ରାଜାଙ୍କ ନିକଟକୁ ଜଣେ ଚୋର ଧରା ହୋଇ ଆସିଲା। ତାକୁ ଧରି ଆଣିଥିବା ଲୋକେ କହିଲେ- ମଣିମା, ଆମେ ବରାବର ଦେଖୁ ଯେ ଏ ଲୋକଟି ଆମ ଗାଁ ବାହାରେ ଗୋଟିଏ ଗଛ ମୂଳେ ତା’ର ପିଲା ପରିବାର ଧରି ରହିଥାଏ। କିନ୍ତୁ ଆମେ କେହି ଜାଣି ନ ଥିଲୁ ଯେ ସେ ଗୋଟାଏ ଚୋର। କାଲି ଆମ ଗାଁର ସାହୁକାରଙ୍କ ଘରେ ପଶିଥିବା ବେଳେ ଧରା ପଡ଼ିଲା। ଏହି ଅପରାଧୀକୁ ଏବେ ଦଣ୍ତ ଦିଅନ୍ତୁ।
 ଧରା ହୋଇ ଆସିଥିବା ଲୋକଟିକୁ ରାଜା ପଚାରିଲେ- ମୁଁ ଜାଣିବାକୁ ଚାହେଁ ଯେ ତୁମେ ଚୋରି କରିବାକୁ ଯାଇଥିଲ କି? ଯଦି ହଁ, ତେବେ କାହିଁକି? ଚୋରି ତୁମ ବେଉସା ନା ଅନ୍ୟ କୌଣସି କାରଣ ଅଛି?
ସେହି ବ୍ୟକ୍ତି ଭୟରେ ଜଡ଼ସଡ଼ ହୋଇ କହିଲା- ମଣିମା, ମୋର ଭୁଲ୍‌ ହୋଇଯାଇଛି। ମୁଁ ହିଁ ଚୋର। ମୁଁ ଅତି ଗରିବ। ମୋର ପିଲାଟିର ଭୋକ ବିକଳ କାନ୍ଦ ସହି ପାରିଲି ନାହିଁ ବୋଲି ଚୋରି କରିବାକୁ ପଶିଗଲି।
ଏହା ଶୁଣିବା ପରେ ରାଜା ଗମ୍ଭୀର ଦେଖାଗଲେ। ସମସ୍ତେ ଚାହିଁ ରହିଥିଲେ ରାଜା କ’ଣ ଦଣ୍ତ ଦେବେ ତାହା ଦେଖିବେ। ଚୋରକୁ ଧରି ପକାଇ ସେମାନେ ଗଡ଼ ଜିଣି ଯାଇଥିଲେ। 
ରାଜା କହିଲେ- ଯଦି ନ୍ୟାୟର ବିଚାର କରିବି, ତେବେ ଏହି ବ୍ୟକ୍ତି ଅପରାଧୀ ନୁହେଁ। ବର˚, ତାକୁ ଧରି ଆଣିଥିବା ତୁମେ ସମସ୍ତେ ଅପରାଧୀ! କାରଣ, ତୁମେମାନେ ଟିକିଏ ଭାବି ଦେଖ, ତୁମ ଗାଁରେ ସମସ୍ତେ ଊଣାଅଧିକେ ଖାଇପିଇ ରହୁଥିବା ବେଳେ ତୁମମାନଙ୍କ ସହିତ ରହୁଥିବା ଏହି ଲୋକଟି କିଭଳି ସ୍ଥିତିରେ ଅଛି, ତାହା କାହାର ନଜରରେ ନ ଥିଲା। ତୁମେ ସମସ୍ତେ ସମ୍ବେଦନଶୂନ୍ୟ। ତୁମେମାନେ ଟିକିଏ ସାହାଯ୍ୟର ହାତ ବଢ଼ାଇଥିଲେ ସେ ଆଜି ଯାହା କରିଛି ତା’ କରି ନ ଥାଆନ୍ତା। ତେଣୁ, ସେ ନୁହେଁ, ତୁମେମାନେ ହିଁ ଦୋଷୀ।