ମନେ ପକାଇ ଦେବାର ଇଲମ

କଥାଟିଏ - ଯାଯାବର

ଉଜ୍‌ବେକିସ୍ତାନର ଗୋଟିଏ ଗାଁରେ ରହୁଥିଲା ଜଣେ ଅତି ସୁବିଧାବାଦୀ ଲୋକ। ତାର ଯେତେବେଳେ ଦରକାର ପଡୁଥିଲା, ସେ ଲୋକଙ୍କ ପାଖରୁ ସାହାଯ୍ୟ ଭିକ୍ଷା କରୁଥିଲା। କିନ୍ତୁ ଥରେ ସାହାଯ୍ୟ ପାଇ ତାର ସମସ୍ୟାଟିର ସମାଧାନ ହୋଇଗଲେ ସାହାଯ୍ୟକାରୀକୁ ଭୁଲି ଯାଉଥିଲା।

ସେଇ ଗାଁଟି ଥିଲା ମୁଲ୍ଲା ନସିରୁଦ୍ଦିନଙ୍କ ଗାଁ। ଥରେ ମୁଲ୍ଲାଙ୍କ ପାଖରେ ଆସି ପହଞ୍ଚିଲା ଗାଁର ଲୋକଟିଏ। ସେ କହିଲା- ମୁଲ୍ଲା, ମୋ ଦୁର୍ଭାଗ୍ୟ ଯେ ସେହି ସୁବିଧାବାଦୀ ଲୋକଟି ମୋ ପଡ଼ୋଶୀ। ସେ ମୋତେ ହଇରାଣ କରିସାରିଲାଣି। ବିପଦ ଆପଦ ବେଳେ ସେ ମୋ ଠାରୁ ଟଙ୍କା ସାହାଯ୍ୟ ନେଉଛି, କିନ୍ତୁ ତାହା ପରିଶୋଧ କରୁନାହିଁ। ଏବେ ପୁଣି ମୋତେ ଟଙ୍କା ମାଗୁଛି। ମୁଁ ମନା କରିବାକୁ ଚାହୁଁଛି କିନ୍ତୁ ମନା କରିପାରୁନାହିଁ।

ମୁଲ୍ଲା ଟିକିଏ ହସି କହିଲେ- ଏଭଳି ଲୋକ ଅନେକ ଅଛନ୍ତି। ଏମାନେ କାହାକୁ କିଛି ଦେଲେ ମନେ ରଖନ୍ତି ଅଥଚ କାହାଠାରୁ କିଛି ନେଲେ ଭୁଲି ଯାଆନ୍ତି। ଏମାନଙ୍କ ଲାଗି ଗୋଟିଏ ଇଲମ ଅଛି। ଏହା କହି ସେ ଲୋକଟିକୁ ଇଲମ ବତାଇ ଦେଲେ।

ଲୋକଟି ଘରେ ପହଞ୍ଚିବା ମାତ୍ରକେ ସୁବିଧାବାଦୀ ପଡ଼ୋଶୀ ପହଞ୍ଚିଯାଇ ଟଙ୍କା ଉଧାର ମାଗିଲା। ଲୋକଟି ପଡ଼ୋଶୀକୁ ଟଙ୍କା ଦେଲା ଏବ˚ ଠିକ୍‌ ତା’ ପରେ ତା’ ଗାଲରେ ଦେଲା ଏକ ଶକ୍ତ ଚଟକଣା।

ଲୋକଟି ତଟସ୍ଥ ହୋଇ ପଚାରିଲା- ଟଙ୍କା ତ ଦେଲ, ପୁଣି ମାରିଲ କାହିଁକି?

ମୁଲ୍ଲା ବତାଇଥିବା ଭଳି ଲୋକଟି କହିଲା- ତୁମେ ଟଙ୍କା ନେଇ ସିନା ଭୁଲି ଯାଉଛ, ଏ ଚଟକଣାକୁ ଜୀବନ ଯାକ ଭୁଲିବ ନାହିଁ। ଏ ଚଟକଣା କଥା ମନେ ପଡ଼ିଲେ ମୋ ଟଙ୍କା କଥା ବି ମନେ ପଡ଼ିବ ଓ ମୋତେ ତାହା ପରିଶୋଧ କରିଦେବ।

ସମ୍ବନ୍ଧିତ ଖବର