ପ୍ରଫେସର ସତ୍ୟନାରାୟଣ ମିଶ୍ର

Advertisment

ଆଜକୁ ଶହେ ଛଅ ବର୍ଷ ପୂର୍ବେ ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ପ୍ରାୟ ୫,୦୦୦ରୁ ୩୦,୦୦୦ ଲୋକଙ୍କ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ଅହିଂସାତ୍ମକ ସମାବେଶ ଉପରକୁ ବ୍ରିଗେଡିଅର ଜେନେରାଲ ରେଜିନାଲ୍‌ଡ ଡାୟର ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁଳି ଚଳାଇବା ପୂର୍ବରୁ ସେ କୌଣସି ଆଗୁଆ ଚେତାବନୀ ଶୁଣାଇନଥିଲେ। ତାଙ୍କ ଅଙ୍ଗରକ୍ଷୀ ସର୍ଜେଣ୍ଟ ଆଣ୍ଡରସନ୍‌ ପରେ ଉଲ୍ଲେଖ କରିଥିଲେ କି, ସମବେତ ଭିଡ଼ର ସଫେଦ ବସ୍ତ୍ରର ଝଙ୍କାର ସତେ ଯେମିତି ମାଟିରେ ଭିଜିଗଲା ଭଳି ଲାଗୁଥିଲା। ସେଠାରେ ସମଗ୍ର ଭିଡ଼ ପଳାୟନ କରିବା ଅଥବା ଭୂପତିତ ହେବା ଯାଏ ୫୦ ଜଣ ବନ୍ଧୁକଧାରୀ ପ୍ରାୟ ଦଶ ମିନିଟ୍‌ କାଳ ୧,୬୫୦ ରାଉଣ୍ଡ୍‌ ଗୁଳି ଚଳାଇଥିଲେ। ଏଥିରେ ଶିଶୁ, ବୃଦ୍ଧ ଓ ମହିଳାଙ୍କ ସମେତ ୪୦୦ ଜଣ ଭାରତୀୟ ସହିଦ ହୋଇଥିଲେ ଏବଂ ହଜାରେ ପାଖାପାଖି ଆହତ ହୋଇଥିଲେ, ଯେଉଁମାନଙ୍କୁ ଆଖପାଖ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମଧ୍ୟ ବାରଣ କରାଯାଇଥିଲା। ସେଠାକାର କାନ୍ଥ ଏବେ ବି ଗୁଳିବିଦ୍ଧ ଗର୍ତ୍ତର ପ୍ରମାଣ ବହନ କରୁଛି। ମୁଖ୍ୟତଃ ଗୁଳିଚାଳନା ପାଇଁ ବ୍ୟବହୃତ ଗୋର୍ଖାମାନେ ପରେ ପ୍ରସନ୍ନତା ପୂର୍ବକ ଟିପ୍ପଣୀ କରିଥିଲେ କି, “ଯେତେବେଳ ଯାଏ ତାହା ଚାଲିଥିଲା, ସେ ଦୃଶ୍ୟ ଖୁବ୍‌ ଚମତ୍କାର ଥିଲା।’’ ଏହା କ’ଣ ସାମ୍ରାଜ୍ୟବାଦ ସହ ଜଡ଼ିତ ଜାତିବାଦର ପ୍ରତିଫଳନ ଥିଲା ନା ନିଃସଙ୍ଗ ନିର୍ଦ୍ଦୟ କଠୋରପନ୍ଥୀ ବ୍ରିଗେଡିଅର ଡାୟରଙ୍କ କାର୍ଯ୍ୟ ଥିଲା?
ଏବେ ସୁଦ୍ଧା ଉକ୍ତ ସ୍ମାରକୀକୁ ପରିଦର୍ଶନ କରୁଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କ ମନରେ ଘୃଣାଭାବ ଉଦ୍ରେକ କରୁଥିବା ଉକ୍ତ ନୃଶଂସ କାର୍ଯ୍ୟର ନ୍ୟାୟିକ ତଦନ୍ତ ୧୯୧୯ ଅକ୍‌ଟୋବରରେ ହଣ୍ଟର କମିସନଙ୍କ ଦ୍ବାରା କରାଯାଇଥିଲା। ଉକ୍ତ କମିଟିରେ ୫ ଜଣ ବ୍ରିଟିସ ସଦସ୍ୟ ଏବଂ  ୩ ଜଣ ଭାରତୀୟ ରହିଥିଲେ। ସେମାନଙ୍କ ମଧ୍ୟରେ ଥିବା ପ୍ରଖ୍ୟାତ ଆଇନଜୀବୀ ସେତଲଭାଡ଼ ଓ ଲଣ୍ଡନ ତାଲିମପ୍ରାପ୍ତ ଓକିଲ କାନ୍ତିଲାଲ ଶାହ ଗୋଟିଏ ପଟେ ରାଓଲାଟ ଆଇନ ପ୍ରସ୍ତୁତ କରିବାରେ ସହଯୋଗୀ ସାଜିଥିଲେ ଏବଂ ଅନ୍ୟ ପଟେ ହଣ୍ଟର କମିସନ ଆଗରେ ସାକ୍ଷ୍ୟ ଗ୍ରହଣ ସମୟରେ ଏକ ବୀରତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ନିର୍ମିତ ରିଚାର୍ଡ ଆଟେନବରୋଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ରରେ ଉକ୍ତ ହତ୍ୟାକାଣ୍ଡର ଏକ ଅତ୍ୟନ୍ତ ଭାବପ୍ରବଣ ଏବଂ ପ୍ରାୟତଃ କାଳ୍ପନିକ ଦୃଶ୍ୟର ଅବତାରଣା କରାଯାଇଛି। ଇତିହାସ କେମିତି ଲେଖାଯାଏ ଏବଂ ତାହାକୁ ଓଲଟପାଲଟ କରାଯାଏ ତାହା ରାମ ଵାଧଵାନିଙ୍କ ଧାରାବାହିକ ‘ଦି ୱେକିଂ ଅଫ୍‌ ଏ ନେସନ’ରେ ଦେଖିବାକୁ ମିଳେ। ତେବେ କିମ୍‌ ଏ. ଵାଗନରଙ୍କ ପୁସ୍ତକ ‘ଦି ଏମ୍ପାୟାର ଅଫ୍‌ ଫିଅର ଆଣ୍ଡ୍‌ ଦି ମେକିଂ ଅଫ୍‌ ଏ ମାସାକ୍‌ର’ (୨୦୧୯) ବହୁତ ମର୍ମସ୍ପର୍ଶୀ ହୋଇଛି ଏବଂ ବ୍ରିଟିସ ଶାସନ ସମୟରେ ସେହି ମହାନ୍‌ ମାନବୀୟ ଦୁଃଖର ଦ୍ବନ୍ଦ୍ବାତ୍ମକ ଦୃଷ୍ଟିକୋଣକୁ ବୁଝିବାରେ ଏକ ମହତ୍ତ୍ବପୂର୍ଣ୍ଣ ଶୂନ୍ୟସ୍ଥାନ ପୂରଣ କରିପାରିଛି। 
ଐତିହାସିକ ପର୍ସେଭାଲ୍‌ ସ୍ପିଅରଙ୍କ ମତରେ, “ଜାଲିଆନଵାଲା ବାଗ ହତ୍ୟାକାଣ୍ଡ ଭାରତ-ବ୍ରିଟିସ ସମ୍ବନ୍ଧରେ ଏଭଳି ଏକ କ୍ଷତ, ଯାହା ୧୮୫୭ ମସିହା ବିଦ୍ରୋହ ପରଠାରୁ ସୃଷ୍ଟି ହୋଇଥିବା କୌଣସି ବି କ୍ଷତଠାରୁ ଅଧିକ ଗଭୀର ଥିଲା। ଏହା ଭାରତୀୟ ସ୍ବାଧୀନତା ପାଇଁ ଏକ ଉଲ୍ଲେଖନୀୟ ମାର୍ଗଦର୍ଶକ ପାଲଟିଥିଲା।’’ ୧୯୧୯ ମସିହାରେ ପଞ୍ଜାବରେ ମୌସୁମି ବିଫଳତା, ଉତ୍କଟ ଖାଦ୍ୟାଭାବ ଓ ଉଚ୍ଚ ଦରଦାମ୍‌ ଯୋଗୁଁ ବ୍ୟାପକ କୃଷି ଅଶାନ୍ତି ଦେଖାଦେଇଥିଲା, ଯାହା ଉପରେ ପ୍ରଥମ ବିଶ୍ବଯୁଦ୍ଧ ଅଧିକ ଦାଉ ସାଜିଥିଲା। ବ୍ରିଟିସ ପକ୍ଷରୁ ପ୍ରଥମ ବିଶ୍ବଯୁଦ୍ଧ ଲଢ଼ିଥିବା ବହୁସଂଖ୍ୟକ ଭାରତୀୟ ସୈନିକ ମୃତ୍ୟୁବରଣ କରିଥିଲେ ଅଥବା ଶାରୀରିକ ଅକ୍ଷମ ହୋଇଥିଲେ। ଏ ପରିପ୍ରେକ୍ଷୀରେ ରାଓଲାଟ ଆଇନ (୧୯୧୯) ତାହାର ଏକ ବଡ଼ ଉତ୍‌ପ୍ରେରକ ଥିଲା, କାରଣ ସେଥିରେ ଉଗ୍ରବାଦୀମାନଙ୍କୁ ଦଣ୍ଡିତ କରାଯିବା ସମେତ ଉଦାରବାଦୀମାନଙ୍କୁ ପୁରସ୍କୃତ କରାଯିବା ଲାଗି ତାହାକୁ ସତର୍କତାର ସହ ପ୍ରସ୍ତୁତ କରାଯାଇଥିଲା ଏବଂ ତାହା ନିରପେକ୍ଷତା ଓ ନ୍ୟାୟ ପ୍ରତି ବ୍ରିଟିସ ଭାବନାର ଏକ ଉପହାସ ଥିଲା। 
୧୯୧୯ ଏପ୍ରିଲ ୧୦ ତାରିଖରେ ଏକ ଶାନ୍ତିପୂର୍ଣ୍ଣ ଗାନ୍ଧୀବାଦୀ ହରତାଳ ହିଂସାତ୍ମକ ରୂପ ନେଇଥିଲା ଏବଂ ଉତ୍ତେଜିତ ଜନତା ସହର ସାରା ଆକ୍ରମଣ କରିଥିଲେ। ଟାଉନ୍‌ ହଲ୍‌କୁ ଜାଳିଦିଆଯାଇଥିଲା ଏବଂ ଟେଲିଗ୍ରାଫ କାର୍ଯ୍ୟାଳୟକୁ ଲୁଟ୍‌ କରାଯାଇଥିଲା। ଜାତୀୟ ବ୍ୟାଙ୍କ ଓ ସହବନ୍ଧିତ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଲୁଣ୍ଠନ କରାଯାଇଥିଲା ଏବଂ ତାହାର ପରିଚାଳକମାନଙ୍କୁ ଜାଳି ଦିଆଯାଇଥିଲା। ପୁଲିସ ଗୁଳିରେ ୨୦ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଥିଲା। ଜବାବରେ ୫ ଜଣ ବ୍ରିଟିସ ନାଗରିକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ସବୁଠୁ ବେଦନାଦାୟକ ଆକ୍ରମଣ ଥିଲା ସିଟି ମିସନର ୪୫ ବର୍ଷୀୟା ଅଧୀକ୍ଷିକା ସୁଶ୍ରୀ ମାର୍ସେଲା ସେରଉଡ୍‌ଙ୍କ ଉପରେ, ଯିଏ ତାଙ୍କ ଦ୍ବାରା ପରିଚାଳିତ ପାଞ୍ଚଟି ବିଦ୍ୟାଳୟକୁ ବନ୍ଦ କରିବା ଲାଗି ଏକା ଏକା ସାଇକେଲ ଚଢ଼ି ସହର ଭିତରେ ଯାଉଥିଲେ। ସେ ଚାହୁଁଥିଲେ ଯେ ତାଙ୍କ ଦାୟିତ୍ବରେ ଥିବା ଶହ ଶହ ଛାତ୍ର ସୁରକ୍ଷିତ ଭାବରେ ଘରକୁ ଫେରିଯାଆନ୍ତୁ। ତାଙ୍କୁ ଦଳେ ଯୁବକ ନିର୍ମମ ଭାବରେ ପିଟି ପିଟି ତାଙ୍କର ମୃତ୍ୟୁ ହୋଇଯାଇଛି ଭାବି ସେଠାରେ ଛାଡ଼ି ପଳାଇଥିଲେ। ପରେ ତାଙ୍କୁ ନିକଟ ଦୁର୍ଗକୁ ନିଆଯାଇଥିଲା ଯେଉଁଠି ସେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରିଥିଲେ। ସେର୍‌ଉଡ୍‌ଙ୍କୁ ଦେଖିବାକୁ ଯାଇଥିବା ପ୍ରଥମ ପରିଦର୍ଶକମାନଙ୍କ ମଧ୍ୟରେ ବ୍ରିଗେଡିଅର ଜେନେରାଲ ଡାୟର ଥିଲେ, ଯିଏ ସହରରେ ଶାନ୍ତି ଫେରାଇ ଆଣିବା ଲାଗି ଅମୃତସର ଚାଲି ଯାଇଥିଲେ।
ଯେତେବେଳେ ସହରରେ ଶାନ୍ତି ଫେରି ଆସୁଥିଲା, ସେତେବେଳେ ଜେନେରାଲ ଡାୟର ବିନା କାରଣରେ ଏପ୍ରିଲ ୧୩ରେ ନିଜ ସୈନିକମାନଙ୍କୁ ସଶସ୍ତ୍ର ଗାଡ଼ିରେ ସହରରେ ପଇଁତରା ମାରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆଠରୁ ଅଧିକ ଲୋକଙ୍କ ସମାବେଶକୁ ନିଷେଧ କରିଥିଲେ। ଏଭଳି ନିଷେଧାଦେଶ ବ୍ୟାପକ ଭାବରେ ପ୍ରଚାରିତ ହୋଇନଥିଲା। ସାମରିକ ଆଇନ ପୁସ୍ତିକାରେ ଦଙ୍ଗାକାରୀ ନାଗରିକଙ୍କ ଉପରକୁ ଗୁଳି ଚଳାଇବା ପୂର୍ବରୁ ଔପଚାରିକ ଭାବେ ଚେତାବନୀ ଜାରି କରିବା ଓ ନ୍ୟୂନତମ ପୁଲିସ ବଳ ପ୍ରୟୋଗ କରିବାର ବିଧାନ ରହିଥିଲା ଏବଂ ଆବଶ୍ୟକ ସ୍ଥଳେ ସମ୍ଭବ ହେଲେ ଆକାଶକୁ ଫାଙ୍କା ଗୁଳି ଚଳାଇବା ଉଚିତ ଥିଲା। ମାତ୍ର ଡାୟର ନିଜ ଉପରେ ଆକ୍ରମଣ ଦର୍ଶାଇ ଶତ୍ରୁପକ୍ଷର ସୈନ୍ୟବାହିନୀ ଉପରେ ସାମରିକ ଅଭିଯାନ ଚଳାଇବା ଭଳି ଆଖିବୁଜା ଗୁଳି ଚଳାଇଥିଲେ। ହଣ୍ଟର କମିସନଙ୍କ ଲମ୍ବା ଯାଞ୍ଚ ବେଳେ ସେ କହିଥିଲେ ଯେ, ଯଦି ଗଳି ଭିତରକୁ ତାଙ୍କର ସଶସ୍ତ୍ର ଗାଡ଼ିଗୁଡ଼ିକୁ ନେଇପାରିଥା’ନ୍ତେ, ତେବେ ସେ ହୁଏତ ମେସିନ୍‌ ଗନ୍‌ ବ୍ୟବହାର କରିଥା’ନ୍ତେ।
୧୯୨୦ ଜୁଲାଇ ୮ରେ ଯେତେବେଳେ ହାଉସ୍‌ ଅଫ୍‌ କମନ୍‌ସ ଆଗରେ ଡାୟରଙ୍କ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଚର୍ଚ୍ଚା ପାଇଁ ଆସିଲା, ତାହା ଉପରେ ଏକ ନିନ୍ଦା ପ୍ରସ୍ତାବ ୨୩୦-୧୭୯ ଭୋଟରେ ଗୃହୀତ ହୋଇଥିଲା। ଡାୟରଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ମତ ରଖି  କହିଥିଲେ, “ଏହା ଏକ ପୈଶାଚିକ ଘଟଣା ଥିଲା, ଏହା ଏମିତି ଏକ ଘଟଣା ଯାହା ବିରଳ ଓ କୁତ୍ସିତ।’’ ଗାନ୍ଧୀଙ୍କୁ ‘ଅର୍ଦ୍ଧନଗ୍ନ ଫକୀର’ ବୋଲି କହିଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଏହା ଏକ ବିଡ଼ମ୍ବନା ଥିଲା। ଅନ୍ୟପକ୍ଷରେ, ହାଉସ୍‌ ଅଫ୍‌ ଲର୍ଡସ ଏକ ଭିନ୍ନ ଦୃଷ୍ଟିକୋଣ ନେଇ ସଂପୃକ୍ତ ଅଧିକାରୀଙ୍କ ପ୍ରତି ହାଉସ ଅଫ୍‌ କମନ୍‌ସ ଅନ୍ୟାୟ କରିଛି ବୋଲି ମତ ରଖିଥିଲା। ଡାୟରଙ୍କୁ ଜଣେ ପୀଡ଼ିତ ଭାବେ ଚିତ୍ରଣ କରି ତାଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ‘ମର୍ନିଂ ପୋଷ୍ଟ’ ଦ୍ବାରା ଏକ ଦେଶଭକ୍ତିପୂର୍ଣ୍ଣ ଅଭିଯାନ ଚଳାଯାଇଥିଲା ଏବଂ ୨୬ ହଜାର ପାଉଣ୍ଡ୍‌ରୁ ଅଧିକ ଅର୍ଥ ସଂଗୃହୀତ ହୋଇଥିଲା। ‘ଅମୃତସରର କଂସେଇ’କୁ ୧୯୨୭ ମସିହାରେ ସାମରିକ ସମ୍ମାନ ସହ ଅନ୍ତିମ ସତ୍କାର ଦିଆଯାଇଥିଲା। ତାଙ୍କୁ ସମର୍ପିତ ପୁଷ୍ପଗୁଚ୍ଛ ମଧ୍ୟରେ ରୁଡ୍‌ୟାର୍ଡ କିପ୍‌ଲିଂଙ୍କର ଫୁଲତୋଡ଼ା ରହିଥିଲା, ଯେଉଁଥିରେ ଏକ ବାର୍ତ୍ତା ଥିଲା, “ସେ ପରିସ୍ଥିତି ଅନୁସାରେ ତାଙ୍କର କର୍ତ୍ତବ୍ୟ କରିଥିଲେ।’’ 
ଏଭଳି ପ୍ରଶଂସାଗାନରେ କିପ୍‌ଲିଂ ଏକା ନଥିଲେ। ଗଣହତ୍ୟାର ତିନି ଦିନ ପରେ ଡାୟରଙ୍କୁ ସ୍ବର୍ଣ୍ଣମନ୍ଦିରକୁ ନିମନ୍ତ୍ରଣ କରାଯାଇଥିଲା ଏବଂ ତାଙ୍କୁ ଏକ ‘ଶିରପା’ ପ୍ରଦାନ କରାଯାଇଥଲା। ଶିଖମାନଙ୍କର ଅନ୍ୟତମ ପବିତ୍ର ସ୍ଥଳୀ ଗୁରୁ ସତ ସୁଲତାନୀରେ ଏକ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଥିଲା ଯେଉଁଠି ଅଧିକାଂଶ ଆଙ୍ଗ୍ଳୋ-ଇଣ୍ଡିଆନ୍‌ ସମ୍ପ୍ରଦାୟ ତାଙ୍କୁ ‘ପଞ୍ଜାବର ତ୍ରାଣକର୍ତ୍ତା’ ଭାବେ ବିବେଚନା କରୁଥିଲେ। ଅବଶ୍ୟ, ଜାତୀୟତାବାଦୀ ପକ୍ଷର ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁର ପ୍ରତିବାଦରେ ତାଙ୍କ ‘ନାଇଟ୍‌’ ଉପାଧି ଫେରାଇ ଦେଇଥିଲେ। ଗାନ୍ଧୀଜୀ ମଧ୍ୟ ତାଙ୍କୁ ଯୁଦ୍ଧକାଳୀନ ସେବା ପାଇଁ ମିଳିଥିବା ପଦକକୁ ଫେରାଇ ଦେଇଥିଲେ। ଏହି ହତ୍ୟାକାଣ୍ଡର ଅନିଚ୍ଛାକୃତ ପରିଣାମ ସ୍ବରୂପ, ସି. ଆର୍‌. ଦାସ ଓ ମୋତିଲାଲ ନେହରୁଙ୍କ ଭଳି ନରମପନ୍ଥୀଙ୍କ ଗୁରୁତ୍ବ କମିଯାଇଥିଲା ଏବଂ ଗାନ୍ଧୀଜୀ କଂଗ୍ରେସର ଅପ୍ରତିଦ୍ବନ୍ଦ୍ବୀ ନେତା ପାଲଟିଥିଲେ। ବ୍ରିଟିସ ପ୍ରଧାନମନ୍ତ୍ରୀ ଡେଭିଡ୍‌ କାମେରୁନ୍‌ ୨୦୧୩ ମସିହାରେ ଜାଲିଆନଵାଲା ବାଗ ପରିଦର୍ଶନ କରି “ଏହା ବ୍ରିଟିସ ଇତିହାସର ଏକ ଗଭୀର ଲଜ୍ଜାଜନକ ଘଟଣା ଥିଲା’’ ବୋଲି ଏକ କ୍ଷମାପ୍ରାର୍ଥନାମୂଳକ ବାର୍ତ୍ତା ଲେଖିଥିଲେ। ସେ ହାଉସ୍‌ ଅଫ୍‌ କମନ୍‌ସରେ ଚର୍ଚ୍ଚିଲଙ୍କ ଭାଷଣକୁ ପ୍ରତିଧ୍ବନିତ କରିଥିଲେ। 
୧୯୧୯ ମସିହାରେ ସଂଘଟିତ ଅମୃତସରର ଦୁଃଖଦ ଘଟଣାକୁ ସାମ୍ରାଜ୍ୟବାଦୀ ଚିନ୍ତାଧାରାର ମୃତ୍ୟୁ ପୂର୍ବ ଶେଷ  ନିଃଶ୍ବାସ ବୋଲି ବୁଝିବା ଆବଶ୍ୟକ। ରାଓଲାଟ ଆଇନକୁ ନିରବରେ ଉଚ୍ଛେଦ କରିଦିଆଯାଇଥିଲା। ତାହା ପରଠାରୁ ବ୍ରିଟିସମାନେ ଆଉ କେବେ ସାଧାରଣ ଜନତାଙ୍କ ଉପରେ ଗୁଳିଚାଳନା କରିନଥିଲେ, ଏପରିକି ୧୯୪୭ର ଦେଶ ବିଭାଜନ ଦଙ୍ଗାର ଚରମ ଅବସ୍ଥାରେ ମଧ୍ୟ, ଯେତେବେଳେ ପଞ୍ଜାବ ଇତିହାସର ସବୁଠୁ ହିଂସ୍ର ହଣାକଟା ଦେଖାଯାଇଥିଲା। ଵାଗନର ଲେଖିଥିଲେ, “ଆମେ ଅତୀତ ପାଇଁ ଦାୟୀ ନୁହନ୍ତି; ଆମେ ଅତୀତକୁ କିପରି ମନେ ରଖିବା ଅଥବା ଭୁଲିବା, ସେ କଥା ଚୟନ କରିବା ଲାଗି ଦାୟୀ। ହୁଏତ ଏପରି କିଛି କ୍ଷତ ରହିଛି ଯାହାକୁ ଆମେ ଉପଶମ କରିବାକୁ ଚେଷ୍ଟା କରିବା ଅନୁଚିତ।’’ ଜେନେରାଲ ଡାୟରଙ୍କ ଗଣହତ୍ୟା ପଦକ୍ଷେପକୁ ସମର୍ଥନ କରିଥିବା ପଞ୍ଜାବର ତତ୍କାଳୀନ ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ମାଇକେଲ ଓ’ଡ୍ବେୟରଙ୍କୁ ହଣ୍ଟର କମିଟି ଦୋଷମୁକ୍ତ କରିଥିବା ବେଳେ ଉକ୍ତ ଗଣହତ୍ୟାର ପ୍ରତିଶୋଧ ସ୍ବରୂପ ଉଦ୍ଧାମ ସିଂହ ୧୯୪୦ ମସିହାରେ ଓ’ଡ୍ବେୟରଙ୍କୁ ହତ୍ୟା କରିଥିଲେ। ଉଦ୍ଧାମଙ୍କ ପ୍ରତିମୂର୍ତ୍ତି ଜାଲିଆନଵାଲା ବାଗରେ ସଗର୍ବ ଛିଡ଼ା ହୋଇଛି। ଭାରତ ସ୍ବାଧୀନତା ଆଡ଼କୁ ଅଗ୍ରସର ହେବା ସହିତ ଅହିଂସାକୁ ନିଜ ଜୀବନର ଅଟଳ ଆଦର୍ଶ ପରିଣତ କରିଥିବା ଗାନ୍ଧୀଜୀ, ଭଗତ ସିଂହ ଓ ଉଦ୍ଧାମ ସିଂହଙ୍କ ହିଂସାତ୍ମକ ତଥା ସାହସିକ ଆଭିମୁଖ୍ୟକୁ ବଦଳାଇ ଦେଇଥିଲେ। 
ଇତିହାସର କ୍ଷତକୁ ଲିଭାଯାଇପାରିବ ନାହିଁ। ଜାଲିଆନଵାଲା ବାଗ ଗଣହତ୍ୟା ଉପରେ ସବୁଠୁ ମର୍ମସ୍ପର୍ଶୀ ପଙ୍‌କ୍ତି ସମ୍ଭବତଃ ଲେଖିଥିଲେ କବୟିତ୍ରୀ ସୁଭଦ୍ରା କୁମାରୀ ଚୌହାନ:
ଆହା! ରକ୍ତରେ ଭିଜିଲାଣି ଏ ସୁନ୍ଦର ଉଦ୍ୟାନ
ଆସ ହେ ବସନ୍ତ, ପ୍ରିୟ ଋତୁରାଜ
ନିରବରେ ଆସ ଯେଣୁ ଏହା ଶୋକସ୍ଥାନ।
(ମତାମତ ଲେଖକଙ୍କ ନିଜସ୍ବ)