ଗୌରଚନ୍ଦ୍ର ତ୍ରିପାଠୀ
୧୯୯୯ ମେ ୧୨ ତାରିଖ। ବାରିପଦା ସ୍ଥିତ ଏକ ସରକାରୀ ଗଣମାଧ୍ୟମର ଜଣେ ଉଚ୍ଚପଦସ୍ତ କର୍ମଚାରୀ, ତାଙ୍କ ସହକର୍ମୀଙ୍କ ବିରୁଦ୍ଧରେ ନିଜ ସ୍ତ୍ରୀଙ୍କୁ ଦୁଷ୍କର୍ମ ଏବଂ ଶିଶୁପୁତ୍ରକୁ ହତ୍ୟା ଉଦ୍ୟମର ସଙ୍ଗୀନ ଆରୋପ ଲଗାଇଥିଲେ। ପୁଲିସ ପ୍ରଶାସନ ପକ୍ଷରୁ ଏହି ଆରୋପକୁ ଅତି ଗମ୍ଭୀରତାର ସହ ଗ୍ରହଣ କରାଯାଇ, ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କରାଯାଇଥିବା ତଦନ୍ତରୁ ଜଣା ପଡ଼ିଥିଲା ଆରୋପ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ଥିଲା। ପୁଲିସ ଅଧିକାରୀଙ୍କ ସମ୍ମୁଖରେ ସମ୍ପୃକ୍ତ ଅଧିକାରୀ କ୍ଷମା ପ୍ରାର୍ଥନାପୂର୍ବକ ଅସହିଷ୍ଣୁତା ଓ ଈର୍ଷାର ବଶବର୍ତ୍ତୀ ହୋଇ ସେ ଏପରି ଘୃଣ୍ୟ ଆରୋପ ଲଗାଇଥିବା ସ୍ବୀକାର କରିଥିଲେ। ସେ ଭୁଲିଯାଇଥିଲେ ଯେ ଈର୍ଷାର ପଶାଖେଳରେ ସେ ବାଜିରେ ଲଗାଇଛନ୍ତି ଜଣେ ନିରୀହ ନାରୀର ମାନ, ମହତ ଓ ଇଜ୍ଜତ; ନାରୀର ସ୍ବାଭିମାନ ଓ ଅଭିମାନ। ପରବର୍ତ୍ତୀ ସମୟରେ ପ୍ରତିଶୋଧପରାୟଣ ହୋଇ, ଯେନତେନ ପ୍ରକାରେଣ ସହକର୍ମୀଙ୍କ ସମ୍ମାନ ଓ ପ୍ରତିଷ୍ଠାକୁ ଧ୍ୱଂସ କରିବା ସହ ସହକର୍ମୀଙ୍କୁ ହସଖୁସି ଓ ସୁଖଶାନ୍ତିରୁ ବଞ୍ଚିତ କରିବାର ତାଙ୍କରି ସବୁ ପ୍ରୟାସ ମଧ୍ୟ ବ୍ୟର୍ଥ ହୋଇଥିଲା। ଈର୍ଷାର ପରିଣତି ସବୁବେଳେ ଏହା ହିଁ ହୋଇଥାଏ।
ଈର୍ଷା ଏକ ଜଟିଳ ଭାବନା; ଆତ୍ମଘାତୀ ମାନସିକ ଆବେଗ। ଏହା ମଣିଷର ଚିନ୍ତା ଓ ଚେତନାକୁ କବଳିତ କରି ଧ୍ବଂସଲୀଳା ରଚିଥାଏ, ଯାହାର ଉଦାହରଣରେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟ, କାହାଣୀ, ଇତିହାସ ଓ ପୋଥିପୁରାଣ ପରିପୁଷ୍ଟ। ପାଣ୍ଡବମାନଙ୍କ ଶୌର୍ଯ୍ୟ, ବୀର୍ଯ୍ୟ ଓ ପରାକ୍ରମରୁ ଜାତ ଈର୍ଷାର ଜୁଇରେ କୌରବ ବଂଶ ଧ୍ବଂସ ପାଇଛି। ‘ଜେନେସିସ’ ଧର୍ମଗ୍ରନ୍ଥରେ କେନ୍ର ଏବେଲ୍ ପ୍ରତି ଈର୍ଷାଭାବ ମାନବ ଐତିହ୍ୟର ପ୍ରାରମ୍ଭକୁ କଳୁଷିତ କରିଛି। ଈର୍ଷା ଯୋଗୁଁ ହିଁ ପ୍ରଭୁ ଯୀଶୁ ସହଚରମାନଙ୍କ ବିଶ୍ବାସଘାତକତାର ଶିକାର ହୋଇଥିଲେ, ଯାହା ସ୍ବୀକାର କରିଥିଲେ ଯୀଶୁଙ୍କୁ ପ୍ରାଣଦଣ୍ଡ ଆଦେଶ ଦେଇଥିବା ବିଚାରପତି ପିଲାତୁସ। ଖ୍ରୀଷ୍ଟଧର୍ମରେ ଯେଉଁ ‘ସପ୍ତ ପାପ’ର ବାଖ୍ୟା କରାଯାଇଛି ତନ୍ମଧ୍ୟରୁ ଈର୍ଷା ଅନ୍ୟତମ। ଗ୍ରୀକ ପୁରାଣରେ ଈର୍ଷାର ସର୍ବାଧିକ ପ୍ରତୀକାତ୍ମକ ଚରିତ୍ର ହେଉଛନ୍ତି ଗ୍ରୀକ ଦେବତାମାନଙ୍କ ରାଣୀ ‘ହେରା’। ମଧ୍ୟଯୁଗୀୟ ଇଉରୋପରେ, ଈର୍ଷାକୁ ଏକ ସକାରାତ୍ମକ ଭାବନା ଭାବେ ଦେଖାଯାଉଥିଲା, ଯାହା ସମ୍ମାନ ସହିତ ଜଡ଼ିତ ଥିଲା। ଦ୍ବାଦଶ ଶତାବ୍ଦୀର ଲେଖକ ଆଣ୍ଡ୍ରିଆସ୍ କାପେଲାନସ୍ ତାଙ୍କ ‘ଦା ଆର୍ଟ ଅଫ କୋର୍ଟଲି ଲଭ’ ପୁସ୍ତକରେ ପ୍ରେମ ଓ ଈର୍ଷାର ଗଭୀରତା ବିଷୟରେ ଉଲ୍ଲେଖ କରିଛନ୍ତି, “ପ୍ରେମିକ/ପ୍ରେମିକାଙ୍କ ପରସ୍ପର ପ୍ରତି ସନ୍ଦେହରୁ ଈର୍ଷାର ଉତ୍ପନ୍ନ ହୁଏ, ଯାହା ପ୍ରେମକୁ ଅଧିକ ଗଭୀର କରିଥାଏ।” ସେକ୍ସପିଅରଙ୍କ ‘ଓଥେଲୋ’ ନାଟକରେ, ଈର୍ଷାଳୁ ଇଆଗୋ ଓଥେଲୋଙ୍କୁ ତାଙ୍କ ସ୍ତ୍ରୀ ଡେସଡେମୋନା ଉପରେ ସନ୍ଦେହ କରିବା ପାଇଁ ଉତ୍ତେଜିତ କରିଛନ୍ତି। ଫଳସ୍ବରୂପ ଓଥେଲ ଡେସଡେମୋନାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି। ଇତିହାସ ପୃଷ୍ଠାରେ ଦେଖିବାକୁ ମିଳେ, ଜୁଲିଅସ ସିଜରଙ୍କ ପରାକ୍ରମ ଓ ଲୋକପ୍ରିୟତା ହିଁ ଘନିଷ୍ଠ ବନ୍ଧୁଙ୍କ ମନରେ ଈର୍ଷାଭାବ ସୃଷ୍ଟି କରିଥିଲା, ଯାହା ତାଙ୍କ ପାଇଁ ପ୍ରାଣଘାତକ ସାଜିଥିଲା। ଈର୍ଷା ହିଁ ନେପୋଲିଅନ ବୋନାପାର୍ଟଙ୍କ ପତନର ମୁଖ୍ୟ କାରଣ ଥିଲା।
ଦାର୍ଶନିକ ଭାବନାରେ କୌଣସି କ୍ଷତି ସାଧନର ଭୟ ନୁହେଁ, ବରଂ ତୁଳନାତ୍ମକ ଭାବେ ନିଜ ମୂଲ୍ୟର ଅବକ୍ଷୟ ଭାବନା ସହିତ ଈର୍ଷା ଜଡ଼ିତ। ଏହି ଭାବନା ପରିଚୟ ଓ ସ୍ୱୀକୃତିର ଭାବନରୁ ସମ୍ଭୂତ, ଯାହାକୁ ଦାର୍ଶନିକ ହେଗେଲ୍ ମାନବର ଆତ୍ମପ୍ରତ୍ୟୟ ପାଇଁ ଅତ୍ୟନ୍ତ ଆବଶ୍ୟକ ଏକ ଉପଲବ୍ଧି ଭାବେ ବିବେଚନା କରନ୍ତି। ଭାରତୀୟ ଦର୍ଶନରେ, ବିଶେଷକରି ଭଗବଦ୍ଗୀତା, ସାଂଖ୍ୟ ଓ ବେଦାନ୍ତ ପରମ୍ପରାରେ ଈର୍ଷାକୁ ଅହଂକାର ଓ ଆସକ୍ତିର ପ୍ରତିରୂପ ଭାବରେ ଦେଖାଯାଏ ଏବଂ ମଣିଷର ଛ’ଟି ଅନ୍ତଃଶତ୍ରୁ ମଧ୍ୟରୁ ଅନ୍ୟତମ ଭାବେ ବର୍ଣ୍ଣନା କରାଯାଇଛି। ଈର୍ଷାଳୁ ବ୍ୟକ୍ତି ଅନ୍ୟର ସଫଳତାକୁ ଗ୍ରହଣ କରିପାରନ୍ତି ନାହିଁ ଏବଂ ପର ଦୁଃଖରେ ସୁଖୀ ହୁଅନ୍ତି, “ଈର୍ଷ୍ୟାଳୁଃ ପରଶୋଭାଂଚ ନସହତେ ସଦା ଦ୍ୱିଷନ୍। ସୁଖଂ ନାସ୍ତି ଚ ତସ୍ୟାନ୍ତଃ, ପରଦୁଃଖେଷୁ ହୃଷ୍ୟତି॥’’ କଳଙ୍କି ଲୁହାକୁ ନଷ୍ଟ କଲା ପରି, ଈର୍ଷା ମଣିଷକୁ ନଷ୍ଟ କରିଥାଏ।
ମନୋବିଜ୍ଞାନ ସାହିତ୍ୟରେ ଈର୍ଷାକୁ ବିସ୍ତୃତ ଭାବେ ଅଧ୍ୟୟନ କରାଯାଇଛି। ସିଗମଣ୍ଡ ଫ୍ରଏଡ୍ ଈର୍ଷାକୁ ଏକ ସ୍ୱାଭାବିକ ଓ ସାଧାରଣ ଭାବନା ଭାବରେ ତିନିଟି ରୂପରେ ବିଭାଜିତ କରିଛନ୍ତି: ସାଧାରଣ ଈର୍ଷା, ପ୍ରତିବିମ୍ବିତ ଈର୍ଷା ଏବଂ ଭ୍ରାନ୍ତ ଈର୍ଷା। ମେଲାନି କ୍ଲିନ କୁହନ୍ତି, ‘ଈର୍ଷା ଏକ ପ୍ରିୟ ବସ୍ତୁକୁ କୌଣସି ପ୍ରତିଦ୍ୱନ୍ଦ୍ୱୀ ପାଖରେ ହରାଇବା ଭୟ ସହିତ ସଂପୃକ୍ତ।’ ଜାକ୍ ଲାକାନ୍ ଈର୍ଷାକୁ ମାନବ ଅସ୍ତିତ୍ୱର ଅନ୍ତର୍ନିହିତ ଆବେଗ ଭାବରେ ଦେଖିଥିଲେ, ଯାହା ନିଜର ଅସମ୍ପୂର୍ଣ୍ଣତା ଓ ଅଭାବବୋଧର ଅନୁଭୂତିରୁ ସୃଷ୍ଟି ହୋଇଥାଏ। ଆଧୁନିକ ଯୁଗରେ ସାମାଜିକ ଚାପ, ବ୍ୟକ୍ତିଗତ ସଫଳତାର ତୁଳନ ଏବଂ ଅସୁରକ୍ଷିତ ମନୋଭାବର ପ୍ରଭାବରୁ ଈର୍ଷା ଉତ୍ପନ୍ନ ହେବା ସହ ଏହାର ବିସ୍ତାର ସୋସିଆଲ୍ ମିଡିଆ ଓ ଆଭାସୀ ସମ୍ପର୍କ ମାଧ୍ୟମରେ ବ୍ୟାପକ ହୋଇଛି। ଏହା ଜନଜୀବନରେ ଚିନ୍ତା, ଉଦାସୀନତା ଓ ମୂଲ୍ୟବୋଧହୀନତା ଭାବନାର ବୃଦ୍ଧି ଘଟାଇଛି।
ଆତ୍ମବିଶ୍ବାସ ଓ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଜୀବନକୁ ସହଜ, ସରଳ ଓ ସୁଖପୂର୍ଣ୍ଣ କରିଥାଏ। ତେଣୁ, ଯେତେବେଳେ ଈର୍ଷା ଉତ୍ପନ୍ନ ହୁଏ, ସେତେବେଳେ ଏହାର ମୂଳ କାରଣସବୁ କ’ଣ ହେଇପାରେ ବୁଝିବାକୁ ଚେଷ୍ଟା କରିବା ଉଚିତ। ଅନ୍ୟମାନଙ୍କ ସଫଳତା ସହିତ ନିଜର ତୁଳନା କରିବା ପ୍ରବୃତ୍ତି ତ୍ୟାଗ କରି ବ୍ୟକ୍ତିଗତ ବିକାଶର ଚିନ୍ତାଧାରା ପୋଷଣ କରିବା ଆବଶ୍ୟକ। ସିଧାସଳଖ ଆଲୋଚନା ମାଧ୍ୟମରେ ଈର୍ଷାକୁ ଉତ୍ସାହିତ କରୁଥିବା ଭ୍ରାନ୍ତ ଧାରଣାଗୁଡ଼ିକର ମୂଳୋତ୍ପାଟନ କରାଯାଇପାରେ। ଈର୍ଷାନ୍ବିତ ବ୍ୟକ୍ତିର ହୃଦୟର ମୌଳିକ ଅଭିଳାଷ ହେଲା ପ୍ରେମ ଓ ମମତାର ପ୍ରବଳ ଜିଜ୍ଞାସା, ଆତ୍ମ ପ୍ରେମ ଓ ଭଲପାଇବାର କାମନା ଯାହା ବେଳେବେଳେ ବିନାଶର ସୂତ୍ରଧର ସାଜିଥାଏ। ମନେ ରଖିବା ଉଚିତ, ଯାହାର ବନ୍ଧୁ ଈର୍ଷା ତାକୁ ଶତ୍ରୁର ଆବଶ୍ୟକତା ପଡ଼େନି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭