ଅପ-ସଂସ୍କୃତିର ନୂଆ ମୁହଁ

ଦାଶ ବେନହୁର

ଆମେ ବର୍ତ୍ତମାନ ଯେଉଁ ପ୍ରକାରର ଜୀବନଯାପନ କରୁଛେଁ ତାହା ଆପେ ଆମ ପାଖକୁ ଆସିନାହିଁ। ପ୍ରକୃତି କୋଳରେ ଗଛଟିଏ ବା ଲତାଟିଏ ଆପେ ବଢ଼ିବା ପରି ମଣିଷ ଜୀବନ ଆପଣା ଛାଏଁ ବିବର୍ତ୍ତିତ ହୋଇନାହିଁ। ସେଥିପାଇଁ ବହୁ ସଂଘର୍ଷ ସ୍ବୀକାର କରିବାକୁ ପଡ଼ିଛି। ଚାଷ ବାସ, କଳ କାରଖାନା, ରାଷ୍ଟ୍ର ବା ସମାଜ ଏ ସବୁ ମଣିଷ କେତେ ଚେଷ୍ଟା ପରେ ପାଇଛି। କେତେ ଜୟ ପରାଜୟ, କ୍ଷୟ ଅବକ୍ଷୟ ପରେ ଆଜିର ପୃଥିବୀ ତା’ର ସାମାଜିକ ରୂପ ପରିଗ୍ରହଣ କରିଛି।
ଏ ସବୁକଥା ପଛରେ ଅଛି ସଂସ୍କାର। ସଂସ୍କାର ଏକ ପ୍ରକ୍ରିୟା ଓ ସଂସ୍କୃତି ତା’ର ଚିତ୍ରପଟ। ସେଇଥିଲାଗି ସଂସ୍କାର ଆମ ଆଖିକୁ ଦିଶେନା ମାତ୍ର ସଂସ୍କୃତି ଦିଶେ। ଆମ ଆଖି, ମନ ଓ ହୃଦୟ ବାଟେ ଏ ସଂସ୍କାରିତ ଚିତ୍ରପଟ ପଶିଯାଇ ଆମକୁ ନିୟନ୍ତ୍ରିତ କରେ।
ମନେ ରଖିବା ଦରକାର ଯେ କୌଣସି କଥା ଗଢ଼ିଦେଲା ପରେ ତାହା ଆପେ ସେ ଭଳି ରହେ ନାହିଁ। ଘରକୁ ମରାମତି ଓ ରଙ୍ଗ ଦେବା ପରି, ଚଟାଣକୁ ନିତି ଓଳେଇବା ପରି, ଏ ପ୍ରକ୍ରିୟା ସମାଜରେ ନିତି ପ୍ରତି ଚାଲିଥାଏ। ଚଟାଣରେ ଅଳିଆ ପଡ଼େ, କାନ୍ଥ ବାଡ଼ ରଙ୍ଗହରା ହୁଏ। ତେଣୁ ନିୟମିତ ଓଳାପୋଛା ଓ ମରାମତି ଯେ କୌଣସି ଘରର ଏକ ଅତ୍ୟାବଶ୍ୟକ ଅଂଶ ବୋଲି ସ୍ବୀକାର କରିବାକୁ ପଡ଼ିବ। ଯେ ଏ କଥାକୁ ଅସ୍ବୀକାର କରେ ତା’ ପାଇଁ ଘର ଆଉ ଘର ହୋଇ ରହେ ନାହିଁ। ଭଗ୍ନସ୍ତୂପ ପାଲଟେ।
ଆମେ ଯେମିତି ବଞ୍ଚୁ ତାହା ହିଁ ଆମ ସଂସ୍କୃତି ବୋଲି ବୁଝିବାକୁ ହେବ। ଗୋଟାଏ ଦୀର୍ଘ ସମୟଖଣ୍ଡର ବିସ୍ତାରିତ ସଂସ୍କୃତି ହିଁ ସଭ୍ୟତାର ରୂପରେଖ। ଗ୍ରୀସୀୟ ସଭ୍ୟତା, ରୋମୀୟ ସଭ୍ୟତା, ଭାରତୀୟ ସଭ୍ୟତା, ବେବିଲୋନୀୟ ସଭ୍ୟତା ଆଦି ସେମାନଙ୍କର ସଂସ୍କୃତି କଥା ହିଁ କହେ। କ’ଣ କେମିତି ସେମାନେ ଚଳୁଥିଲେ, କ’ଣ ଥିଲା ମନୋଭାବ?
ସମାଜ, ନିତି ବ୍ୟବହାର ହେଉଥିବା ଖଣ୍ଡିଏ ବାସନ ପରି। ଫି ଦିନେ ଆମେ ତା’ର ବ୍ୟବହାର କରୁ। ସେଥିରେ ଅଇଣ୍ଠା ଲାଗେ, ତେଣୁ ଧୋଇବା ଦରକାର ପଡ଼େ, ମଜାମଜି ହୁଏ। ଏଇ ବ୍ୟବହାର ହିଁ ଜୀବନ ଓ ତା’ର ମଜାମଜି ହିଁ ସଂସ୍କାର। ହେଲେ ବାସନ ମଜାମଜି ନ ହୋଇ ଯେତେବେଳେ ବ୍ୟବହାର ହୋଇ ଚାଲେ? ସେତେବେଳେ ନା ବାସନର ଅବସ୍ଥା ଠିକ୍ ରହେ ନା ବାସନ ବ୍ୟବହାରକାରୀଙ୍କର ଜୀବନ।
ଏଇ ଅମଜା ବାସନ ହିଁ ଅପ-ସଂସ୍କୃତିକୁ ଧରି ରଖେ।
ଯେ କୌଣସି ବନ୍ୟପ୍ରାଣୀ ପରି ମନୁଷ୍ୟ ଦିନେ ଜଙ୍ଗଲର ଜୀବ ପାଲଟି ଥିଲା। କେତେ ସଂସ୍କାର ଓ ସଂଘର୍ଷ ପରେ ସେ ସାମାଜିକ ଜୀବନକୁ ଆସିଲା। ନୀତି, ନିୟମ କଲା। ଗାଁ, ନଗର କଲା। ବେପାର ବଣିଜ ଶିଖିଲା। ରାଜ୍ୟ ଗଢ଼ିଲା, ରାଷ୍ଟ୍ର ନିର୍ମାଣ କଲା। ଜଙ୍ଗଲ ଜୀବନରୁ ନାଗରିକ ଜୀବନକୁ ଆସିଲା।
କେବେ ବି ଭାବିବା ଉଚିତ ନୁହେଁ ଯେ ନଗରରେ ରହୁଥିବା ଲୋକେ ହିଁ ନାଗରିକ। ସେମିତି ହେଲେ ଗାଁ ଗଣ୍ଡା, ପାହାଡ଼ ପନ୍ତାରରେ ରହୁଥିବା ଲୋକେ ନାଗରିକ ନୁହନ୍ତି ନା କ’ଣ? ରାଷ୍ଟ୍ରରେ ନ୍ୟାଯ୍ୟ ଅଧିକାର ପାଇ ବଞ୍ଚୁଥିବା ପ୍ରତ୍ୟେକ ବ୍ୟକ୍ତି ସେ ଦେଶର ନାଗରିକ। ନଗରକୁ ଧରି କେବେ ଗ୍ରୀକ୍ ସଭ୍ୟତାରେ ନାଗରିକ ଗଢ଼ା ହେଉଥିଲେ ସିନା ଏବେ ରାଷ୍ଟ୍ର ଆଧାରରେ ହିଁ ନାଗରିକ ସୃଷ୍ଟି ହୁଅନ୍ତି। ଏ ଭାରତୀୟ, ସେ ପାକିସ୍ତାନୀ, ବାଙ୍ଗ୍‌ଲାଦେଶୀ, ସିଂହଳୀ, ଚୈନିକ ବା ରୁଷୀୟ।
ରାଷ୍ଟ୍ର ହିଁ ନାଗରିକ ସମାଜର ଶେଷ ନିୟାମକ। ରାଷ୍ଟ୍ରକୁ ନେଇ ସଭ୍ୟତା ଓ ସଂସ୍କୃତି। ଆମେ ଯେ ଓଡ଼ିଆ, ବଙ୍ଗଳା, ବିହାରୀ, ଅହମିୟା ସଂସ୍କୃତି ବୋଲି କହୁ ସେ ସବୁ ପ୍ରକୃତରେ ପାଖୁଡ଼ା। ସମଗ୍ର ଫୁଲଟି ହେଉଛି ଭାରତ। ପାଖୁଡ଼ା ଚିରକାଳ ଫୁଲର ଅଂଶବିଶେଷ। ପାଖୁଡ଼ାକୁ ଫୁଲ ମନେ କରିବା ବିଭ୍ରାନ୍ତିକର।
ପ୍ରଶ୍ନ ଉଠିପାରେ ଯେ ଯିଏ ସମାଜରେ ବାସ କରେ ସେ ସାମାଜିକ ନିଶ୍ଚୟ ହେଲେ ସଭିଏଁ କ’ଣ ଆପେ ନାଗରିକ ହୁଅନ୍ତି? ସାମାଜିକ ହେବା ଓ ନାଗରିକ ହେବା ଭିତରେ ଫରକଟି କ’ଣ? ସମାଜର ନୀତି ନିୟମ ମାନି ଅନ୍ୟମାନଙ୍କ ସହ ମିଳିମିଶି ଚଳିଲେ ଜଣେ ହୁଏ ସାମାଜିକ। ମାତ୍ର ସାମାଜିକ ହୋଇଥିବା ସବୁ ମନୁଷ୍ୟ ଯେ ନାଗରିକ ହୋଇପାରନ୍ତି ସେ କଥା ନୁହେଁ। ତା’ର କାରଣ ସାମାଜିକତା ଲାଗି ଆବଶ୍ୟକ ସଚେତନତା ଓ ଦାୟିତ୍ବବୋଧ ଠାରୁ ନାଗରିକର ସଚେତନତା ଏବଂ ଦାୟିତ୍ବବୋଧ ବହୁଗୁଣରେ ଅଧିକ।
ଆରିଷ୍ଟଟଲ୍ କହିଲା ଭଳି ଜଙ୍ଗଲ ଜୀବନରୁ ଆମେ ଯେ ସାମାଜିକ ଜୀବନକୁ ଆସିଲୁ ତା’ର ମୂଳ ହେଲା ଭଲ-ଜୀବନର ପ୍ରତିଶ୍ରୁତି। ଜଙ୍ଗଲରେ ସାମାଜିକ ନୀତି ନିୟମ ନ ଥାଏ। ଦାୟିତ୍ବବୋଧ ନ ଥାଏ। ମୂଳ ହେଉଛି ବଞ୍ଚିବାର ସଂଘର୍ଷ। ଆତ୍ମରକ୍ଷା ହିଁ ବଣ-ଜୀବନର ପ୍ରଧାନ ନିୟମ। ସେଥିପାଇଁ ଆରଣ୍ୟକ ଜୀବନରେ ବଞ୍ଚିବା ଥିଲା ସ୍ବଳ୍ପ, ଅସଂସ୍କୃତ, ଐକାନ୍ତିକ ଓ ଅପରିଚ୍ଛନ୍ନ। ତେଣୁ ସାମାଜିକ ଜୀବନ ଗଢ଼ାଯିବା ପଛରେ ନିର୍ଦ୍ଦିଷ୍ଟ ନିୟମର ଅନୁପାଳନ, ମାର୍ଜିତ ଜୀବନ ପ୍ରଣାଳୀ, ସହବୋଧ ସଙ୍ଗକୁ ଶୃଙ୍ଖଳା ଓ ସୁସଂହତ ଜୀବନଯାପନର ଖସଡ଼ା ଆପେ ସଂଯୋଜିତ ହୋଇଥିଲା।
ସାମାଜିକ ଜୀବନର ଅର୍ଥ ସୁସଂହତ ଜୀବନ, ପରିଚ୍ଛନ୍ନ ଜୀବନ, ସାଂସ୍କୃତିକ ଜୀବନ।
ନାଗରିକ ଜୀବନର ଅର୍ଥ ସମୂହ-ସଚେତନତାର ଜୀବନ, ଦାୟିତ୍ବପୂର୍ଣ୍ଣ ଜୀବନ।
ଯେ କୌଣସି ପଦାର୍ଥର ପରିଚ୍ଛନ୍ନ ଓ ଅପରିଚ୍ଛନ୍ନ ଅବସ୍ଥା ଭଳି ସଂସ୍କୃତି ବା ଜୀବନବୋଧର ମଧ୍ୟ ଦୁଇଟି ପାର୍ଶ୍ବ ଥାଏ। ତାହା ହେଉଛି ସଂସ୍କୃତ ଜୀବନ ଓ ଅସଂସ୍କୃତ ଜୀବନ। ସଂସ୍କୃତ ଜୀବନ ହିଁ ସୁବ୍ୟବସ୍ଥିତ, ସୁସଂହତ ତଥା ଦାୟିତ୍ବପୂର୍ଣ୍ଣ। ଏହା ଉଭୟ ସାମାଜିକ-ବୋଧ ଓ ନାଗରିକ-ବୋଧର ସୁନ୍ଦର ସମନ୍ବୟରେ ପ୍ରତିଷ୍ଠିତ ହୋଇଥାଏ। ସେଇଥିପାଇଁ ସଂସ୍କୃତିରେ ଶେଷ ବୋଲି କିଛି ନ ଥାଏ। ଯେମିତି ଆଦର୍ଶବୋଧରେ ଶେଷ ବୋଲି କିଛି ନାହିଁ। ସାଂଗଠନିକ କ୍ଷେତ୍ରରେ ଆମେ ରାଷ୍ଟ୍ରକୁ ଶ୍ରେଷ୍ଠ ସଂଗଠନ ବୋଲି କହିଦେଇପାରୁ, ହେଲେ ସଂସ୍କାର, ଆଦର୍ଶ ବା ସଂସ୍କୃତି ବିଚାରରେ, ଏହା ହିଁ ଶେଷ ଓ ଶ୍ରେଷ୍ଠ ବୋଲି କହିବା ଦୁରୂହ। ସେଇଥିପାଇଁ ସଂସ୍କୃତି ଏକ ଚିର ପ୍ରବାହିତ ପ୍ରକ୍ରିୟା। ଆମେ ବାସନ ବା ବ୍ୟବହୃତ ଲୁଗାପଟା ନିତି ସଫା କଲା ପରି ସଂସ୍କୃତି ବି ନିଜକୁ ନିଜେ ସବୁବେଳେ ସଂସ୍କାରିତ ଓ ପରିଷ୍କୃତ କରୁଥାଏ। ମଣିଷ ଉକ୍ତ ପ୍ରକ୍ରିୟାର ସୂତ୍ରଧର। ଯେଉଁଠାରେ ସଂସ୍କୃତି ସଂସ୍କାରିତ ହୁଏ ନାହିଁ, ସେଠାରେ ଅପସଂସ୍କୃତି ତା’ର କାୟା ବିସ୍ତାର କରେ। ଏବଂ ଧୀରେ ଧୀରେ ତାହା ସମଗ୍ର ଲୋକସମୂହକୁ କବଳିତ କରି ପୁଣି ସେଇ ଆରଣ୍ୟକ ଜୀବନର ଅସଂସ୍କୃତ, ଅପରିଚ୍ଛନ୍ନ ଓ ସ୍ବାର୍ଥପର ଜୀବନକୁ ଫେରେଇ ନିଏ।
ଜଙ୍ଗଲ-ଜୀବନରୁ ଗୋଷ୍ଠୀ ଜୀବନକୁ ଆସିବା ପରେ ବିଭିନ୍ନ ବାଟେ ଗୋଷ୍ଠୀ-ପ୍ରଧାନକୁ ଧରି ଖଣ୍ଡ ଖଣ୍ଡ ମାନବ-ସମାଜ ସାରା ବିଶ୍ବରେ ଆଗେଇ ଚାଲିଲା। କ୍ରମେ ଏହା ରାଜତନ୍ତ୍ରର ରୂପ ନେଲା। କେଉଁଠି କେଉଁଠି ଅଭିଜାତତନ୍ତ୍ର ବା ସ୍ବେଚ୍ଛା ବା ସାମରିକତନ୍ତ୍ର ଯେ ରୂପ ନେଲା ତାହା ଏତେ ପ୍ରଣିଧାନଯୋଗ୍ୟ ନୁହେଁ। ରାଜତନ୍ତ୍ର ହିଁ ଥିଲା ଚିରପ୍ରବାହିତ ପ୍ରଶାସନିକ ଶାସନ-ତନ୍ତ୍ରର ଗ୍ରହଣୀୟ ସଂସ୍କୃତି ଧାରା। ପ୍ରାଚ୍ୟ, ପାଶ୍ଚାତ୍ୟ ସବୁଆଡ଼େ। ଆଶ୍ଚର୍ଯ୍ୟ ଲାଗେ, ଯୋଗାଯୋଗବିହୀନ ସେ କାଳର ପ୍ରାଚୀନ ପୃଥିବୀରେ ସବୁଆଡ଼େ ଏ ରାଜତନ୍ତ୍ର ଶାସନର ଏକକ ସଂସ୍କୃତି ଏତେ ବ୍ୟାପକ ହୋଇ ରହିଲା କେମିତି? ବହୁକାଳ ପରେ ସେଥିରେ ପୁଣି ଆସିଲା ପରିମାର୍ଜନ। ଶାସନିକ-ସଂସ୍କୃତି ବଦଳିଗଲା। ତା’ ସ୍ଥାନରେ ଆସିଲା ଗଣତନ୍ତ୍ର। ଏବେ ଗଣତନ୍ତ୍ର ସମଗ୍ର ବିଶ୍ବର ଶାସନିକ-ପଦ୍ଧତି ବା ସଂସ୍କାରିତ ପଦ୍ଧତି।
ସ୍ମରଣ ରଖିବା ଆବଶ୍ୟକ ଯେ ସଂସ୍କୃତି କେବଳ ସାହିତ୍ୟ, ସଙ୍ଗୀତ, ନାଚ, ତାମ୍‌ସା, ଚିତ୍ର, ଭାସ୍କର୍ଯ୍ୟ ଆଦିରେ ସୀମିତ ନୁହେଁ। ବୈଚାରିକ-ସଂସ୍କାର ହିଁ ସବୁକାଳେ ସବୁ ସଂସ୍କୃତିର ମୂଳାଧାର ହୋଇ ଆସିଛି। ଏଇ ବୈଚାରିକ ପରିସର ଯେତେବେଳେ ସଂସ୍କୃତିକୁ ଛାଡ଼ି ଅପ-ସଂସ୍କୃତି ଆପଣେଇଛି ସେତେବେଳେ ତା’ର ପତନ ସୁନିଶ୍ଚିତ ହୋଇଛି।
ଅତୀତରେ ଯେତେ ସଭ୍ୟତା ଭୂଲୁଣ୍ଠିତ ହୋଇଛି, ତାହା ଯେ ସବୁବେଳେ ପ୍ରାକୃତିକ ଆ‌େକ୍ରାଶର ଶିକାର ଯୋଗୁଁ ହୋଇଛି ସେ କଥା ନୁହେଁ, ଅଧିକାଂଶ ସ୍ଥଳରେ ମଣିଷ-ଚେଷ୍ଟିତ ଅପ-ସଂସ୍କୃତି କାରଣରୁ ତାହା ମୃତ୍ୟୁମୁଖରେ ପଡ଼ିଛି।
ଗଣତନ୍ତ୍ର ବା ଗଣତାନ୍ତ୍ରିକ ସଂସ୍କୃତିର ସୁନ୍ଦର ଦିଗଗୁଡ଼ିକ ହେଲା ସମୂହତା, ସମାନତା, ସ୍ବାଧୀନତା, ସହବଦ୍ଧତା, ଦାୟିତ୍ବବୋଧ, ଅଧିକାର ସଚେତନତା ଓ ନିଃସ୍ବାର୍ଥପରତା। ତା’କୁ ଓଲଟେଇ ଦେଲେ ଉପରୋକ୍ତ ମୂଲ୍ୟବୋଧର ଅବର୍ତ୍ତମାନତା ଯେ ଗଣତନ୍ତ୍ରରେ ଅପସଂସ୍କୃତି ସୃଷ୍ଟି କରେ ସେ କଥା ବୁଝାଇ କହିବା ନିଷ୍ପ୍ରୟୋଜନ।
ଅନେକ ବର୍ଷ ପରେ ଆମେ ଭାରତୀୟମାନେ ଗଣତନ୍ତ୍ର ଭିତରକୁ ଆସିଛୁ। ଗଣତାନ୍ତ୍ରିକ ସଂସ୍କୃତିକୁ ଆପଣାର କରିଛୁ। କେତେ କଷ୍ଟରେ ସମୂହତା, ସମାନତା, ସ୍ବାଧୀନତା ଆଦି କଥାଗୁଡ଼ିକୁ ଭିତରେଇବାକୁ ଆରମ୍ଭ କରିଛୁ। ହେଲେ ଯାହା ଦେଖାଯାଉଛି ସରକାର ପରେ ସରକାର ଆପଣା ସଂକୀର୍ଣ୍ଣ ବିଚାରବୋଧ ଓ ଅପରିଣାମଦର୍ଶିତା କାରଣରୁ ସେ ସବୁକୁ ନଷ୍ଟ କରିବାକୁ ବସିଛନ୍ତି। ସମୂହତା ବଦଳରେ ଭୋଟ୍‌ ବ୍ୟାଙ୍କ୍‌ର ସଂକୀର୍ଣ୍ଣ ସଂସ୍କୃତି ଏବେ ଜାତି, ଭୂଗୋଳ ଓ ଧର୍ମ ଆଧାରରେ ଆମ ଗଣତନ୍ତ୍ରଟିକୁ ଭାଙ୍ଗିଦେବାକୁ ବସିଛି। ସଂରକ୍ଷଣର ଭୁଲ୍ ପ୍ରୟୋଗ ଫଳରେ ସମାନତା ଭିତରେ ହିଁ ଅସମାନତାର ବୀଜ ବପନ କରାଯାଉଛି। ସେଇଭଳି ନାଗରିକମାନଙ୍କୁ ରାଷ୍ଟ୍ର ଉପରେ ଅଧିକ ନିର୍ଭରଶୀଳ କରି ସେମାନଙ୍କର ସ୍ବାଧୀନତା ହରଣ କରାଯାଉଛି। ସହବଦ୍ଧତା ବଦଳରେ ସାମ୍ପ୍ରଦାୟିକତା ଅଧିକ କ୍ରିୟାଶୀଳ ହେଉଛି। ଭାରତର ଯେ ସାଂସ୍କୃତିକ ଐତିହ୍ୟ ତା’କୁ ସୁଦୃଢ଼ କରିବା ବଦଳରେ ଦୁର୍ବଳ କରିବାରେ ସରକାରମାନେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। କ୍ଷମତାରେ ରହିବା ଲାଗି ସହବଦ୍ଧତାକୁ ପଶାପାଲି କରାଯାଉଛି। ସେ ସମ୍ପର୍କରେ ନାଗରିକ ସମାଜ ଚୁପ୍ ହୋଇ ବସିଛି। ସବୁଠାରୁ ଭୟାନକ ଦିଗଟି ହେଉଛି ଗଣତାନ୍ତ୍ରିକ ଦାୟିତ୍ବବୋଧର ହନନ। ସଭିଏଁ ସ୍ବାର୍ଥପର ହେବାକୁ ପ୍ରଗତିର ପନ୍ଥା ବୋଲି ବିଚାର କରୁଛନ୍ତି। କିଏ ଜଣେ ସତେ ଯେମିତି ସମସ୍ତଙ୍କୁ ବୁଝେଇ ଦେଇଛି- ‘‘ଆପେ ବଞ୍ଚିଲେ ବାପର ନାମ’’। ବାପର ନାମଟିକୁ ଯେ ବ୍ୟକ୍ତି ନୁହେଁ ସମୂହ ବଞ୍ଚାଏ ସେ କଥା କିଏ କାହାକୁ ବୁଝେଇବ?
ଗତ ପୌର ନିର୍ବାଚନରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଶହେକେ ୪୩ ଜଣ ଘରୁ ବାହାରି ସେମାନଙ୍କର ଗଣତାନ୍ତ୍ରିକ ସହବଦ୍ଧତା ପ୍ରକାଶ କଲେ। ଆଉ ବାକି ୫୭ ଭାଗ ଯେ ମତଦାନ କଲେ ନାହିଁ ବା କରିପାରିଲେ ନାହିଁ ତାହା ପ୍ରମାଣିତ କରିଦେଲା ଯେ ସଂଖ୍ୟାଧିକ ବ୍ୟକ୍ତି ଆଉ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାହାନ୍ତି। ଗଣତନ୍ତ୍ର ଭିତରେ ଆଡ଼ଛାଡ଼ ଭାବର ଅପସଂସ୍କୃତି ପ୍ରବଳ ହେବାରେ ଲାଗିଛି। ଅପର ପକ୍ଷରେ ଅନେକ ଅଭିଯୋଗ କରିଛନ୍ତି ଯେ ସରକାରୀ ସ୍ତରରେ ଜାଣିଶୁଣି ନାଗରିକମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦେବା ଲାଗି ଚକ୍ରାନ୍ତ ବଢ଼ିବାରେ ଲାଗିଛି। ଲୋକେ ଯେ ସରକାରଙ୍କ କାନ ତାହା ଅସତ୍ୟରେ ପରିଣତ ହୋଇଛି।
ଗଣତାନ୍ତ୍ରିକ ସଂସ୍କୃତିର ଦାୟିତ୍ବବୋଧ ଏବେ ସବୁଠାରେ ଅପସଂସ୍କୃତିର ଶିକାର ହେବାରେ ଲାଗିଛି। ଦାୟିତ୍ବବୋଧ ବଦଳରେ ଅଧିକାରବୋଧକୁ ସାବ୍ୟସ୍ତ କରି ସମସ୍ତେ ଯେମିତି ସାରା ଦେଶକୁ ଲୁଟ୍ କରିବାରେ ଲାଗିଛନ୍ତି। ଏଇ ଲୁଟ୍‌ର ପ୍ରଧାନ ପ୍ରୋତ୍ସାହକ ହେଉଛନ୍ତି ସରକାର। ରାଷ୍ଟ୍ରର ସମୂହ ସମ୍ପତ୍ତିକୁ ମାଗଣା ସୁବିଧା ସୁଯୋଗ ମାଧ୍ୟମରେ ଗରିବ ଶ୍ରେଣୀଙ୍କୁ ଗରିବ କରି ରଖିବାର ଓ ରାଷ୍ଟ୍ରୀୟ ଅର୍ଥନୀତିକୁ ତଳିତଳାନ୍ତ କରିବାର ଗଣତାନ୍ତ୍ରିକ ଅପସଂସ୍କୃତି ସବୁଆଡ଼େ ପ୍ରବଳ। ଅତୀତ ରାଜତନ୍ତ୍ରରେ ସାମନ୍ତବର୍ଗ ସୃଷ୍ଟି କରି, ସେମାନଙ୍କୁ ନିଜ ପକ୍ଷରେ ରଖି ସାରା ରାଷ୍ଟ୍ର ଓ ଜନସମୂହକୁ କବଳିତ କରିବା ପରି ଏ ଅପସଂସ୍କୃତିର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗରିବ ଶ୍ରେଣୀ ଗଢ଼ି ସେମାନଙ୍କୁ ନିଜ ଅକ୍ତିଆରରେ ରଖିବା ଲାଗି ମାଗଣା ସୁବିଧା ସୁଯୋଗ ଜୁଟାଇବାର ଯୋଜନା ଏବେ ଅନେକ ଦେଶରେ ଚାଲିଛି।
ଏ ସବୁର ବିଷମ ପରିଣାମ ଯୋଗୁଁ ଭେନିଜୁଏଲା ଭଳି ଅତୀତର ଗୋଟିଏ ସଫଳ ଦେଶ ଆଜି ବିଷମ ହୋଇ ପଡ଼ିଛି। ଶ୍ରୀଲଙ୍କାର ଭୟାବହତା ସଂପ୍ରତି ସାରା ଜଗତ୍‌ରେ ଚର୍ଚ୍ଚିତ। ସମଗ୍ର ପୃଥିବୀରେ ରାଜସ୍ବ ଆଦାୟର ଶତକଡ଼ା ୧୨ ଭାଗ କୃଷି ଓ କୁଟୀର ଶିଳ୍ପକୁ ପ୍ରୋତ୍ସାହିତ କରି ସାଧାରଣ ଜୀବନକୁ କ୍ରିୟାଶୀଳ କରିବାର ବିଧିବ୍ୟବସ୍ଥା ଥିବା ବେଳେ କିଛି କିଛି ଦେଶ ଶାସନକୁ ନିଜ ହାତରେ ରଖିବା ପାଇଁ ଏ ମାଗଣା ବଣ୍ଟନକୁ ବଢ଼ାଇବାରେ ଲାଗିଛନ୍ତି। ଏହା‌ ଯେ ଏକ ଅବକ୍ଷୟ-ଆମନ୍ତ୍ରଣକାରୀ ଅପସଂସ୍କୃତି ତାହା ଅନେକ ସ୍ଥାନରେ ଏବେ ଜଳଜଳ ଦେଖାଯାଉଛି। ଏହାକୁ ଏକ କାଳଫାଶ ବୋଲି କହିଲେ ମୋଟେ ଅତ୍ୟୁକ୍ତି ହେବ ନାହିଁ। ‘‘ସହଜ ଋଣ ବ୍ୟବସ୍ଥା’’ ଓ ‘‘ମାଗଣା ବଣ୍ଟନ ଯୋଜନା’’ ଆମ ସମସାମୟିକ ଗଣତାନ୍ତ୍ରିକ ଜୀବନର ଦୁଇଟି ଭୟାନକ ଅପସଂସ୍କୃତି। ତା’ ସହ ଯୋଡ଼ି ହୋଇଛି ସାମୂହିକ ଗଣତାନ୍ତ୍ରିକ-ନିସ୍ପୃହତା।
ଯେ ଗଣତନ୍ତ୍ର ସହ ନାହିଁ ସେ ରାଷ୍ଟ୍ର ସହିତ ନାହିଁ। ଯେ ରାଷ୍ଟ୍ର ସହିତ ନାହିଁ ସେ ସମୂହତା ସହ ନାହିଁ ବୋଲି କଥାଟି ଆପେ ପ୍ରମାଣିତ ହୋଇଯାଉଛି।
କହିବାର ଅଛି ଯେ ପ୍ରତିଦିନ ଆମ ଦେଶରେ ଅବିଚାରିତ ସରକାରୀ ଯୋଜନା ଯୋଗୁଁ ଓ ନାଗରିକ ସମାଜର ନିସ୍ପୃହତା କାରଣରୁ ଏକ ବିକଟାଳ ଅପସଂସ୍କୃତି ଆମକୁ ଗ୍ରାସ କରିବାକୁ ବସିଛି। ସାଧୁ ସାବଧାନ!
[email protected]

ସମ୍ବନ୍ଧିତ ଖବର