ସୁରଞ୍ଜନ ବାବୁ ତାଙ୍କର ବନ୍ଧୁ ଡାକ୍ତର ଦୀନବନ୍ଧୁ ସାହୁଙ୍କର ଏକ ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ବସ୍ ଯୋଗେ ଭବାନୀପାଟଣା ବାହାରିଲେ। ପାହାନ୍ତି ଶୀତଳ ପବନ, ଘାଟି ରାସ୍ତା, ମନ ମତାଣିଆ ଆରଣ୍ୟକ ପରିବେଶ, ନାନା ଜାତିର ଚଢ଼େଇଙ୍କ କିଚିରିମିଚିରି ଭିତରେ ଏହା ଏକ ସୁଖପ୍ରଦ ଯାତ୍ରା ଥିଲା। ଭବାନୀପାଟଣାରେ ବସ୍ ପହଞ୍ଚିଲା ବେଳକୁ ସକାଳ ଆଠଟା। ବାଟ ସାରା ପଳାଶ ରଙ୍ଗର ଲାଲ ଶାଢ଼ିରେ ଦାଉଦାଉ ଜଳୁଥିଲା ଭବାନୀପାଟଣା। ରାସ୍ତା ସାରା ଖରାର ଖପରାଡିଆଁ ଖେଳ। ଶିଳ୍ପ ଉତ୍ପାଦନରେ ଗୋଟିଏ ଦ୍ରବ୍ୟର ଠିକ୍ ବିପଣନ ପାଇଁ ଯେପରି ପ୍ରଚାର, ପ୍ରସାରର ଆବଶ୍ୟକତା ପଡ଼େ, ସାହିତ୍ୟରେ ଠିକ୍ ସେହିପରି। କେବଳ ଭଲ ଲେଖିଲେ କେହି ଭଲ ଲେଖକ ହୋଇଯାଏ ନାହିଁ; ସେଥିପାଇଁ ଭୋଜି ଦେଇ, ସଭାଟିଏ ଆୟୋଜନ କରି ଆପଣ ଭଲ ଲେଖୁଛନ୍ତି ବୋଲି ପାଠକ, ସମାଲୋଚକମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ହୁଏ। ଏହି କଥାଟି ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଭାରେ ସୁରଞ୍ଜନ ବାବୁ ହୃଦୟଙ୍ଗମ କରୁଥିଲେ।
ସଭା ସରିଲା ପରେ ବନ୍ଧୁ ଦୀନବନ୍ଧୁ ବାବୁ କଳାହାଣ୍ଡିର କଳାପ୍ରିୟ, ମାଟିର ମଣିଷଙ୍କୁ ଭେଟିବାକୁ ନେଇଗଲେ ଭବାନୀପାଟଣାରୁ ଅନତିଦୂର ଏକ ସହରତଳି ଗାଁ ‘କିଟ୍ପଦର’। ପାଖାପାଖି ୫୦୦ ଲୋକସଂଖ୍ୟା ବିଶିଷ୍ଟ ଗାଁଟିରେ ଅଧିକାଂଶ ଲୋକ କନ୍ଧ ସମ୍ପ୍ରଦାୟର। ଗାଁରେ ପଶୁପଶୁ ଭେଟ ହେଲେ ମା’ ତାରାତାରିଣୀ ଘୁମୁରା ଲୋକନୃତ୍ୟ ଦଳର ସଭାପତି ନୀଳକଣ୍ଠ ମାଝୀ ଓ ଗାୟକ ଅଖିଳ ମାଝୀ। ସବୁଜିମା ଘେରା ଝିଙ୍କର ଘର କେତୋଟି ଭିତରୁ ବାରି ହୋଇ ପଡୁଥିଲା ଅଭାବର ବିକଳ ଚିତ୍ର। ତା’ରି ଭିତରେ ଘୁମୁରା ଗାୟକ ଅଖିଳର ମନ ମତାଣିଆ ସ୍ୱର ସେମାନଙ୍କୁ କିଛି କ୍ଷଣ ପାଇଁ ଭିନ୍ନ ଏକ ଭାବ ରାଜ୍ୟକୁ ନେଇ ଯାଇଥିଲା। ଅଖିଳ ଗାଉଥିଲା, “କଳାହାଣ୍ଡି କଳାଭୂମି କଳାର କ୍ଷେତ୍ର, ଦେଖିଲା ମାତ୍ରକେ ପିଣ୍ଡ ହୁଏ ପବିତ୍ର, ଯହିଁ ମାଣିକେଶ୍ୱରୀ, ରାଜ୍ୟର ଅଧିଶ୍ୱରୀ, ବଞ୍ଚାଇ ରଖିଅଛି ସେ ମାତୃଭୂମିର ଶିରୀ”। ସେମାନଙ୍କ କହିବାନୁସାରେ ଘୁମୁରା ଏକ ବୀର ବାଦ୍ୟ। ଏହାକୁ ନେଇ ନୃତ୍ୟ ଓ ଗୀତ ଆୟୋଜିତ ହୁଏ। ନୃତ୍ୟର କଳା କୁଶଳତା, ସାଙ୍ଗୀତିକତା, ପଦପାତ, ବେଶ ପୋଷାକ ଓ ଗାୟନ ଶୈଳୀର ପରମ୍ପରାରେ ବହୁ ଦିନର ଗଭୀର ଅନୁଭୂତି ଓ ଉନ୍ନତ ରୁଚିର ପରିଚୟ ମିଳେ। ପରିଧାନରେ ରକ୍ତ, ସବୁଜ, ଗାଢ଼ ନୀଳ ଓ ହଳଦିଆ ରଙ୍ଗ ବ୍ୟବହୃତ ହୁଏ। ପଗଡ଼ି ଉପରେ ମୟୂର ଚୂଳ ଶୋଭାପାଏ। କାନ୍ଧ ଉପରୁ ପିଠି ପଟେ ତଳକୁ ରଙ୍ଗୀନ ସିଲ୍କ କନାର ଝାଲର ଲମ୍ବିଥାଏ। ଆଣ୍ଠୁ ଉପରକୁ ପାଇକଛା ମାରି ଧୋତି, ପାଦ ବଳାଗଣ୍ଠି ଉପରେ ଘାଘୁଡ଼ି ମାଳ ଓ ଛାତି ତଳକୁ ଏକ କ୍ଷୁଦ୍ର ଘୁମ ଆକୃତିର ଘୁମୁରା ବନ୍ଧା ହୋଇଥାଏ। ଏହା ବୀର ବାଦ୍ୟ ହୋଇଥିବାରୁ ନିଶାଣ ଓ ଝାଞ୍ଜ ସହ ମିଶିଲେ, ଯେଉଁ ଧ୍ୱନି ଜାତ ହୁଏ, ତାହା ଶ୍ରୋତା ମନରେ ସାହସ, ବଳ ଓ ତେଜ ସୃଷ୍ଟି କରେ।
କିଟ୍ପଦରରୁ ଫେରି ପାଦଚଲା ରାସ୍ତାରେ କିଛି ବାଟ ଆଗେଇଲା ପରେ ଦୂରରୁ ଦିଶୁଥିଲା କର୍ଲାପାଟ ଅଭୟାରଣ୍ୟ ଓ ପାହାଡ଼ର ପାଦ ଦେଶରେ କେତୋଟି ବିଜନ ଆଦିବାସୀ ପଲ୍ଲୀ। ସୁରଞ୍ଜନ ବାବୁ ବାଟରେ ଭାବୁଥିଲେ ବ୍ୟାଧିର ପୀଡ଼ନ ଓ ଶତ ଅନଟନ ସତ୍ତ୍ୱେ ଆଦିବାସୀମାନେ ସଂସ୍କୃତିପ୍ରିୟ ଏବଂ ଏମାନଙ୍କର ଭିଟାମାଟିର ମୋହ ଅନନ୍ୟ। ସେମାନଙ୍କର ବଞ୍ଚିବା ପାଇଁ ପାହାଡ଼ ଓ ଜଙ୍ଗଲ ଅନିବାର୍ଯ୍ୟ। ଆଦିବାସୀ ଓ ଜଙ୍ଗଲ ଗୋଟିଏ ପରିସଂସ୍ଥାର ଦୁଇ ଅବିଚ୍ଛେଦ୍ୟ ଅଙ୍ଗ ଭଳି।
ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାରେ ଶଗଡ଼ା ଗ୍ରାମ ପଞ୍ଚାୟତ ଦେଇ ୧୬ କିଲୋମିଟର ଗଲା ପରେ ପଡ଼ିଲା ପ୍ରାକୃତିକ ଶୋଭାରାଜି ବିମଣ୍ଡିତ ଫୁର୍ଲିଝରଣ ଜଳପ୍ରପାତ। ଚାଳିଶ ଫୁଟ ଉଚ୍ଚ ଏକ ପଥର ଚଟାଣ ଉପରୁ ଲମ୍ଫ ପ୍ରଦାନ କରି ପ୍ରାଣରେ ଅଫୁରନ୍ତ ଆନନ୍ଦ ସୃଷ୍ଟି କରୁଥିଲା। ସତେ ଅବା ପାହାଡ଼ୀ ଝରଣାଟି କହୁଥିଲା, ‘ମ୍ୟାନ୍ ମେ କମ୍, ମ୍ୟାନ୍ ମେ ଗୋ, ବଟ୍ ଆଇ ଗୋ ଅନ୍ ଫର୍ଏଭର୍’ ଯାହାର ମର୍ମାର୍ଥ ହେଲା ‘ମଣିଷ ଯାଉଥିବ, ଆସୁଥିବ; କିନ୍ତୁ ମୁଁ ବହି ଚାଲିଥିବି ଅନନ୍ତ କାଳ ଲାଗି।’ ବନ୍ଧୁ ଡାକ୍ତର ସାହୁ କହୁଥିଲେ ଫୁର୍ଲିଝରଣ ଲାଗି କଳାହାଣ୍ଡି ଜିଲ୍ଲା ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଏବେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଦିନ ଥିଲା, ଅନାହାର ମୃତ୍ୟୁ ଓ ଦାରିଦ୍ର୍ୟ ମୋଚନ ଲାଗି ପିଲା ବିକ୍ରି ହେଉଥିବା ସମ୍ବାଦର ଉତ୍ସ ଭାବେ କଳାହାଣ୍ଡି ଜାତୀୟ ଗଣମାଧ୍ୟମରେ ଶୀର୍ଷ ସମ୍ବାଦର ସ୍ଥାନ ଅଧିକାର କରୁଥିଲା। ମାତ୍ର ସେଇ ଜିଲ୍ଲାରେ ଏବେ ମୁଣ୍ଡ ଟେକିଛି ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ, ଉତ୍କେଲା ବିମାନବନ୍ଦର, ନୂତନ ବସ୍ ଷ୍ଟାଣ୍ଡ, ବିଶ୍ୱବିଦ୍ୟାଳୟ, ଭାଗୀରଥି ଉଦ୍ୟାନ, ତାରକା ହୋଟେଲ, କାଫେ ଇତ୍ୟାଦି। ଏହାର ହାବସ୍ପୁରୀ ପାଟଶାଢ଼ୀ, ଭୁଲିଆ ସମ୍ପ୍ରଦାୟର କଳା କୁଶଳତା ପ୍ରତିପାଦନ କରେ। ବରଗଡ଼ ପରେ ଓଡ଼ିଶାର ସର୍ବୋତ୍କୃଷ୍ଟ ଧାନ ଓ କପା ଉତ୍ପାଦନକାରୀ ଜିଲ୍ଲାର ମାନ୍ୟତା ପାଇଛି କଳାହାଣ୍ଡି।
ଫୁର୍ଲିଝରଣରୁ ଫେରିବା ବାଟରେ ସଞ୍ଜୁଆଣୀ ଜହ୍ନ ଆକାଶରେ ଉଇଁ ସାରିଥିଲା। ଡାକ୍ତର ସାହୁ ପରାମର୍ଶ ଦେଲେ ମାଣିକେଶ୍ୱରୀଙ୍କ ସଞ୍ଜ ଆଳତୀ ଦେଖି ମା’ଙ୍କ ଆଶିଷ ନେବା ପାଇଁ। ଭବାନୀପାଟଣାର ଦକ୍ଷିଣାଞ୍ଚଳସ୍ଥ ରାମନଗର ପଡ଼ାରେ ରାଜବାଟୀ ସନ୍ନିକଟ ଏହି ମନ୍ଦିରରେ ମା’ ମାଣିକେଶ୍ୱରୀ ଦଶମ ଶତାବ୍ଦୀରୁ ସମ୍ପଦ ଓ ସୌଭାଗ୍ୟର ଦେବୀ ଭାବରେ ପୂଜିତା। ସ୍ତିମିତ ଦୀପାଲୋକର କୁହୁଳା ଧୂଆଁ ଓ ମନ୍ଦିର ପୂଜକଙ୍କ ଅସ୍ପଷ୍ଟ ମନ୍ତ୍ରୋଚ୍ଚାରଣ ମନ୍ଦିର ପରିସରରେ ସେହି ଭୀରୁ ସଞ୍ଜକୁ ଆହୁରି ରମଣୀୟ କରି ତୋଳିଥିଲା।
କଳାହାଣ୍ଡି ଏବେ ଭୋକର ଭୂଗୋଳ ନୁହେଁ। ତା’ର କପାଳରେ ଦାନ ମାଝୀ ଓ ଦାଦନର ଦୁଃଖ ପରି ଅନେକ ଲାଞ୍ଛନାର ଦାଗ ସତ୍ତ୍ୱେ ସମୟର ବଡ଼ଦାଣ୍ଡରେ ତା’ର ପ୍ରଗତିର ବେଗ ମଧ୍ୟ ବେଶ୍ ପରିଦୃଶ୍ୟ।
ମୋ: ୯୪୩୭୦୦୦୬୩୬
ଭବାନୀପାଟଣାରେ ଏକ ଭୀରୁ ସଞ୍ଜ
ଧନଞ୍ଜୟ ସ୍ୱାଇଁ
/sambad/media/post_attachments/wp-content/uploads/2024/06/gjjdgdgjdggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)