୍ବୀକାର କରେ ନାହିଁ। ପୋପ୍‌ ପାୟସ୍‌ କିନ୍ତୁ ବିଶ୍ବାସ କରୁଥିଲେ ଯେ ବିଜ୍ଞାନ ଯେତେ ଆଗେଇବ, ଈଶ୍ବରଙ୍କ ଉପସ୍ଥିତି ସେତେ ପ୍ରକଟିତ ହେବ; ‘‘ସତେ ଯେମିତି ବିଜ୍ଞାନ ଖୋଲି ଦେଉଥିବା ପ୍ରତ୍ୟେକ କବାଟ ପଛରେ ଈଶ୍ବର ଧୈର୍ଯ୍ୟର ସହ ଅପେକ୍ଷା କରି ରହିଥିଲେ ଦେଖା ଦେବା ପାଇଁ।’’ ପୋପ୍‌ଙ୍କ ଯୁକ୍ତି ହେଲା- ଯଦି ‘ବିଗ୍‌ ବ୍ୟାଙ୍ଗ୍‌’ରୁ ବିଶ୍ବର ସୃଷ୍ଟି, ତେବେ ଏ ସୃଷ୍ଟି ହେଉଛି ସମୟାଶ୍ରୟୀ, ତେଣୁ ଏହାର ଜଣେ ସ୍ରଷ୍ଟା ଅଛନ୍ତି; ଏବ˚ ସେ ସ୍ରଷ୍ଟା ହେଉଛନ୍ତି ବାଇବ୍‌ଲ ବର୍ଣ୍ଣିତ ଈଶ୍ବର। ଲେମାଇତ୍ର ୧୯୫୧ରେ ପୋପ୍‌ଙ୍କର ଏତାଦୃଶ ବକ୍ତବ୍ୟ ପରେ ତାଙ୍କୁ ବୁଝାଇ ଦେଇଥିଲେ ଯେ ଧର୍ମର କାର୍ଯ୍ୟ ପରିସର ହେଉଛି ମନୁଷ୍ୟର ଆତ୍ମା ଓ ମୋକ୍ଷ; ବିଜ୍ଞାନର କାର୍ଯ୍ୟ ହେଉଛି ପ୍ରକୃତିର ଅନୁଶୀଳନ, ଯେଉଁଥିରେ ଧର୍ମ ଦଖଲ ଦେବା ଉଚିତ ନୁହେଁ। ପୋପ୍‌ ପାୟସ୍‌ ତା’ ପରଠାରୁ ଆଉ କେବେ କହିବାକୁ ଚେଷ୍ଟା କରିବା ଦେଖାଗଲା ନାହିଁ ଯେ ବାଇବ୍‌ଲର ରଚୟିତା ମଧୢ ଜଣେ ମହାକାଶ ବିଜ୍ଞାନୀ ଥିଲେ! ପାଦ୍ରି ଲେମାଇତ୍ର ତାଙ୍କର ଧର୍ମ ଓ ତାଙ୍କର ବିଜ୍ଞାନକୁ ପରସ୍ପର ଠାରୁ ଅଲଗା ରଖିଥିବା ଭଳି ଆମେ ଆତ୍ମାର ଶାନ୍ତି ବା ମୋକ୍ଷ ପାଇଁ କୁମ୍ଭରେ ବୁଡ଼ ପକାଇବା କିମ୍ବା ମସ୍‌ଜିଦ୍‌ରେ ପ୍ରାର୍ଥନା କରିବା; କିନ୍ତୁ ଏସବୁ କରିବା ବେଳେ ସ˚କ୍ରମଣରୁ ଦୂରରେ ରହିବା ପାଇଁ ବିଜ୍ଞାନ ପ୍ରଦର୍ଶିତ ମାର୍ଗ ମଧୢ ଅନୁସରଣ କରିବା ଜରୁରୀ।

ସମ୍ବନ୍ଧିତ ଖବର