ଇତିହାସର ପ୍ରତି କାଳଖଣ୍ଡରେ ଆମ ମାତୃଭୂମିର କୋଳମଣ୍ଡନ କରିଛନ୍ତି ଅନେକ ବୀରପୁରୁଷ ଓ ବୀରରମଣୀ। ସେମାନେ ନିଜର ଅସାଧାରଣ ପ୍ରତିଭା ବଳରେ ଭାରତୀୟତାର ଭାବନାକୁ ପରିପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଆମ ସପ୍ତର୍ଷିମଣ୍ଡଳର ତାରକାଙ୍କ ପରି ଆମକୁ ଅହର୍ନିଶ ବାଟ କଢ଼ାଇ ଚାଲିଛନ୍ତି। ଭାରତ ଆକାଶର ସପ୍ତର୍ଷିମଣ୍ଡଳର ଏହିପରି ଜଣେ ଉଜ୍ଜ୍ୱଳ ତାରକା ଥିଲେ ଭଗବାନ ବିର୍ସା ମୁଣ୍ଡା। ତାଙ୍କରି ଆଲୋକରେ ଏ ଦେଶର ଗତିପଥ ଆଲୋକିତ।
ଦେଶ, ଆଧୁନିକ ଭାରତ ଇତିହାସର ଏହି ମହାନାୟକଙ୍କ ୧୫୦ତମ ଜନ୍ମବାର୍ଷିକୀର ବର୍ଷବ୍ୟାପୀ ଉତ୍ସବ ଶୁଭାରମ୍ଭ କରୁଥିବା ଅବସରରେ ତାଙ୍କ ପୁଣ୍ୟ ସ୍ମୃତି ପ୍ରତି ମୁଁ କୃତଜ୍ଞତାପୂର୍ବକ ସମ୍ମାନ ଜ୍ଞାପନ କରୁଛି। ପିଲାଦିନେ ଭଗବାନ ବିର୍ସା ମୁଣ୍ଡାଙ୍କ କଥା ଶୁଣି ମୁଁ ଓ ମୋର ସାଙ୍ଗମାନେ କିପରି ଆମ ପରମ୍ପରା ପାଇଁ ଗର୍ବ ଅନୁଭବ କରୁଥିଲୁ, ତାହା ମୋର ମନେପଡୁଛି।
ମାତ୍ର ୨୫ ବର୍ଷର ସ୍ୱଳ୍ପ ଆୟୁଷ ଥିଲା ତାଙ୍କର। ଆଜିର ଝାଡ଼ଖଣ୍ଡର ଉଲିହାତୁରେ ତାଙ୍କର ଜନ୍ମ। କୈଶୋରରୁ ହିଁ ସେ ଉପନିବେଶବାଦୀ ଶୋଷଣ ବିରୋଧୀ ଜନପ୍ରତିରୋଧର ନେତୃତ୍ୱ ନେଇଥିଲେ। ଯେତେବେଳେ ବ୍ରିଟିଶ୍ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଜମିଦାରମାନେ ଆଦିବାସୀମାନଙ୍କୁ ଶୋଷଣ କରୁଥିଲେ, ସେମାନଙ୍କ ଭୂମି ହରଣ କରୁଥିଲେ ଏବଂ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ, ସେତେବେଳେ ଭଗବାନ ବିର୍ସା ଏହି ସାମାଜିକ ଓ ଆର୍ଥିକ ଅନ୍ୟାୟ ବିରୁଦ୍ଧରେ ଠିଆ ହୋଇ ନିଷ୍ପେଷିତ ଲୋକମାନଙ୍କୁ ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ପ୍ରେରଣା ଦେଇଥିଲେ। ‘ଧରତୀ ଆବା’ ଭାବରେ ସମ୍ମାନିତ ଭଗବାନ ବିର୍ସା ୧୮୯୦ ଦଶକର ଶେଷ ଭାଗରେ ବ୍ରିଟିଶ୍ ଅତ୍ୟାଚାର ବିରୋଧରେ ‘ଉଲଗୁଲାନ’ ବା ମୁଣ୍ଡା ବିଦ୍ରୋହ ସଂଗଠିତ କରିଥିଲେ।
ଉଲଗୁଲାନ କେବଳ ଏକ ବିଦ୍ରୋହ ନଥିଲା। ଏହା ଆଦିବାସୀଙ୍କ ନ୍ୟାୟ ଓ ସାଂସ୍କୃତିକ ପରିଚୟର ସଂଗ୍ରାମ ପାଲଟିଥିଲା। ଭଗବାନ ବିର୍ସା ମୁଣ୍ଡା ନିଜ ବୋଧଶକ୍ତି ବଳରେ ଗୋଟିଏ ପଟେ ଆଦିବାସୀଙ୍କ ଜମିର ମାଲିକାନା ଓ ଜମି ଚାଷ ଅଧିକାର ଏବଂ ଅନ୍ୟପଟେ ଆଦିବାସୀ ରୀତିନୀତି ଓ ସାମାଜିକ ମୂଲ୍ୟବୋଧକୁ ଏକାଠି କରିପାରିଥିଲେ। ମହାତ୍ମା ଗାନ୍ଧୀଙ୍କ ପରି, ନ୍ୟାୟ ଓ ସତ୍ୟର ଅନ୍ୱେଷଣ ଥିଲା ତାଙ୍କ ସଂଗ୍ରାମର ପଥ-ପ୍ରଦର୍ଶକ।
ପୀଡ଼ିତଙ୍କ ଚିକିତ୍ସା କରିବା ଥିଲା ତାଙ୍କ ଜୀବନର ବ୍ରତ। ସେ ଜଣେ ଚିକିତ୍ସକ ଭାବରେ ତାଲିମ ପାଇଥିଲେ। ବିଭିନ୍ନ ଘଟଣାରୁ ଲୋକମାନେ ବିଶ୍ୱାସ କରୁଥିଲେ ଯେ ଈଶ୍ୱର ତାଙ୍କୁ ଏପରି ହାତଟିଏ ଦେଇଛନ୍ତି, ଯେଉଁ ହାତ ଲାଗିଲା କ୍ଷଣି ରୋଗୀର ରୋଗ ଭଲ ହୋଇଯାଏ। ରୋଗୀଙ୍କୁ ତାଙ୍କ ପାଖକୁ ଆଣିବା ପାଇଁ ସେ ଲୋକମାନଙ୍କୁ ପରାମର୍ଶ ଦେଉଥିଲେ। ସେ ମଧ୍ୟ କହୁଥିଲେ, “ଯଦି ରୋଗୀ ମୋ ପାଖକୁ ଆସି ନ ପାରିବ, ମୁଁ ନିଜେ ରୋଗୀ ପାଖକୁ ଯାଇ ତା’ର ସେବା କରିବି।” ସେ ଗାଁ ଗାଁ ବୁଲି ରୋଗୀମାନଙ୍କୁ ଭେଟୁଥିଲେ ଏବଂ ନିଜର ଚିକିତ୍ସା ବିଦ୍ୟା ଓ ହାତର ସ୍ପର୍ଶରେ ଅଗଣିତ ଲୋକଙ୍କୁ ରୋଗମୁକ୍ତ କରୁଥିଲେ।
ତାଙ୍କ ବଳିଦାନର ଗାଥା ଭାରତର ଆଦିବାସୀ ସମ୍ପ୍ରଦାୟର ମହାନ ବିପ୍ଳବୀମାନଙ୍କ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଆଦିବାସୀମାନଙ୍କ ସଂଘର୍ଷ ସୂଚାଏ ଯେ ଏ ମାଟିର ଏପରି ଏକ ସ୍ୱତନ୍ତ୍ର ପରମ୍ପରା ରହିଛି, ଯେଉଁଠାରେ କୌଣସି ସମାଜ ବା ସମ୍ପ୍ରଦାୟ ମୁଖ୍ୟସ୍ରୋତ ଠାରୁ ପୃଥକ୍ ନୁହନ୍ତି। ଅଧୁନା ଅନୁସୂଚିତ ଜନଜାତି ବର୍ଗ ଅନ୍ତର୍ଭୁକ୍ତ ବନବାସୀଗଣ ସର୍ବଦା ଭାରତୀୟ ସମୂହର ଅଂଶ ହୋଇ ରହିଆସିଛନ୍ତି।
ଦିନ ଥିଲା, ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟ ବିପ୍ଳବୀଗଣ ଆମ ଇତିହାସର ‘ଅନାଲୋଚିତ ନାୟକ’ ଭାବେ ପରିଗଣିତ ହେଉଥିଲେ। କିନ୍ତୁ ସାମ୍ପ୍ରତିକ ସମୟରେ ସେମାନଙ୍କ ପରାକ୍ରମ ଓ ବଳିଦାନ ଅଧିକରୁ ଅଧିକ ପ୍ରଶଂସିତ ହେଉଛି। ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଆମେ ଭାରତର ସଂସ୍କୃତି ଓ ସଫଳତାର ଗୌରବମୟ ଇତିହାସ ସ୍ମରଣ କରିଥିଲୁ। ଏହା ଦ୍ୱାରା ଅପେକ୍ଷାକୃତ କମ୍ ଜଣାଶୁଣା, ଭାରତର ମହାନ ଦେଶଭକ୍ତମାନଙ୍କ ଅବଦାନ ବିଷୟରେ ଆମ ଲୋକମାନେ, ବିଶେଷକରି ଯୁବପିଢ଼ି ଅଧିକ ଜାଣିବାର ସୁଯୋଗ ପାଇଛନ୍ତି।
ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ୨୦୨୧ ମସିହାରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫କୁ ‘ଜନଜାତୀୟ ଗୌରବ ଦିବସ’ ଭାବରେ ପାଳନ କରିବା ନିମନ୍ତେ ସରକାର ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା ଆମର ଇତିହାସ-ମନସ୍କତା ପୂର୍ବାପେକ୍ଷା ବୃଦ୍ଧି ପାଇଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ପ୍ରତି ସମ୍ମାନ ପ୍ରଦର୍ଶନ ଦ୍ୱାରା ସ୍ୱଳ୍ପାଲୋଚିତ ଆଦିବାସୀ ଇତିହାସ ଭାରତ ଇତିହାସର କେନ୍ଦ୍ରବିନ୍ଦୁ ପାଲଟିଛି।
ଇତିହାସର ଏହି ଅଧ୍ୟାୟ ଆଜି ଅଧିକ ପ୍ରାସଙ୍ଗିକ, କାରଣ ଏହା ଆଧୁନିକ ସମାଜକୁ ପ୍ରକୃତି ସହିତ ସମନ୍ୱୟ ରକ୍ଷା କରି ଜୀବନଯାପନ କରିବା ଓ ପରିବେଶ ସଂରକ୍ଷଣକୁ ପ୍ରାଧାନ୍ୟ ଦେବା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ। ପିଲାଦିନେ ମୋ ବାପାଙ୍କୁ ଜାଳେଣି ପାଇଁ ଶୁଖିଲା କାଠଝାଟ ସଂଗ୍ରହ ପୂର୍ବରୁ ପ୍ରକୃତିକୁ କ୍ଷମା ମାଗୁଥିବାର ମୁଁ ଦେଖିଛି। ସେ କଥା ଆଜି ବି ମୋର ମନେ ଅଛି। ସାଧାରଣତଃ ଆଦିବାସୀମାନେ ବ୍ୟକ୍ତି-ସ୍ୱାର୍ଥ ଠାରୁ ସମୂହ-ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏହା ସେମାନଙ୍କ ସୁଖ-ସନ୍ତୋଷର କାରଣ।
ମାନବ ଜାତିର ଉତ୍ତମ ଭବିଷ୍ୟତ ନିମନ୍ତେ ଜନଜାତି ସମାଜର ଏହି ବିରଳ ବୈଶିଷ୍ଟ୍ୟକୁ ଉଜ୍ଜୀବିତ ରଖିବାର ଆବଶ୍ୟକତା ରହିଛି। ଭାରତର ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟର ଗୁରୁତ୍ୱକୁ ଯଥା-ସ୍ୱୀକୃତି ଦେବା ନିମନ୍ତେ ସରକାର ଗତ ଏକ ଦଶନ୍ଧି ଧରି ଚଳାଇଥିବା ବ୍ୟାପକ ପ୍ରୟାସ ପଛର ଏହା ହିଁ କାରଣ। ଜନମଙ୍ଗଳକୁ ସ୍ଲୋଗାନ୍ ମଧ୍ୟରେ ସୀମିତ ନ ରଖି ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସରକାର ଅନେକ କାର୍ଯ୍ୟକ୍ରମ ଓ ଯୋଜନାମାନ ଘୋଷଣା କରିଛନ୍ତି। ଆଦିବାସୀମାନଙ୍କ ବିକାଶ ଓ ମଙ୍ଗଳ ନିମନ୍ତେ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣପୂର୍ବକ ଗତ ମାସରେ ପ୍ରାୟ ୬୩,୦୦୦ ଆଦିବାସୀ ଗ୍ରାମରେ ସାମାଜିକ ଭିତ୍ତିଭୂମିର ଅଭାବ ପୂରଣ କରିବା ପାଇଁ ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ର ଶୁଭାରମ୍ଭ କରାଯାଇଥିଲା। ଏହା ବ୍ୟତୀତ ଜନମଙ୍ଗଳକାରୀ ପଦକ୍ଷେପକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ‘ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ’ (ପିଏମ୍-ଜନମନ) ୧୧ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପ୍ରାଧାନ୍ୟ ଦେଉଅଛି।
ମୋର ବିଶ୍ୱାସ, ଆଦିବାସୀ ବର୍ଗର ସର୍ବାଙ୍ଗୀନ ଉନ୍ନତି କଳ୍ପେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବା ହିଁ ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଗଣଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ରାଷ୍ଟ୍ରପତି ଭବନ ଅନୁସୂଚିତ ଜନଜାତି ବର୍ଗର ନିକଟତର ହେବା ପାଇଁ ମଧ୍ୟ ନୂଆ ନୂଆ ପଦକ୍ଷେପ ନେଇଆସୁଛି ଏବଂ ଏଥିରେ ମୁଁ ବେଶ୍ ସନ୍ତୋଷ ଲାଭ କରିଛି। ରାଷ୍ଟ୍ରପତି ଭବନ ସଂଗ୍ରହାଳୟର ଅଂଶସ୍ୱରୂପ, ଆଦିବାସୀଙ୍କ ସମୃଦ୍ଧ କଳା, ସଂସ୍କୃତି ତଥା ରାଷ୍ଟ୍ର ନିର୍ମାଣରେ ଆଦିବାସୀ ସମ୍ପ୍ରଦାୟର ଅବଦାନର ନିଦର୍ଶନ ବହନ କରୁଥିବା ‘ଜନଜାତୀୟ ଦର୍ପଣ’ ଗ୍ୟାଲେରିକୁ ଉଦ୍ଘାଟନ କରିବା ମୋ ପାଇଁ ସୌଭାଗ୍ୟର ବିଷୟ ଥିଲା। ମୁଁ ମଧ୍ୟ ଚଳିତ ବର୍ଷ ଅଗଷ୍ଟ ମାସରେ ରାଜ୍ୟପାଳ ସମ୍ମିଳନୀ ଅବସରରେ ଆଦିବାସୀ-ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ସମ୍ବଳର ଉତ୍ତମ ବିନିଯୋଗ ଉପରେ ଗୁରୁତ୍ୱ ଦେଇଥିଲି।
ରାଷ୍ଟ୍ରପତି ଭବନକୁ ନିମନ୍ତ୍ରିତ ୭୫ଟି ଆଦିମ ଜନଜାତି (ପି.ଭି.ଟି.ଜି.) ବର୍ଗର ପ୍ରତିନିଧିମାନଙ୍କ ସହିତ ବିସ୍ତୃତ ବାର୍ତ୍ତାଳାପ କରିବା ମୋ ପାଇଁ ଏକ ସୁଖଦ ଅନୁଭୂତି ଥିଲା। ସେମାନେ ମୋ ସହିତ ନିଜନିଜର ସୁଖଦୁଃଖ ବାଣ୍ଟିଥିଲେ। ଏହା ମୋ ପାଇଁ ଗର୍ବର ବିଷୟ ଯେ ମୁଁ ଦେଶର ସର୍ବୋଚ୍ଚ ସାଂବିଧାନିକ ପଦରେ ଅବସ୍ଥାପିତ ହେବାକୁ ଆମ ଆଦିବାସୀ ଭାଇଭଉଣୀମାନେ ଏକ ଅଭୂତପୂର୍ବ ସ୍ୱୀକୃତି ବୋଲି ମନେ କରୁଛନ୍ତି।
ଏକ ମହତ ଭାବନା ଘେନି ଆମେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଉତ୍ସବର ଶୁଭାରମ୍ଭ କରୁଅଛୁ ଏବଂ ଆମେ ସମସ୍ତେ ଏ ଭାବନାର ଜଣେ ଜଣେ ଅଂଶୀଦାର। ମୋର ବିଶ୍ୱାସ, ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ କେବଳ ଆଦିବାସୀ ସମ୍ପ୍ରଦାୟର ଯୁବବର୍ଗଙ୍କ ପାଇଁ ନୁହେଁ, ଦେଶର ସବୁ ଯୁବବର୍ଗଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ। ସ୍ୱାଧୀନତା, ନ୍ୟାୟ, ପରିଚୟ ଓ ମର୍ଯ୍ୟାଦା- ତାଙ୍କର ଏ ସମସ୍ତ ମହତ୍ତ୍ୱାକାଂକ୍ଷା ଆମ ଦେଶର ଯୁବପିଢ଼ି ନିମନ୍ତେ ଏକ ବଳିଷ୍ଠ ପ୍ରେରଣା ହୋଇ ରହୁ।
ଦ୍ରୌପଦୀ ମୁର୍ମୁ
ଭାରତର ରାଷ୍ଟ୍ରପତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/15/WCIN0rucPM3Hau5di7I0.jpg)