ସକାଳୁ ସକାଳୁ ଧେଡ଼ ଗୋବିନ୍ଦ ବାବୁଙ୍କ ମନଟା କାହିଁକି ଧନ୍ଦି ଫନ୍ଦି ହେଲା। ତାଙ୍କ ସାହି ପଡ଼ିଶାର ସଭିଏଁ ୟା ଭିତରେ ଲେଖକ କବି ଫବି ସବୁ ହେଇ, ସମାଜରେ ଗୋଟାଏ ଗୋଟାଏ ଜବର ପରିଚୟ ହାତେଇ ସାରିଲେଣି। କେତେକ ତ ସେଇ ପରିଚୟ ଫରିଚୟକୁ ଏମିତି ମାଡ଼ି ବଇଚନ୍ତି ଯେମିତିକି ସେଟା ଗୋଟାଏ ଚେଙ୍ଗ ମାଛ। ଗାଁ ଗାଡିଆରେ ମେଞ୍ଚଡ ଟୋକେ ଯେମିତି ଚେଙ୍ଗ ବା ଗଡିଶାକୁ ମାଡ଼ି ବସନ୍ତି ସେଇମିତି। ଚାହା ପିଉ ପିଉ ଧେଡ଼ ବାବୁ ଏଥର ଭାବି ହେଲେ। ତାଙ୍କ ଭିତରୁ ଉଠି ଆସୁଥିବା ବେଦନା ମିଶ୍ରିତ ଇଚ୍ଛାଟାକୁ ତାଙ୍କୁ ସଫଳ କରିବାକୁ ହେବ। ସେ ମନକୁ ମନ କହି ଉଠିଲେ - ହେବରେ ହେବ... ତ୍ରିବାର ସତ୍ୟ କରି କହୁଛି ହେବ। କିଛି ଗୋଟାଏ କରିବାକୁ ହେବ। ତାପରେ ଅନେକ ସମୟ ଯାଏଁ କୁନ୍ଥନ ମନ୍ଥନ କଲା ପରେ ସେ ସ୍ଥିର କଲେ ଲେଖକଟିଏ ହେବେ। ଏମିତି ମନେ ମନେ ଭାବି ସେ ନିଜର ପୁରୁଣା ଟ୍ରଙ୍କ ସବୁକୁ ଦରାଣ୍ଡି ଗଲେ। ଭାଗ୍ୟକୁ ମୂଷା କାମୁଡ଼ା ଖାଇବା ସତ୍ତ୍ୱେ ପଢ଼ିବା ଯୋଗ୍ୟ ଅବସ୍ଥାରେ ଥିବା ଫତୁରାନନ୍ଦଙ୍କ ଫମାଲୋଚନା ବହିଟି ତାଙ୍କ ହାତରେ ପଡ଼ିଗଲା। ସେଇଟାକୁ ଆମୂଳଚୁଳ ପଢିଗଲା ପରେ ସେ ବସିଥିବା ଥାନରୁ ଲମ୍ଫ ପ୍ରଦାନ କରି ଚିଲ୍ଲେଇ ଉଠିଲେ - ୟୁରେକା.... ୟୁରେକା....। ତାଙ୍କୁ ବାଟ ମିଳିଗଲା। ଭାବିଲେ, ଏବେ ସେ ଫମାଲୋଚନା ଲେଖିବେ।

Advertisment

ପିନ୍ଧା ଧୋତିରେ‌ ଭଲ ଭାବରେ କଚ୍ଛାଟିଏ ଭିଡ଼ି ଟେବୁଲ୍ ଉପରେ ପୂରା ହାମୁଡ଼େଇ ପଡ଼ିଲେ। ଆରମ୍ଭ ହେଲା ତାଙ୍କର ଲେଖକୀୟ ଜୀବନର ପ୍ରଥମ କାଗଜ - କଲମ ଯାତ୍ରା। ଧଳା କାଗଜ ଉପରେ ଖୋଲା କଲମକୁ ଧରି ସେ କେଇ ଘଡ଼ି ଜଳକା ହୋଇ ବସି ରହିଲେ। ତାଙ୍କ ମଗଜକୁ କିଛି ଜୁଟୁ ନଥାଏ। ବେଶ୍ କିଛି ସମୟ ଏମିତି ବସି ରହିଲା ପରେ ହଠାତ୍ ତାଙ୍କ ମୁଣ୍ଡ ଭିତରେ ବିଲୁଆ ପ୍ରବେଶ କରିଗଲା। ଅର୍ଥାତ୍ ହଠାତ୍ ତାଙ୍କର ମନେ ପଡ଼ିଗଲା ବିଲୁଆ ନନା କଥା। ‘ବିଲୁଆ ନନାରେ ବିଲୁଆ ନନା, ଘର ପୋଡିଗଲା ପଛକୁ ଅନା।’ ଯେମିତି ଏ କଥା ମନେ ପଡ଼ିଲା ସେ ଭାବିଲେ- ‘କିଏ ଏହି କବିତାର ଲେଖକ ହେଇଥିବେ?’ ଏମିତି ଭାବିଲାରୁ ତାଙ୍କର ରାଗ ପଞ୍ଚମକୁ ଉଠିଗଲା। ଯିଏ ବି ହେଇଥାନ୍ତୁ ଏହାର କବି, ହୋଇଥିବେ ନିହାତି ଫାଲତୁ ଲୋକ! ଧେଡ଼ ବାବୁ ମନକୁ ମନ କହି ଉଠିଲେ ଏହାଙ୍କ ଉପରେ ଫମାଲୋଚନା ଲେଖିବି । ହଇହେ କବି-କେଡେ ଭୁଲ କାମଟିଏ ତମେ କରି ନ ଦେଇ ଗଲ ଭଲା! ଆଜି ଯାହା ଯେତେ ଘଟୁଛି ବା ଘଟିବାକୁ ଅଛି ସବୁ ତୁମରି ଯୋଗୁଁ ସିନା! ଧନ୍ୟ ହୋ ତୁମେ ଅଜଣା କବି!

ଧେଡ଼ ବାବୁଙ୍କ ଭାବନା ଲହଡ଼ି ମାରୁଥିଲା -ତମେ କେଡେ ‘ସ୍ୟାଡିଷ୍ଟ୍‌’ ନୁହେଁ ହୋ? ଅନ୍ୟର ଦୁଃଖରେ ତୁମର ଗମାତ? ବିଲୁଆ ନନାର ଘର ପୋଡ଼ି ଯାଉଛି, ଏଇ ସମୟରେ ସେ ବିଚରା ଲାଞ୍ଜ ଯାକି ଭାଗ୍ୟକୁ ନିନ୍ଦି ଜୀବନ ବଞ୍ଚେଇବାକୁ ବଳ ବୁଦ୍ଧି ଖଟେଇ ହଉଡୁ ଥିବ! ସେତିକି ବେଳେ ତମେ ତା’କୁ ପଛରୁ ଡାକି କ’ଣ କହୁଚ ନା ହେ ବିଲୁଆ ନନା , ତୋ ଘର ଜଳି ଯାଉଛି। ତୁ ପଳଉଚୁ କୁଆଡ଼େ? ଟିକିଏ ପଛକୁ ଅନେଇ ସେ ଦୃଶ୍ୟ ଦେଖ! ତମ ଉଦ୍ଦେଶ୍ୟଟା କ’ଣ ହୋ କବି, କିଛି ବୁଝି ହେଉନି ! ତାକୁ ତୁମେ ନନା ବୋଲି ଡାକୁଛ! କେତେ ସିନିହ ସମ୍ବୋଧନ ସେ! ତୁମ ନନାର ଘର ପୋଡ଼ି ଯାଉଛି! ଭାବ, ତା ମନରେ କେଡେ ଦୁଃଖଟେ ଉଠି ନଥିବ! ସେ ତ ଦୁଃଖରେ ଅଧୀର ହୋଇ ଧାଉଁଛି। ଏଇ ବେଳାରେ ତମେ ସିନା ତା’କୁ ସାହାଯ୍ୟ କରନ୍ତ। ସେୟା ନ କରି ତମେ ତାକୁ ଟାହିଟାପରା କଲା ଭଳି ଗୀତ ଫାନ୍ଦିଛ? ହଇହୋ କବି, ତା’ ଘର ପୋଡ଼ି ଗଲା ବେଳେ ତ ତମେ ସେଠି ଥିଲ! ଗରା କି ବାଲଟି ଯୋଗାଡ଼ କରି ପାଣି ଢାଳି ପାରିଲ ନାହିଁ? ସେତକ କରିଥିଲେ ତୁମ ବିଲୁଆ ନନା ଆଶ୍ବସ୍ତ ହୋଇ ନ ଥାଆନ୍ତା!

ତମେ ତ ଲେଖି ଦେଇ ପାର୍। ହେଲେ, ପିଲେ ସେଇଟା ପଢ଼ିଲେ। ମଗଜରେ ପୂରେଇ ନେଲେ। ତମେ କହିଥିବା ରାସ୍ତାର ପଥିକ ହେଇଗଲେ। ସବୁ କ୍ଷେତ୍ରରୁ ଉଦାହରଣ ଦେଇ ପାରିବି। ରାସ୍ତାରେ ଆକ୍‌ସିଡେଣ୍ଟ ହେଉଛି। ଆକ୍ସିଡେଣ୍ଟରେ ଖଣ୍ଡିଆ ଖାବେରା ହେଇ ପଡ଼ିଥିବା ଲୋକ ଛଟପଟ ହେଉଛି। ଅଥଚ ଲୋକେ ତାକୁ ଡାକ୍ତରଖାନା ନେବା ବଦଳରେ ତାର ଭିଡିଓ କରିବାରେ ଲାଗିଛନ୍ତି। ସାମ୍ବାଦିକମାନେ ଆହତ ଲୋକ ପାଟିରେ ବୁମ୍ ମାଡ଼ି ଧରି ପଚାରୁଛନ୍ତି - ଆଜ୍ଞା! କେମିତି ହେଲା ଆକ୍‌ସିଡେଣ୍ଟ? ଏବେ ଆପଣ କେମିତି ଫିଲ୍ କରୁଛନ୍ତି ? ଇତ୍ୟାଦି ଇତ୍ୟାଦି। ଜାଣିଚ କବି ଏ ସବୁ ତମ ଲେଖାର ଫଳ। ତମେ ଯଦି ସେଦିନ ବିଲୁଆ ନନା ପାଇଁ ଆଉ କିଛି ଲେଖିଥାନ୍ତ, ତେବେ ଆଜି ୟେ ଧେଡ଼ ଗୋବିନ୍ଦ ଆଖିରେ ତୁମେ ତଳକୁ ଖସି ଯାଇ ନ ଥାଆନ୍ତ। ତମେ ଲେଖିବାର ଥିଲା - ‘ବିଲୁଆ ନନାରେ ବିଲୁଆ ନନା, ଘର ପୋଡ଼ି ଗଲା? ବ୍ୟସ୍ତ ହଅନା; ଆଣୁଛି ପାଣି ଲିଭିବ ନିଆଁ, ଏଇ କଥା ଲାଗି ଧାଉଁଛ କିଆଁ?’
ହେ କବି ଶୁଣୁଛ ଟି?
ମୋ - ୭୮୯୪୫୦୩୫୪୮