ସୌମ୍ୟରଂଜନ ପଟ୍ଟନାୟକ
ବିଦେଶରୁ ଫେରି ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଅଧ୍ୟାପନା ଚାକିରି ଛାଡ଼ି ଓଡ଼ିଶାକୁ ଫେରିଆସି ମୁଁ ଯେତେବେଳେ କେଉଁ ନୂଆ ବୃତ୍ତିକୁ ଆପଣେଇବି ବୋଲି ଚିନ୍ତା କରୁଥିଲି, ସେତେବେଳେ ମୋତେ ଯଦି ଈଶ୍ବର ସମ୍ବାଦପତ୍ର ଶିଳ୍ପ କ୍ଷେତ୍ରରେ ପ୍ରବେଶ କରିବାକୁ ବୁଦ୍ଧି ଦେଇ ନଥା’ନ୍ତେ, ତେବେ ମୁଁ ଜୀବନରେ ଅନେକ କିଛି ଅନୁଭବରୁ ବଂଚିତ ହୋଇ ରହିଯାଇଥା’ନ୍ତି। ସାମ୍ବାଦିକତା ଓ ରାଜନୀତିରେ ପ୍ରବେଶ କରିବା ଫଳରେ ବହୁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲି, କେତେକଙ୍କୁ ନିକଟରୁ ଜାଣିବାର ସୁଯୋଗ ପାଇଲି। ଏହାକୁ ମୋ ଜୀବନର ଶ୍ରେଷ୍ଠ ସଂପଦ ବୋଲି ମୁଁ ବିଚାର କରେ। ଯେଉଁ ଲୋକମାନଙ୍କର ସଂସ୍ପର୍ଶରେ ଆସିଥିବାରୁ ମୁଁ ଈଶ୍ୱରଙ୍କୁ କୋଟି କୋଟି ପ୍ରଣାମ କରି କୃତଜ୍ଞତା ଜଣାଏ, ସେମାନଙ୍କ ମଧ୍ୟରୁ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଅନ୍ୟତମ।
ଆଜି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହ ଅବସରରେ ଅନେକ କଥା ମନକୁ ଆସୁଛି। ନବେ ଦଶକର କଥା, ସେତେବେଳେ ମୁଁ ଦଳୀୟ ରାଜନୀତିରୁ ଦୂରେଇ ଯାଇ ‘ସମ୍ବାଦ’ର ଏକାଧିକ ସଂସ୍କରଣ ପ୍ରକାଶ କରିବାରେ ବ୍ୟସ୍ତ ଥାଏ। କେନ୍ଦ୍ରରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଓଡ଼ିଶାରେ ବିଜୁବାବୁଙ୍କର ଶାସନ ଚାଲିଥାଏ। ଆମ ସମ୍ବାଦପତ୍ର ବିଜୁବାବୁଙ୍କ ସରକାରର ଦୋଷଦୁର୍ବଳତା ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରୁଥାଏ। ସେଥିପାଇଁ ‘ସମ୍ବାଦ’ର ରାଜନୈତିକ ପ୍ରଭାବ ବୃଦ୍ଧି ପାଇବା ସଂଗେ ସଂଗେ ବିଭିନ୍ନ ଦଳର ରାଜନେତାମାନେ ମୋ ସଂପର୍କରେ ଆସୁଥା’ନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟିର କୋଷାଧ୍ୟକ୍ଷ ବଦ୍ରିନାରାୟଣ ଅଗ୍ରୱାଲ ମୋତେ ଡାକ୍ତର ପ୍ରଧାନଙ୍କ ସହ ଭାରତୀୟ ଜନତା ପାର୍ଟିର ଭୁବନେଶ୍ବରସ୍ଥ ରାମ ମନ୍ଦିର ନିକଟ ଅଫିସ ପ୍ରକୋଷ୍ଠରେ ସାକ୍ଷାତ କରାଇଥିଲେ।
ଏକ ନାଟକୀୟ ଘଟଣାକ୍ରମରେ ମୋର ବିଜେପିରେ ଯୋଗଦାନ ହେଲା। ଆଉ ଦଳର ସଭାପତି ଥିବା ଡାକ୍ତର ପ୍ରଧାନଙ୍କ ସହ ଗଭୀର ସଂପର୍କ ବି ଗଢ଼ି ଉଠିଲା।
ଡାକ୍ତର ପ୍ରଧାନ ଜଣେ ଭଲ ମଣିଷ ଥିଲେ ବୋଲି ପ୍ରଥମ ସାକ୍ଷାତ୍କାରରେ ହିଁ ମୁଁ ଅନୁଭବ କରିଥିଲି। ତାଙ୍କ ସଂପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ ସ୍ବାଭାବିକ ଭାବେ ଇଚ୍ଛୁକ ହେଉଥିଲି। ଡାକ୍ତରୀ ପେସାକୁ ଛାଡ଼ି ରାଜନୀତିରେ ଯୋଗ ଦେଇଥିବା ସେହି ବ୍ୟକ୍ତି ଜଣଙ୍କୁ ଅଧିକ ନିକଟରୁ ଜାଣି ତାଙ୍କ ଦ୍ବାରା ପ୍ରଭାବିତ ହେବାକୁ ଲାଗିଲି। ସେ ଅନ୍ୟ ରାଜନେତାଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲେ। ଆଜି ତାଙ୍କୁ ମନେ ପକାଇବା ବେଳେ ଯେଉଁ କଥାଗୁଡ଼ିକ ମନକୁ ଆସୁଛି, ତାହା ହିଁ ତାଙ୍କ ଭିନ୍ନତାର ରହସ୍ୟ। ସରଳ, ନିଷ୍କପଟ, ନମ୍ର ଓ ନିରହଂକାର ଭଳି ଗୁଣଗୁଡ଼ିକ ଆଜିକାଲି ରାଜନୀତିରେ ପ୍ରାୟ ଦେଖିବାକୁ ମିଳୁନି। ସମ୍ଭବତଃ ରାଜନୀତିରେ ସଫଳତା ହାସଲ କରିବାକୁ ହେଲେ ଏଗୁଡ଼ିକ ଅଦରକାରୀ ବୋଲି ଅନେକ ମନେ କରୁଛନ୍ତି। କିନ୍ତୁ ଡାକ୍ତର ବାବୁଙ୍କ ଏହି ଗୁଣଗୁଡ଼ିକ ଆଜି ତାଙ୍କୁ ଏକ ଭିନ୍ନ ମଣିଷ ଭାବେ ଆମ ଆଗରେ ଉପସ୍ଥାପିତ କରିଛି। ଏତେଗୁଡ଼ିଏ ତଥାକଥିତ ଅଦରକାରୀ ଗୁଣ ସତ୍ତ୍ବେ ଡାକ୍ତର ପ୍ରଧାନ ଈର୍ଷଣୀୟ ସଫଳତା ହାସଲ କରିପାରିଥିଲେ। ଜୀବନର ପ୍ରଥମ ନିର୍ବାଚନରେ ମାତ୍ର କେଇ ହଜାର ଭୋଟ ପାଇଥିବା ବେଳେ ପରବର୍ତ୍ତୀ ନିର୍ବାଚନଗୁଡ଼ିକରେ ଅଧିକରୁ ଅଧିକ ଭୋଟ ପାଇ ଶେଷରେ ବିଜୟର ଗୌରବ ହାସଲ କରିଥିଲେ। ଏହା ତାଙ୍କର ଅସୀମ ଧୈର୍ଯ୍ୟର ସୂଚନା ଦିଏ। ଆଜିକାଲି ଯୁବକମାନେ ଟିକେ ଟିକେ କଥାରେ ଅଧୈର୍ଯ୍ୟ ହୋଇ ପଡୁଥିବା ବେଳେ ତାଙ୍କ ଠାରୁ ଏ କଥା ନିଶ୍ଚୟ ଶିଖିବାର ଅଛି।
ଆଜି ଆମେ ସମସ୍ତେ ସବୁ ଦଳରେ ନେତୃତ୍ୱର ସଂକଟ ଦେଖାଦେଇଛି ବୋଲି କହୁଛୁ। ଅଥଚ ନେତୃତ୍ବ କହିଲେ କ’ଣ ବୁଝୁଛୁ ସେ କଥାକୁ ପରିଷ୍କାର ଭାବେ ବୁଝାଇ କହିପାରୁ ନାହୁଁ। ରାଜତନ୍ତ୍ର ପରେ ଗଣତନ୍ତ୍ର ଆସିଲା। ଆଧୁନିକ ଗଣତନ୍ତ୍ର ଆମ ଅଜାଣତରେ କେବେଠୁ ଦଳତନ୍ତ୍ରରେ ପରିବର୍ତ୍ତିତ ହୋଇଗଲାଣି। ଦଳତନ୍ତ୍ରକୁ ଆମେ ଏକ ରକମ ଗ୍ରହଣ କରିନେଇ ବରଦାସ୍ତ କରିବାକୁ ବାଧ୍ୟ ହେଉଛୁ। ଦଳତନ୍ତ୍ରରେ ଦଳର ନେତା ନୂଆ ରାଜା ଭାବେ ସର୍ବମାନ୍ୟ ହେବା ଉଚିତ ବୋଲି ଏବେ ପ୍ରାୟ ସମସ୍ତେ ଦାବି କରୁଛନ୍ତି। ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦଳମାନଙ୍କରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିବା ଉଚିତ ଏବଂ ଏଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉ ବୋଲି ମତ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ପୁଣି ଏହି ପ୍ରସଙ୍ଗରେ ସାମୂହିକ ନେତୃତ୍ୱ କଥା ମଧ୍ୟ ଉଠୁଛି। ଏହା ସୁସ୍ଥ ଗଣତନ୍ତ୍ର ପାଇଁ ଏକାନ୍ତ ଆବଶ୍ୟକ ବୋଲି କହୁଛୁ। କିନ୍ତୁ ସାମୂହିକ ନେତୃତ୍ବ କ’ଣ ଏବଂ ଏହାର ରୂପରେଖ କିଭଳି ବୁଝେଇ କହିବା ପାଇଁ ନା ଆମ ପାଖରେ ଭାଷା ଅଛି, ନା ଦେଖାଇବା ପାଇଁ ପ୍ରମାଣ।
ମୁଁ କିନ୍ତୁ ଡାକ୍ତର ପ୍ରଧାନଙ୍କୁ ସାମୂହିକ ନେତୃତ୍ୱର ଏକ ବଳିଷ୍ଠ ପ୍ରମାଣ ଭାବେ ଉପସ୍ଥାପିତ କରିବାକୁ ଚାହେଁ। ସେ ସଭାପତି ପଦରୁ ଅବ୍ୟାହତି ନେଲା ପରେ ନୂଆ ସଭାପତିଙ୍କ ସହ ଜଣେ ସାଧାରଣ ସଂପାଦକ ଭାବେ କାମ କରିବାରେ ଆଦୌ ସଂକୋଚ କରି ନ ଥିଲେ। ଆଜିକାଲି ମୁଖ୍ୟମନ୍ତ୍ରୀ ହେଲା ପରେ ଲୋକେ ଉପମୁଖ୍ୟମନ୍ତ୍ରୀ ହେଉଛନ୍ତି। ଏହା ଏକ ରାଜନୈତିକ ବାଧ୍ୟବାଧକତା। କିନ୍ତୁ ଡାକ୍ତର ପ୍ରଧାନଙ୍କ କ୍ଷେତ୍ରରେ କୌଣସି ବାଧ୍ୟବାଧକତା ନ ଥିଲା। ମୁଁ ବିଜେପିରେ ଯୋଗ ଦେଲା ପରେ ସେ ଦୁଇ ଦୁଇ ଥର ସଭାପତି ହୋଇଛନ୍ତି। ହେଲେ ତାଙ୍କ ଠାରେ କେବେ ପଦ ପଦବିକୁ ନେଇ ଅଧିକାର ବା ଅହଂକାରର ଛାପ ଦେଖିନାହିଁ। ସେଥିପାଇଁ ଡାକ୍ତର ପ୍ରଧାନଙ୍କ ସହ କାର୍ଯ୍ୟ କରିବାରେ ଜଣେ ସହକର୍ମୀ ଭାବେ କେବେ କୌଣସି ଅସୁବିଧା ହୋଇନାହିଁ। ଗୋଟିଏ ଅନୁଭବର କଥା କହିଲେ ଏ କଥାକୁ ପ୍ରମାଣିତ କରିପାରିବି।
ନବେ ଦଶକରେ ଭାରତୀୟ ଜନତା ପାର୍ଟିର ଅବସ୍ଥା ଏତେ ଭଲ ନ ଥିଲା। ରାଜ୍ୟର ୩ ନମ୍ବର ଦଳ ଭାବେ ଗଣାଯାଉଥିଲା। ଜନାଦେଶ ଶତକଡ଼ା ୯ ପ୍ରତିଶତରୁ ମଧ୍ୟ କମ୍ ଥିଲା। ଆମେ ଯେଉଁମାନେ ନୂଆ କରି ବିଜେପିରେ ଯୋଗ ଦେଇଥିଲୁ; ଦଳକୁ କିପରି ଆଗେଇ ନେବାକୁ ହେବ, ସେ ନେଇ ନୂଆ ନୂଆ କାର୍ଯ୍ୟକ୍ରମ କରିବାକୁ ଡାକ୍ତର ବାବୁଙ୍କ ଉପରେ ଚାପ ପକାଇଥିଲୁ। ସେ ଏଥିରେ ଆଦୌ ବିବ୍ରତ ହେଉ ନ ଥିଲେ କି ଆମର ଅଧୈର୍ଯ୍ୟ ମନକୁ ନେଇ ବିରକ୍ତି ପ୍ରକାଶ କରୁ ନ ଥିଲେ। ଏକ ୩ ନମ୍ବର ଦଳକୁ ସଂଗଠିତ କରି ଆଗକୁ ବଢ଼ିବା ପାଇଁ କେତେ ଯେ ପରିଶ୍ରମ କରିବାକୁ ପଡ଼େ, ତାହା ଆଜିର ୧ ନମ୍ବର ଦଳଗୁଡ଼ିକ ବୁଝି ପାରିବେ ନାହିଁ। ଏ ଦୃଷ୍ଟିରୁ ଆଜି ଗୋଟିଏ କଥା ମୋର ମନେପଡୁଛି ଏବଂ ଯୁବବନ୍ଧୁମାନଙ୍କୁ ମନେ ପକାଇ ଦେବା ଉଚିତ ବୋଲି ମନେ କରୁଛି।
ସେତେବେଳେ ଓଡ଼ିଶାରେ ବିଜେପିର ସ୍ଥିତି ଯାହା ଥିଲା, ତାକୁ ଜାତୀୟ ସ୍ତରରେ କେହି ଗଣତିକୁ ନେଇ ନ ଥିଲେ। ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ଥିଲା। ମୋ ମନକୁ ହଠାତ୍ ଗୋଟିଏ କଥା ଆସିଲା। ଓଡ଼ିଶାରେ କାହିଁକି ଜାତୀୟ କାର୍ଯ୍ୟକାରିଣୀର ଗୋଟିଏ ବୈଠକ ହୋଇ ନ ପାରିବ? ନେତାମାନେ ମୋର କଥାକୁ ହସି ଉଡ଼େଇ ଦେଇଥିଲେ। ତେବେ ଡାକ୍ତର ପ୍ରଧାନଙ୍କ ସହ ଆଲୋଚନା କଲା ପରେ ଏ ପ୍ରସ୍ତାବକୁ ସେ ଯେପରି ସମର୍ଥନ କଲେ, ତାହା ମୋର ଆତ୍ମବିଶ୍ବାସକୁ ଯଥେଷ୍ଟ ବଢ଼ାଇ ଦେଇଥିଲା। ପ୍ରବଳ ଇଚ୍ଛାଶକ୍ତି ଥିଲେ ଯେ ସଫଳତା ମିଳେ, ତାହା ମୁଁ ସେଇ ଦିନ ଶିଖିଥିଲି। ଓଡ଼ିଶାରେ ଅନୁଷ୍ଠିତ ବୈଠକରେ ବିଜେପିର ଆଡ଼ଭାନୀ ଓ ବାଜପେୟୀଙ୍କ ପରି ବରିଷ୍ଠ ନେତା ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ଏହା ଅତ୍ୟନ୍ତ ସଫଳ ହୋଇଥିଲା। ଏଥିପାଇଁ ଅନେକେ ମୋତେ ସାଧୁବାଦ ଜଣାଇଥିଲେ। ତେବେ ଡାକ୍ତର ବାବୁଙ୍କ ଗୋଟିଏ ନିଷ୍ପତ୍ତିକୁ ମୁଁ କେବେ ଭୁଲିପାରିବି ନାହିଁ। କାର୍ଯ୍ୟକାରିଣୀର ଅନ୍ତିମ ଦିବସରେ ଦୁଇ ନେତାଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହୋଇଥାଏ। ଯେହେତୁ ଆମେ ଜାତୀୟ ବୈଠକର ଉଦ୍ୟୋକ୍ତା ଥିଲୁ ଆମ ରାଜ୍ୟର ସଭାପତି ସ୍ୱାଗତ ଭାଷଣ ଦେବା କଥା। କିନ୍ତୁ ଡାକ୍ତର ପ୍ରଧାନ ପ୍ରସ୍ତାବ ଦେଲେ ଯେ ମୁଁ ସ୍ୱାଗତ ଭାଷଣ ଦେବି। ମୋତେ ଲାଗେ ଆଉ କେହି ସଭାପତି ହୋଇଥିଲେ ଏହା ବୋଧେ ସମ୍ଭବ ହୋଇ ନଥା’ନ୍ତା। ସହକର୍ମୀଙ୍କୁ ସମ୍ମାନ ଦେବାର ଏହି ଉଦାହରଣ ମୋ ପାଇଁ ଡାକ୍ତର ପ୍ରଧାନଙ୍କୁ ଭିନ୍ନ ଏକ ରାଜନେତା କରିଦେଲା।
ଏମିତି ଅନେକଗୁଡ଼ିଏ ଅନୁଭବ ଅଛି, ଯାହା ଡାକ୍ତର ପ୍ରଧାନଙ୍କୁ ଆଜି ଦିନରେ ଏକ ଦୁର୍ଲଭ ମଣିଷ ଓ ରାଜନେତା ହିସାବରେ ମନେ ପକାଇବାକୁ ବାଧ୍ୟ କରୁଛି।
ତାଙ୍କ ଅବର୍ତ୍ତମାନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏହି ଶୂନ୍ୟସ୍ଥାନ ସଦା ଅପୂରଣୀୟ ରହିବ ବୋଲି ମୁଁ କହିବାକୁ ଚାହୁଁନି। ବରଂ ଯୁବ ବନ୍ଧୁମାନଙ୍କୁ ଆଗ୍ରହ କରିବି ଯେ ଏ ଶୂନ୍ୟସ୍ଥାନ ଯଥାଶୀଘ୍ର ପୂରଣ କରିବା ପାଇଁ ସେମାନେ ସଂକଳ୍ପ ନିଅନ୍ତୁ। ତାହା ହେବ ଡାକ୍ତର ପ୍ରଧାନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
ଡାକ୍ତର ପ୍ରଧାନଙ୍କ ପରି ଜଣେ ଭିନ୍ନ ମଣିଷଙ୍କ ନିକଟତର ହୋଇଥିବାରୁ ମୁଁ ପୁଣି ଥରେ ଈଶ୍ବରଙ୍କୁ କୋଟି କୋଟି ପ୍ରଣାମ କରୁଛି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କ
ଏକାଦଶାହ ଅବସରରେ