ବିଜୟାନନ୍ଦ ପଟ୍ଟନାୟକ
ମାମୁ ଘର ବୁଲି ଆସିଥିବା ନାତି ସାଙ୍ଗରେ ଗପୁ ଗପୁ ଦିନ କେତେବେଳେ ବୁଡ଼ି ସନ୍ଧ୍ୟା ଆସି ଯାଇଥିଲା ଜଣାପଡ଼ିଲା ନାହିଁ। ଦିନସାରା ନାତି ଟୋକାର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଦେଇ ଅସ୍ତବ୍ୟସ୍ତ ହୋଇଯାଇଥିବା ଅଜାଙ୍କୁ ଭାରି ଅଡୁଆ ଲାଗୁଥିଲା। ଏଥର ନାତି ପଚାରୁଥିଲା, ଆଚ୍ଛା ଅଜା କହିଲ ଦେଖି ଗଁାରେ ସନ୍ଧ୍ୟା ହେଲେ ଆକାଶକୁ ଚାହିଁଲେ ସବୁଆଡ଼େ ତାରାମାନେ ଦେଖାଯାଆନ୍ତି, ଏଠି ତ ସନ୍ଧ୍ୟା ଗଡ଼ି ରାତି ହେଲାଣି େହଲେ ଆକାଶରେ ଗୋଟେ ବି ତାରା ଦେଖାଯାଉ ନାହାନ୍ତି କାହିଁକି? ଅଜା କହୁଥିଲେ, ତୁ ଜାଣିନୁ କି ଏଇଟା ପରା ସହରୀ ଆକାଶ। ଏଠି କେତେ ଗାଡ଼ିମଟର ଚାଲୁଛି, କେତେ କଳକାରଖାନା ଅଛି, କେତେ ଲାଇଟ ଜଳୁଛି, ସେଥିରୁ ନିର୍ଗତ ଧୂଅଁା ଓ ରାସାୟନିକ ପଦାର୍ଥମାନ ବାୟୁମଣ୍ଡଳକୁ ଯାଇ ପ୍ରଦୂଷିତ କରୁଛନ୍ତି। ଫଳରେ ପୃଥିବୀ ଓ ଆକାଶ ମଝିରେ ଏକ ଦୂଷିତ ଆସ୍ତରଣ ସୃଷ୍ଟି ହୋଇ ରହିଛି। ତାରାମାନେ ଆକାଶରେ ଅଛନ୍ତି ସତ କିନ୍ତୁ ମଝିରେ ଥିବା ଏହି ଆସ୍ତରଣ ତାରାମାନଙ୍କୁ ଆମକୁ ଦେଖିବାକୁ ଦେଉନାହିଁ। ତେଣୁ କିଛି ବର୍ଷ ହେଲା ଆମେ ଆଉ ତାରାମାନଙ୍କୁ ଦେଖିବାକୁ ପାଉନାହୁଁ। ତୁମ ଗଁାରେ ଗୋଟେଅଧେ ଗାଡ଼ି, ଚାଷ ଜମି, ଗଛଲତା, ନଦୀନାଳ, ଜଙ୍ଗଲ, ପାହାଡ଼ ସବୁ ଅଛି; ସେଠିକାର ବାୟୁମଣ୍ଡଳ ପୂରାପୂରି ସ୍ବଚ୍ଛ ଥିବା ହେତୁ ତୁମମାନଙ୍କୁ ଆକାଶ ନିର୍ମଳ ଦିଶୁଛି। ଫଳରେ ରାତ୍ରିରେ ତାରାମାନେ ଦେଖାଯାଉଛନ୍ତି। ଦୀପାବଳିରେ ଏଠାରେ ଏତେ ବାଣ ଫୁଟିବ ଯେ ରାତିରେ ତାରାମାନେ କ’ଣ ଦିନରେ ତ ସୂର୍ଯ୍ୟ ମଧ୍ୟ ଦିଶିବେ ନାହିଁ। ରାସ୍ତାରେ ଗାଡ଼ି ନେଇ ଯିବାଆସିବା କଷ୍ଟ ହୋଇପଡ଼ିବ। ୧୦ରୁ ୧୫ ଦିନ ଯାଏ ସ୍କୁଲ, କଲେଜ, ଅଫିସ ସବୁ ବନ୍ଦ ରହିବ। ବାଣ ଡରରେ ଆମ ଗଳିରେ କିଛି ଦିନ ଯାଏ କୁକୁର ପିଲାଟେ କି ଆକାଶରେ ଚଢ଼େଇଟିଏ ସୁଦ୍ଧା ଦେଖିବାକୁ ମିଳିବ ନାହିଁ। ସମସ୍ତେ ଏ ବାଣ ଡରରେ ଯାଇ କୋଉଠି ଲୁଚିଥିବେ। ପ୍ରତି ବର୍ଷ ସରକାର ଏହି ବାଣଫଟାକୁ ବ୍ୟାନ କରୁଛନ୍ତି, ହେଲେ ଏ ଲୋକମାନେ ସେକଥା ମାନିଲେ ସିନା ହେବ।
ସବୁ ଶୁଣିସାରି ନାତି କହୁଥିଲା, ଅଜା ଜାଣିଛ ଆମ ଗଁାରେ କିନ୍ତୁ ଗତ ବର୍ଷ ଦୀପାବଳି ଭିନ୍ନ ପ୍ରକାରର ପାଳନ କରାଗଲା। ଅଜା ଉତ୍ସୁକତା ସହକାରେ ପଚାରୁଥିଲେ ଭିନ୍ନ ପ୍ରକାରରେ କେମିତି? ହଁ କହୁଛି ଶୁଣ, ଦୀପାବଳି ପୂର୍ବରୁ ଆମ ସ୍କୁଲର ସାର୍ମାନେ ଜିଲ୍ଲା ପ୍ରଶାସନରୁ ନିର୍ଦ୍ଦେଶ ଆଣି ସ୍ଥାନୀୟ ଥାନାକୁ ଜଣାଇ ଗଁା ପାଖ ବଜାରରେ ବାଣ ବିକ୍ରିକୁ ବନ୍ଦ କରିଦେଇଥିଲେ। ଗଁା ସାରା ସମସ୍ତ ଲୋକଙ୍କୁ ବୁଝାସୁଝା କରି ଗଁା ମୁଣ୍ଡ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ସମସ୍ତେ ମିଶି ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଲେ। ଦିନସାରା ସେଠାରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଗଲା। ଆମ ଗଁାର ସମସ୍ତ ପିଲା ଆଉ ବଡ଼ମାନେ ସେଥିରେ ଭାଗ ନେଲେ, ଫଳରେ ସେଦିନ ଅାଉ କାହାକୁ ବୋର୍ ଲାଗିଲା ନାହିଁ। ସମସ୍ତେ ଆନନ୍ଦରେ ଦିନଟିକୁ ଉପଭୋଗ କଲେ। ସନ୍ଧ୍ୟାବେଳେ ଏକ ସଭାର ଆୟୋଜନ କରାଗଲା। ତା’ ପରେ ଦୀପାବଳି ପର୍ବ। ସେଦିନ ବକ୍ତୃତା ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ‘ବାଣର ଉପକାରିତା’। କେହି ଜଣେ ହେଲେ ପ୍ରତିଯୋଗୀ ଏ ବିଷୟରେ ଠିକ୍ରେ କହିପାରିଲେ ନାହିଁ। ସନ୍ଧ୍ୟାରେ ଅନୁଷ୍ଠିତ ସଭାର ଅତିଥି ହୋଇଥିବା ଗଁା ପାଖ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରବାବୁ, ଥାନାର ବଡ଼ବାବୁ ଓ ଆମ ସ୍କୁଲର ହେଡ୍ମାଷ୍ଟର ପିଲାମାନଙ୍କୁ ଓ ଗ୍ରାମବାସୀଙ୍କୁ ବୁଝାଉଥିଲେ, ଯଦି ବାଣର କିଛି ଉପକାରିତା ନାହିଁ ତେବେ ଆମେ କାହିଁକି ତାକୁ ଫୁଟାଇବା? ସେମାନେ ବାଣର ଅପକାରିତା ଉପରେ ଆଲୋଚନା କରି ସମସ୍ତଙ୍କୁ ସଚେତନ କରାଇଥିଲେ।
ବାଣ ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ ବାୟୁମଣ୍ଡଳକୁ ଆସି ଆମ ନିଃଶ୍ବାସ ପ୍ରଶ୍ବାସରେ ଦେହ ଭିତରକୁ ଯାଇ କିପରି ଅଜଣା ରୋଗମାନ ସୃଷ୍ଟି କରୁଛି, ଆମ ପାଖର ଜଳ ଓ ବାୟୁ କିପରି ପ୍ରଦୂଷିତ ହେଉଛି, ଶବ୍ଦ ପ୍ରଦୂଷଣ ହେବା ସଙ୍ଗେ ସଙ୍ଗେ ଆମର ଗୃହପାଳିତ ପଶୁମାନଙ୍କ ସହିତ ଅନ୍ୟାନ୍ୟ ପଶୁପକ୍ଷୀମାନଙ୍କୁ କିପରି କ୍ଷତି ପହଞ୍ଚାଉଛି, ସର୍ବୋପରି ବାଣ କିଣି ଆମେମାନେ ଅଯଥାରେ କେତେ ଟଙ୍କା ଅପବ୍ୟୟ କରୁଛେ ସେ ସଂପର୍କରେ କହିଥିଲେ। ସଭା ପରେ ଗ୍ରାମବାସୀମାନେ ଘରପିଛା ଗୋଟିଏ କରି ଦୀପାଳି ଜାଳିଥିଲେ। ସମସ୍ତେ ଏକାଠି ହୋଇ ଭଜନକୀର୍ତ୍ତନ କରି ଦୀପାବଳି ଉତ୍ସବକୁ ବିନା ବାଣରେ ପାଳନ କରିଥିଲେ। ଶେଷରେ ମନ୍ଦିର ପରିସରରେ କାର୍ତ୍ତିକ ମାସ ଅବସରରେ ହୋଇଥିବା ହବିଷ୍ୟ ଅନ୍ନ-ଡାଲମା ଖାଇ, ପ୍ରତି ବର୍ଷ ଯେଝା ଘରେ ଯିଏ ଆଉ ଦୀପାବଳି ପାଳନ ନ କରି ମନ୍ଦିର ପରିସରରେ ସମସ୍ତ ଗ୍ରାମବାସୀ ଏକାଠି ହୋଇ ଏ ବର୍ଷ ପରି ସବୁ ବର୍ଷ ବିନା ବାଣରେ ଦୀପାବଳି ପାଳନ କରିବାକୁ ଶପଥ ନେଇଥିଲେ। ଏ ବର୍ଷ ମଧ୍ୟ ଗତ ବର୍ଷ ଭଳି ଆମ ଗଁା ମନ୍ଦିରରେ ଦୀପାବଳି ଉତ୍ସବ ପାଳନ କରାଯିବ। ଖାଲି ଆମ ଗଁା ନୁହେଁ, ଆମକୁ ଦେଖି ଆମ ଗଁା ଆଖପାଖରେ ଥିବା ଅନ୍ୟ ଗଁାର ଲୋକମାନେ ମଧ୍ୟ ଏହିପରି ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗଁା ସ୍କୁଲ ସାର୍ମାନେ ସେସବୁ ଗଁାକୁ ଯାଇ ବୁଝାସୁଝା କରି ଆସିଛନ୍ତି।
ଅଜା କହିଲେ ସତରେ ଇଏ ତ ଏକ ଭିନ୍ନ ଦୀପାବଳି। ଆମେମାନେ ଯଦି ସମସ୍ତେ ଏଭଳି ସଚେତନ ହୁଅନ୍ତେ ତେବେ ଆମର ରାତ୍ରି ଆକାଶରେ ପୁଣି ତାରାମାନେ ଦେଖାଯାଆନ୍ତେ, କିଛି ପରିମାଣରେ ଆମେ ମଧ୍ୟ ସୁସ୍ଥ ଜୀବନଯାପନ କରନ୍ତେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୨୬୯୯୬୫