କହିବାକୁ ଥିବା ଏ କାହାଣୀକୁ ତା’ର ଚରିତ୍ର, ଘଟଣା ଓ ଅଗ୍ରଗତି ଆଧାରରେ ବୁଝିବାକୁ ଚେଷ୍ଟା କଲେ ତାହା ଅବାନ୍ତର ମନେ ହୋଇପାରେ। ଭାବନା ସ୍ତରର ଦ୍ବନ୍ଦ୍ବାତ୍ମକ ସ୍ବରୂପକୁ କାହାଣୀ ଠାରୁ ଅଲଗା କରି ବୁଝିପାରିଲେ ହିଁ ଝୁମୁରୀର ଏ କାହାଣୀକୁ ବୁଝି ହେବ। ଝୁମୁରୀ ଆମ କାହାଣୀର କେବଳ ଏକ ଚରିତ୍ର ନୁହେଁ, ଜୀବନର ପ୍ରତ୍ୟକ୍ଷ ଛବି। ଆମକୁ ଘେରି ରହିଥିବା ଗଛଲତା ପରି ଅସଂଖ୍ୟ ଝୁମୁରୀ ଆମ ଚତୁଃପାର୍ଶ୍ବରେ ଅଛନ୍ତି ଏବଂ ଧୈର୍ଯ୍ୟର ଛୁଞ୍ଚିସୂତାରେ ଫଟା ଜୀବନକୁ ଅହରହ ରଫୁ କରି ଜିଇଁ ରହିଛନ୍ତି।
ଛକ ଉପରେ ପଇଡ଼ ଦୋକାନ କଡ଼କୁ ଗାମୁଛା ଖଣ୍ଡେ ପାରି ଯେଉଁ ଛଅ ବର୍ଷର ନୁଖୁରାମୁଣ୍ଡୀ ଝିଅଟି ବସି ତାଜା ଫୁଲ ବିକ୍ରି କରୁଛି, ସିଏ ହେଉଛି ଝୁମୁରୀ। ସବୁଦିନ ପରି ଆଜି ମଧ୍ୟ ମେମ୍ସାହେବ ଫୁଲ ପାଇଁ ଆସିଥିଲେ ଛୋଟ ଝିଅକୁ ତାଙ୍କର ସାଙ୍ଗରେ ନେଇ। ଗାଡ଼ିରୁ ଓହ୍ଲାଇ ଦୁଇଦନା ଫୁଲ କିଣିଲେ, ତା’ପରେ ପଇଡ଼ ବାଲାଠୁ ପଇଡ଼ ପିଇସାରି ଚାଲିଗଲେ। ମେମ୍ସାହେବଙ୍କ ଝିଅ ତା’ କଣ୍ଢେଇଟି ଆଜି ଫୁଲପସରା ସାମ୍ନା ପଥର ଉପରେ ଛାଡ଼ିଦେଇ ଚାଲିଯାଇଛି। ପଇଡ଼ ପିଇ ସାରିବା ପରେ ନେବାକୁ ଭୁଲି ଯାଇଛି। କେଡ଼େ ସୁନ୍ଦର ମୁଲାୟମ ରେଶମୀ କଣ୍ଢେଇଟିଏ। ତା’ରି ବୟସର ସେ ଝିଅଟି ସବୁଦିନ ଏଇ କଣ୍ଢେଇକୁ କାଖରେ ଧରି ମା’ଙ୍କ ସାଙ୍ଗରେ ଆସେ। ଝୁମୁରୀର ଆଖି ସେ କଣ୍ଢେଇ ଉପରୁ ଫେରି ପାରେନି। ଆଜି ସୁଯୋଗ ଦେଖି ଟିକିଏ ଆଉଁଷିଦେବାବେଳେ ମେମ୍ସାହେବଙ୍କ ଝିଅ ପଇଡ଼ ପିଉ ପିଉ ଖାଲି ଟିକିଏ ହସି ଦେଇଥିଲା। ପଥର ଉପରୁ ଅତି ସନ୍ତର୍ପଣରେ କଣ୍ଢେଇଟି ଉଠାଇ ନେଲା ଝୁମୁରୀ। ସରାଗରେ ତାକୁ ଗାଲରେ ଲଗାଇଲା। ବୋକଦେଇ ଗେଲ କରି ପୁଣି ପଥର ଉପରେ ରଖିଦେଲା। ଏବେ ବୋଧେ ମେମ୍ସାହେବ ଫେରିଆସି କଣ୍ଢେଇଟି ନେଇଯିବେ। ଏମିତି କେତେ ଦାମିକା କଣ୍ଢେଇ ବଡ଼ ଲୋକଙ୍କ ଝିଅମାନେ କାଖେଇ ଧରି ବୁଲୁଥିବାର ସିଏ ଦେଖିଛି। ତା’ର ମଧ୍ୟ ଭାରି ମନହୁଏ ଏମିତି ଗୋଟିଏ କଣ୍ଢେଇ ଧରି ବୁଲିବାକୁ। ଥରେ ବାପା ସାଙ୍ଗରେ ଜଣେ ବାବୁଙ୍କ ଘରକୁ କାମ କରିବାକୁ ଯାଇଥିବାବେଳେ ସୋଫା ଉପରେ ପଡ଼ିଥିବା ତାଙ୍କ ଝିଅର ଖଣ୍ଢେଇଟି ଧରି ଦେଇଥିଲା ଯେ ବାବୁଆଣୀ କେତେ ଗାଳି ଦେଇଥିଲେ। ମୁଣ୍ଡକୁ ତା’ର ଆଉଁଷିଦେଇ ବାପା ବୁଝେଇ ଦେଇଥିଲା, ‘ମା’ରେ! ଏମିତି କଣ୍ଢେଇଟିଏ କିଣିବାକୁ ଆମର ଦୁଇଦିନର ମଜୁରି ମଧ୍ୟ କୁଳେଇବନି। କଣ୍ଢେଇ ତୋର ନାହିଁ ବୋଲି ତୁ ମନଦୁଃଖ କରନା କି ନିଜକୁ ଦରିଦ୍ର ଭାବେନା। ନ ଥିଲା ବାଲା ଗରିବ ନୁହେଁଲୋ ଝିଅ! ନ ଥିଲା ଦରବ ପାଇବାକୁ ଆଶା ବାନ୍ଧିବା ହିଁ ଗରିବୀ। ଆରବର୍ଷ ତୋ ଜନ୍ମଦିନକୁ କିଛି କିଛି ପଇସା ସଞ୍ଚି କଣ୍ଢେଇଟିଏ ଆଣିଦେବି।’ ବାପା ଯେଉଁ ପ୍ଲାଷ୍ଟିକ୍ କଣ୍ଢେଇଟି ଆଣିଦେଇଥିଲା, ତାହା ମନକୁ ପାଇ ନ ଥିଲା ଝୁମୁରୀର। ବାପା କୁଆଡ଼େ ବୁଝିବ, ବଡ଼ ଲୋକର ଝିଅ ହେଉକି ଗରିବ ଘରର ଝୁମୁରୀ ହେଉ, ଉଭୟଙ୍କ ପାଇଁ ଜୀବନ ସିନା ସମାନ ନୁହେଁ, ସ୍ବପ୍ନ ତ ସମାନ! ବାପା କରୋନାରେ ପଡ଼ି ଡାକ୍ତରଖାନା ଗଲା ଯେ, ଆଉ ଫେରିଲାନି। ଏକା ହୋଇଗଲେ ଝୁମୁରୀ ଆଉ ତା’ର ମା’। ଜୀବନ ଜିଇଁବାକୁ ଓ ଝୁମୁରୀକୁ ମଣିଷ କରିବାକୁ ମା’ ତା’ର ଏକା ଏକା ଅଣ୍ଟା ଭିଡ଼ିଲା। ସବୁ ବେଦନାକୁ ସାଉଁଟି ନେଇ ବିଲ୍ଡର୍ ପାଖରେ ଇଟା, ବାଲି ବୋହିବା କାମରେ ଲାଗିଗଲା। ଧୀରେ ଧୀରେ ଜୀବନ ପୁଣି ସ୍ବାଭାବିକ ହୋଇଆସିବା ବେଳକୁ ଅଣ୍ଟାରେ ଇଟା ପଡ଼ିଯାଇ ମା’ ଏବେ ଉଠିବସି ପାରୁନି। ବର୍ଷାଦିନ ଆସିଯିବାରୁ କାମ ମଧ୍ୟ ବନ୍ଦ ପଡ଼ିଛି। ମା’ର କଷ୍ଟ ଦେଖି ହାତପାପୁଲିରେ ହ୍ରଦ ପାଲଟିଥିବା ଲୁହକୁ ବନ୍ଧ ପକାଇବାକୁ ଆଉ ଚେଷ୍ଟା ନ କରି କେତେବେଳେ ଯେ ସିଏ ଭାତ ଓ ରୁଟିର ଯୁଦ୍ଧରେ ସାମିଲ ହୋଇଯାଇଛି, ତାକୁ ଜଣାନାହିଁ।
ରାତି ପାଞ୍ଚଟା ପୂର୍ବରୁ ଉଠି ଝୁମୁରୀ ଘରୁ ବାହାରିଯାଏ। ବାବୁମାନେ ସେତେବେଳକୁ ମଧ୍ୟ ଫୁଲଗଛମାନଙ୍କରେ ହାତ ପାଖରେ ଥିବା ଫୁଲସବୁ ନେଇସାରିଥାନ୍ତି। ମନ୍ଦିର ବେଢ଼ାର ଚମ୍ପା ଗଛରେ ଚଢ଼ି ହାତ ଅପହଞ୍ଚ ଉଚ୍ଚା ଡାଳରୁ ସିଏ ଫୁଲ ତୋଳେ, ଆଉ ଏ ଛକରେ ବସି ଦନା ଦଶ ଟଙ୍କାରେ ବିକ୍ରି କରେ। ଖରା ବଢ଼ିବା ପୂର୍ବରୁ ବଳକା ଫୁଲ ଗାମୁଛାରେ ବାନ୍ଧି ସାହି ଭିତରେ ବୁଲିବୁଲି ବିକିବାକୁ ପଡ଼େ। ସବୁ ଫୁଲ କେବେ ବିକ୍ରି ହୋଇପାରେନି। ଆଜି ସିଏ ପଣ କରି ଆସିଛି ମା’ ପାଇଁ ତା’ର ମଲମଟିଏ କିଣିନେବ। ସେଥିପାଇଁ ସାତଦନା ଫୁଲ ବିକିବାକୁ ପଡ଼ିବ। ଆଳୁ ପାଏ ମଧ୍ୟ କିଣିବ। ଲୁଣ ଲଙ୍କାରେ ଆଉ ଭାତ ଯାଉନି। ପିଆଜ ତ’ ଭାରି ମହରଗ। ଉଚ୍ଚ ଆଶା କରିବା ଆଉ ଉଚ୍ଚା ଡାଳରୁ ଫୁଲ ତୋଳିବା ଏକା କଥା। କଚଡ଼ା ଖାଇବାର ଡରଥାଏ। ଆଜି ମଧ୍ୟ ସିଏ ଗଛରୁ ଖସିପଡ଼ି କଚଡ଼ା ଖାଇଛି। ହାଡ଼ ଭାଙ୍ଗିନି ସିନା, କହୁଣି ଓ ଆଣ୍ଠୁ ଲହୁଲୁହାଣ ହୋଇଯାଇଛି। କନା ଖଣ୍ଡେ ବାନ୍ଧିଦେଇଛି ଖଣ୍ଡିଆ ଉପରେ।
କଣ୍ଢେଇଟି ଆଡ଼େ ପୁଣି ଥରେ ହାତ ବଢ଼ାଇ ଆଉଁଷିଦେଲା ଝୁମୁରୀ। ମେମ୍ସାହେବ ତ କାଇଁ ଏ ଯାଏ କଣ୍ଢେଇ ନେବାକୁ ଆସି ନାହାନ୍ତି, ଭୁଲିଗଲେ କି ଆଉ? ଝିଅର ଏଡ଼େ ଦାମୀ ଖେଳନା କଥା ଭୁଲିବେ କେମିତି? ଭାବୁଛି ମେମ୍ସାହେବ ନ ଆସିଲେ କଣ୍ଢେଇଟି ସିଏ ଘରକୁ ନେଇଯିବ କି? ଦିନସାରା ମନଭରି ଖେଳିବ, ସକାଳୁ ଆଣି ପୁଣି ଫେରାଇଦେବ। ନ ହେଲେ ଘରେ ରଖିଦେଇ ଅନ୍ୟ କେଉଁ ଛକରେ ବସି ଫୁଲ ବିକିବ। କଣ୍ଢେଇ ହଜିବାକୁ ସିଏ କ’ଣ ଦାୟୀ? ସିଏ ଫୁଲ ବିକିବ ନା କଣ୍ଢେଇ ଜଗିବ? କିଏ ନେଲା କିଏ ଜାଣେ। ତା’ର ଦୋଷ ହେବ ବା କାହିଁକି? ବାପାର କଥା ମନେପଡ଼ି ହାତ ତା’ର ଅଟକିଗଲା। ବାପା କହେ, ସଚ୍ଚୋଟ ରହିବାର ଗୋଟିଏ ମାତ୍ର ରାସ୍ତା ଅଛିଲୋ ଝିଅ! ସେ ରାସ୍ତା ହେଉଛି ଗରିବର ଝୋପଡ଼ି ଆଡ଼କୁ ଲମ୍ବିଥିବା ରାସ୍ତା। ଯାହା ପାଇବାକୁ ଆଶା ବାନ୍ଧିବ ତାହା ମିଳେନି ସିନା, ଯାହା ପାଇବାକୁ ପରିଶ୍ରମ କରିବ ତାହା ଦିନେ ହାତ ପାଖରେ ନିଶ୍ଚୟ ପହଞ୍ଚିଯାଏ। କେତେ ସମୟ ଆଉ ବସିବ ସିଏ? ଆହୁରି ପାଞ୍ଚଦନା ଫୁଲ ବିକିବାକୁ ଅଛି। ଖରା ଯେତେ ଅଧିକ ହେବ ଫୁଲ ସବୁ ମଉଳିଯିବ। ହାତଗୋଡ଼ ଜଖମ କରି ତୋଳିଥିବା ଫୁଲ ପୁଞ୍ଜାକ ଶେଷକୁ ରାସ୍ତାକଡ଼କୁ ଫିଙ୍ଗା ହେବ। ଆଉ ତା’ ମା’ର ଜଖମ ଭରିବ କେମିତି? ମେମ୍ସାହେବ ଯେତେବେଳେ ଆସିବେ ଆସୁଥାନ୍ତୁ। ତାଙ୍କ ଝିଅର କଣ୍ଢେଇ ଏଇଠି ଏମିତି ପଡ଼ିଥାଉ। କଣ୍ଢେଇଟିକୁ ଶେଷଥର ପାଇଁ ଗାଲରେ ଲଗାଇ ରଖିଦେଇ ଉଠିଲା ଝୁମୁରୀ।
ଆରେ, ଆରେ, ମେମ୍ସାହେବଙ୍କ ଝିଅ ଗାଡ଼ିରେ ବସି ତା’ ଆଡ଼କୁ ଅନାଇଁ ହାତ ହଲାଇ ଚାଲିଗଲା ଯେ? କାଇଁ ଅଟକିଲାନି କି କଣ୍ଢେଇ ନେଲାନି ତ? ଫୁଲସବୁ ଗାମୁଛାରେ ବାନ୍ଧି ଉଠିଲା ଝୁମୁରୀ। ପଛରୁ ପଇଡ଼ବାଲା ଡାକ ଛାଡ଼ିଛି, ‘‘ତୋ କଣ୍ଢେଇ ଛାଡ଼ିଗଲୁଲୋ ଝୁମୁରୀ...।’’ ପଇଡ଼ବାଲାର ଡାକ ଶୁଣି ନ ଶୁଣିଲା ପରି ହୋଇ ଅପସୃୟମାନ ସମୟର ପାଦଚିହ୍ନ ଉପରେ ପାଦ ଥାପି ଥାପି ଆଗକୁ ବଢ଼ିବାରେ ଲାଗିଲା ସିଏ।
ମୋ:୯୩୩୭୬୪୮୬୩୮
ସରସ ରସ: ଗୋଟିଏ ଅସରନ୍ତି ଗପର କଥନିକା
କହିବାକୁ ଥିବା ଏ କାହାଣୀକୁ ତା’ର ଚରିତ୍ର, ଘଟଣା ଓ ଅଗ୍ରଗତି ଆଧାରରେ ବୁଝିବାକୁ ଚେଷ୍ଟା କଲେ ତାହା ଅବାନ୍ତର ମନେ ହୋଇପାରେ। ଭାବନା ସ୍ତରର ଦ୍ବନ୍ଦ୍ବାତ୍ମକ ସ୍ବରୂପକୁ କାହାଣୀ ଠାରୁ ଅଲଗା କରି ବୁଝିପାରିଲେ ହିଁ ଝୁମୁରୀର ଏ କାହାଣୀକୁ ବୁଝି ହେବ।