ଯୋଶୀ ମଠର ଆସନ୍ନ ବିପର୍ଯ୍ୟୟ ଦେଖି ଜଣେ ବନ୍ଧୁ ପ୍ରଶ୍ନ କଲେ, ହିମାଳୟର ସୁରକ୍ଷା ଓ ସ୍ଥିତି ନେଇ ମହାତ୍ମା ଗାନ୍ଧୀଙ୍କ ଚିନ୍ତା କ’ଣ ଥିଲା? ଏକ ସୁସ୍ଥ ପରିବେଶ ଉପରେ ରୁଚି ରଖିଥିବା ଗାନ୍ଧୀଙ୍କର ନିଶ୍ଚୟ କିଛି ପ୍ରତିବେଦନ ଥିବ? ପ୍ରଶ୍ନରେ ଅବଶ୍ୟ ଏକ ସାଧୁ ଜିଜ୍ଞାସା ଥିଲା। ସତ କଥା ହେଲା, ହିମାଳୟର ପରିବେଶଗତ ସନ୍ତୁଳନ ନେଇ ଗାନ୍ଧୀଙ୍କର ଅନେକ ଅନୁଚିନ୍ତା ରହିଛି। ଏ ସବୁ ତାଙ୍କର ହିମାଳୟରେ ରହଣିର ପ୍ରତ୍ୟକ୍ଷ ଅନୁଭୂତିରୁ ଆସିଛି। ୧୯୨୯ ମସିହା ଜୁନ୍ ମାସରେ ଗାନ୍ଧୀ ହିମାଳୟର ଆଲମୋଡ଼ା (ଉତ୍ତରାଖଣ୍ଡ)ରେ ତିନି ସପ୍ତାହ ରହିଥିବା ସମୟରେ ସେ ତାଙ୍କର ଅନୁଭୂତି ବିଭିନ୍ନ ଲେଖା ଏବଂ ଚିଠି ମାଧ୍ୟମରେ ପ୍ରକାଶ କରିଥିଲେ। ‘କଲେକ୍ଟେଡ୍ ୱାର୍କସ୍ ଅଫ୍ ମହାତ୍ମା ଗାନ୍ଧୀ, ଭ: ୪୬’ରେ ଗାନ୍ଧୀଙ୍କ ଅନ୍ତଃଦୃଷ୍ଟି ସମ୍ପନ୍ନ ତାତ୍ତ୍ବିକ ହିମାଳୟ ଚିନ୍ତା ସନ୍ନିବେଶିତ ହୋଇ ରହିଛି।
୧୯୨୯ ମସିହା ଜୁନରେ ପ୍ରଥମ କରି ଗାନ୍ଧୀଜୀ ହିମାଳୟ ଦର୍ଶନ କରିଥିଲେ। ଭ୍ରମଣ ଭିତରେ ଉତ୍ତରାଖଣ୍ଡର ଆଲମୋଡ଼ାରେ ଗାନ୍ଧୀଜୀ ଅସୁସ୍ଥ ହୋଇ ପଡ଼ିଥିଲେ। ଆଲମୋଡ଼ାର କୌଶାନୀ ଆଶ୍ରମରେ କିଛିଦିନ ବିଶ୍ରାମ ନେବାକୁ ନେହରୁ ଗାନ୍ଧୀଙ୍କୁ ଅନୁରୋଧ କରିଥିଲେ। ନିଜର ଭାରତ ମିସନ ଅଧାରୁ ବନ୍ଦ ରଖିବାକୁ ଗାନ୍ଧୀ ଚାହୁଁ ନଥିଲେ ବି ନିଜ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେ ମାତ୍ର ଦୁଇ ଦିନ ପାଇଁ କୌଶାନୀରେ ରହିବାକୁ ରାଜି ହୋଇ ଯାଇଥିଲେ। ସାଥିରେ ତାଙ୍କର କସ୍ତୁରବା ଥିଲେ।
ସମୁଦ୍ର ପତନରୁ ପାଞ୍ଚ ହଜାର ଫୁଟ ଊର୍ଦ୍ଧ୍ୱ ଉଚ୍ଚତାରେ ଅବସ୍ଥିତ କୌଶାନୀ ଆଶ୍ରମ। ପାଖରେ ହିମାଳୟର ଦ୍ବିତୀୟ ଉଚ୍ଚତମ ଗିରିଶୃଙ୍ଗ ନନ୍ଦାଦେବୀ। ୧୯୨୯ ମସିହା ଜୁନ ୧୯ ତାରିଖରେ ଗାନ୍ଧୀ କୌଶାନୀରେ ପହଞ୍ଚିଥିଲେ। ଯଦିଓ ସେଠି ସେ ଦୁଇ ଦିନ ରହିବାର କାର୍ଯ୍ୟକ୍ରମ ଥିଲା, ହିମାଳୟର ଶାନ୍ତ ପରିବେଶ ଦେଖି ଗାନ୍ଧୀ ଆଶ୍ରମରେ ଦୁଇ ସପ୍ତାହ ରହିବାକୁ ସ୍ଥିର କରି ନେଲେ ଏବଂ ଅଧା ପଡ଼ିଥିବା ତାଙ୍କର ଗୀତା ଅନୁବାଦକୁ ଶେଷ କରିବାରେ ବ୍ୟସ୍ତ ରହିଲେ। କୌଶାନୀ ଆଶ୍ରମର ବାରଣ୍ଡାରେ ବସି ଗାନ୍ଧୀ ପ୍ରତିଦିନ ନିଜ ବନ୍ଧୁମାନଙ୍କୁ ଚିଠିରେ ହିମାଳୟ ରହଣିର ଅନୁଭୂତି ଜଣାଉଥିଲେ; ‘ନବଜୀବନ’ ପତ୍ରିକାରେ ପ୍ରବନ୍ଧ ଲେଖିଥିଲେ। ଲେଖାରେ ହିମାଳୟ ଶାନ୍ତ ତଥା ରୌଦ୍ର ରୂପର ବର୍ଣ୍ଣନା ସହ ପରିବେଶ ସୁରକ୍ଷା ନେଇ ସୁଚିନ୍ତିତ ପ୍ରସ୍ତାବ ଥିଲା। ‘ନବଜୀବନ’ରେ ଗାନ୍ଧୀଙ୍କ ଏକ ଲେଖା ଥିଲା, ‘ମୋ ସମ୍ମୁଖରେ ଆକାଶକୁ ଛୁଇଁଥିବା ଗିରିଶୃଙ୍ଗ ନନ୍ଦାଦେବୀ। ବରଫରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇ ରହିଛି ଏଇ ଗିରିଶୃଙ୍ଗ। ତଳେ ଘେରି ରହିଛି ସବୁଜିମା ଭରା ଘନ ଅରଣ୍ୟ। ଏବଂ ତା’ରି ଭିତରେ ଏ କୌଶାନୀ ଆଶ୍ରମ। ଏହାର ବର୍ଣ୍ଣନା ଦେବାକୁ ଭାଷା ନାହିଁ। ଭାଗବତ ଗୀତାର ଅନୁବାଦ ଶେଷ କରିବାକୁ କୌଶାନୀ ମୋତେ ପ୍ରେରଣା ଦେଇଛି। ପୃଥିବୀର କୌଣସି ସୁନ୍ଦର ସ୍ଥାନ ଏହା ସହ ତୁଳନୀୟ ନୁହେଁ। ନିଜ ସ୍ୱାସ୍ଥ୍ୟ ଏବଂ ଶାନ୍ତି ପାଇଁ ଲୋକମାନେ କାହିଁକି ଯେ ୟୁରୋପ ଯାଉଛନ୍ତି, ବୁଝି ହେଉନାହିଁ।’
ସାବରମତୀ ଆଶ୍ରମର ଛୋଟ ଛୋଟ ପିଲାଙ୍କ ଉଦ୍ଦେଶ୍ୟରେ ଗାନ୍ଧୀଙ୍କ ସନ୍ଦେଶ ଥିଲା, ‘ବରଫାବୃତ ନନ୍ଦାଦେବୀର ଦୃଶ୍ୟ ପିଲାଙ୍କୁ ପାହାଡ଼ ତିଆରି ଗୁଜୁରାଟୀ କେକ୍ ‘ସୁତାରଫେଣି’ ପରି ଦିଶିବ। ତାକୁ ପାଇବାକୁ ପିଲାଏ ନିଶ୍ଚୟ ଦୌଡ଼ି ଯିବେ। ନନ୍ଦାଦେବୀ କୋଳରେ ଉଦିତ ସୂର୍ଯ୍ୟ ଦେଖି ପାର୍ଶୀମାନେ ସୂର୍ଯ୍ୟ ଦେବତାଙ୍କୁ ପ୍ରଣିପାତ କରିବେ। ହିନ୍ଦୁମାନେ ମହାଦେବ ଶିବଙ୍କ ସ୍ୱରୂପ ଦର୍ଶନ କରିବେ। ଅନୁକମ୍ପାର ପାହାଡ଼ଟିଏ ହୋଇ ଛିଡ଼ା ହୋଇଛି ହିମାଳୟ। ‘ବ୍ରହ୍ମ ହିଁ ସତ୍ୟ’ର ରହସ୍ୟ ଉନ୍ମୋଚିତ ହୋଇଯାଇଛି ଏଇଠି।’ ହିମାଳୟ ସମ୍ପର୍କରେ ତାଙ୍କର ଏଇ ବିସ୍ତୃତ ଲେଖା ଭିତରେ ଗାନ୍ଧୀ ଭବିଷ୍ୟତ ପିଢ଼ି ପାଇଁ କିଛି ଚେତାବନୀ ରଖିଥିଲେ। ଗାନ୍ଧୀ ସୂଚେଇ ଦେଇଥିଲେ, ହିମାଳୟ ନଥିଲେ, ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର ନଥାନ୍ତା। ଏଠି ବର୍ଷା ହେଉ ନଥାନ୍ତା। ନଦୀ ସବୁ ନଥାନ୍ତେ। ଗ୍ଲେସିଅର ଶୁଖି ଯାଇଥାଆନ୍ତେ। ଭାରତ ବର୍ଷ ସାହରା ମରୁଭୂମି ପରି ମରୁଭୂମି ହୋଇ ଯାଇଥାଆନ୍ତା। ଦ୍ରୁତ ଗତିରେ ଏ ଧରିତ୍ରୀକୁ ଓହ୍ଲାଇ ଆସୁଥିବା ଗଙ୍ଗା ମାତାଙ୍କୁ ଶିବ ତାଙ୍କ ଜଟାରେ ଧରି ରଖି ନଥିଲେ ଏଠି ମହାପ୍ରଳୟ ସଂଗଠିତ ହୋଇ ଥାଆନ୍ତା। ହିମାଳୟ ଆମର ଏକ ଜୀବନ୍ତ ସଂସ୍କୃତି। ଆମର ସ୍ଥିତି ବି ହିମାଳୟ ସହ ଯୋଡ଼ା। ଆମ ପାଇଁ ହିମାଳୟ ଈଶ୍ୱରଙ୍କ ଏକ ବିଚିତ୍ର ବରଦାନ। ସୌଭାଗ୍ୟର କଥା, ଆମ ପୂର୍ବ ପୁରୁଷମାନେ ଏ ସବୁ ବୁଝିଥିଲେ। ହିମାଳୟର ସୁରକ୍ଷା ନେଇ ଚିନ୍ତିତ ଥିଲେ। ଏହାକୁ ସେମାନେ ଭୋଗର କ୍ଷେତ୍ର ନ କରି ତପସ୍ୟାର କ୍ଷେତ୍ର କରି ଦେଇଥିଲେ। ହଜାର ହଜାର ହିନ୍ଦୁ ହିମାଳୟ ପାଇଁ ଜୀବନ ଉତ୍ସର୍ଗ କରି ଦେଇଛନ୍ତି।’ ଲେଖାରେ ଏକ ମର୍ମସ୍ପର୍ଶୀ ଉପସଂହାରରେ ଗାନ୍ଧୀ କହିଥିଲେ, ‘ହିମାଳୟ ଦର୍ଶନ ଆମକୁ କାମନାଶୂନ୍ୟ କରି ଦେଇଥାଏ। ହିମାଳୟ ତେଣୁ ଆମର ହୃଦୟରେ ରହୁ; ଏହାର ସୁରକ୍ଷା ଆମର କର୍ତ୍ତବ୍ୟ ହେଉ। ଶାନ୍ତ ପରିବେଶରେ ଦେବ ଦର୍ଶନ ହେଉ। ହିମାଳୟରେ ପାଦରେ ଚାଲିଚାଲି ପୂଜ୍ୟ ଶଙ୍କରାଚାର୍ଯ୍ୟ ବି ଏଇ କଥା କହି ଯାଇଛନ୍ତି।’
୧୯୨୯ ମସିହାର କୌଶାନୀରେ ଗାନ୍ଧୀଙ୍କ ହିମାଳୟ ଅନୁଭୂତିକୁ ପରିବେଶବିତ୍ ଟି. ଏନ୍. ଖୋସୁ ଓ ଜହନ୍ ମୁଲକାଟୁ ତାଙ୍କର ‘ମହାତ୍ମା ଗାନ୍ଧୀ ଆଣ୍ଡ ଦି ଏନଭାଇରନ୍ମେଣ୍ଟ’ ପୁସ୍ତକରେ ଜଣେ ବିଜ୍ଞ ରାଜନେତାର ଏହା ଚମତ୍କାର ତଥା ଆବେଗିକ ଅନୁଭୂତି ବୋଲି ବର୍ଣ୍ଣନା କରିଛନ୍ତି। ପୁସ୍ତକରେ ଉଲ୍ଲେଖ ରହିଛି ଯେ ଗାନ୍ଧୀଙ୍କ ଏହି ଅନୁଭୂତିରେ ଦୂରଦୃଷ୍ଟି ଥିଲା, ଜୀବସତ୍ତା ଓ ତା’ର ପରିବେଶ ସହ ସମ୍ପର୍କ ନେଇ ଏକ ସୁନ୍ଦର ବିଶ୍ଳେଷଣ ଥିଲା। ୧୯୭୦ ଦଶକରେ ଗାନ୍ଧୀବାଦୀ ସୁନ୍ଦରଲାଲ ବହୁଗୁଣା ଗାନ୍ଧୀ ଆଦର୍ଶକୁ ଆଧାରକରି ହିମାଳୟର ସୁରକ୍ଷା ନେଇ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହାର ନାଁ ରଖିଥିଲେ ‘ଚିପ୍କୋ ଆନ୍ଦୋଳନ’। ଏହା ଏକ ଅହିଂସ ସତ୍ୟାଗ୍ରହ ଥିଲା। ତେହରି ଡ୍ୟାମ୍ ପାଇଁ ଗଛ କଟାଗଲା ବେଳେ ମହିଳା ସତ୍ୟାଗ୍ରହୀମାନେ ଯେପରି ଗଛକୁ ଜାବୁଡ଼ି ଧରି ବିରୋଧ କରୁଥିଲେ, ସେ ଦୃଶ୍ୟ ଥିଲା ଅନନ୍ୟ। ଗାନ୍ଧୀ ତାଙ୍କ ରଚିତ ‘ହିନ୍ଦ୍ ସ୍ୱରାଜ’ (୧୯୦୯) ପୁସ୍ତକରେ ସ୍ପଷ୍ଟ କରିଛନ୍ତି, ପାର୍ଥିବ ଭୋଗବାଦ ଏବେ ସମଗ୍ର ପୃଥିବୀକୁ ଗ୍ରାସ କରିବାକୁ ବସିଲାଣି। ସମ୍ପ୍ରତି ଏହା ୟୁରୋପରେ ବୃହତ୍ ବଢ଼ିପାଣି ପରି ମାଡ଼ି ଚାଲିଛି। ୟୁରୋପ ଅବଶ୍ୟ ଏହା ସହ୍ୟ କରିପାରେ। କିନ୍ତୁ ଯେତେବେଳେ ଏହା ଭାରତକୁ ମାଡ଼ି ଆସିବ, ଭାରତ ପାଇଁ ସେବେ ଏହା ଏକ ବିପର୍ଯ୍ୟୟ ହୋଇଯିବ। ବିବେକ ବିହୀନ ବିଳାସ ଏକ ପାପ।
ମୋ: ୯୮୬୧୪୬୯୩୨୮