ଉହାନରେ କୋଭିଡ୍-୧୯ ଭୂତାଣୁର ଆବିର୍ଭାବ ନେଇ ଚୀନ ସରକାର ଅବଗତ ଥିଲେ ସୁଦ୍ଧା କାହାକୁ ଜଣାଇ ନ ଥିବାରୁ ପୃଥିବୀ ପୃଷ୍ଠରୁ ପ୍ରାୟ ୭ ନିୟୁତ ମାନବ ଜୀବନ ନିଶ୍ଚିହ୍ନ ହୋଇଗଲା। କିନ୍ତୁ ଏହାକୁ ସ୍ବୀକାର ନ କରି ଚୀନ ସରକାରଙ୍କ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଗଲା ଯେ ଉହାନରେ ଅନୁଷ୍ଠିତ ‘ଆଇସ୍ ହକି’ ଟୁର୍ନାମେଣ୍ଟେର ଯୋଗ ଦେବା ଲାଗି ଆସିଥିବା ଆମେରିକୀୟ ଖେଳାଳି ଦଳ ନିକଟରୁ ଏହି ଭୂତାଣୁ ପ୍ରଥମେ ବ୍ୟାପିବା ଆରମ୍ଭ କରିଥିଲା। ସେମିତି ଆଣ୍ଟୋନି ଫଉଚି ମହାମରୀର ଦୋଷ ଏକାବେଳକେ ବାଦୁଡ଼ିମାନଙ୍କ ଉପେର ଲଦି ଦେଇ ଉହାନ ଭୂତାଣୁ ଗବେଷଣାରେ ନିଜ ସଂପୃକ୍ତିକୁ ଲୁକ୍କାୟିତ ରଖିବାର ଉଦ୍ୟମ କଲେ! ଦୋଷ ସ୍ବୀକାର କରି ଆତ୍ମ ନିରୀକ୍ଷଣ କରିବାର ଅସାମର୍ଥ୍ୟ ମନୁଷ୍ୟକୁ ଅନେକତ୍ର ପ୍ରାୟଶ୍ଚିତ୍ତ କରିବାକୁ ପ୍ରବର୍ତ୍ତାଇ ପାରି ନ ଥାଏ।
ସୌଭାଗ୍ୟକ୍ରମେ କୋଭିଡ୍ ମହାମାରୀର ଅବସାନ ଘଟିଯାଇଛି ସିନା, ଏହି ଭୂତାଣୁର ସୃଷ୍ଟି କେଉଁଠାରୁ ଓ କିଭଳି ହୋଇଥିବ, ସେ ନେଇ ଅନୁମାନ, ଆକଳନ, ପୂର୍ବାଗ୍ରହ ଇତ୍ୟାଦି ଠାରୁ ଆରମ୍ଭ କରି ବିଜ୍ଞ ନିଷ୍କର୍ଷ ପର୍ଯ୍ୟନ୍ତ ଅନେକ କିଛି ଏ ଯାବତ୍ ବଳବତ୍ତର ରହି କଳରବ ସୃଷ୍ଟି କରି ଚାଲିଛନ୍ତି, ଯାହା ଏହି ମାସ ପ୍ରାରମ୍ଭରେ ପୁନର୍ବାର ଅଧିକ ମୁଖର ହୋଇଛି। ଏହାର କାରଣ ଏ ସଂକ୍ରାନ୍ତରେ କଂଗ୍ରେସ (ଯୁକ୍ତରାଷ୍ଟ୍ର ଆମେରିକାର ସଂସଦ) ଦ୍ବାରା ଗଠିତ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ସମକ୍ଷରେ ମାଇକେଲ ଫଉଚି ତାଙ୍କ ପକ୍ଷ ରଖିଛନ୍ତି, ଯାହାଙ୍କୁ ପାଠକପାଠିକାମାନେ ସେମାନଙ୍କ ସ୍ମୃତି ରୋମନ୍ଥନ କଲେ ପାନ୍ଡେମିକ୍ର ପ୍ରାରମ୍ଭ କାଳରେ ପୃଥିବୀ ସମକ୍ଷରେ ଜଣେ ପ୍ରବୁଦ୍ଧ ମାର୍ଗଦର୍ଶକ ରୂପେ ମନେ ପକାଇ ପାରନ୍ତି, ପରବର୍ତ୍ତୀ କାଳରେ ଯିଏ ଏହି ଭାଇରସ୍ର ଆବିର୍ଭାବ ପଛରେ ତାଙ୍କର ପରୋକ୍ଷ ଭୂମିକା ନେଇ ସନ୍ଦେହାପନ୍ନ ହୋଇ ଉଠିଥିଲେ, ଯାହା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ। ଇତିମଧ୍ୟରେ ଗବେଷକ ଓ ବୈଜ୍ଞାନିକମାନେ ଗୁଇନ୍ଦାସୁଲଭ ଢଙ୍ଗରେ କୋଭିଡ୍-୧୯ ଭୂତାଣୁର ଉତ୍ପତ୍ତି ସମ୍ବନ୍ଧରେ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହାର ନିଷ୍କର୍ଷମାନ ଫଉଚିଙ୍କ ଭାବମୂର୍ତ୍ତିକୁ ଅଧିକ ମଳିନ କରିବାରେ ଲାଗିଛି।
ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀର ପ୍ରାରମ୍ଭ କାଳରେ ଆଣ୍ଟୋନି ଫଉଚିଙ୍କ ତତ୍କ୍ଷଣାତ୍ ଘୋଷଣା ଶୁଣିବାକୁ ମିଳିଥିଲା ଯେ ପ୍ରାକୃତିକ ଭାବେ ଏହି ଭୂତାଣୁ କୌଣସି ବାଦୁଡ଼ି ବା ତଜ୍ଜାତୀୟ ପ୍ରାଣୀଠାରୁ ମନୁଷ୍ୟ ଶରୀରରେ ପ୍ରବେଶ କରିବା ପରେ ମନୁଷ୍ୟମାନଙ୍କ ମଧ୍ୟରେ ସଂକ୍ରମଣଶୀଳ ହୋଇ ଉଠିଛି; ଯେମିତି ‘ସର୍ସ’ ବା ‘ମର୍ସ’ ଭାଇରସ୍ ଯଥାକ୍ରମେ ବାଦୁଡ଼ି ଓ ଓଟ ନିକଟରୁ ଆସି ମନୁଷ୍ୟଙ୍କ ମଧ୍ୟରେ ସଂକ୍ରମଣ ସୃଷ୍ଟି କରିଥିଲେ। କିନ୍ତୁ, ସମୟ କ୍ରମେ ବିଭିନ୍ନ ଗବେଷକଙ୍କ ଅନୁସନ୍ଧାନ ଯେଉଁ ସବୁ ଅନୁତ୍ତରିତ ପ୍ରଶ୍ନମାନଙ୍କୁ ଜନ୍ମ ଦେବାରେ ଲାଗିଲା ଏବଂ ଏ ଯାବତ୍ ଲାଗିଛି; ତହିଁରେ କ୍ରମେ ଫଉଚିଙ୍କ ପକ୍ଷ ଦୁର୍ବଳ ଦିଶିବା ସହିତ ଏହି ମହାମାରୀ ମନୁଷ୍ୟକୃତ (ଅଗୋଚରରେ ହୋଇଥିଲେ ମଧ୍ୟ) ବୋଲି ଧାରଣା ଦୃଢ଼ମୂଳ ହେଉଛି! ସେହି ପ୍ରଶ୍ନଗୁଡ଼ିକ ହେଲେ, ଏହି ପାନ୍ଡେମିକ୍ ଉହାନରେ ଉତ୍ପନ୍ନ ହେଲା କାହିଁକି? ଏହାର କୌଣସି ସଂପର୍କ ଉହାନସ୍ଥିତ ବିଶାଳ ଭୂତାଣୁ ଗବେଷଣା କେନ୍ଦ୍ର ସହିତ ରହିଛି କି, ଯେଉଁଠାରୁ ଏହି ଭାଇରସ୍ ଅଗତ୍ୟା ଲିକ୍ ହୋଇ ଯାଇଥିବ? ପୁଣି କୋଭିଡ୍-୧୯ ସହିତ ନିକଟତମ ସାଦୃଶ୍ୟ ବହନକାରୀ ଭାଇରସ୍ ଯେଉଁ ଜାତିର ବାଦୁଡ଼ିମାନଙ୍କ ଶରୀରରେ ଦେଖାଯାଏ, ସେମାନେ ୟୁନାନ ବା ଲାଓସର ଜଙ୍ଗଲରେ ମିଳନ୍ତି, ଯାହା ଉହାନ ଠାରୁ ଯଥାକ୍ରମେ ହଜାରେ ଓ ଦୁଇ ହଜାର କିଲୋମିଟର ଦୂରରେ ଅବସ୍ଥିତ। ତେଣୁ କୋଭିଡ୍-୧୯ର ପ୍ରଥମ ସଂକ୍ରମଣ କାହିଁକି ୟୁନାନ ଅଞ୍ଚଳରେ ନ ଘଟି ଉହାନରେ ହେଲା? ପୁଣି ଯେତେବେଳେ କୋଭିଡ୍-୧୯ର ସଂକ୍ରମଣ ସକାଶେ ଜଳବାୟୁ ଦୃଷ୍ଟିରୁ ବିଷୁବ ମଣ୍ଡଳୀୟ ୟୁନାନ ଶୀତ ପ୍ରଧାନ ଉହାନ ତୁଳନାରେ ଅଧିକ ଉପଯୁକ୍ତ? ଆଣ୍ଟୋନି ଫଉଚି ଓ ତାଙ୍କ ସମର୍ଥନକାରୀ ଗବେଷକମାନେ କହିଥାଆନ୍ତି ଯେ ଉହାନର ମାଂସ ବଜାରରେ କୌଣସି ଜନ୍ତୁ (ବାଦୁଡ଼ି!) ଠାରୁ କୋଭିଡ୍-୧୯ର ସଂକ୍ରମଣ ଆରମ୍ଭ ହୋଇଥିବା ସମ୍ଭବ। କିନ୍ତୁ ୟୁନାନରେ ମଧ୍ୟ ଉହାନ ଭଳି ମାଂସ ବଜାରମାନ ରହିଛି! କେବଳ ସେତିକି ନୁହେଁ, କୋଭିଡ୍-୧୯ ହେଉଛି ଏଭଳି ଏକମାତ୍ର ଭୂତାଣୁ ଯାହାର ପ୍ରୋଟିନ ଅଙ୍କୁଶରେ ‘ଫ୍ୟୁରିନ୍ କ୍ଲିଭେଜ୍’ ବିଦ୍ୟମାନ, ଯଦ୍ଦ୍ବାରା ଏହି ଭାଇରସ୍ର ସଂକ୍ରମଣ ଓ ମାରକ କ୍ଷମତା ଅନ୍ୟ କରୋନା ଭାଇରସ୍ ତୁଳନାରେ ଅଧିକ ହୋଇଛି। ପ୍ରକାଶ ଥାଉ କି ବର୍ତ୍ତମାନ ସୁଦ୍ଧା ବିଧିବଦ୍ଧ ଭାବେ ଅନୁଶୀଳନଭୁକ୍ତ ଓ ଲିପିବଦ୍ଧ କରୋନା ଭାଇରସ୍ ମଧ୍ୟରେ କେବଳ କୋଭିଡ୍-୧୯ ଠାରେ ‘ଫ୍ୟୁରିନ୍ କ୍ଲିଭେଜ୍’ ରହିଛି। ଏହାର କାରଣ କ’ଣ ହୋଇପାରେ? ‘ଭାଇରାଲ୍’ ନାମକ ଏକ ବହୁଚର୍ଚ୍ଚିତ ପୁସ୍ତକର ଲେଖିକା ତଥା ‘ମାସାଚ୍ୟୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକେ୍ନୋଲଜି’ର ଗବେଷିକା ଏଲିନା ଚାଙ୍ଗ କହିଥାନ୍ତି ଯେ ଉହାନ ଗବେଷଣାଗାରରେ ଚାଲିଥିବା ‘ଡିଫ୍ୟୁଜ୍ ପ୍ରୋଜେକ୍ଟ’ର ଏକ ଲକ୍ଷ୍ୟ ଥିଲା ଅଧିକ ସଂକ୍ରମଣକ୍ଷମ ‘ଫ୍ୟୁରିନ୍ କ୍ଲିଭେଜ୍’ ସଂବଳିତ ଭୂତାଣୁର ବିକାଶ ଘଟାଇବା। ସୁତରାଂ, କୋଭିଡ୍-୧୯ ଏହି ପ୍ରକଳ୍ପର ଏକ ଫଳଶ୍ରୁତି ନୁହେଁ ତ?
କହିବା ବାହୁଲ୍ୟ, ଏଭଳି ପ୍ରଶ୍ନଗୁଡ଼ିକର ଉତ୍ତର ଅନ୍ବେଷଣ କ୍ରମରେ ଫଉଚିଙ୍କ ସନ୍ଦେହାସ୍ପଦ ଭୂମିକା ଉଜାଗର ହୋଇଥିଲା, କାରଣ ଜଣା ପଡ଼ିଯାଇଥିଲା ଯେ ରାଜନୈତିକ ମତାଦର୍ଶ କାରଣରୁ ପରସ୍ପରର ପ୍ରତିସ୍ପର୍ଦ୍ଧୀ ରୂପେ ଅବତୀର୍ଣ୍ଣ ଚୀନ ଓ ଆମେରିକା କିଭଳି ଭୂତାଣୁ ସମ୍ବନ୍ଧୀୟ ଉଚ୍ଚାଙ୍ଗ ଗବେଷଣାରେ ପରସ୍ପରର ଘନିଷ୍ଠ ସହଯୋଗୀ ଏବଂ ଚୀନର ଉହାନସ୍ଥିତ ଭାଇରସ୍ ଗବେଷଣା କେନ୍ଦ୍ରରେ ଡକ୍ଟର ଆଣ୍ଟୋନି ଫଉଚିଙ୍କ ଦ୍ବାରା ପରିଚାଳିତ ‘ଇକୋ ହେଲ୍ଥ ଏଲାୟାନ୍ସ’ ପକ୍ଷରୁ ବିପୁଳ ପୁଂଜି ବିନିଯୁକ୍ତ କରାଯାଇଛି। କେବଳ ସେତିକି ନୁହେଁ, ଦୀର୍ଘ ୩୮ ବର୍ଷ କାଳ ଧରି ଯୁକ୍ତରାଷ୍ଟ୍ର ଆମେରିକାର ‘ନେସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଲର୍ଜି ଏଣ୍ଡ୍ ଇନ୍ଫେକ୍ସିଅସ୍ ଡିଜିଜ୍’ର ନିର୍ଦ୍ଦେଶକ ରୂପେ ଅବସ୍ଥାପିତ ଏବଂ ଜଣେ ବିଚକ୍ଷଣ ଗବେଷକ ଭାବେ ସ୍ବନାମଧନ୍ୟ ଫଉଚି କୁଆଡ଼େ ଉହାନର ‘ଡିଫ୍ୟୁଜ ପ୍ରକଳ୍ପ’ର ପ୍ରସ୍ତାବକ ଥିଲେ! ଅବଶ୍ୟ, କଂଗ୍ରେସ ତଦନ୍ତ କମିଟି ସମକ୍ଷରେ ସାକ୍ଷ୍ୟ ପ୍ରଦାନ କରି ଫଉଚି କହିଛନ୍ତି ଯେ ଉହାନରେ ଏଭଳି ଭାଇରସ୍ର ବିକାଶ ସମ୍ବନ୍ଧୀୟ ଗବେଷଣା ଚାଲିଥିବା ସଂଦର୍ଭରେ ସେ ଅଜ୍ଞ ଏବଂ ଗବେଷଣାଗାରରୁ ଭୂତାଣୁ ଲିକ୍ ହୋଇଥିବା ବିଷୟକୁ ଲୁଚାଇବା ଲାଗି ସେ ଉଦ୍ୟମ କରିଥିଲେ ବୋଲି ସୃଷ୍ଟ ଆରୋପ ନିନ୍ଦନୀୟ। କିନ୍ତୁ, ଏହା ଏକ ନିଷ୍ଠୁର ବାସ୍ତବତା ଯେ ଏକଦା କରୋନା ମହାମାରୀ ସଂଦର୍ଭରେ ସର୍ବାଧିକ ଶ୍ରବଣଯୋଗ୍ୟ ସ୍ବର ଭାବେ ସ୍ବୀକୃତ ଫଉଚି ସଂପ୍ରତି ତିକ୍ତ ବିଶ୍ବାସହାନିର ପାତ୍ର ହୋଇପଡ଼ିଛନ୍ତି! କାରଣ, ତାଙ୍କର କପଟାଚାର!
ଇତିମଧ୍ୟରେ କୋଭିଡ୍-୧୯ ଭୂତାଣୁ ଦୁର୍ବଳ ହୋଇସାରିଛି ବୋଲି ଗବେଷକମାନେ କହନ୍ତି। କିନ୍ତୁ ଏହି ଭୂତାଣୁର ଅନ୍ୟ କୌଣସି ଏକ ସବଳ ‘ଭେରିଆଣ୍ଟ୍’ ପରିବର୍ତ୍ତିତ ସ୍ବରୂପରେ ଆସି ପୁଣି ଯେ ଏକ ମହାମାରୀକୁ ଜନ୍ମ ଦେବ ନାହିଁ, ସେ କଥା ମଧ୍ୟ ନିଶ୍ଚିତ କରି କୁହାଯାଇ ନପାରେ! କେବଳ ସେତିକି ନୁହେଁ, କୋଭିଡ୍ ମହାମାରୀର ଉତ୍ପତ୍ତି ନେଇ ଚାଲିଥିବା ତର୍କ-ବିତର୍କ ଏବଂ ବ୍ୟାଖ୍ୟାନମାନରୁ ଏହା ବର୍ତ୍ତମାନ ଆଉ ଗୋପନୀୟ ନୁହେଁ ଯେ ପୃଥିବୀର ବିଭିନ୍ନ ଗବେଷଣାଗାରରେ ଅତି ଗୋପନରେ ଓ ସନ୍ତର୍ପଣରେ ‘ପ୍ରୋଜେକ୍ଟ ଡିଫ୍ୟୁଜ୍’ ଭଳି ପ୍ରକଳ୍ପମାନ ଅଗ୍ରଗତି ଲାଭ କରୁଛି, ଯେଉଁ ପରିପ୍ରେକ୍ଷୀରେ ସାମାନ୍ୟତମ ମନୁଷ୍ୟକୃତ ଅସାବଧାନତା ଅଗତ୍ୟା ଭୟାବହ ପାନ୍ଡେମିକ୍ ସୃଷ୍ଟି କରିପାରେ! ଉହାନରେ କୋଭିଡ୍-୧୯ ଭୂତାଣୁର ଆବିର୍ଭାବ ନେଇ ଚୀନ ସରକାର ଅବଗତ ଥିଲେ ସୁଦ୍ଧା କାହାକୁ ଜଣାଇ ନ ଥିବାରୁ ପୃଥିବୀ ପୃଷ୍ଠରୁ ପ୍ରାୟ ୭ ନିୟୁତ ମାନବ ଜୀବନ ନିଶ୍ଚିହ୍ନ ହୋଇଗଲା। କିନ୍ତୁ ଏହାକୁ ସ୍ବୀକାର ନ କରି ଚୀନ ସରକାରଙ୍କ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଗଲା ଯେ ଉହାନରେ ଅନୁଷ୍ଠିତ ‘ଆଇସ୍ ହକି’ ଟୁର୍ନାମେଣ୍ଟେର ଯୋଗ ଦେବା ଲାଗି ଆସିଥିବା ଆମେରିକୀୟ ଖେଳାଳି ଦଳ ନିକଟରୁ ଏହି ଭୂତାଣୁ ପ୍ରଥମେ ବ୍ୟାପିବା ଆରମ୍ଭ କରିଥିଲା। ସେମିତି ଆଣ୍ଟୋନି ଫଉଚି ମହାମରୀର ଦୋଷ ଏକାବେଳକେ ବାଦୁଡ଼ିମାନଙ୍କ ଉପେର ଲଦି ଦେଇ ଉହାନ ଭୂତାଣୁ ଗବେଷଣାରେ ନିଜ ସଂପୃକ୍ତିକୁ ଲୁକ୍କାୟିତ ରଖିବାର ଉଦ୍ୟମ କଲେ! ଦୋଷ ସ୍ବୀକାର କରି ଆତ୍ମ ନିରୀକ୍ଷଣ କରିବାର ଅସାମର୍ଥ୍ୟ ମନୁଷ୍ୟକୁ ଅନେକତ୍ର ପ୍ରାୟଶ୍ଚିତ୍ତ କରିବାକୁ ପ୍ରବର୍ତ୍ତାଇ ପାରି ନ ଥାଏ। ସୁତରାଂ, ଆଉ ଏକ ପାନ୍ଡେମିକ୍ ନ ଘଟିବ ବା କାହିଁକି? କହିବା ବାହୁଲ୍ୟ ଯେ ମନୁଷ୍ୟ ଜାତି ଭଳି ଭୂତାଣୁ ଜାତି ମଧ୍ୟ ସୁବିଧାବାଦୀ ଏବଂ ନିଜକୁ ସୁହାଇବା ଭଳି ଆପଣା ସ୍ବରୂପ ପରିବର୍ତ୍ତନ କରିପାରୁଥିବା କପଟାଚାରୀ! ସୁତରାଂ, ଦୁଇ କପଟାଚାରୀଙ୍କ ଯୁଗଳବନ୍ଦୀ ହେତୁ ପୃଥିବୀ ଉପରେ ଏକ ମହାମାରୀର ବିପଦ ସର୍ବଦା ଝୁଲି ରହିପାରେ!