ଯୋଗେନ୍ଦ୍ର ଯାଦବ

Advertisment

୨୦୨୪ ମସିହାକୁ ସଂବିଧାନର ବର୍ଷ ଭାବରେ ସ୍ମରଣ କରାଯିବ। ଏଥିପାଇଁ ନୁହେଁ ଯେ ଏ ବର୍ଷ ସଂବିଧାନର ୭୫ତମ ବାର୍ଷିକୀ ପାଳନ କରାଗଲା। ଏଥିପାଇଁ ମଧ୍ୟ ନୁହେଁ ଯେ ସଂସଦରେ ଏ ନେଇ ଦୁଇଦିନିଆ ସ୍ବତନ୍ତ୍ର ଆଲୋଚନା ହୋଇଥିଲା। ଇତିହାସ ସାକ୍ଷୀ ଯେ ସରକାରୀ ରୀତିନୀତି ଓ ସଂସଦୀୟ ବିତର୍କ ସମାଜର ମାନସିକତା ଉପରେ କୌଣସି ପ୍ରଭାବ ପକାଇପାରେ ନାହିଁ। ଯଦି ଏ ବର୍ଷ ସଂବିଧାନର ବର୍ଷ ହେଲା, ତେବେ ତାହାର କାରଣ ହେଲା, ପ୍ରଥମ ଥର ପାଇଁ ସଂବିଧାନ ଏକ ରାଜନୈତିକ ପ୍ରସଙ୍ଗ ହେଲା। ସଂବିଧାନକୁ ନେଇ ରାଜନୀତି ହେବା ଭାରତୀୟ ଗଣତନ୍ତ୍ର ପାଇଁ ଶୁଭ ସଂକେତ। ଏଠାରେ ଆଶା କରାଯିବା ଉଚିତ ଯେ ଆଗାମୀ ବର୍ଷମାନଙ୍କରେ ମଧ୍ୟ ସଂବିଧାନ ସଂପର୍କରେ ଏହି ବିତର୍କ ବନ୍ଦ ହେବ ନାହିଁ, ସଂବିଧାନକୁ ନେଇ ରାଜନୀତି ଆହୁରି ଗଭୀର ହେବ। ଏ କଥା ଟିକେ ଅଜବ ମନେ ହୋଇପାରେ। ଗଣତାନ୍ତ୍ରିକ ରାଜନୀତିର ଅବକ୍ଷୟ ଯୋଗୁଁ ଆମ ପରିଭାଷା ବିକୃତ ହୋଇଯାଇଛି ଏବଂ ଆମେ ପ୍ରାୟତଃ କହିଥାଉ ଯେ କୌଣସି ଭଲ କିମ୍ବା ପବିତ୍ର ପ୍ରସଙ୍ଗକୁ ରାଜନୀତି ଭିତରକୁ ଟାଣିବା ଉଚିତ ନୁହେଁ। ପ୍ରକୃତ କଥା ହେଉଛି, ଗଣତନ୍ତ୍ରରେ ଯେଉଁ ପ୍ରସଙ୍ଗର ରାଜନୀତୀକରଣ ହେବ ନାହିଁ, ସେଥି ପ୍ରତି ଦୃଷ୍ଟି ଦିଆଯିବ ନାହିଁ। ଯେ ପର୍ଯ୍ୟନ୍ତ ମହିଳାଙ୍କ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଓ ପରିବେଶ ଭଳି ପ୍ରସଙ୍ଗରେ ରାଜନୈତିକ ସଂଘର୍ଷ ନ ଘଟିଛି, ସେ ପର୍ଯ୍ୟନ୍ତ କୌଣସି ସରକାର ସେ ପ୍ରସଙ୍ଗରେ ଗମ୍ଭୀରତାର ସହ କାର୍ଯ୍ୟ କରିବେ ନାହିଁ। ଆଜକୁ ୨୫ ବର୍ଷ ତଳେ ସଂବିଧାନର ରଜତ ଜୟନ୍ତୀ ଅବସରରେ ଅଧିକାଂଶ ନାଗରିକ ନଭେମ୍ବର ୨୬ ବାବଦରେ ସଠିକ୍‌ ଭାବରେ ଅବଗତ ନଥିଲେ। ଏହି ଉଦାସୀନତାର ସୁଯୋଗ ନେଇ ସରକାର ସଂବିଧାନର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ପାଇଁ ଏକ ଜାତୀୟ ଆୟୋଗ ଗଠନ କରିଥିଲେ। ଯଦିଓ ଏହି ଆୟୋଗର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଭେଙ୍କେଟଚଲୈୟାଙ୍କ ଯୋଗୁଁ ଉକ୍ତ ଆୟୋଗ ଦ୍ବାରା ସଂବିଧାନର ମୌଳିକ ଢାଞ୍ଚାକୁ ବଦଳାଇବାର କୌଣସି ପ୍ରୟାସ ହୋଇନଥିଲା, ତେବେ ସେଥିପାଇଁ ଏକ ବାଟ ଫିଟିଯାଇଥିଲା। ସେ ଦୃଷ୍ଟିରୁ ୨୦୨୪ ମସିହାରେ ରାଜନୈତିକ ମଞ୍ଚକୁ ସଂବିଧାନର ପ୍ରବେଶ ଘଟଣାକୁ ସ୍ବାଗତ କରାଯିବା ଉଚିତ। 
ଏହା ନିଃସନ୍ଦେହ ଯେ, ଚଳିତ ବର୍ଷର ସବୁଠୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେଲା ଲୋକସଭାର ସାଧାରଣ ନିର୍ବାଚନ। ଭୋଟରଙ୍କ ଦୃଷ୍ଟିରେ ଏହି ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ସଂବିଧାନ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ। କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସଂବିଧାନର ପ୍ରଶ୍ନ ହିଁ  ନିର୍ବାଚନ ପୂର୍ବର ରଣନୀତି, ନିର୍ବାଚନ ବେଳର ପ୍ରଚାର ଓ ନିର୍ବାଚନ ପରେ ହୋଇଥିବା ବିଶ୍ଳେଷଣ ବିତର୍କକୁ ଗୋଟିଏ ସୂତ୍ରରେ ବାନ୍ଧିବାର କାମ କରିଥିଲା। ଆଜି ବିଜେପି ଏ କଥାକୁ ଯେତେ ଭୁଲାଇଦେବାକୁ ଚେଷ୍ଟା କରୁ ନା କାହିଁକି, ଏ କଥା ସତ ଯେ ଏହି ନିର୍ବାଚନରେ ବିଜେପିର ଲକ୍ଷ୍ୟ ଥିଲା ଚାରି ଶହ ଆସନ ଟପିଯିବା କିମ୍ବା ତାହାର ପାଖାପାଖି ପହଞ୍ଚି ସଂବିଧାନର ଏମିତି କିଛି ସଂଶୋଧନ କରିବା ଯାହା କେବଳ ସଂଶୋଧନ ହୋଇ ନ ଥାନ୍ତା, ବରଂ ଜରୁରିକାଳୀନ ପରିସ୍ଥିତିରେ କରାଯାଇଥିବା ସଂବିଧାନର ୪୨ତମ ସଂଶୋଧନ ପ୍ରକାରେ ସଂବିଧାନର ପୁନର୍ଲିଖନ ହୋଇଥା’ନ୍ତା। ସେଭଳି ସଂଶୋଧନ ମାଧ୍ୟମରେ ବିଜେପି ଭାରତୀୟ ରାଜନୀତିରେ ନିଜର ଆଭିମୁଖ୍ୟକୁ ସ୍ଥାୟୀ ରୂପ ଦେବାକୁ ଚାହୁଥିଲା। ଏଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ ଯେ ସଂବିଧାନକୁ ବଞ୍ଚାଇବାର ସ୍ଲୋଗାନ ହିଁ ଇନ୍‌ଡିଆ ମେଣ୍ଟର ବିକ୍ଷିପ୍ତ ପ୍ରଚାରକୁ ଶାଣିତ କରିଥିଲା। 

ସ୍ବାଭାବିକ ଭାବେ ସଂବିଧାନ ସହ ଜଡ଼ିତ ଏହି ରାଜନୈତିକ ବିତର୍କ ଆସନ୍ତା ବର୍ଷ ମଧ୍ୟ ଜାରି ରହିବ, ତାହା ଉଚିତ ମଧ୍ୟ। କିନ୍ତୁ ଏହି ବିତର୍କକୁ ଅର୍ଥପୂର୍ଣ୍ଣ ଓ ଶାଣିତ ରଖିବା ପାଇଁ ଚଳିତ ବର୍ଷ ଆମକୁ ତିନିଟି ଶିକ୍ଷା ଦେଇଛି। ପ୍ରଥମ ଶିକ୍ଷା ହେଉଛି, କେବଳ ‘ସଂବିଧାନ ବଞ୍ଚାଅ’ ବୋଲି ସ୍ଲୋଗାନ ଦେଇ ବିଜେପିକୁ ପ୍ରତ୍ୟେକ ନିର୍ବାଚନରେ ପରାସ୍ତ କରାଯାଇପାରିବ ବୋଲି ଭାବିବା ମୂର୍ଖାମି ହେବ। ହରିୟାଣା ଓ ମହାରାଷ୍ଟ୍ରର ନିର୍ବାଚନ ପୁଣି ଥରେ ପ୍ରମାଣିତ କରିଛି ଯେ, ଏହି ଅସ୍ତ୍ରକୁ ବାରମ୍ବାର ବ୍ୟବହାର କଲେ ତାହା ଦନ୍ଥଡ଼ା ହୋଇଯାଇପାରେ।

ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନରେ ସଂବିଧାନର ପ୍ରଶ୍ନ ନିଜର ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗକୁ ନେଇ ଚିନ୍ତିତ ଥିବା ଏକ ସିଂହଭାଗ ଭୋଟରଙ୍କୁ ବିରୋଧୀ ଦଳଗୁଡ଼ିକଙ୍କ ସହ ଛିଡ଼ା ହେବାର କାରଣ ସାଜିଥିଲା। ସଂବିଧାନ ସହିତ ନିଜ ଭୋଟକୁ ଯୋଡୁଥିବା ମତଦାତାଙ୍କ ସଂଖ୍ୟା ବହୁତ କମ୍‌ ହୋଇପାରେ, ମାତ୍ର ବିଜେପିକୁ ଲାଗିଥିବା ଅପ୍ରତ୍ୟାଶିତ ଧକ୍କାର ବିଶ୍ଳେଷଣରେ ଏହି କାରଣ ହିଁ ଶୀର୍ଷରେ ଉଭା ହୋଇଥିଲା। ନିଜର ଆଭ୍ୟନ୍ତରୀଣ ବିଶ୍ଳେଷଣରେ ବିଜେପି ମଧ୍ୟ ସମାନ ପ୍ରସଙ୍ଗକୁ ନିର୍ବାଚନୀ ଧକ୍କାର କାରଣ ଭାବେ ଚିହ୍ନଟ କରିଛି। ଯଦି ୨୦୦୪ର ନିର୍ବାଚନକୁ ବିଜେପିର ‘ଇଣ୍ଡିଆ ସାଇନିଂ’ ସ୍ଲୋଗାନ୍‌ର ପ୍ରତ୍ୟାଖ୍ୟାନ ରୂପେ ସ୍ମରଣ କରାଯିବ, ତେବେ ୨୦୨୪ ନିର୍ବାଚନକୁ ସଂବିଧାନ ପରିବର୍ତ୍ତନ ପ୍ରସ୍ତାବର ପ୍ରତ୍ୟାଖ୍ୟାନ ରୂପେ ସ୍ମରଣ କରାଯିବ। 
ତେଣୁ ନିର୍ବାଚନ ପରେ ମଧ୍ୟ ସଂବିଧାନ ସହ ଜଡ଼ିତ ବିତର୍କ ଜାରି ରହିଲା। ନବ ନିର୍ବାଚିତ ଲୋକସଭାର ଉଭୟ ଅଧିବେଶନରେ ସଂବିଧାନର ପ୍ରଶ୍ନ ଉତ୍‌ଥାପିତ ହୋଇଛି। ଶାସକ ଦଳକୁ ଅନ୍ତତଃ ଏତିକି ହୃଦୟଙ୍ଗମ କରିବାକୁ ପଡ଼ିଲା ଯେ ସଂବିଧାନ ଉପରେ ଆକ୍ରମଣ କରିବାର ଆଭିମୁଖ୍ୟ ରାଜନୈତିକ ଦୃଷ୍ଟିରୁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ମନରେ ଯାହା ଥାଉ ନା କାହିଁକି, ଏବେ ପ୍ରଧାନମନ୍ତ୍ରୀଙ୍କୁ ସଂବିଧାନ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଲା। ସେପଟେ ବିରୋଧୀ ଦଳମାନେ ସରକାରଙ୍କୁ ଘେରିବା ପାଇଁ ସଂବିଧାନକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କଲେ। ଜାତିଗତ ଜନଗଣନା ହେଉ ବା ଆରକ୍ଷଣରେ ବର୍ଗୀକରଣ ପ୍ରସଙ୍ଗ ହେଉ, ଇଭିଏମ୍‌କୁ ବିରୋଧ ହେଉ କିମ୍ବା ‘ମୋଦାନୀ’ (ମୋଦୀ+ଅଦାନୀ) ଯୋଡ଼ି ହେଉ, ଏବେ ସବୁ ପ୍ରଶ୍ନ ସଂବିଧାନ ସହ ଯୋଡ଼ି ହେବା ଆରମ୍ଭ କରିଛି। ସଂବିଧାନ ସମ୍ପର୍କିତ ଏହି ବିତର୍କ କେବଳ ଶାସକ ଓ ବିରୋଧୀ ଦଳ ମଧ୍ୟରେ ସୀମିତ ରହିନାହିଁ, ସଂବିଧାନକୁ ବଞ୍ଚାଇବା ଅଭିଯାନରେ ଦେଶବ୍ୟାପୀ ଶହ ଶହ ସଂଗଠନ ଓ ଲକ୍ଷ ଲକ୍ଷ ନାଗରିକ ଅଂଶଗ୍ରହଣ କରିଥିଲେ। ଏକ ଲାଲ୍‌ ମଲାଟ ସମ୍ବଳିତ ସଂବିଧାନର କପି ଧରି ଛିଡ଼ା ହୋଇଥିବା ରାହୁଳ ଗାନ୍ଧୀଙ୍କ ଫଟୋ ୨୦୨୪ର ଛବି ଭାବରେ ସ୍ମରଣୀୟ ହୋଇ ରହିବ। 
ସ୍ବାଭାବିକ ଭାବେ ସଂବିଧାନ ସହ ଜଡ଼ିତ ଏହି ରାଜନୈତିକ ବିତର୍କ ଆସନ୍ତା ବର୍ଷ ମଧ୍ୟ ଜାରି ରହିବ, ତାହା ଉଚିତ ମଧ୍ୟ। କିନ୍ତୁ ଏହି ବିତର୍କକୁ ଅର୍ଥପୂର୍ଣ୍ଣ ଓ ଶାଣିତ ରଖିବା ପାଇଁ ଚଳିତ ବର୍ଷ ଆମକୁ ତିନିଟି ଶିକ୍ଷା ଦେଇଛି। ପ୍ରଥମ ଶିକ୍ଷା ହେଉଛି, କେବଳ ‘ସଂବିଧାନ ବଞ୍ଚାଅ’ ବୋଲି ସ୍ଲୋଗାନ ଦେଇ ବିଜେପିକୁ ପ୍ରତ୍ୟେକ ନିର୍ବାଚନରେ ପରାସ୍ତ କରାଯାଇପାରିବ ବୋଲି ଭାବିବା ମୂର୍ଖାମି ହେବ। ହରିୟାଣା ଓ ମହାରାଷ୍ଟ୍ରର ନିର୍ବାଚନ ପୁଣି ଥରେ ପ୍ରମାଣିତ କରିଛି ଯେ, ଏହି ଅସ୍ତ୍ରକୁ ବାରମ୍ବାର ବ୍ୟବହାର କଲେ ତାହା ଦନ୍ଥଡ଼ା ହୋଇଯାଇପାରେ। ଯାହାହେଉ, ଏହି ପ୍ରକ୍ରିୟାରେ ସଂବିଧାନକୁ ପୂଜା କରିବା ବିଜେପି ଶିଖିପାରିଛି। ଦ୍ବିତୀୟ ଶିକ୍ଷା ହେଉଛି, ସଂବିଧାନ ପ୍ରଶ୍ନକୁ ଅମୂର୍ତ୍ତ ଢଙ୍ଗରେ ଉଠାଇଲେ ତାହା ଗ୍ରହଣୀୟ ହେବ ନାହିଁ। ସଂବିଧାନର ଆଦର୍ଶକୁ ଅନ୍ତିମ ବ୍ୟକ୍ତିର ସୁଖଦୁଃଖ ସହ ଯୋଡ଼ିବାକୁ ହେବ। ତାହାକୁ ମହିଳା, ଗରିବ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଆକାଂକ୍ଷା ସହ ଯୋଡ଼ିବାକୁ ପଡ଼ିବ। ତୃତୀୟ ଶିକ୍ଷାଟି ହେଉଛି, ସଂବିଧାନର ପ୍ରଶ୍ନକୁ ସଂବିଧାନ ନାମକ ଏକ ଦସ୍ତାବିଜରେ ସୀମିତ ରଖିବା ଠିକ୍‌ ହେବନାହିଁ। ସଂବିଧାନ କେବଳ ଏକ ଦସ୍ତାବିଜ ନୁହେଁ। ଏହା ହେଉଛି ଏକ ଦର୍ଶନ, ଭାରତର ଭବିଷ୍ୟତ ପାଇଁ ଏକ ନକ୍ସା ମଧ୍ୟ। ଏଣିକି ‘ସଂବିଧାନ ବଞ୍ଚାଅ’ ସ୍ଲୋଗାନକୁ ଭାରତର ସ୍ବଧର୍ମକୁ ବଞ୍ଚାଇବାର ଲଢ଼େଇରେ ରୂପାନ୍ତରିତ କରିବାକୁ ହେବ। 
(ମତାମତ ଲେଖକଙ୍କ ନିଜସ୍ବ)
ରାଷ୍ଟ୍ରୀୟ ସଂଯୋଜକ,
ଭାରତ ଯୋଡ଼ୋ ଅଭିଯାନ